ଆମ୍ବୁଲାନ୍ସ ମିଳିଲାନି; ଟ୍ରଲିରେ ବସାଇ ସ୍ତ୍ରୀକୁ ପୁରୀରୁ କଟକ ଆଣିଲେ କବୀର; ହେଲେ ସେ ମରିଗଲା

ଅର୍ଥ ଅଭାବରୁ ଗାଡ଼ି ଖଣ୍ଡେ ଭଡ଼ା କରି ନ ପାରି ଓ ସରକାରୀ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ବୃଦ୍ଧ କବୀର ଦାସ ନିଜ ରୋଗୀଣା ପତ୍ନୀଙ୍କୁ ଟ୍ରଲିରେ ବୋହି କଟକ ମେଡିକାଲରେ ପହଞ୍ଚିବା ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ଆମ୍ବୁଲାନ୍ସ ମିଳିଲାନି; ଟ୍ରଲିରେ ବସାଇ ସ୍ତ୍ରୀକୁ ପୁରୀରୁ କଟକ ଆଣିଲେ କବୀର; ହେଲେ ସେ ମରିଗଲା
ନିଜ ରୋଗୀଣା ସ୍ତ୍ରୀଙ୍କୁ ଟ୍ରଲିରେ ବସାଇ ୭୫ କିଲୋମିଟର ବାଟ ଆଣିଥିଲେ କବୀର ଦାସ ।
  • News18 Odia
  • Last Updated: October 13, 2020, 7:01 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ପଞ୍ଚଷଠି ବର୍ଷୀୟ କବୀର ଭୋଇ ଭଲରେ ଉଠିବସି ପାରୁନାହାନ୍ତି । ଚାଲିବାକୁ ବି ସକ୍ଷମ ନୁହଁନ୍ତି । ଶତ ଅନୁରୋଧ ସତ୍ତ୍ୱେ ତାଙ୍କ ରୋଗୀଣା ସ୍ତ୍ରୀ ସୁକାନ୍ତିଙ୍କ ପାଇଁ ପୁରୀ ଡାକ୍ତରଖାନାରୁ ୧୦୮ ଆମ୍ବୁଲାନ୍ସ ବ୍ୟବସ୍ଥା ହୋଇପାରିଲା ନାହିଁ । ୱାର୍ଡ଼ ମେମ୍ବର କି ସରପଞ୍ଚ କେହି ବି ସରକାରୀ ଆମ୍ବୁଲାନ୍ସ  କରାଇଦେବାରେ ସାହାଯ୍ୟ କଲେ ନାହିଁ । କୁଆଡୁ କିଛି ନ ପାଇ ଶେଷରେ ନିଜ ସାମର୍ଥ୍ୟରେ ଏକ ଟ୍ରଲିରେ ପତ୍ନୀଙ୍କୁ ବସାଇ ସୁଦୂର ସତ୍ୟବାଦୀ ବା ସାକ୍ଷୀଗୋପାଳରୁ ୭୫ କିଲୋମିଟର ବାଟ ପାର୍‌ କରି କଟକ ଏସସିବିକୁ ବୋହି ବୋହି ନେଲେ ।

ଅର୍ଥ ଅଭାବରୁ ଗାଡ଼ି ଖଣ୍ଡେ ଭଡ଼ା କରି ନ ପାରି ଓ ସରକାରୀ ଆମ୍ବୁଲାନ୍ସ ସେବାରୁ ବଞ୍ଚିତ ହୋଇ ଏହି ବୃଦ୍ଧ ନିଜ ରୋଗୀଣା ପତ୍ନୀଙ୍କୁ ଟ୍ରଲିରେ ବୋହି ନେଇ କଟକ ମେଡିକାଲରେ ଭର୍ତ୍ତି କରିବା ଭଳି ଅଭାବନୀୟ ଘଟଣାକୁ ନେଇ ସାରା ରାଜ୍ୟରେ ଚର୍ଚ୍ଚା ଆରମ୍ଭ ହୋଇଛି ।

