ପୁରୀ ମାଉସୀମା’ ମନ୍ଦିରରେ ଚୋରି: CCTVରେ ଦିଶୁନି ଛବି; ତଦନ୍ତ ଚାଲିଛି; ଗଜପତି ମହାରାଜ ଚିନ୍ତିତ
ବାଙ୍କିମୁହାଣ ରାମଚଣ୍ଡୀ ମନ୍ଦିରରୁ ଚୋରି ହେବାର ମାତ୍ର ପାଞ୍ଚ ଦିନ ପରେ ଶ୍ରୀମନ୍ଦିର ସହ ନିବିଡ଼ ଭାବେ ଜଡି଼ତ ମାଉସୀମା’ ମନ୍ଦିରରୁ ଚୋରି ହୋଇଛି । ହୁଣ୍ଡି ବାକ୍ସର ସବୁ ତାଲା କାଟି ଓ ଆଲମିରାକୁ ଶାବଳରେ ତାଡ଼ି ଏକାଧିକ ଲୋକ ଏହି କାଣ୍ଡ ଭିଆଇଥିବା ଜଣାପଡ଼ିଛି ।

ବଡ଼ ଦାଣ୍ଡରେ ଥିବା ମାଉସୀମା’ ମନ୍ଦିର
- News18 Odia
- Last Updated: April 1, 2021, 11:51 PM IST
ପୁରୀ: ବଡ଼ ଦାଣ୍ଡରେ ଥିବା ମାଉସୀମା’ ମନ୍ଦିରରେ ଏକ ନକାରାତ୍ମକ ଇତିହାସ ସୃଷ୍ଟି ହୋଇଛି । ଏହି ମନ୍ଦିରରୁ ପ୍ରଥମ ଥର ଚୋରି ହୋଇଛି । ବଡ଼ ଦାଣ୍ଡ ଉପରେ ଓ ବଳଗଣ୍ଡି ଛକ ନିକଟରେ ଥିବା ଏହି ମନ୍ଦିରରେ ଚୋର କେମିତି ପ୍ରବେଶ କଲେ ତାହା ସମସ୍ତଙ୍କୁ ଆଶ୍ଚର୍ଯ୍ୟ କରିଛି । ଏହି ଚୋରି ଘଟଣାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିନ୍ତା ପ୍ରକଟ କରିବା ସହ ଶ୍ରୀକ୍ଷେତ୍ରରେ ଥିବା ଧର୍ମାନୁଷ୍ଠାନଗୁଡି଼କରେ ଅଧିକ ସୁରକ୍ଷା ବ୍ୟବସ୍ଥା ପାଇଁ ସରକାରଙ୍କୁ ପରାମର୍ଶ ଦେଇଛନ୍ତି।
ମନ୍ଦିରର ତାଲା ଭାଙ୍ଗି ଦୁର୍ବୃତ୍ତମାନେ ମନ୍ଦିରର ଦାନ ବାକ୍ସ ଓ ଆଲମାରିରୁ ଦାନ ଅର୍ଥ ଓ ଅନେକ ମୂଲ୍ୟବାନ ବସ୍ତ୍ର ଲୁଟିନେଇଥିଲେ । ବୁଧବାର ବିଳମ୍ବିତ ରାତିରେ ଏହି ଘଟଣା ଘଟିବା ପରେ ପୂଜକଙ୍କ ଏତାଲା ଆଧାରରେ କୁମ୍ଭାରପଡ଼ା ଥାନା ପୋଲିସ ତଦନ୍ତ ଆରମ୍ଭ କରିଛି । ହେଲେ ମନ୍ଦିରର ସିସିଟିଭି ଫୁଟେଜରେ ଚୋରି ବିଷୟରେ ସ୍ପଷ୍ଟ ସୂଚନା ମିଳୁ ନ ଥିବାରୁ ତଦନ୍ତକୁ ଗତି ମିଳୁ ନ ଥିବା ଜଣାପଡ଼ିଛି ।
