୨୦୨୩ ରଥଯାତ୍ରା ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ନେଇ ଲକ୍ଷ୍ୟ

ଚଳିତ ବର୍ଷ ରଥଯାତ୍ରା ଭକ୍ତମୟ ପରିବେଶରେ ହୋଇଥିବା ବେଳେ ସମ୍ପୂର୍ଣ୍ଣ ରଥଯାତ୍ରାରେ ସାମିଲ ହୋଇଥିଲେ ୨୦ ରୁ ୨୫ ଲକ୍ଷ ଭକ୍ତ।

୨୦୨୩ ରଥଯାତ୍ରା ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ନେଇ ଲକ୍ଷ୍ୟ

୨୦୨୩ ରଥଯାତ୍ରା ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବାକୁ ନେଇ ଲକ୍ଷ୍ୟ

  • Share this:
News18 Odia Digital

ପୁରୀ: ଚଳିତ ବର୍ଷ ରଥଯାତ୍ରା ଭକ୍ତମୟ ପରିବେଶରେ ହୋଇଥିବା ବେଳେ ଏଭଳି ଭକ୍ତଙ୍କ ଭିଡ଼କୁ ଦେଖି ୨୦୨୩ ରଥଯାତ୍ରା ସୁଦ୍ଧା ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ଶେଷ ହେବା ଆବଶ୍ୟକ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ।

ଦୀର୍ଘ ଦୁଇ ବର୍ଷ ପରେ ଭକ୍ତମୟ ପରିବେଶରେ ହୋଇଛି ଚଳିତ ବର୍ଷର ରଥଯାତ୍ରା। ପ୍ରାୟ ୨୪ ଲକ୍ଷ ଭକ୍ତ ରଥଯାତ୍ରାରେ ସାମିଲ ହୋଇଥିବା ବେଳେ କେବଳ ସୁନାବେଶରେ ୧୮ ଲକ୍ଷ ଭକ୍ତଙ୍କ ସମାଗମ ହୋଇଥିଲା। ଆଉ ସବୁଠାରୁ ଖୁସିର କଥା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ଉଚ୍ଛେଦ ହୋଇଥିବା ୭୫ ମିଟର ପରିଧି ମଧ୍ୟରେ ଭକ୍ତମାନେ ଅତି ଶୃଙ୍ଖଳିତ ଭାବରେ ବିନା କୌଣସି ଅଘଟଣରେ ସୁନାବେଶ ଦର୍ଶନ କରିପାରିଥିଲେ। ତେଣୁ ରାଜ୍ୟ ସରକାରଙ୍କ ପକ୍ଷରୁ ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ପାଇଁ ୩୩୧ କୋଟି ଟଙ୍କା ଓ ଅବଶିଷ୍ଟ ୨୨ଟି ପ୍ରକଳ୍ପ ପାଇଁ ୩୨୦୦ କୋଟି ଟଙ୍କା ବ୍ୟୟବରାଦ କରାଯାଇଛି। ଆଉ ୨୦୨୪ ସୁଦ୍ଧା ସମସ୍ତ ପ୍ରକଳ୍ପ କାର୍ଯ୍ୟ ଶେଷ କରାଯାଇ ପୁରୀକୁ ଏକ ବିଶ୍ୱ ଐତିହ୍ୟ ସହର ଭାବେ ରୂପାନ୍ତରିତ କରାଯିବ। ଆଉ ପରିକ୍ରମା ପ୍ରକଳ୍ପ କାର୍ଯ୍ୟ ୨୦୨୩ ରଥଯାତ୍ରା ସୁଦ୍ଧା ଶେଷ କରିବା ପାଇଁ ଠିକା ସଂସ୍ଥାକୁ ନିର୍ଦ୍ଦେଶ ଦିଆଯାଇଛି। ଯେଉଁଥିରେ ଶ୍ରୀସେତୁ, ମାର୍କେଟ କମ୍ପ୍ଲେକ୍ସ, ଜେଲ୍ ରୋଡ ଓ ଦିଗବାରେଣି ଖୁଣ୍ଟି ଛକ ନିକଟରେ ବହୁତଳ ବିଶିଷ୍ଟ କାର୍ ପାର୍କଂ, ଜଗନ୍ନାଥ ବଲ୍ଲଭରେ ମ୍ୟୁଜିୟମ, ଅଠରନଳା ଓ ମୂଷାନଦୀର ପୁନରୁଦ୍ଧାର ଆଦି ଉନ୍ନୟନ କାର୍ଯ୍ୟ ସବୁ ଚଳିତ ରଥଯାତ୍ରା ପରେ ତ୍ୱରିତ ବେଗରେ କରାଯାଇ ଶେଷ କରିବାକୁ ନିର୍ଦ୍ଦେଶ ଦିଆଯାଇଛି। ପୁଣି ୨୦୨୪ ସୁଦ୍ଧା ଶ୍ରୀ ଜଗନ୍ନାଥ ଅନ୍ତର୍ଜାତୀୟ ବିମାନ ବନ୍ଦର କାର୍ଯ୍ୟ ଶେଷ ହେଲେ ଶ୍ରୀକ୍ଷେତ୍ରକୁ ବିଦେଶରୁ ଲକ୍ଷାଧିକ ପର୍ଯ୍ୟଟକଙ୍କ ଭିଡ଼ ହେବ । ଆଉ ଚଳିତ ବର୍ଷ ରଥଯାତ୍ରା ମୋ ପାଇଁ ଶେଷ ରଥଯାତ୍ରା ହୋଇଥିବାରୁ ମହାପ୍ରଭୁଙ୍କ ଦୟାରୁ ସବୁକିଛି ଶୃଙ୍ଖଳିତ ହୋଇପାରିଛି। ତେଣୁ ମହାପ୍ରଭୁଙ୍କ ପାଖରେ ଏତିକି କାମନା ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ପରିକଳ୍ପନା ଯୋଜନା ହୋଇଥିବାରୁ ସମସ୍ତେ ଏଥିରେ ସହଯୋଗ କରିବା ଆବଶ୍ୟକ ବୋଲି ଅନୁରୋଧ କରିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟିର କାର୍ଯ୍ୟକାରୀ ଅଧ୍ୟକ୍ଷ ତଥା ମୁଖ୍ୟ ଶାସନ ସଚିବ ସୁରେଶ ଚନ୍ଦ୍ର ମହାପାତ୍ର।

