News18 Odia Digital
ପୁରୀ: କେନ୍ଦ୍ର ଓ ରାଜ୍ୟ ସରକାର ମିଳିତ ଭାବେ ଗ୍ରାମଞ୍ଚଳରେ ଲୋକ ମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବା ପାଇଁ ବିଭିନ୍ନ ଯୋଜନା କରିଛନ୍ତି । ଏହି ଯୋଜନାର ଲକ୍ଷ୍ୟ ଜଣେ ସାଧାରଣ ବ୍ୟକ୍ତିର ସାମାଜିକ ଓ ଆର୍ଥିକ ମାନଦଣ୍ଡକୁ ମଜଭୁତ କରିବା । ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ ମଧ୍ୟ ଏହା ଉପରେ ସର୍ବାଧିକ ଗୁରୁତ୍ୱ ଦେବାକୁ ନିର୍ଦ୍ଦେଶ ଦେଇଛନ୍ତି । ଶ୍ରମିକ ଶ୍ରେଣୀ ଓ ରୋଜଗାର ଶୂନ୍ୟ ପ୍ରବାସୀଙ୍କୁ କର୍ମନିଯୁକ୍ତି ଦେବା ପାଇଁ ନିର୍ଦ୍ଦେଶ ରହିଥିବା ବେଳେ ତାହା କେବଳ କାଗଜପତ୍ରରେ ସୀମିତ ରହିଛି । ପୁଣି ଥରେ ସ୍ଥିତି ସ୍ୱାଭାବିକ ହେଉଥିବାରୁ ପ୍ରବାସୀମାନେ ବାହୁଡିବା ଆରମ୍ଭ କରିଛନ୍ତି ।
ଜିଲ୍ଲାକୁ ଫେରିଛନ୍ତି ୭୩,୭୭ ଶ୍ରମିକ ସେଥି ମଧ୍ୟରୁ ୧୮ ପ୍ରତିଶତ କାମ ପାଇଛନ୍ତି । ଯାହା ମନରେଗା ଯୋଜନାର କାର୍ଯ୍ୟକାରିତା ପାଇଁ ଏକ ଉପହାସ ବୋଲି ସାଧାରଣରେ କୁହାଯାଉଛି । ବର୍ତ୍ତମାନ ସମୟରେ ବ୍ୟବସାୟିକ ଅନୁଷ୍ଠାନ, ଗାଡିମଟର ଓ ନିର୍ମାଣ କାର୍ଯ୍ୟ ଆଦି ବନ୍ଦ ରରହିଛି । ଏହାର ପ୍ରଭାବ ସିଧାସଳଖ ଲୋକଙ୍କ ଉପରେ ପଡିଛି । ଏହି ଘଡିସନ୍ଧି ମୁହୁର୍ତରେ ଜିଲ୍ଲାକୁ ଫେରିଥିବା ପ୍ରବାସୀଙ୍କୁ ମହାତ୍ମାଗାନ୍ଧୀ ଜାତୀୟ ଗ୍ରାମୀଣ ନିଶ୍ଚିତ କର୍ମନିଯୁକ୍ତି ଯୋଜନା ବା ମନରେଗାରେ କାମ ଯୋଗାଇ ଦେବାକୁ ନିର୍ଦ୍ଦେଶ ରହିଛି ।
"ମୁଖ୍ୟମନ୍ତ୍ରୀଙ୍କ ନିର୍ଦ୍ଦେଶ ରହିଥିବା ବେଳେ ରାଜ୍ୟର ସମସ୍ତ ଜିଲ୍ଲାର ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇବାରେ ପ୍ରଶାସନ କିନ୍ତୁ ବିଫଳ ହୋଇଛି । ଆଉ ପୁରୀ ଜିଲ୍ଲା ଲକ୍ଷ୍ୟଠାରୁ ବହୁତ ପଛରେ ପଡିଯାଇଛି । ଏପରିକି ତଳଆଡୁ ଗଣନା କଲେ ପୁରୀ ଜିଲ୍ଲା ଏକ ନମ୍ବରରେ ରହିଛି । ସରକାରୀ ତଥ୍ୟ ଅନୁସାରେ ଜିଲ୍ଲାକୁ ଫେରିଛନ୍ତି ୭,୩୭୭ ଶ୍ରମିକ ହେଲେ କାମ ମାତ୍ର ୧୮ ପ୍ରତିଶତ ପାଇଛନ୍ତି । ପୁଣି କିଛି ପ୍ରବାସୀ ସେମାନଙ୍କ କର୍ମକ୍ଷେତ୍ରକୁ ଫେରିବା ଆରମ୍ଭ କଲେଣୀ । କାରଣ ମନରେଗା ଯୋଜନାରେ ଜିଲ୍ଲାରେ ଶ୍ରମିକମାନଙ୍କୁ କାର୍ଯ୍ୟ ଯୋଗାଇବାରେ ଫେଲ ମାରିଛି ପ୍ରଶାସନ । ଯାହାକି ଏହି ତଥ୍ୟରୁ ସ୍ପଷ୍ଟ ହୋଇଛି । ଜିଲ୍ଲାରେ ଏହି ଯୋଜନାରେ ଶତ ପ୍ରତିଶତ ଲୋକେ କାମ ପାଇବା ରହିଥିବା ବେଳେ କେବଳ ୧୮ ପ୍ରତିଶତଙ୍କୁ କର୍ମନିଯୁକ୍ତି ମିଳିଛି । ତେଣୁ ପ୍ରଶାସନିକ ଅବହେଳା ଯୋଗୁଁ ଏହି ସବୁ ଯୋଜନାର ସଫଳ ରୁପାୟନ ହୋଇପାରୁନାହିଁ," କହିଛନ୍ତି ୫୨ \ ବର୍ଷୀୟ ଶ୍ରମିକ ନେତା ଶ୍ରୀକାନ୍ତ ପରିଜା ।

ବାହୁଡିବା ଆରମ୍ଭ କରିଛନ୍ତି ପ୍ରବସୀ ଶ୍ରମିକ
"ସୁରଟରୁ କରୋନା ଭୟରେ ପଳାଇ ଆସିଲୁ । ରାଜ୍ୟ ସରକାରଙ୍କର ପକ୍ଷରୁ କର୍ମନିଯୁକ୍ତି ମିଳିବ ବୋଲି ମଧ୍ୟ ପ୍ରତିଶୃତି ମିଳିଥିଲା । ହେଲେ ଏଠି ବ୍ୟବସ୍ଥାରେ ରହିଛି ଅନେକ ତ୍ରୁଟି । କାରଣ ସରକାରଙ୍କ ଯୋଜନା ମୁତାବକ ରୁରାଲ ହାଉସିଂ ସ୍କିମ ବ୍ୟତୀତ ମନରେଗା ମାଧ୍ୟମରେ ଗ୍ରାମ୍ୟ ପୋଖରୀ ଖନନ, ରାସ୍ତା ନିର୍ମାଣ, ଗ୍ରାମ୍ୟ ଖେଳପଡିଆ ନିର୍ମାଣ , ଗ୍ରାମ୍ୟ ଲାଇବ୍ରେରୀ ଗୃହ ନିର୍ମାଣ, ଅଙ୍ଗନବାଡି ଗୃହ ନିର୍ମାଣ, ମୋ ଉପକାରୀ ବଗିଚା ଯୋଜନାରେ ମହିଳା ଏସଏଚଜିମାନଙ୍କୁ କାମ ଯୋଗାଇବାରେ ସମ୍ପୁର୍ଣ୍ଣ ଫେଲ ମାରିଛି । ତେଣୁ ଆମେ ପୁଣି ଥରେ ସ୍ଥିତି ସ୍ୱାଭାବିକ ହେଇଥିବାରୁ ସୁରଟ ଫେରିବାକୁ ଚିନ୍ତା କରିଛୁ," କହିଛନ୍ତି ପୁରୀ ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ହନ୍ତୁକ ଗ୍ରାମର ପ୍ରବାସୀ ଶ୍ରମିକ ୪୦ ବର୍ଷୀୟ ବାହୁଡା ପ୍ରଧାନ ।
"ପୁରୀ ଜିଲ୍ଲାରେ ୨୩ ଲକ୍ଷ ୫୫ ହଜାର ୫୧ ଜଣ କାର୍ଯ୍ୟ କରୁଥିବା ଶ୍ରମିକ ଜବ କାର୍ଡଧାରୀ ରହିଥିବା ବେଳେ ୩୮ ହଜାର ୫୨ ଜଣ କାର୍ଯ୍ୟରେ ନିଯୋଜିତ ରହିଛନ୍ତି । ତେବେ ପ୍ରବାସୀ ଶ୍ରମିକଙ୍କୁ କର୍ମ ନିଯୁକ୍ତି ପାଇଁ ବ୍ୟବସ୍ଥା କରାଯାଇଥିବା ବେଳେ ସେମାନେ ଏହିସବୁ କାର୍ଯ୍ୟ କରିବାକୁ ଅମଙ୍ଗ ହେଉଛନ୍ତି । ପୁଣି ଥରେ ସେମାନଙ୍କ କର୍ମକ୍ଷେତ୍ରକୁ ଫେରିଯିବେ ବୋଲି କହୁଛନ୍ତି । ଶ୍ରମିକମାନେ କାମଧନ୍ଦା ନ ପାଇ ଦୁଃଖ କଷ୍ଟରେ ପରିବାର ପ୍ରତିପୋଷଣ କରୁଛନ୍ତି । ତେଣୁ ଖୁବ କମ ଲୋକେ ମନରେଗା କାର୍ଯ୍ୟରେ ନିୟୋଜିତ ହୋଇଥିବା ବେଳେ ଅନେକ ସହମତି ପ୍ରକାଶ କରୁନାହାନ୍ତି । ଯାହା ଆମ ପାଇଁ ସମସ୍ୟା ହେଉଛି, " କହିଛନ୍ତି ଅତିରିକ୍ତ ଜିଲ୍ଲାପାଳ ପ୍ରଦୀପ ସାହୁ ।
ରାଜ୍ୟ ସରକାର ଲୋକଙ୍କୁ କାର୍ଯ୍ୟରେ ନିୟୋଜିତ କରିବା ଓ ସେମାନଙ୍କ ଆର୍ଥିକ ମାନଦଣ୍ଡକୁ ସୁଦୃଢ କରିବାକୁ ଚେଷ୍ଟା କରୁଥିବା କହୁଥିବା ବେଳେ ଜିଲ୍ଲା ପ୍ରଶାସନର ଅଧିକାରୀଙ୍କ ଅପାରଗତା ଯୋଗୁଁ ଲୋକେ ଯୋଜନାର ସଫଳତା ପାଇବାରୁ ବଞ୍ଚିତ ହେଉଛନ୍ତି । ବାସ୍ତବରେ ପୁରୀ ଜିଲ୍ଲାରେ ମନରେଗା ଯୋଜନା ସମ୍ପୁର୍ଣ୍ଣ ବିଫଳ ହୋଇପଡିଛି ବୋଲି ବିଶେଷଜ୍ଞ ମାନେ ମତ ଦେଇଛନ୍ତି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।