ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ଶ୍ରୀମନ୍ଦିରରେ ପ୍ରସ୍ତାବିତ 8ଟି ରୂପା ଦ୍ୱାରରୁ 7ଟିର ରୂପା ଛାଉଣୀ କାର୍ଯ୍ୟ ଶେଷ; ଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିଆଯିବ ନିଷ୍ପତ୍ତି

ଶ୍ରୀମନ୍ଦିରରେ ପ୍ରସ୍ତାବିତ 8ଟି ରୂପା ଦ୍ୱାରରୁ 7ଟିର ରୂପା ଛାଉଣୀ କାର୍ଯ୍ୟ ଶେଷ; ଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିଆଯିବ ନିଷ୍ପତ୍ତି

ଶ୍ରୀମନ୍ଦିରର ସାତଟି ପ୍ରମୁଖ ଦ୍ୱାରରେ ଉତ୍କଳୀୟ ଡିଜାଇନର ଦୁଇ ଟନ୍ ରୂପାରେ ରୂପା ଛାଉଣି ହୋଇଥିବା ବେଳେ ଏହାକୁ ଦେଖିବାକୁ ଭକ୍ତଙ୍କ ଭିତରେ ବେଶ୍‌ ଆଗ୍ରହ ପ୍ରକାଶ ପାଇଛି ।

ଶ୍ରୀମନ୍ଦିରରେ ପ୍ରସ୍ତାବିତ 8ଟି ରୂପା ଦ୍ୱାରରୁ 7ଟିର ରୂପା ଛାଉଣୀ କାର୍ଯ୍ୟ ଶେଷ; ଦାତାଙ୍କ ସଂଖ୍ୟା ବୃଦ୍ଧି ପାଇଁ ନିଆଯିବ ନିଷ୍ପତ୍ତି
ଶ୍ରୀମନ୍ଦିରରେ ପ୍ରସ୍ତାବିତ 8ଟି ରୁପାଦ୍ୱାରରୁ 7ଟିର ରୂପା ଛାଉଣୀ କାର୍ଯ୍ୟ ଶେଷ
  • News18 Odia
  • Last Updated: September 4, 2021, 2:23 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିରରେ ସରିଛି ରୂପା ଛାଉଣୀ କାର୍ଯ୍ୟ । ପ୍ରସ୍ତାବିତ ଶ୍ରୀମନ୍ଦିରର ୮ଟି ଦ୍ୱାରରୁ ୭ଟି ଦ୍ୱାର କାମ ଏହା ଭିତରେ ଶେଷ ହୋଇଛି । ସର୍ବସାଧାରଣ ଦର୍ଶନ ଆରମ୍ଭ ବେଳେ ଆଦିନୃସିଂହ ମନ୍ଦିର ଓ ମା’ ବିମଳାଙ୍କ ମନ୍ଦିର ଦ୍ୱାର କାମ ଶେଷ ହେବା ପରେ ଗତ କାଲି ବିଳମ୍ବିତ ରାତିରେ ମା’ ଲକ୍ଷ୍ମୀଙ୍କ ମନ୍ଦିରର ପ୍ରମୁଖ ଦ୍ୱାରରେ ରୂପା ଛାଉଣୀ କାର୍ଯ୍ୟର ଶେ‌ଷ ସ୍ପର୍ଶ ଦେଇଛନ୍ତି କାରିଗର।

ଶ୍ରୀମନ୍ଦିରର ସାତଟି ପ୍ରମୁଖ ଦ୍ୱାରରେ ଉତ୍କଳୀୟ ଡିଜାଇନର ଦୁଇ ଟନ୍ ରୂପାରେ ରୂପା ଛାଉଣି ହୋଇଥିବା ବେଳେ ଏହାକୁ ଦେଖିବାକୁ ଭକ୍ତଙ୍କ ଭିତରେ ବେଶ୍‌ ଆଗ୍ରହ ପ୍ରକାଶ ପାଇଛି ।

