୨୩ ଡିସେମ୍ବରରୁ ଭକ୍ତଙ୍କ ପାଇଁ ଖୋଲିବ ଜଗନ୍ନାଥ ମନ୍ଦିର; ଛତିଶା ନିଯୋଗ ବୈଠକରେ ନିଷ୍ପତି

କୋଭିଡ ମହାମାରୀ ଯୋଗୁଁ ବିନା ମାସ୍କରେ କୌଣସି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ । ଏହା ସହିତ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧା ଓ ୧୦ ବର୍ଷ ବୟସରୁ କମ ଶିଶୁଙ୍କ ପ୍ରବେଶ ଉପରେ କଟକଣା ରହିଛି ।

୨୩ ଡିସେମ୍ବରରୁ ଭକ୍ତଙ୍କ ପାଇଁ ଖୋଲିବ ଜଗନ୍ନାଥ ମନ୍ଦିର; ଛତିଶା ନିଯୋଗ ବୈଠକରେ ନିଷ୍ପତି
୨୩ ଡିସେମ୍ବରରୁ ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର
  • News18 Odia
  • Last Updated: December 15, 2020, 11:53 AM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ଛତିଶା ନିଯୋଗ ବୈଠକରେ ନିଷ୍ପତି ଅନୁଯାୟୀ ଭକ୍ତଙ୍କ ପାଇଁ ଖୁବ ଶୀଘ୍ର ଖୋଲିବ ଶ୍ରୀମନ୍ଦିର ଓ ମିଳିପାରିବ ମହାପ୍ରଭୁ ଜଗନ୍ନାଥଙ୍କ ଦର୍ଶନ । ୨୩ ଡିସେମ୍ବରରେ ଶ୍ରୀମନ୍ଦିର ଖୋଲିବା ନେଇ ସ୍ପଷ୍ଟ ହେବା ପରେ ଭକ୍ତଙ୍କ ମଧ୍ୟରେ ଖୁସିର ଲହରୀ ଖେଳିଯାଇଛି । କିନ୍ତୁ କେଉଁ ପ୍ରକାର କାଳିଆର ଦର୍ଶନ ଭକ୍ତମାନେ ପାଇପାରିବେ ତାହାକୁ ନେଇ ଗଠନ କରାଯିବ ଏସପି ଓ ଏହି ଏସଓପିକୁ ନେଇ ଚାଲିଛି ଅଙ୍କକଷା । ଶ୍ରୀମନ୍ଦିର ସମ୍ମୁଖରେ ଚାଲିଛି ବ୍ୟାରିକେଡ ନିର୍ମାଣ । ନଅଟି ଧାଡିରେ ଶ୍ରୀନଅର ସମ୍ମୁଖରୁ ଭକ୍ତମାନେ ବ୍ୟାରିକେଡ ଦେଇ ସିଂହଦ୍ଵାର ଭିତରକୁ ପ୍ରବେଶ କରିବେ । ତେବେ ଦର୍ଶନକୁ ନେଇ ଦର୍ଶନାର୍ଥିଙ୍କ ସଂଖ୍ୟା ସୀମିତ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ଉପରେ କଟକଣା ପ୍ରସଙ୍ଗକୁ ନେଇ ଅସନ୍ତୋଷ ଉଠିଛି । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଭକ୍ତଙ୍କ ଦର୍ଶନକୁ ନେଇ ଏସଓପି ପ୍ରସ୍ତୁତି ଚାଲିଥିବା ବେଳେ ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କ ସୁପାରିଶ କରିବା ପାଇଁ ପଠାଯିବ । ସରକାରଙ୍କ ଅନୁମୋଦନ ଦେଲେ ସେହି ଅନୁସାରେ ଦର୍ଶନ ବ୍ୟବସ୍ଥା କରାଯିବ ।