ପୁରୀ ଜିଲ୍ଲା ସତ୍ୟବାଦୀର ଦାଶବିଦ୍ୟାଧରପୁରର ବାସିନ୍ଦା କବୀର ଭୋଇ ପେଶାରେ ଜଣେ ଦିନ ମଜୁରିଆ ଓ ଟ୍ରଲି ଚାଳକ ।  ମାଲିକ ଠାରୁ ଟ୍ରଲି ନେଇ ଚଲାନ୍ତି ଓ ଭଡ଼ାରୁ ତାଙ୍କ ଭାଗ ଦେଇଦିଅନ୍ତି । ଦଶ ଦିନ ତଳେ ତାଙ୍କ ୫୫ ବର୍ଷୀୟା ସ୍ତ୍ରୀ ସୁକାନ୍ତି ଭୋଇ ଅସୁସ୍ଥ ହୋଇପଡ଼ିଥିଲେ । ତାଙ୍କ ହାତଗୋଡ଼ ଫୁଲିଯାଇଥିଲା । ଛାତିରେ ଯନ୍ତ୍ରଣା ହେଉଥିଲା । ଛାତି ଓ ପେଟ ବିନ୍ଧା ହେଉଥିବା ସହ ଯାହା ଖାଇଲେ ବାନ୍ତି ହୋଇଯାଉଥିଲା । ଏପରି ଦୁର୍ବଳ ଅବସ୍ଥାରେ ବସି ଉଠି ପାରୁ ନ ଥିବା ସହ ଚଲାବୁଲା କରିପାରୁ ନ ଥିଲେ । ପୁରୀ ଡାକ୍ତରଖାନାରେ ଦୁଇ ଥର ଭର୍ତ୍ତି ହୋଇଥିଲେ ସୁଦ୍ଧା ଉନ୍ନତି ଆସି ନ ଥିଲା ।

‘‘ସୁକାନ୍ତିକୁ ରକ୍ତ ଆବଶ୍ୟକ ଅଛି ବୋଲି ଡାକ୍ତର କହିବା ପରେ ତାହା ବନ୍ଦୋବସ୍ତ କରିବା ମୋ’ ପକ୍ଷରେ ସକ୍ଷମ ହେଲା ନାହିଁ । ତେଣୁ ପୁଣି ଥରେ ଚିକିତ୍ସା ପାଇଁ ଅକ୍ଟୋବର ୮ରେ ପୁରୀ ଡାକ୍ତରଖାନାରେ ଭର୍ତ୍ତି କଲି । କିନ୍ତୁ ତା’ ଅବସ୍ଥା ଗୁରୁତର ହୋଇପଡ଼ିଲା । ଡାକ୍ତର କଟକ ବଡ଼ ମେଡ଼ିକାଲ ନେଇଯିବାକୁ କହିଲେ । ହେଲେ ମୋ’ ପାଖରେ ପଇସା ନ ଥିଲା । ନିରୁପାୟ ହୋଇ ଗାଁ ସରପଞ୍ଚଙ୍କ ପାଖକୁ ଗଲି । ସ୍ଥାନୀୟ ଲୋକଙ୍କୁ ଟଙ୍କା ପାଇଁ କାକୁତି ମିନତି ହେଲି । ମାତ୍ର କେହି ସାହାଯ୍ୟ କଲେ ନାହିଁ,’’ କହିଛନ୍ତି କବୀର ଭୋଇ ।

କଟକ ତେଲେଙ୍ଗାପେଣ୍ଠରେ କିଛି ଯୁବକ କବୀର ଓ ସୁକାନ୍ତିଙ୍କୁ ସାହାଯ୍ୟ କରିଥିଲେ ।


ଅଟୋରେ କଟକ ବଡ଼ ମେଡ଼ିକାଲକୁ ସୁକାନ୍ତିଙ୍କୁ ନେବା ପାଇଁ କବୀର ଚାହିଁବାରୁ ଅଟୋ ମାଲିକ ଭଡ଼ା ବାବଦରେ ୧,୨୦୦ ଟଙ୍କା ମାଗିଥିଲେ । ଏତେ ଟଙ୍କା କବୀରଙ୍କ ପାଖରେ ନ ଥିଲେ ବି ସେ ଧୈର୍ଯ୍ୟହରା ହୋଇ ନ ଥିଲେ । ‘‘ମୁଁ ଜଣେ ବୁଢ଼ା ଲୋକ । ହେଲେ ମୁଁ ଜଣେ ଟ୍ରଲି ଚାଳକ । ଟ୍ରଲି ମାଲିକଙ୍କ ନିକଟକୁ ଯାଇ ଟ୍ରଲି ଦେବାକୁ କହିଲି । ସେ ଏଥିରେ ରାଜି ହୋଇ ଦୈନିକ ୫୦ ଟଙ୍କା ଭଡ଼ା ଦେବାକୁ କହିଥିଲେ । ମୁଁ ଆଉ ହେଳା ନ କରି ସୁକାନ୍ତିକୁ ସେହି ଟ୍ରଲିରେ ଶୁଆଇ ଅକ୍ଚୋବର ୯ ସକାଳ ୯ଟାରେ ଗାଁରୁ ବାହାରିପଡ଼ିଥିଲି । ରାତିରେ କଟକ ସଦର ଅଞ୍ଚଳର ତେଲେଙ୍ଗାପେଣ୍ଠରେ ବିଶ୍ରାମ ନେଇଥିଲି,’’ କହିଛନ୍ତି କବୀର ।

କଟକର ସମାଜସେବୀ ଅଭିମନ୍ୟୁ ଦାସ କହିଛନ୍ତି ଯେ କବୀରଙ୍କ କରୁଣ କାହାଣୀ ଶୁଣିବା ପରେ ସ୍ଥାନୀୟ ଯୁବକମାନେ ସହଯୋଗର ହାତ ବଢ଼ାଇଥିଲେ । ‘‘ତେଲେଙ୍ଗାପେଣ୍ଠ ନୂଆଗଡ଼ ଯୁବକ ସଙ୍ଘ ପକ୍ଷରୁ ବସନ୍ତ ବାସୁ, ତ୍ରିନାଥ ମହାପାତ୍ର, ପୂର୍ଣ୍ଣଚନ୍ଦ୍ର ବେହେରା, ବସନ୍ତ ରାଉତ ଓ ଦେବାଶିଷ ପଢ଼ିଆରୀ ଆଦି ତାଙ୍କୁ କ୍ଲବ୍ ଘରେ ରଖି ଖାଦ୍ୟପେୟର ବ୍ୟବସ୍ଥା କରିଥିଲେ । ପାଖରେ ଫଟା ପାହୁଲାଟାଏ ନ ଥିଲେ ବି ଟ୍ରଲି ଚାଳକ କବୀର ନିଜ ପତ୍ନୀ ସୁକାନ୍ତିଙ୍କୁ ସୁସ୍ଥ କରାଇବା ପାଇଁ ବହୁ ଆଶା ନେଇ କଟକରେ ପହଞ୍ଚିବା ବେଶ ଆଶ୍ଚର୍ଯ୍ୟଜନକ ଓ ଦୁଃଖଦ ଘଟଣା,’’ କହିଛନ୍ତି ଅଭିମନ୍ୟୁ ।