"ମା' ଲକ୍ଷ୍ନୀଙ୍କ ମନ୍ଦିର ଦ୍ୱାରର ରୂପା ଛାଉଣୀ ସରିବା ପରେ ଶ୍ରୀମନ୍ଦିରରେ ଶେଷ ହୋଇଛି ରୂପା ଛାଉଣୀ କାର୍ଯ୍ୟ । ଶ୍ରୀମନ୍ଦିରରେ ସାତଟି ଦ୍ୱାରର ରୂପା ଛାଉଣୀ କାର୍ଯ୍ୟ ସମ୍ପୁର୍ଣ୍ଣ ହୋଇଛି । ଚଳିତ ରଥ ଯାତ୍ରା ସମୟରେ ଶ୍ରୀମନ୍ଦିର ବେହରଣ ଦ୍ୱାର, ଜୟ ବିଜୟ ଦ୍ୱାର ଓ ଭୋଗ ମଣ୍ଡପ ପଶ୍ଚିମ ପାର୍ଶ୍ୱ ଦ୍ୱାର, ସାତ ପାହାଚ ଦ୍ୱାର କାର୍ଯ୍ୟ ସରିଥିବା ବେଳେ ଅଗଷ୍ଟ ୨୩ରୁ ଆରମ୍ଭ ହୋଇଥିବା ଆଦିନୃସିଂହ ମନ୍ଦିର, ମା’ ବିମଳା ମନ୍ଦିର ଓ ମହାଲକ୍ଷ୍ମୀ ମନ୍ଦିର ଦ୍ୱାରର ନୂଆ ବର୍ମା ଟିକରେ ନିର୍ମାଣ ସରିଥିବା ବେଳେ ପର୍ଯ୍ୟାୟ କ୍ରମେ ଏଥିରେ ରୂପା ଚାଦର ଆଚ୍ଛାଦିତ କରାଯାଇଥିଲା। ଏ ଭିତରେ ଆଦିନୃସିଂହ, ଓ ମା’ ବିମଳାଙ୍କ ମନ୍ଦିର ଦ୍ୱାରରେ ରୂପା ଛାଉଣୀ କାମ ଶେଷ ହୋଇଥିବା ବେଳେ ଗତ କାଲି ମଧ୍ୟରାତ୍ରରେ ଶେଷ ହୋଇଛି ମା’ ଲକ୍ଷ୍ମୀଙ୍କ ମନ୍ଦିର ଦ୍ୱାରର ରୂପା ଛାଉଣୀ କାର୍ଯ୍ୟ । ସେପଟେ ବାକି ଥିବା କେବଳ କଳାହାଟ ଦ୍ୱାରକୁ ନିର୍ମାଣ କରି ପଲିସ କାର୍ଯ୍ୟ ସରିଥିବା ବେଳେ ଆଵଶ୍ୟକ ରୂପା ଚାଦର ମଧ୍ୟ ପହଞ୍ଚି ସାରିଛି । ଆଗାମୀ ରଥ ଯାତ୍ରାରେ ରୂପା ଛାଉଣୀ କାର୍ଯ୍ୟ କରାଯିବ,’’ କହିଛନ୍ତି ଶ୍ରୀମନ୍ଦିର ଉନ୍ନୟନ ପ୍ରଶାସକ ଅଜୟ ଜେନା ।

ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ଦଇତାପତି ନିଯୋଗ ସମ୍ପାଦକ ଦୁର୍ଗାପ୍ରସାଦ ଦାସମହାପାତ୍ର କହିଛନ୍ତି, ‘‘ଶ୍ରୀମନ୍ଦିର ପରିଚାଳନା କମିଟି ନିଷ୍ପତ୍ତି ଅନୁସାରେ ଚଳିତ ବର୍ଷ ରଥ ଯାତ୍ରା ପୂର୍ବରୁ ନୂଆ ବର୍ମାଟିକ କାଠରେ ଜୟ-ବିଜୟ ଦ୍ୱାର ଓ ଭୋଗ ମଣ୍ଡପ ପଶ୍ଚିମ ପାର୍ଶ୍ବ ଦ୍ୱାର ଲାଗିବା ପରେ ରୂପା ଛାଉଣୀ କରାଯାଇଥିଲା । ସର୍ବସାଧାରଣ ଦର୍ଶନ ଆରମ୍ଭ ପୂର୍ବରୁ ନବ ନିର୍ମିତ ସାତ ପାହାଚ ଦ୍ୱାର ଓ ବେହେରଣ ଦ୍ୱାର ଲାଗିବା ସହ ତାହା ଉପରେ ରୂପାର ଚାଦର ଓ ସୂକ୍ଷ୍ମ କାରୁକାର୍ଯ୍ୟପୂର୍ଣ୍ଣ ରୁପା ପ୍ଲେଟ୍‌ ଲାଗିଥିଲା । ତେଣୁ କଳାହାଟ ଦ୍ୱାରଟି ନୀତି ସହ ସମ୍ପୃକ୍ତ ରହୁଥିବାରୁ ଆଗାମୀ ରଥ ଯାତ୍ରା ସମୟରେ ସେହି ଦ୍ୱାରକୁ କେବଳ ରୂପା ଛାଉଣୀ କରାଯିବ।’’

ରୂପା ଦ୍ୱାର ଅନୁଧ୍ୟାନ କମିଟି ସଦସ୍ୟ ତଥା ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ରଙ୍କ କହିବା ଅନୁଯାୟୀ, ‘‘ଶ୍ରୀମନ୍ଦିରର ଆଠଟି ଦ୍ୱାର ଓ ପାର୍ଶ୍ୱ ଦେବାଦେବୀ ମନ୍ଦିରର ରୂପା ଛାଉଣୀ ନେଇ ଶ୍ରୀମନ୍ଦିର ପରିଚାଳନା କମିଟି ବୈଠକରେ ନିଷ୍ପତ୍ତି ସହ ମୁମ୍ବାଇର ଦାତାଙ୍କ ସହ ଆଲୋଚନା କରାଯାଇଥିଲା । ତେଣୁ ଏହି ଗୁରୁତ୍ୱ ପୂର୍ଣ୍ଣ କାମ ପାଇଁ ଗଠିତ ହୋଇଥିଲା ଦୁଇଟି କମିଟି । ଗୋଟିଏ ଦ୍ୱାର ବସାଇବା ଓ ରୂପା ଛାଉଣି କାମର ତଦାରଖ କରିବା ପାଇଁ ଓ ଅନ୍ୟଟି ଇଞ୍ଜିନିୟର ଓ ସେବାୟତଙ୍କୁ ନେଇ ଗଠିତ ହୋଇଥିଲା ସ୍ୱତନ୍ତ୍ର କମିଟି ।