ଭକ୍ତଙ୍କ ପାଇଁ ଖୋଲିବ ଶ୍ରୀମନ୍ଦିର । ୨୩ ଡିସେମ୍ବରରେ ଶ୍ରୀମନ୍ଦିର ଖୋଲିବା ନେଇ ଛତିଶା ନିଯୋଗ ବୈଠକରେ ସୁଚନା ଦେଇଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ କୁମାର । " ଡିସେମ୍ବର ୨୩ ତାରିଖରୁ ଦୁଇ ଦିନ ଧରି ସେବାୟତଙ୍କ ପରିବାର ସଦସ୍ୟମାନେ ଦର୍ଶନ କରିବେ । ତା' ପରେ ୩୧ ପର୍ଯ୍ୟନ୍ତ ପୁରୀବାସୀଙ୍କୁ ଦର୍ଶନର ସୁବିଧା ଦିଆଯିବ । ଭକ୍ତଙ୍କ ଭିଡକୁ ଦୃଷ୍ଟିରେ ରଖି ଜାନୁଆରୀ ୧ ଓ ୨ ଦର୍ଶନ ବନ୍ଦ ରହିବ । ଜାନୁଆରୀ ୩ ତାରିଖରୁ ଆରମ୍ଭ ହେବ ସର୍ବସାଧାରଣ ଦର୍ଶନ । ପୁରୀ ବାସୀଙ୍କ ସହ ବାହାର ଭକ୍ତମାନେ ଦର୍ଶନ କରିପାରିବେ। ଜାନୁଆରୀ ପ୍ରଥମ ସପ୍ତାହରେ ଦୈନିକ ୫ ହଜାର ଭକ୍ତ ଦର୍ଶନ କରିବାର ନିଷ୍ପତି ନିଆଯାଇଥିବା ବେଳେ ପରବର୍ତ୍ତୀ ପର୍ଯ୍ୟାୟରେ ଭକ୍ତଙ୍କ ଦର୍ଶନ ବ୍ୟବସ୍ଥାକୁ ଅନୁଧ୍ୟାନ କରିବା ପରେ ଦର୍ଶନାର୍ଥିଙ୍କ ସଂଖ୍ୟା ବୃଦ୍ଧି କରାଯିବ । ତେବେ ଏହାକୁ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏକ ଏସଓପି ପ୍ରସ୍ତୁତ କରି ଦୁଇ ଦିନ ଭିତରେ ରାଜ୍ୟ ସରକାରଙ୍କୁ ସୁପାରିଶ ପାଇଁ ପଠାଯିବ । ଅନୁମତି ମିଳିବା ପରେ ସେହି ଅନୁସାରେ ଭକ୍ତଙ୍କ ପାଇଁ ଶ୍ରୀମନ୍ଦିର ଖୋଲିବ । ଏହା ସହିତ କୋଭିଡ ମହାମାରୀ ପାଇଁ ବିନା ମାସ୍କରେ କୌଣସି ବି ଶ୍ରଦ୍ଧାଳୁ ଶ୍ରୀମନ୍ଦିର ଭିତରେ ପ୍ରବେଶ କରିପାରିବେ ନାହିଁ ଓ ଏହା ସହିତ ୬୫ ବର୍ଷରୁ ଉର୍ଦ୍ଧ୍ୱ ବୃଦ୍ଧା ଓ ୧୦ ବର୍ଷରୁ କମ ବୟସର ଶିଶୁଙ୍କ ପ୍ରବେଶ ଉପରେ କଟକଣା ରହିଛି," କହିଛନ୍ତି ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ଡଃ କ୍ରୀଷନ କୁମାର ।

"ଶ୍ରୀମନ୍ଦିର ଖୋଲିବାକୁ ନେଇ କେବଳ ସେବାୟତ ନୁହେଁ ବରଂ ଭକ୍ତ ମହଲରେ ମଧ୍ୟ ବେଶ ଖୁସି ଦେଖିବାକୁ ମିଳିଛି । ସେବାୟତମାନଙ୍କର ଜୀବନ ଜିବୀକା ଏଥିରେ ଯୋଡି ହୋଇଥିବାରୁ ଏଭଳି ନିଷ୍ପତି ବେଶ ସ୍ୱାଗତଯୋଗ୍ୟ । ତେଣୁ ଭକ୍ତମାନେ ଶ୍ରୀମନ୍ଦିର ଭିତରେ ଭିତର କାଠ ପାଖରେ ଦର୍ଶନ କରିବାର ଥିବା ବେଳେ କିଭଳି ଭାବେ ଅଧିକ ଭକ୍ତ ମହାପ୍ରଭୁଙ୍କୁ ଦର୍ଶନ କରିବେ ସେ ନେଇ ସେବାୟତମାନେ ସହଯୋଗ କରିବେ । ତା ସହିତ ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ଭକ୍ତମାନେ ପ୍ରବେଶ କରିବା ସହ ତିନି ଦ୍ୱାରରେ ପ୍ରସ୍ଥାନ କରିବେ । ମହାପ୍ରସାଦ ପାଇଁ ମଧ୍ୟ ସୁଆର ମହାସୁଆର ନିଯୋଗ କୋଭିଡ କଟକଣା ଅନୁସାରେ ବିନା ଗହଳିରେ କିଭଳି ଭକ୍ତ ପ୍ରସାଦ ପାଇବେ ସେ ନେଇ ପଦକ୍ଷେପ ନିଆଯାଇଛି । ସେପଟେ ଭକ୍ତଙ୍କ ଦର୍ଶନ ଶୃଙ୍ଖଳିତ କରାଯିବା ସହ ଭିତର କାଠ ପାଖରୁ ଦର୍ଶନ କରିବେ ଓ ସେବାୟତମାନେ ଭକ୍ତଙ୍କ ଠାରୁ ଦୁରତ୍ୱ ରକ୍ଷା କରିବେ। ତା ସହିତ କୌଣସି ଭକ୍ତମାନେ ପାର୍ସ୍ୱ ଦେବାଦେବୀ ମନ୍ଦିର ଭିତରକୁ ନ ଯାଇ ବାହାରୁ ଦର୍ଶନ କରି ଯିବା ନେଇ କରାଯାଇଛି ବ୍ୟବସ୍ଥା । ମହାପ୍ରସାଦ ପାଇଁ ମଧ୍ୟ ସ୍ୱତନ୍ତ୍ର ବ୍ୟବସ୍ଥା ଗ୍ରହଣ କରାଯିବ," କହିଛନ୍ତି ଛତିଶା ନିଯୋଗ ମହାନାୟକ ଦନାର୍ଦ୍ଧନ ପାଟ୍ଟଯୋଶୀ ମହାପାତ୍ର ।

୨୩ ଡିସେମ୍ବରରୁ ଶ୍ରୀମନ୍ଦିରରେ ମିଳିବ ଜଗାର ଦର୍ଶନ । ଆଉ ଏଥିପାଇଁ ଭକ୍ତଙ୍କୁ ମାନିବାକୁ ପଡିବ ଶ୍ରୀମନ୍ଦିର ପ୍ରଶାସନର ସ୍ୱତନ୍ତ୍ର ନିୟମାବଳୀ । ଏ ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଚାଲିଛି ଏସଓପିର ପ୍ରସ୍ତୁତି । ଜିଲାପାଳ, ଏସପି ଓ ଶ୍ରୀମନ୍ଦିର ପରିଚାଳନା କମିଟିର 5 ଜଣ ସେବାୟତ ପ୍ରତିନିଧିଙ୍କୁ ନେଇ ଗାଇଡଲାଇନ୍ସ କରାଯିବ । ତେବେ ୩ ମାସ ପର୍ଯ୍ୟନ୍ତ ଗାଇଡଲାଇନ୍ସ ଅନୁପାଳନ କରି ରହିବ ଦର୍ଶନ ବ୍ୟବସ୍ଥା।

କିପରି ଭକ୍ତମାନେ ଦର୍ଶନ ପାଇବେ ଓ କଣ ରହିବ ଏହାର ନିୟମାବଳୀ:

ପ୍ରଥମେ ପୁରୀବାସୀ ଓ ଶ୍ରୀମନ୍ଦିର ସେବାୟତ ପରିବାର ଡିସେମ୍ବର ୨୩ ରୁ ୩୧ ତାରିଖ ପର୍ଯ୍ୟନ୍ତ କରିପାରିବେ ଦର୍ଶନ । ପ୍ରଥମ ସପ୍ତାହରେ ୫ ହଜାର ଭକ୍ତ ଦର୍ଶନ କରିବେ । ପୁରୀର ଭକ୍ତମାନେ ସେମାନଙ୍କର ପରିଚୟ ପତ୍ର ଦେଖାଇ ମନ୍ଦିରକୁ ଯାଇ ଦର୍ଶନ କରିବେ । ଶ୍ରୀମନ୍ଦିରର ଜେଟିପି ସେମାନଙ୍କୁ ସିଂହଦ୍ୱାର ପାଖରେ ଯାଞ୍ଚ କରି ଶ୍ରୀମନ୍ଦିରକୁ ଛାଡିବେ । ତେବେ ସେମାନଙ୍କର କୋଭିଡ ନେଗେଟିଭ ପ୍ରମାଣପତ୍ରର ଆବଶ୍ୟକ ଅଛି କି ନାହିଁ ସେ ନେଇ ଜିଲାପାଳଙ୍କ ସହ ଆଲୋଚନା ପରେ ସ୍ପଷ୍ଟ ହେବ ।

କିଭଳି ରହିବ ଦର୍ଶନ ବ୍ୟବସ୍ଥା:
ଶ୍ରୀମନ୍ଦିର ସିଂହଦ୍ୱାର ଦେଇ ବ୍ୟାରିକେଡରେ ଭକ୍ତମାନେ ଧାଡିରେ ଶ୍ରୀମନ୍ଦିରକୁ ଯିବେ । ଯେଭଳି ପ୍ରତିଟି ଭକ୍ତ ମଧ୍ୟରେ ଦୁଇ ହାତର ଦୁରତ୍ୱ ରହିବ । ଶ୍ରୀନଅର ଠାରୁ କରାଯାଇଥିବା ବ୍ୟାରିକେଡରେ ଦୁଇଟି ଧାଡ଼ିରେ ଭକ୍ତମାନେ ଯିବେ । ପ୍ରଥମ ଧାଡ଼ିରେ ଥିବା ଲୋକଙ୍କୁ ଛଡା ଯିବା ପରେ ପୁଣି ଦ୍ୱିତୀୟ ଧାଡ଼ିର ଲୋକଙ୍କୁ ଛଡାଯିବ । ସମସ୍ତ ଭକ୍ତମାନେ ମାସ୍କ ପିନ୍ଧିବା ବାଧ୍ୟତାମୁଳକ । ଶ୍ରୀମନ୍ଦିର ୪ ଦ୍ୱାରରେ ସାନିଟାଇଜରର ବ୍ୟବସ୍ଥା କରାଯିବ । କୌଣସି ଭକ୍ତ ମନ୍ଦିରକୁ ଫୁଲ କି ତୁଳସୀ ନେଇ ପାରିବେ ନାହିଁ । ଶ୍ରୀମନ୍ଦିର ସିଂହଦ୍ୱାରରୁ ଧାଡିରେ ଯାଇ ବାଇଶିପାହାଚ ଦେଇ ଭିତରବେଢାରେ ପହଞ୍ଚିବା ପରେ ସାତପାହାଚ ଦେଇ ଗରୁଡ ସ୍ତମ୍ଭ ପାଖରୁ ଭିତର କାଠ ଭିତରେ ଦର୍ଶନ କରିବା ପରେ ବେହରଣ ଦ୍ୱାର ଦେଇ ପ୍ରସ୍ଥାନ କରିବେ । ତା' ପରେ ଉତ୍ତର, ଦକ୍ଷିଣ ଓ ପଶ୍ଚିମ ଦ୍ୱାର ଦେଇ ଭକ୍ତମାନଙ୍କର ପ୍ରସ୍ଥାନର ବ୍ୟବସ୍ଥା କରାଯିବ । ଯେଉଁମାନେ ଆନନ୍ଦବଜାର ଯିବେ ସେମାନଙ୍କୁ ଶ୍ରୀମନ୍ଦିର ଭିତରେ ଜେଟିପି ମାନେ ସହାୟତା କରିବେ । କୌଣସି ଭକ୍ତମାନେ ମହାପ୍ରଭୁଙ୍କ ଦର୍ଶନ ପରେ କୌଣସି ପାର୍ସ୍ୱ ଦେବାଦେବୀ ମନ୍ଦିରରେ ଭିତରକୁ ନ ଯାଇ ବାହାରେ ଦର୍ଶନ କରି ଫେରିବେ । କୌଁଣସି ସେବାୟତ ଭକ୍ତମାନଙ୍କ ହାତକୁ ତୁଳସୀ କି ଫୁଲ ସିଧାସଳଖ ଦେବେ ନାହିଁ ବୋଲି କଟକଣା ରହିଛି ।

ସର୍ବସାଧାରଣ ଦର୍ଶନ:
ଜାନୁଆରୀ ୧ ଓ ୨ ରେ ଦର୍ଶନ ବନ୍ଦ ରହିଥିବା ବେଳେ ଜାନୁଆରୀ ୩ ତାରିଖରୁ ସର୍ବସାଧାରଣଙ୍କୁ ଦର୍ଶନ ପାଇଁ ସୁଯୋଗ ମିଳିବ । ହେଲେ ବାହାର ଭକ୍ତମାନେ କୋଭିଡ ନେଗେଟିଭ ପ୍ରମାଣପତ୍ର ଦେଖାଇଲେ ଦର୍ଶନ ପାଇଁ ଅନୁମତି ମିଳିବ । ଯାହା ପ୍ରାଥମିକ ସ୍ତରରେ ଏସଓପିରେ ପ୍ରସ୍ତାବ ରହିଛି । ବାହାର ଭକ୍ତଟିଏ ଦର୍ଶନର ୪୮ ଘଣ୍ଟା ପୂର୍ବରୁ ଆରଟିପିସିଆର ଟେଷ୍ଟ ନେଗେଟିଭ ରିପୋର୍ଟ ଦେଖାଇବାକୁ ପଡିବ । ସେଥିପାଇଁ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱାସ୍ଥ୍ୟ ବିଭାଗ ସହ ଆଲୋଚନା କରି ଶ୍ରୀମନ୍ଦିର ନିକଟରେ ଟେଷ୍ଟର ବ୍ୟବସ୍ଥା କରିବାର ବନ୍ଦୋବସ୍ତ କରାଯିବ ବୋଲି ମଧ୍ୟ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ ସୂଚନା ଦେଇଛନ୍ତି ।

"ଏସଓପିରେ ଗୋଟିଏ ଭକ୍ତ ନେଗେଟିଭ ରିପୋର୍ଟ ଦେଖାଇ ଥରୁଟିଏ ଦର୍ଶନ ପରେ ପୁଣି ୧୫ ଦିନ ପରେ ଆଉଥରେ ଦର୍ଶନ ପାଇଁ ଅନୁମତି ମିଳିବ। ଆଉ ତାହା କିଭଳି ଯାଞ୍ଚ ହେବ ତାହାକୁ ନେଇ ଆଲୋଚନା ଚାଲିଛି । ତେବେ ପ୍ରଶାସନର ଯାହାବି ଗାଇଡଲାଇନ୍ସ ଆସିବ ସେ ନେଇ ସେବାୟତମାନେ ଅନୁପାଳନ କରିବାକୁ ସହଯୋଗ କରିବେ," କହିଛନ୍ତି ବରିଷ୍ଠ ସେବାୟତ ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ।