"ବଦଳୁଛି ଶ୍ରୀକ୍ଷେତ୍ର ଆଉ କଳେବର ହେଉଛି ପୁରୀ ସହରର। ୨୪ରୁ ଅଧିକ ପ୍ରକଳ୍ପ କାର୍ଯ୍ୟ ଜୋରସୋରରେ ଆଗେଇଛି। ଆଉ ବିବାଦୀୟ ହୋଇପଡ଼ିଥିବା ଶ୍ରୀମନ୍ଦିର ପ୍ରକଳ୍ପକୁ ସୁପ୍ରୀମକୋର୍ଟଙ୍କ ସବୁଜ ସଙ୍କେତ ମିଳିବା ପରେ ଏହି ପ୍ରକଳ୍ପର ନିର୍ମାଣ କାର୍ଯ୍ୟ ଜୋରସୋରରେ ଚାଲିଛି। ଆଉ ପ୍ରକଳ୍ପ ବିଷୟରେ ଶ୍ରଦ୍ଧାଳୁଙ୍କୁ ବାସ୍ତବ ଚିତ୍ର ଦେଖାଇବା ପାଇଁ ରଥଯାତ୍ରା ଦିନ ମୁଖ୍ୟମନ୍ତ୍ରୀ ଆସି ଦକ୍ଷିଣ ଦ୍ୱାର ସମ୍ମୁଖ ଭାଗରେ ପ୍ରକଳ୍ପର ଏକ ଅଂଶବିଶେଷକୁ ଅନାବରଣ କରାଯାଇଥିବା ବେଳେ ଏହାକୁ ସବୁ ମହଲରୁ ପ୍ରଶଂସା କରାଯାଇଛି। ତେବେ ଐତିହ୍ୟ କରିଡରରେ ଭକ୍ତ ଓ ଶ୍ରଦ୍ଧାଳୁଙ୍କ ସୁବିଧା ପାଇଁ କ୍ଲକ୍ ରୁମ୍, ମିନି କ୍ଲକ୍ ରୁମ୍, ସେଲଟର ପାଭିଲିଅନ୍, ଟଏଲେଟ୍, ଇଲେକ୍ଟ୍ରି ରୁମ୍, ରିସେପସନ୍ ସେଣ୍ଟର ବା ଅଭ୍ୟର୍ଥନା କକ୍ଷ, ସୂଚନା ଓ ଦାନ ସଂଗ୍ରହ କକ୍ଷ, ଫାଷ୍ଟଏଡ୍ ସେଣ୍ଟର, ପୋଲିସ ସହାୟତା କେନ୍ଦ୍ର, ଏଟିଏମ୍ ଗୃହ ଇତ୍ୟାଦି ନିର୍ମାଣ କରାଯିବ ବୋଲି ନକ୍ସା ପ୍ରସ୍ତୁତ କରାଯାଉଛି। ଆଗାମୀ ରଥଯାତ୍ରା ସୁଦ୍ଧା ସମସ୍ତ ପ୍ରଳ୍ପକୁ ଯୁଦ୍ଧକାଳୀନ ଭିତ୍ତିରେ କରାଗଲେ ଆଗାମୀ ଦିନରେ ପ୍ରାୟ ୩୦ ରୁ ୪୦ ଲକ୍ଷ ଭକ୍ତଙ୍କ ସମାଗମ ହେବ,’’ କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର।