ଏହା ବି ପଢ଼ନ୍ତୁ | ରେଳ ଯାତ୍ରୀ ଧ୍ୟାନ ଦିଅନ୍ତୁ: ଘରୁ ମୋବାଇଲ୍ ଫୋନ୍ ଓ ଲ୍ୟାପଟପ୍ ପୂରା ଚାର୍ଜ କରି ଟ୍ରେନରେ ବସନ୍ତୁ, ନହେଲେ…

ମାଉସୀମା’ ମନ୍ଦିରରେ ଚୋରି ପରେ ପୋଲିସ ତଦନ୍ତ ଆରମ୍ଭ କରିଛି ।
ମାଉସୀମା’ଙ୍କ ମନ୍ଦିର ଶ୍ରୀମନ୍ଦିର ସହ ଜଡି଼ତ । ମହାପ୍ରଭୁଙ୍କ ନୀତିକାନ୍ତିରେ ଏହି ମନ୍ଦିର ନିବିଡ଼ ଭାବେ ଜଡି଼ତ । ରଥ ଯାତ୍ରା ବେଳେ ବାହୁଡ଼ା ସମୟରେ ରଥ ଶ୍ରୀମନ୍ଦିରକୁ ଫେରୁଥିବା ବେଳେ ତିନି ଠାକୁରଙ୍କୁ ପୋଡ଼ ପିଠା ଭୋଗ ଏଇଠି ଅର୍ପଣ କରାଯାଏ । ମାଉସୀମା’ଙ୍କୁ ଜଗନ୍ନାଥଙ୍କର ମା’ ଅର୍ଦ୍ଧାଶିନୀ ବୋଲି ବିବେଚନା କରାଯାଏ ।
ଏହା ବି ପଢ଼ନ୍ତୁ | ନନ୍ଦିଗ୍ରାମର ମତଦାନ କେନ୍ଦ୍ରରୁ ମମତା ରାଜ୍ୟପାଳଙ୍କୁ ଫୋନ୍ କଲେ: ‘ଲୋକଙ୍କୁ ଭୋଟ୍ ଦେବାକୁ ଦିଆଯାଉନି’
‘‘ଖାଲି ଏହି ମନ୍ଦିର ନୁହେଁ, ମାର୍ଚ୍ଚ ୨୫ରେ ବାଙ୍କିମୁହାଣ ରାମଚଣ୍ଡୀଙ୍କ ମନ୍ଦିରରୁ ଏମିତି ଚୋରି ହୋଇଥିଲା ଓ ଅଳଙ୍କାର ଆଦି ଲୁଟ୍ ହୋଇଥିଲା । ବର୍ତ୍ତମାନ ପରିସ୍ଥିତିରେ ଦୁର୍ବୃତ୍ତଙ୍କ ଟାର୍ଗେଟରେ ହିନ୍ଦୁ ଦେବାଦେବୀ ମନ୍ଦିର ରହିଥିବା ଲାଗୁଛି । ଏହା ପୂର୍ବରୁ ୨୦୧୯ରେ ଶ୍ରୀମନ୍ଦିର ପରିସରରେ ଥିବା ରାମ ମନ୍ଦିରରୁ ଚୋରି ଓ ସୁଆର ମହାସୁଆର ନିଯୋଗର ଅନ୍ନଦାନ ଆଟିକା ଅଫିସରୁ ଚୋରି ଆଦି ଘଟଣାର ବି ନଜିର୍ ରହିଛି । ତେଣୁ ପୋଲିସ ପକ୍ଷରୁ ଏ ନେଇ କଡ଼ା ପଦକ୍ଷେପ ନିଆଯିବା ଜରୁରୀ,’’ କହିଛନ୍ତି ଆର୍.ଏସ୍.ଏସ୍.ର କର୍ମକର୍ତ୍ତା ତଥା ସ୍ୱେଚ୍ଛାସେବୀ ୪୫ ବର୍ଷୀୟ ସୌମେନ୍ଦ୍ର ଦାଶ ।

ପୁରୀରେ ଥିବା ମନ୍ଦିରଗୁଡ଼ିକରେ ଚୋରି ଘଟଣାକୁ ନେଇ ଗଜପତି ମହାରାଜା ଦିବ୍ୟସିଂହ ଦେବ ଚିନ୍ତା ପ୍ରକଟ କରିଛନ୍ତି ।
ମୀଉସୀମା’ ମନ୍ଦିରରୁ ହୋଇଥିବା ଚୋରିକୁ ନେଇ ଗଜପତି ମହାରାଜ ଦିବ୍ୟସିଂହ ଦେବ ଏକ ପ୍ରେସ୍ ବିଜ୍ଞପ୍ତି ମାଧ୍ୟମରେ କହିଛନ୍ତି ଯେ ସେ ଏହି ଘଟଣା ଦ୍ୱାରା ଆଶ୍ଚର୍ଯ୍ୟାନ୍ୱିତ ହୋଇଛନ୍ତି । ‘‘ଯେଉଁମାନେ ଚୋରି କରିଛନ୍ତି ସେମାନଙ୍କୁ ଶୀଘ୍ର ଗିରଫ କରିବା ସହ ଦୃଷ୍ଟାନ୍ତମୁଳକ ପଦକ୍ଷେପ ନିଆଯାଉ । ଶ୍ରୀକ୍ଷେତ୍ରର ସମସ୍ତ ମନ୍ଦିରର ସୁରକ୍ଷା ପାଇଁ ପୋଲିସ ଓ ଜିଲ୍ଲା ପ୍ରଶାସନ ପଦକ୍ଷେପ ନେବା ଉଚିତ,’’ ଲେଖିଛନ୍ତି ଗଜପତି ମହାରାଜ ଦିବ୍ୟସିଂହ ଦେବ ।
ଏହା ବି ପଢ଼ନ୍ତୁ | ଏପ୍ରିଲ୍ ୧ରୁ କ୍ଷୀର, ବିଜୁଳି, TV, AC, କାର୍ ଓ ବିମାନ ଯାତ୍ରା ମହଙ୍ଗା ହୋଇଛି; ଜାଣନ୍ତୁ କେତେ
‘‘ମାଉସୀମା’ ମନ୍ଦିରରୁ ଚୋରି ଘଟଣା ଜଣାପଡି଼ବା ପରେ ପୂଜକଙ୍କ ଏତାଲା ଅନୁଯାୟୀ ପୋଲିସ ତନାଘନା ଆରମ୍ଭ କରିଛି । କୁମ୍ଭାରପଡା ଥାନା ଅଧିକାରୀ ମାମଲାର ତଦନ୍ତ କରୁଛନ୍ତି । ସିସିଟିଭି ଫୁଟେଜ୍ ଯାଞ୍ଚ ହେଉଛି, ହେଲେ ସେଥିରେ ଚୋରି ନେଇ କୌଣସି ସ୍ପଷ୍ଟ ସୂଚନା ମିଳୁ ନାହିଁ । କିଛି ସନ୍ଦିଗ୍ଧଙ୍କ ଫୁଟେଜକୁ ନେଇ ଆମେ ତର୍ଜମା ଆରମ୍ଭ କରିଛୁଁ । ଫରେନସିକ୍ ବିଭାଗ ଓ ସାଇନଟିଫିକ୍ ଟିମ୍ ସହାୟତାରେ ତଦନ୍ତ କାର୍ଯ୍ୟ ଚାଲିଛି । ଖୁବ୍ ଶୀଘ୍ର ଅପରାଧୀଙ୍କୁ ଧରାଯିବ,’’ କହିଛନ୍ତି ପୁରୀ ଏସ୍.ପି. କୱଁର ବିଶାଲ ସିଂ।
ମାର୍ଚ୍ଚ ୨୫ ତାରିଖରେ କୁମ୍ଭାରପଡ଼ା ଥାନା ଅଞ୍ଚଳରେ ବାଙ୍କିମୁହାଣ ରାମଚଣ୍ଡୀ ମନ୍ଦିରରୁ ଚୋରି ହେବାର ତିନି ଦିନ ପରେ କୁମ୍ଭାରପଡ଼ା ପୋଲିସ ତିନି ଜଣ ଲୁଟେରାଙ୍କୁ ଧରି ସେମାନଙ୍କ ଠାରୁ ଚୋରି ଜିନିଷ ଜବତ କରିଥିଲା । ଏବେ ଠିକ୍ ସେମିତି ପୋଲିସ ମାଉସୀମା’ ମନ୍ଦିରରୁ ଚୋରି ଘଟଣା ଭିଆଇଥିବା ଲୋକଙ୍କୁ ମଧ୍ୟ ଶୀଘ୍ର ଧରିବ ଓ ସେମାନଙ୍କ ଠାରୁ ଚୋରି ହୋଇଥିବା ଜିନିଷପତ୍ର ଉଦ୍ଧାର କରିବ ବୋଲି ସହରବାସୀ ଆଶା କରୁଛନ୍ତି ।