ପୁରୀ ବିଧାୟକ ଜୟନ୍ତ ଷଢଙ୍ଗୀ ଶ୍ରୀମନ୍ଦିର ଖୋଲିବା ନିଷ୍ପତିକୁ ସ୍ୱାଗତ କରି କହିଛନ୍ତି ଯେ ଡିସେମ୍ବର ୨୩ ତାରିଖରୁ ପରୀକ୍ଷାମୁଳକ ଭାବେ ପୁରୀବାସୀଙ୍କୁ ଦର୍ଶନ ପାଇଁ ସୁଯୋଗ ଦେବାପରେ କଣ କଣ ସମସ୍ୟା ହେଉଛି ତାହାକୁ ଅନୁଧ୍ୟାନ କରିବ ସ୍ୱତନ୍ତ୍ର କମିଟି । ତାହାର ସିସିଟିଭି ଭିଡିଓଗ୍ରାଫିକୁ ଅନୁଧ୍ୟାନ କରାଯିବ । ତା ପରେ ଶୃଙ୍ଖଳିତ ଦର୍ଶନ ହେବା ପରେ ଦୈନିକ ୫ ହଜାର ତା' ପର ସପ୍ତାହ ଠାରୁ ଦୈନିକ ଦର୍ଶନାର୍ଥୀଙ୍କ ସଂଖ୍ୟା ବଢି ୧୦ ହଜାର ପର୍ଯ୍ୟନ୍ତ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ସେପଟେ ଦୀର୍ଘ ଦିନ ପରେ ରାଜ୍ୟ ସରକାରଙ୍କ ପକ୍ଷରୁ ଏସଓପି ଜାରୀ କରାଯାଇ ଶ୍ରୀମନ୍ଦିର ଭକ୍ତଙ୍କ ପାଇଁ ଖୋଲୁଥିବାରୁ ପୁରୀର ଜୀବନ ଜିବୀକା ଏବେ ସ୍ୱାଭାବିକ ହୋଇପାରିବ ।

"ଯାହା ସରକାରଙ୍କ କଟକଣା ରହିବ ତାହାକୁ ଅନୁପାଳନ କରି ଜାନୁଆରୀ ୩ରୁ ଦର୍ଶନ କରିବୁ । ତେବେ ସ୍ନାନ ପୁର୍ଣ୍ଣିମା ଓ ରଥଯାତ୍ରା ଓ ନାଗାର୍ଜୁନବେଶକୁ ବିନା ଭକ୍ତରେ କରାଯାଇଥିବା ବେଳେ ସହରବାସୀଙ୍କ ସମର୍ଥନର ଫଳ ଆଗ ଦର୍ଶନ ମିଳୁଥିବାରୁ ଆମେମାନେ ବେଶ ଖୁସି " କହିଛନ୍ତି କଲିକତାରୁ ଆସିଥିବା ୫୮ ବର୍ଷୀୟ ଶ୍ରଦ୍ଧାଳୁ ସୌମେନ ଘୋଷ ।

"ଦର୍ଶନକୁ ନେଇ ଦର୍ଶନାର୍ଥିଙ୍କ ସଂଖ୍ୟା ସୀମିତ ଓ ବରିଷ୍ଠ ନାଗରିକଙ୍କ ଦର୍ଶନ ଉପରେ କଟକଣା ପ୍ରସଙ୍ଗକୁ ନେଇ ଉଠିଛି ଅସନ୍ତୋଷ । ଦୀର୍ଘ ଆଠ ମାସ ହେଲା ବରିଷ୍ଠ ନାଗରିକ ମାନେ ଶ୍ରୀମନ୍ଦିର ସମ୍ମୁଖରେ ସାମାଜିକ ଦୂରତ୍ୱ ଓ ମାସ୍କ ପରିଧାନ କରି ପତିତପାବନଙ୍କୁ ଦର୍ଶନ କରି ଆସୁଛନ୍ତି । ତେଣୁ ଶ୍ରୀମନ୍ଦିର ଖୋଲିଲେ କୋଭିଡ୍ କଟକଣା ଭିତରେ ବରିଷ୍ଠ ନାଗରିକ ମାନେ ଦର୍ଶନରୁ କାହିଁକି ବଞ୍ଚିତ ହେବେ ବୋଲି ପ୍ରଶ୍ନ କରିଛନ୍ତି । ତେଣୁ ଏସଓପିରେ ଏହି ପ୍ରସଙ୍ଗକୁ ଗୁରୁତ୍ୱ ଦେଇ ସମସ୍ତଙ୍କ ପାଇଁ ସମାନ ନିୟମ ଆଧାରରେ ଦର୍ଶନ ବ୍ୟବସ୍ଥା କରାଯାଉ । ସାଧୁସନ୍ଥମାନେ କିଭଳି କଟକଣା ମୁକ୍ତ ହୋଇ ଦର୍ଶନର ସୁବିଧା ପାଇବେ ତା ଉପରେ ଶ୍ରୀମନ୍ଦିର ପ୍ରଶାସନ ପଦକ୍ଷେପ ନିଅନ୍ତୁ," କହିଛନ୍ତି ଲଙ୍ଗୁଳୁ ମଠର ସାଧୁ ବୈଷ୍ଣବ ପୁରୀ ।