ସେହିପରି ପୁରୀ ବିଧାୟକ ଜୟନ୍ତ ଷଡ଼ଙ୍ଗୀ କହିଛନ୍ତି, "ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପକୁ ନେଇ ଆଇନଗତ ବିବାଦ ହୋଇଛି ସମାଧାନ। ଆଉ ସୁପ୍ରିମକୋର୍ଟଙ୍କ ସୁପ୍ରିମ ରାୟ ପରେ ଚିତପଟାଙ୍ଗ ହେଲେ ପ୍ରକଳ୍ପ ବିରୋଧୀ। ଭକ୍ତଙ୍କ ହିତପାଇଁ ରାଜ୍ୟ ସରକାର ପ୍ରକଳ୍ପ ଆରମ୍ଭ କରିଥିବା ବେଳେ ସୁପ୍ରିମକୋର୍ଟ ମଧ୍ୟ ସେହି ରାୟ ଦେବା ପରେ ଏବେ ଜୋରସୋରରେ ଆଗେଇ ଚାଲିଛି ପ୍ରକଳ୍ପ କାର୍ଯ୍ୟ। ଶ୍ରୀମନ୍ଦିର ପରିକ୍ରମା ପ୍ରକଳ୍ପ ଡିଜାଇନ ଅନୁଯାୟୀ ଶ୍ରୀମନ୍ଦିରର ୧୦୦ ମିଟର ନିଷିଧାଞ୍ଚଳର ଉତ୍ତର ପୂର୍ବ କୋଣରେ ୪୮୫ ବର୍ଗ ମିଟର ଜାଗାରେ ୩୨୦୮ ମିଟର ଉଚ୍ଚର କ୍ଲୋକ ରୁମ, ଦକ୍ଷିଣ, ପଶ୍ଚିମ, ଉତ୍ତର ଦ୍ୱାରରେ ୨୬,୭୧୦ ବର୍ଗ ମିଟର ଜାଗାରେ ୩୨୦୮ ମିଟର ଉଚ୍ଚର ତିନୋଟି କ୍ଲୋକ ରୁମ, ଦକ୍ଷିଣ ଉତ୍ତର ଓ ପଶ୍ଚିମ ଦ୍ୱାରରେ ୨୬,୭୧୦ ବର୍ଗ ମିଟର (ପ୍ରତି ଘର) ଜାଗାରେ ୩,୨୦୮ ମିଟର ଉଚ୍ଚର ସୁଚନା ଓ ଦାନ କିଓସ୍କ, ୧୯ ବର୍ଗ ମିଟର ଜାଗା (ପ୍ରତି ଘର)ରେ ୩,୩୫୦ ମିଟର ଉଚ୍ଚର ତିନୋଟି ସେଲଟର ପାଭିଲିୟନ, ୬୫ ବର୍ଗ ମିଟର (ପ୍ରତି ଘର)ରେ ୩,୨୦୮ ମିଟର ଉଚ୍ଚର ତିନୋଟି ପୁରୁଷ ଶୌଚାଳୟ ଓ ଉତ୍ତର ଓ ଦକ୍ଷିଣ ଦ୍ୱାରରେ ତିନିଟି ସେବାୟତ ଶୌଚାଳୟ, ପଶ୍ଚିମ ଦ୍ୱାରରେ ୨୬,୭୧୦ ବର୍ଗମିଟର (ପ୍ରତି ଘର)ରେ ୩,୨୦୮ ମିଟର ଉଚ୍ଚର ପୋଲିସ ସର୍ଭିସ ସେଣ୍ଟର, ୨୫ ବର୍ଗ ମିଟର ଜାଗାରେ ଉତ୍ତରଦ୍ବାରରେ ଏକ ଏଟିଏମ କିଓସ୍କୋ, ପଶ୍ଚିମ ଦ୍ୱାରରେ ୩୩୫ ବର୍ଗମିଟର ଜାଗାରେ ଇଲେକ୍ଟ୍ରିକାଲ ରୁମ, ଉତ୍ତର ଦ୍ୱାରରେ ୨୬,୭୧୦ ବର୍ଗମିଟର (ପ୍ରତି ଘର)ରେ ୩,୨୦୮ ମିଟର ଉଚ୍ଚର ଫାଷ୍ଟ ଏଡ଼ ସେଣ୍ଟର ନିର୍ମାଣ କାର୍ଯ୍ୟ ଚାଲିଛି। ସେହିଭଳି ଉତ୍ତର ପୂର୍ବ ଦ୍ୱାରର ରେଗୁଲେଟେଡ ଅଞ୍ଚଳରେ ୨୬୩୮.୯୧୧ ବର୍ଗମିଟର ଜାଗାରେ ତିନି ମହଲା ପ୍ରତି ମହଲା ୧୩.୮୦୦ ମିଟର ଉଚ୍ଚର ଶ୍ରୀଜଗନ୍ନାଥ ରିସେପସନ ସେଣ୍ଟର କରାଯିବା ନେଇ ଡିଜାଇନ ଅନୁସାରେ କାର୍ଯ୍ୟ ହେଉଥିବା ବେଳେ ଏନଏମଏ ଅନୁମତିକୁ ଅପେକ୍ଷା ରହିଛି । ତେଣୁ ଏବେ ଆଇନଗତ ବାଦବିବାଦ ହଟିଯିବା ପରେ ରାଜ୍ୟ ସରକାର ତୁରନ୍ତ କାର୍ଯ୍ୟ ଶେଷ କରନ୍ତ।

ଫନିରେ ଧ୍ୱସ୍ତବିଧ୍ୱସ୍ତ ହୋଇପଡ଼ିଥିଲା ବିଶ୍ୱ ପର୍ଯ୍ୟଟନ କ୍ଷେତ୍ର ପୁରୀ। ଆଉ ରାଜ୍ୟ ସରକାର ପୁରୀକୁ ବିଶ୍ୱ ଐତିହ୍ୟ ସହର କରିବା ପାଇଁ କୋଟି କୋଟି ଟଙ୍କା ଅନୁଦାନ ଦେଉଥିବା ବେଳେ ଏହାର ବାସ୍ତବ ରୂପ ଦେଖିବା ପାଇଁ ଅପେକ୍ଷା କରିଛନ୍ତି ଜଗନ୍ନାଥ ପ୍ରେମୀ।
Published by:Lipina Das
First published: