ସାଇବର୍ ଅପରାଧ: ଫୋନ୍ ପେ’ରେ କ୍ୟାସ୍ ବ୍ୟାକ୍ ଲୋଭରେ ୧୦,୦୦୦ ଟଙ୍କା ହରେଇଲେ ପୁରୀ ଯୁବକ

ଯୁବକ ଜଣକ ଫୋନ ପେ’ର ନୋଟିଫିକେସନରେ କ୍ଲିକ୍ କରି ଓଟିପି ସେୟାର କରିବା ପରେ ତାଙ୍କୁ କ୍ୟାସ୍ ବ୍ୟାକ୍ ମିଳିବା ତ ଦୂରର କଥା, ବରଂ ତିନୋଟି ପର୍ଯ୍ୟାୟରେ ତାଙ୍କ ଆକାଉଣ୍ଟରୁ ମୋଟ ୧୦,୦୦୦ ଟଙ୍କା ଡେବିଟ ହୋଇଗଲା ।

ସାଇବର୍ ଅପରାଧ: ଫୋନ୍ ପେ’ରେ କ୍ୟାସ୍ ବ୍ୟାକ୍ ଲୋଭରେ ୧୦,୦୦୦ ଟଙ୍କା ହରେଇଲେ ପୁରୀ ଯୁବକ
ଲୁଟେରାର ହ୍ୱାଟ୍ସଆପରେ ମେସେଜରେ ଥିବା ଫଟୋ
  • News18 Odia
  • Last Updated: July 19, 2020, 12:59 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀକ୍ଷେତ୍ରରେ ଓ ପୁରୀ ଜିଲ୍ଲାରେ ଦିନକୁ ଦିନ ବଢ଼ିଚାଲିଛି ସାଇବର ଲୁଟେରାଙ୍କ ଦୌରାତ୍ମ୍ୟ । ପୁରୀ ସିଦ୍ଧମହାବୀରର ଜଣେ ୨୮ ବର୍ଷୀୟ ଯୁବକ ସାଇବର ଲୁଟେରାଙ୍କ ଶିକାର ହୋଇଛନ୍ତି । ଫୋନପେ’ରେ କ୍ୟାସ୍‌ ବ୍ୟାକ୍‌ ଆସିଛି ବୋଲି ତାଙ୍କୁ କୁହାଯିବା ପରେ ସେ ସେହି ଲିଙ୍କ ଉପରେ କ୍ଲିକ୍‌ କଲାରୁ ତାହା ଉଭାନ ହୋଇଗଲା ଆଉ ସେ ହରେଇ ବସିଲେ ୧୦,୦୦୦ ଟଙ୍କା ।

ଏକ ଜୋତା ସୋରୁମରେ ସେଲ୍ସମ୍ୟାନ ଭାବେ କାମ କରୁଥିବା ସଂଗ୍ରାମ ଦାସ ନାମକ ଏହି ଯୁବକଙ୍କ କହିବା ଅନୁସାରେ ଛଅ ଦିନ ତଳେ ସେ ଏକ ମୋବାଇଲ କିଣି ସେଥିରେ ଫୋନ ପେ (PhonePe) ଆପ୍‌ ଡାପନଲୋଡ କରିଥିଲେ  । ଏହି ଆପ୍‌ ମାଧ୍ୟମରେ ଟଙ୍କା ଦେଣନେଣ ବି କରିଛନ୍ତି  । ହେଲେ ସେ ଏ ଥର ଲୁଟର ଶିକାର ହେଲେ ।

ଶୁକ୍ରବାର ଅପରାହ୍ଣ ୨ଟା ୧୫ରେ ତାଙ୍କ ମୋବାଇଲ ଫୋନକୁ ଏକ କଲ୍ ଆସିଲା  । ଜଣେ ବ୍ୟକ୍ତି ହିନ୍ଦୀରେ ଭାଷାରେ କହିଲା ତାଙ୍କ ଫୋନ ପେ ନମ୍ବରକୁ କ୍ୟାସ ବ୍ୟାକ ଆସିଛି । ‘‘ଆପଣ କ୍ୟାସ ବ୍ୟାକ ପାଇବାକୁ ହେଲେ ଫୋନ ପେ ନୋଟିଫିକେସନକୁ ଯାଇ ଦିଆଯାଇଥିବା ଲିଙ୍କକୁ ଟଚ୍‌ କରନ୍ତୁ,’’ ହିନ୍ଦିରେ କହିଲେ ସେ ବ୍ୟକ୍ତି । ଏହା ପରେ ସଂଗ୍ରାମ ଖୁସି ହୋଇ ନୋଟିଫିକେସନର ଲିଙ୍କକୁ କ୍ଲିକ କଲେ । ନୋଟିଫିକେସନ ଲିଙ୍କକୁ ଟଚ୍‌ କରିବା ମାତ୍ରେ ମୋବାଇଲକୁ ଆସିଲା ଏକ ଓଟିପି (OTP) । ଲୁଟେରାର କହିବା ମୁତାବକ  ସେ ସେହି ଓଟିପିକୁ ଏଣ୍ଟ୍ରି କଲେ । ଆଉ ତା’ପରେ ତାଙ୍କୁ କ୍ୟାସ୍‌ ବ୍ୟାକ୍‌ ମିଳିବା ତ ଦୂରର କଥା, ବରଂ ସାଙ୍ଗେ ସାଙ୍ଗେ ତାଙ୍କ ବ୍ୟାଙ୍କ୍‌ ଆକାଉଣ୍ଟରୁ ୩,୦୦୦ ଟଙ୍କା ଡେବିଟ ହୋଇଗଲା ।

ଲୁଟେରା ପଠେଇଥିବା ହ୍ୱାଟ୍ସଆପ୍ ମେସେଜ୍


‘‘ଟଙ୍କା କଟିବା ପରେ ଏକ ମେସେଜ ପାଇ ଚମକି ପଡ଼ିଥିଲି । ତା’ ପରେ ଲୁଟେରା କଲ୍‌ କରିଥିବା ନମ୍ବରରୁ ମୋ’ ହ୍ୱାଟ୍ସଆପ ନମ୍ବରକୁ କିଛି ମେସେଜ ଆସିଲା । ସେଥିରେ ଜଣେ ଯୁବକ ଲାପଟପ ଧରି ନିଜ ସେଲ୍ଫି ଦେଇଥିବା ଫଟୋ ସହ ଏକ ବ୍ୟାଙ୍କ ଆକାଉଣ୍ଟରେ ୬୪,୯୪୩ ଟଙ୍କା ୩୩ ପଇସା ଥିବାର ଏକ ମେସେଜ ପଠାଇଥିଲା । ସେହି ଆକାଉଣ୍ଟ ତା’ ନିଜର ବୋଲି ଲୁଟେରା ଲେଖିଥିଲା । ତା’ ପରେ ପୁଣି ଓଟିପି ସେୟାର କରିବା ପରେ ଆଉ ଦୁଇଟି ପର୍ଯ୍ୟାୟରେ ମୋଟ ୧୦,୦୦୦ ଟଙ୍କା ମୋ’ ଆକାଉଣ୍ଟରୁ ଡେବିଟ ହୋଇଗଲା,’’ କହିଛନ୍ତି ସଂଗ୍ରାମ ।

ନିଜର ଭୁଲ ଯୋଗୁଁ ଏଭଳି ଘଟଣା ଘଟିଥିବା ହୃଦୟଙ୍ଗମ କରି ସେ ତାଳବଣିଆ ଥାନାରେ ଅଭିଯୋଗ କରିବା ସହ ସାଇବର କ୍ରାଇମ୍‌ ସେଲରେ ବି ଅଭିଯୋଗ କରିଛନ୍ତି ।

SBI ପୁରୀ ମୁଖ୍ୟ ଶାଖାର ସାଇବର ସେଲର ମୁଖ୍ୟ ଚକ୍ରଧର ମହାପାତ୍ର


‘‘ବ୍ୟାଙ୍କ ଆକାଉଣ୍ଟ ହେଉ ବା ଅନଲାଇନ ଟ୍ରାଞ୍ଜେକ୍ସନ କି ଟଙ୍କା ଦେଣନେଣ ପାଇଁ ବ୍ୟବହୃତ ହେଉଥିବା ଆପ୍‌ ହେଉ, କୌଣସିଥିରେ ନିଜ ପାଖକୁ ଆସୁଥିବା ଓଟିପି କାହାରି ସହ ସେୟାର କରନ୍ତୁ ନାହିଁ ବୋଲି ବ୍ୟାଙ୍କମାନଙ୍କ ପକ୍ଷରୁ ଓ ପୋଲିସର ସାଇବର ସେଲ ପକ୍ଷରୁ ଗ୍ରାହକଙ୍କୁ ସଚେତନ ଓ ସତର୍କ କରାଯାଉଛି । ତଥାପି ଲୋକେ ଟଙ୍କା ଲୋଭର ବଶବର୍ତ୍ତୀ ହୋଇ ସାଇବର ଲୁଟେରାଙ୍କ ଶିକାର ହେଉଛନ୍ତି । କେବଳ ଜନସାଧାରଣଙ୍କ ମଧ୍ୟରେ ସଚେତନତା ହିଁ ଏଭଳି ଅପରାଧକୁ ରୋକିପାରିବ,’’ କହିଛନ୍ତି ଭାରତୀୟ ଷ୍ଟେଟ ବ୍ୟାଙ୍କ ପୁରୀ ମୁଖ୍ୟ ଶାଖାର ସାଇବର ସେଲର ମୁଖ୍ୟ ଚକ୍ରଧର ମହାପାତ୍ର ।

ଏହା ବି ପଢ଼ନ୍ତୁ: ‘କରୋନା ଭାଇରସରୁ ରକ୍ଷା ପାଇବା ପାଇଁ ଗୋମୂତ୍ର ପିଅନ୍ତୁ’: ପଶ୍ଚିମ ବଙ୍ଗ BJP ସଭାପତି ଦିଲୀପ ଘୋଷ

ଏହା ବି ପଢ଼ନ୍ତୁ: ହସପିଟାଲରେ କରୋନା ସଂକ୍ରମିତ ଐଶ୍ୱର୍ଯ୍ୟା ରାୟଙ୍କ ସ୍ୱାସ୍ଥ୍ୟରେ ଉନ୍ନତି ହେଉଛି; ସାଙ୍ଗରେ ଝିଅ ବି ଅଛି

ପୁରୀ ଏସପି ଉମାଶଙ୍କର ଦାଶ କହିଛନ୍ତି, ‘‘ସାଇବର ଠକେଇ ମାମଲା ଏଭଳି ଅନେକ ଘଟୁଛି । ପୂର୍ବରୁ ଜଣେ ଅଧ୍ୟାପକ ଶୁଭେନ୍ଦୁ କୁମାର ଦାସ ଓ ଜଣେ ଗଣମାଧ୍ୟମର କ୍ୟାମେରାମ୍ୟାନ ଚିତ୍ତରଞ୍ଜନ ଖୁଣ୍ଟିଆଙ୍କ ଠାରୁ ମଧ୍ୟ ସାଇବର ଲୁଟେରା ଠକି ନେଇଥିଲେ ଟଙ୍କା । ଏହି ଘଟଣାବି ନଜରକୁ ଆସିଛି । ତାଙ୍କ ଅଭିଯୋଗ ଅନୁସାରେ ପଦକ୍ଷେପ ନିଆଯିବ ।’’
Published by: Anand Shankar Thankur Das
First published: July 19, 2020, 12:59 AM IST
corona virus btn
corona virus btn
Loading