"ଗତ ୧୨ ତାରିଖରେ ଛତିଶା ନିଯୋଗ ବୈଠକରେ ଭକ୍ତଙ୍କ ଦର୍ଶନ ଲାଗି ନିଷ୍ଣତ୍ତି ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ୨୩ ରୁ ପୁରୀବାସୀଙ୍କ ପାଇଁ ଦର୍ଶନ ବ୍ୟବସ୍ଥା ଲାଗି ଆରମ୍ଭ ପ୍ରସ୍ତୁତି ହୋଇଛି। ତେବେ ଶୃଙ୍ଖଳିତ ଦର୍ଶନ ଲାଗି ପୋଲିସ ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ଲୁପ୍ରୀଣ୍ଟ ପ୍ରସ୍ତୁତ କରାଯାଇଛି । ସିସିଟିଭି ନଜରରେ ରହିବ ଦର୍ଶନ ବ୍ୟବସ୍ଥା । ଏସଓପିରେ ଭକ୍ତଙ୍କ ଲାଗି ହୋଇପାରେ ଅନଲାଇନ ବୁକିଂ କିମ୍ବା ଫୋନକଲର ବ୍ୟବସ୍ଥା," କହିଛନ୍ତି ପୁରୀ ଏସପି କନୱର ବିଶାଲ ସିଂ ।

ଭକ୍ତଙ୍କ ଶୃଙ୍ଖଳିତ ଦର୍ଶନ ପାଇଁ ଶ୍ରୀମନ୍ଦିର ନିକଟରେ ସମୀକ୍ଷା କରିଛନ୍ତି ପୁରୀ ଏସପି । ଆଗାମୀ ଦିନେ ଦୁଇଦିନ ଭିତରେ ସ୍ପଷ୍ଟ ହେବ ଏସଓପିର ରୂପରେଖ । ୩ ଦିନ ଭିତରେ ଶ୍ରୀମନ୍ଦିର ସମ୍ମୁଖରେ ବ୍ୟାରିକେଟ ନିର୍ମାଣ କାମ ଶେଷ ହେବା ସହ ୯ଟି ଧାଡ଼ିରେ ଭକ୍ତମାନେ ଶ୍ରୀନଅରରୁ ଶ୍ରୀମନ୍ଦିର ପର୍ଯ୍ୟନ୍ତ ଯିବାପାଇଁ ବ୍ୟବସ୍ଥା କରାଯାଉଛି ।

କିଭଳି ରହିବ ଜଗା ଦର୍ଶନ, କିଭଳି ହେବ ଦର୍ଶନ ରୂପରେଖ ଏଯାଏଁ ସ୍ପଷ୍ଟ ହୋଇନାହିଁ । ଦର୍ଶନ ବ୍ୟବସ୍ଥା କଟକଣାକୁ ନେଇ ସାଧାରଣରେ ବଢୁଛି ଅସନ୍ତୋଷ ।
Published by: Jagdish Barik
First published: December 15, 2020, 11:43 AM IST