ପୁରୀ: ନାବାଳିକାର ୨ ଜଣ ପ୍ରେମିକ, ଫୋନରେ ୨ଟି ସିମ୍; ଘରୁ ପଳାଇବା ବେଳେ ଧରାପଡ଼ିଲେ
ଦଶମ ଶ୍ରେଣୀରେ ପଢ଼ୁଥିବା ଝିଅଟିକୁ ତା’ ପ୍ରଥମ ପ୍ରେମିକ ମୋବାଇଲ୍ ଫୋନଟି ଉପହାର ଦେଇଥିଲେ, ହେଲେ ତାଙ୍କ ପାଖରେ ଗୋଟିଏ ଫୋନ୍ ଅଛି ବୋଲି ତାଙ୍କ ପରିବାର ଲୋକେ ଜାଣି ନ ଥିଲେ । ଜାଣିବା ପରେ ସେ ଦ୍ୱିତୀୟ ପ୍ରେମିକ ସହ ମୁମ୍ବାଇ ପଳାଇବାକୁ ବାହାରିଥିଲେ ।

ପୁରୀରେ ନନ୍ଦନକାନନ ଏକ୍ସପ୍ରେସକୁ ଅପେକ୍ଷା କରିଥିବା ବେଳେ ଧରାପଡ଼ିଥିଲେ ନାବାଳିକା ।
- News18 Odia
- Last Updated: December 21, 2020, 6:37 PM IST
ପୁରୀ: ପ୍ରେମର ସ୍ମୃତି ହିସାବରେ ପ୍ରଥମ ପ୍ରେମିକ ଉପହାର ସ୍ୱରୂପ ଗୋପନରେ ଦେଇଥିବା ମୋବାଇଲ ଫୋନରେ ଆଉ ଗୋଟିଏ ସିମ୍ କାର୍ଡ଼ ଲଗାଇ ଦୁଇ ମାସ ଧରି ଦ୍ୱିତୀୟ ପ୍ରେମିକ ସହ ବାର୍ତ୍ତାଳାପ ଜାରି ରଖିଥିବା ଜଣେ ନାବାଳିକା ନିଜ ପରିବାର ହାତରେ ଧରାପଡ଼ିଯିବା ପରେ ଘର ଛାଡ଼ି ଦ୍ୱିତୀୟ ପ୍ରେମିକ ସହ ମୁମ୍ବାଇ ଚାଲିଯିବାକୁ ବାହାରିଥିଲେ । ଠିକ୍ ସମୟରେ ତାଙ୍କୁ ପୁରୀ ଷ୍ଟେସନରେ ଦେଖି ତାଙ୍କ ପରିବାର ଓ ଏର୍.ପି.ଏଫ୍. କର୍ମୀମାନେ ଅଟକାଇଦେଲେ ।
କୁମ୍ଭାରପଡ଼ା ଥାନା ଅଞ୍ଚଳରେ ରହୁଥିବା ଏହି ନାବାଳିକା ଦଶମ ଶ୍ରେଣୀରେ ପଢ଼ନ୍ତି । ଦୀର୍ଘ ଦିନ ଧରି ସେ ସ୍ଥାନୀୟ ଅଞ୍ଚଳର ଜଣେ ଯୁବକକୁ ପ୍ରେମ କରୁଥିଲେ ଓ ପ୍ରାୟ ଦୁଇ ମାସ ତଳେ ସେହି ପ୍ରେମିକ ତାଙ୍କୁ ଏକ ମୋବାଇଲ ଫୋନ ଉପହାର ସ୍ୱରୂପ ଦେଇଥିଲେ ବୋଲି ପରିବାର ଓ ଆର୍.ପି.ଏଫ୍. ସୂତ୍ରରୁ ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ୩ ଘଣ୍ଟା ପୂର୍ବରୁ ମୃତ ଘୋଷିତ ହୋଇଥିଲା; ଶବ ବ୍ୟବଚ୍ଛେଦ ସମୟରେ ବଞ୍ଚି ଉଠିଲା ଏହି ବ୍ୟକ୍ତି!

ପୁରୀ ଆର.ପି.ଏଫ. ଥାନା ଅଧିକାରୀ ଅନିଲ ସିଂ
ନାବାଳିକାଙ୍କ ୪୫ ବର୍ଷୀୟ ବାପାଙ୍କ (ଛଦ୍ମନାମ ଶମ୍ଭୁ) କହିବା ଅନୁସାରେ ଝିଅଟି ପାଖରେ ମୋବାଇଲ ଫୋନ୍ ଥିବା ପରିବାର ଲୋକେ ଜାଣି ନ ଥିଲୁ । ‘‘ସେ ମୋବାଇଲ୍ ଫୋନଟିକୁ ଅତି ସାବଧାନତାର ସହ ବ୍ୟବହାର କରୁଥିଲା । ରୁମରେ କବାଟ କିଳି ପାଠ ପଢୁଛି ବୋଲି ଆମେ ଭାବୁଥିଲୁ, ହେଲେ ସେ ସେହି ମୋବାଇଲରେ ସେହି ଯୁବକମାନଙ୍କ ସହ କଥା ହେଉଥିଲା । ସେ ସବୁ ଦିନ ସାଇଲେଣ୍ଟ ବା ଭାଇବ୍ରେସନ ମୋଡରେ ଫୋନକୁ ରଖି କଥା ହେଉଥିବା ବେଳେ ଶନିବାର ମଧ୍ୟ ରାତ୍ରିରେ ତାହା କରି ନ ଥିବାରୁ ତା’ ଫୋନଟି ରିଙ୍ଗ ହେଲା । ହଠାତ ଘରେ ମୋବାଇଲ ଫୋନ୍ ବାଜିବାକୁ ନେଇ ଆମେ ଚମକି ପଡ଼ିଥିଲୁ,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | ୬ ଜଣ ଗର୍ଭବତୀ ଗର୍ଲଫ୍ରେଣ୍ଡଙ୍କ ସହ ବିବାହ ଉତ୍ସବରେ ଯୋଗ ଦେଲେ ଏହି ଯୁବକ; ସଭିଏଁ ଚକିତ
ଝିଅ ପାଖରେ ଏହି ମୋବାଇଲ କେଉଁଠୁ ଆସିଲା ବୋଲି ପ୍ରଶ୍ନ କରିବା ସହ ତା’ ବାପା ଓ ମା’ ତାକୁ ଗାଳି କରି ତାଗିଦ କରିଥିଲେ । ସେହି ତାଗିଦକୁ ସହ୍ୟ କରି ନ ପାରି ସେ ଘର ଛାଡ଼ି ପଳେଇବାକୁ ବାହାରିଥିଲା ବୋଲି କହିଛନ୍ତି ତା’ ବାପା । ନାବାଳିକା ଜଣକ ଫେସବୁକରୁ ନିଜ ନୂଆ ପ୍ରେମିକକୁ ବାଛିଥିବା କଥା କହିଛନ୍ତି । ପ୍ରତି ଦିନ ବିଳମ୍ବିତ ରାତିରେ ସେ ସେହି ନୂଆ ପ୍ରେମିକ ସହ କଥା ହେଉଥିବା କହିଛନ୍ତି ।
‘‘ମହାରାଷ୍ଟ୍ରରେ ଏକ ବେସରକାରୀ ସଂସ୍ଥାରେ ଚାକିରି କରୁଥିବା ବାଲେଶ୍ୱରର ଜଣେ ଯୁବକ ସହ ଦୁଇ ମାସ ତଳେ ସୋସିଆଲ ମିଡ଼ିଆରେ ବନ୍ଧୁତା ସ୍ଥାପନ ହୋଇଥିଲା ଓ ଏହା ପ୍ରେମ ଦିଗକୁ ଗତି କରିଥିଲା । ପ୍ରଥମ ପ୍ରେମିକ ବେକାର ଥିବାରୁ ତାକୁ ଧୀରେ ଧୀରେ ଦୂରେଇ ଦ୍ୱିତୀୟ ପ୍ରେମିକ ସହ ଯୋଡ଼ିହୋଇ ଯାଇଥିଲି । ମୋବାଇଲ ଫୋନରେ ଡୁଆଲ ସିମ୍ ବ୍ୟବସ୍ଥା ଥିବାରୁ ଜଣକୁ ଗୋଟେ ନମ୍ବରର ଓ ଅନ୍ୟକୁ ଆଉ ଗୋଟେ ନମ୍ବରରେ ସମୟ ଦେଉଥିଲି,’’ ଆର୍.ପି.ଏଫ୍. ପୋଲିସ ଦ୍ୱାରା ଧରାପଡ଼ିବା ପରେ କହିଛନ୍ତି ନାବାଳିକା ।
ଏହା ବି ପଢ଼ନ୍ତୁ | ବିବାହ ପରେ ବି ଅଫେୟାର୍ ଚଳାଇଥିଲା; ପତ୍ନୀ ଦେଲା ନିଆରା ଦଣ୍ଡ; ହାତଗୋଡ଼ ବାନ୍ଧିବା ପରେ...
ସେ ଦ୍ୱିତୀୟ ପ୍ରେମିକ ସହ ବ୍ୟସ୍ତ ରହୁଥିବାରୁ ପ୍ରଥମ ପ୍ରେମିକ ତାଙ୍କ ସହ ଝଗଡ଼ା କରୁଥିବା ସେ କହିଛନ୍ତି । ‘‘ତେଣୁ ମୁଁ ମୋବାଇଲ ବ୍ୟବହାର କରୁନାହିଁ କହି ସିମ ବଦଳାଇ ଦେଇଥିଲି । ମୋ’ ବାପା ଓ ମା’ ବିଶ୍ୱାସରେ ଅନ୍ଧ ହୋଇ ମୋ’ କଥା ଜାଣିପାରୁ ନ ଥିଲେ । ଜାଣିବା ପରେ ମୋତେ ଖରାପ ଲାଗିବାରୁ ମୁଁ ମହାରାଷ୍ଟ୍ରରେ ରହୁଥିବା ବାଲେଶ୍ୱରର ପ୍ରେମିକ ସହ ଯୋଗାଯୋଗ କରି ରବିବାର ଭୋରରୁ ଘର ଛାଡ଼ିବା ନିଷ୍ପତି ନେଇଥିଲି,’’ ସେ କହିଛନ୍ତି ।
ପୁରୀ ଆର.ପି.ଏଫ. ଥାନା ଅଧିକାରୀ ଅନିଲ ସିଂ କହିଛନ୍ତି ଯେ ନାବାଳିକା ଜଣକ ପୁରୀ ରେଳ ଷ୍ଟେସନରେ ସକାଳ ୧୦ଟାରେ ନନ୍ଦନକାନନ ଏକ୍ସପ୍ରେସରେ ଭୁବନେଶ୍ୱର ଯାଇ ସେଠାରୁ କୋଣାର୍କ ଏକ୍ସପ୍ରେସରେ ମହାରାଷ୍ଟ୍ର ଚାଲିଯିବାକୁ ପ୍ରସ୍ତୁତ ଥିଲେ । ’’ତାଙ୍କ ଦ୍ୱିତୀୟ ପ୍ରେମିକ ରିଜର୍ଭେସନ ଟିକେଟ କରି ନାବାଳିକାଙ୍କ ମୋବଇଲ ଫୋନକୁ ପଠାଇଥିଲା । ପୁରୀ ଷ୍ଟେସନରେ ସେ ଟ୍ରେନକୁ ଅପେକ୍ଷା କରିଥିବା ବେଳେ ତାଙ୍କ ପରିବାର ଲୋକେ ତାଙ୍କୁ ଖୋଜାଖୋଜି କରି ରେଳ ଷ୍ଟେସନର ଆର.ପି.ଏଫ. ଥାନାରେ ତାଙ୍କ ଫଟୋ ଦେଇଥିଲେ । ସକାଳ ୮ଟାରୁ ନାବାଳିକା ଝିଅଟି ଷ୍ଟେସନରେ ଏକା ବୁଲୁଥିବାର ଦେଖି ଆର.ପି.ଏଫ. ଟିମ୍ ଥାନାକୁ ଖବର ଦେବାରୁ ତାଙ୍କୁ ଧରିବା ସମ୍ଭବ ହୋଇଥିଲା,’’ କହିଛନ୍ତି ସିଂ ।
ଏହା ବି ପଢ଼ନ୍ତୁ | IAS ଟପ୍ପର ଟିନା ଡାବି ପ୍ରେମ ବିବାହ କରିଥିଲେ କଶ୍ମୀରର ଆମିର୍ଙ୍କ ସହ; ଏବେ ଛାଡ଼ପତ୍ର ମାଗୁଛନ୍ତି
ନାବାଳିକାକୁ ଉଦ୍ଧାର କରିବା ପରେ ଆର୍.ପି.ଏଫ୍. ଟିମ୍ ତାଙ୍କୁ ସି.ଡବ୍ଳୁ.ସି.ରେ ପହଞ୍ଚାଇଥିଲା । ତାଙ୍କ ପରିବାର ଲୋକେ ତାଙ୍କୁ ଘରକୁ ନେବାକୁ ଚାହିଁଲେ ସୁଦ୍ଧା ନାବାଳିକା ଘରକୁ ଯିବେ ନାହିଁ ବୋଲି କହିବା ପରେ ତାଙ୍କୁ ଚାଇଲ୍ଡ ଲାଇନ୍ ସେଲ୍ଟର ହୋମରେ ରଖାଯାଇଥିଲା । ତା’ ପରେ ନାବାଳିକା ନିଜ ଭୁଲ ବୁଝିପାରିବା ପରେ କାଗଜପତ୍ର କାର୍ଯ୍ୟ ସାରି ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।
ନାବାଳକ ହୁଅନ୍ତୁ ବା ନାବାଳିକା, ସେମାନଙ୍କ ପାଇଁ ଏବେ ମୋବାଇଲ ଫୋନ୍ ସାଜିଛି କାଳ । ସେଲଫି ନିଶାରେ ହେଉ ବା ଗେମ୍ ଖେଳି ସେମାନଙ୍କ ମଧ୍ୟରୁ କେତେକ ମୃତ୍ୟୁ ବରଣ କରୁଥିବା ବେଳେ ମୋବାଇଲ ଫୋନ୍ ବ୍ୟବହାର କରି ଅନେକ କୁପଥଗାମୀ ହେଉଥିବା ଦେଖାଯାଉଛି । ପିଲାମାନଙ୍କୁ ମୋବାଇଲ ଫୋନ୍ ଠାରୁ ଦୂରେଇ ରଖିବା ଓ ସେମାନଙ୍କ ଆଚରଣ ଉପରେ ପିତାମାତାମାନେ ନଜର ସଦୈବ ରଖିବା ଉଚିତ ବୋଲି କହିଛନ୍ତି ବୁଦ୍ଧିଜୀବୀମାନେ ।