ବୈଷୟିକ କମିଟିରେ ଏ.ଏସ.ଆଇ.ର ବରିଷ୍ଠ ଅଧିକାରୀ ମାନେ ରହି କାର୍ଯ୍ୟର ଅନୁଧ୍ୟାନ କରିଥିଲେ । ଦ୍ୱାର ବସାଇବା ସମୟରେ ଯେଭଳି ଐତିହ୍ୟ ସୁରକ୍ଷା ପ୍ରତି ଆଞ୍ଚ ନଆସେ ସେଥିଲାଗି ବୈଷୟିକ କମିଟି ଏଥି ପ୍ରତି ଦୃଷ୍ଟି ଦେଇଛନ୍ତି । ମୁମ୍ବାଇର ଜନୈକ ଦାତା ଏ ସମସ୍ତ ରୂପା ଦାନସୂତ୍ରରେ ଯୋଗାଇଛନ୍ତି । ରୂପା ଦ୍ୱାର ଛାଉଣୀ ପାଇଁ ଦୁଇ ଟନ୍ ରୂପା ଦାନ ସୂତ୍ରରେ ମିଳିଛି । ପରିଚାଳନା କମିଟିର ନିଷ୍ପତ୍ତି ଆଧାରରେ ରୂପା ଛାଉଣୀ କାର୍ଯ୍ୟ ଶେଷ କରାଯାଇଛି ବୋଲି କହିଛନ୍ତି ମାଧବ ମହାପାତ୍ର ।

ଯାଜପୁରର ଆସିଥିବା ୫୬ ବର୍ଷୀୟ ଭକ୍ତ ସୁଜାତା ଅଗ୍ରୱାଲ କହିଛନ୍ତି, ‘‘ଦୀର୍ଘଦିନ ପରେ ମହାପ୍ରଭୁଙ୍କ ଦର୍ଶନ ପାଇବା ସହିତ ଶ୍ରୀମନ୍ଦିରରେ କରାଯାଇଥିବା ସାତଟି ରୂପା ଦ୍ୱାରକୁ ଦେଖି ବେଶ୍ ଖୁସି ଅନୁଭବ କରିଛନ୍ତି ଶ୍ରଦ୍ଧାଳୁ । ତେବେ ଆଗାମୀ ଦିନରେ ଏହି କବାଟ ଗୁଡ଼ିକ ଉପରେ ସୁନା ଛାଉଣୀ କରିବା ପାଇଁ ଦାତା ମାନେ ଆଗେଇ ଆସିବା ଦରକାର ।’’

ଆସନ୍ତା ବୁଧବାର ଅର୍ଥାତ ସେପ୍ଚେମ୍ବର ୮ରେ ହେବ ଶ୍ରୀମନ୍ଦିର ଦର୍ଶନକୁ ନେଇ ଏସ.ଓ.ପି.ର ସମୀକ୍ଷା ବୈଠକ । ରାଜ୍ୟ ସରକାରଙ୍କ କୋଭିଡକୁ ନେଇ ନୂଆ ଗାଇଡଲାଇନ୍ ଆସିବା ପରେ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ବଢ଼ିବ ଦର୍ଶନ ସମୟ । ଆଉ ଏହି ବୈଠକରେ ରୂପା ଦ୍ୱାର ଉପରେ ମଧ୍ୟ ଆଲୋଚନା ହେବ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ।

ଖାଲି ଆଠଟି ଦ୍ୱାର ନୁହେଁ ଶ୍ରୀମନ୍ଦିର ଭିତରେ ଥିବା ବାକି ସମସ୍ତ ପାର୍ଶ୍ଵ ଦେବାଦେବୀ ମନ୍ଦିରର ଦ୍ୱାର ଗୁଡ଼ିକୁ ମଧ୍ୟ ରୂପା ଛାଉଣୀ କରିବାକୁ ଲକ୍ଷ୍ୟ ରଖିଛି ଶ୍ରୀମନ୍ଦିର ପ୍ରଶାସନ । ଆଉ ଏଥ ପାଇଁ ଦାତାଙ୍କ ସଂଖ୍ୟା ବୃଦ୍ଧି କରିବା ନେଇ ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ସ୍ୱତନ୍ତ୍ର ବ୍ୟବସ୍ଥା କରାଯାଉଛି ।
Published by: Lipina Das
First published: September 4, 2021, 2:21 PM IST