ସୁକାନ୍ତି କଟକ ବଡ଼ ମେଡିକାଲରେ ପହଞ୍ଚିବା ପରେ ଆଶୁ ଚିକିତ୍ସା କେନ୍ଦ୍ରରେ ପ୍ରାଥମିକ ଚିକିତ୍ସା ପରେ ତାଙ୍କୁ ସର୍ଜରୀ ୱାର୍ଡ଼ରେ ଭର୍ତ୍ତି କରାଯାଇଥିଲା । ତାଙ୍କର ଲିଭରରେ ସମସ୍ୟା ଅଛି ବୋଲି ଡାକ୍ତର କହିଥିଲେ । ତାଙ୍କର ପୂରା ଚିକିତ୍ସା ମାଗଣାରେ କରାଯିବ ବୋଲି ବି ବ୍ୟବସ୍ଥା କରାଯାଇଥିଲା । ହେଲେ ଅକ୍ଟୋବର ୧୧ ତାରିଖ ଦିନ ତାଙ୍କୁ ରକ୍ତ ଦିଆଯିବା ପରେ ସେ ମୃତ୍ୟୁ ବରଣ କରିଥିଲେ ବୋଲି ଦୁଃଖର ସହ କହିଛନ୍ତି ଏସସିବି ମେଡିକାଲର ଜରୁରୀକାଳୀନ ଅଧିକାରୀ ଡାକ୍ତର ଭୁବନାନନ୍ଦ ମହାରଣା ।

ଏହା ବି ପଢ଼ନ୍ତୁ | ଥାଇଲ୍ୟାଣ୍ଡରେ ମାଙ୍କଡ଼ମାନେ ଲୋକଙ୍କୁ ହଇରାଣ କଲେ; କଣ୍ଟ୍ରୋଲ୍ ପାଇଁ ସେମାନଙ୍କ ଗୁପ୍ତାଙ୍ଗ କଟାଗଲା

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

ଏତେ ପରିଶ୍ରମ ଓ କଷ୍ଟ କରିଥିଲେ ସୁଦ୍ଧା ସ୍ତ୍ରୀ ସୁକାନ୍ତିକୁ ବଞ୍ଚାଇପାରିଲେନି କବୀର । ସବୁ ବୃଥା ହୋଇଗଲା ବୋଲି ଘରେ ପହଞ୍ଚି ଭୋ ଭୋ ହୋଇ କାନ୍ଦୁଝନ୍ତି ସେ । ତାଙ୍କର ପରିବାର ବୋଲି ସ୍ୱାମୀ ସ୍ତ୍ରୀ ଦୁଇ ଜଣ । କବୀରଙ୍କ ଗାଁକୁ ଯାଇ ପୁରୀ ଯୁବ କଂଗ୍ରେସ କର୍ମକର୍ତ୍ତାମାନେ ଆଲୋଚନା କରିବା ପରେ ସାତ ଦିନ ଭିତରେ ମାନବାଧିକାର କମିଶନଙ୍କ ନିକଟରେ ଅଭିଯୋଗ କରିବା ସହ ଥାନାରେ ସ୍ୱାସ୍ଥ୍ୟ ମନ୍ତ୍ରୀ ଓ ରାଜ୍ୟ ସରକାରଙ୍କ ବିରୁଦ୍ଧରେ ଏକ ଏତାଲା ଦିଆଯିବ ବୋଲି କହିଛନ୍ତି ପୁରୀ ଯୁବ କଂଗ୍ରେସ ନେତା ଆଲୋକ ଦାଶ  ।



ସରକାରୀ ଆମ୍ବୁଲାନ୍ସ ସେବା ଓ ଚିକିତ୍ସା ବ୍ୟବସ୍ଥା ଠାରୁ ଆରମ୍ଭ କରି ସରକାରଙ୍କ ନାନାଦି ସାମାଜିକ ସୁରକ୍ଷା ଯୋଜନାର ସଫଳ ରୂପାୟନ ଉପରେ ଏ କବୀର ଓ ସୁକାନ୍ତିଙ୍କ ଘଟଣା ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି । ଏହା ପୁଣି ଥରେ ଓଡ଼ିଶା ବାସୀଙ୍କୁ ଦାନ ମାଝି ଘଟଣା ମନେପକାଇଦେଇଛି  ।
Published by: Anand Shankar Thankur Das
First published: October 13, 2020, 7:01 PM IST
corona virus btn
corona virus btn
Loading