News18 Odia Digital
ପୁରୀ: ସୋସିଆଲ ମିଡ଼ିଆରେ ଆରମ୍ଭ ହୋଇଥିବା ବନ୍ଧୁତା କ୍ରମଶଃ ପ୍ରେମରେ ପରିଣତ ହେବା ଓ ଶେଷରେ ପ୍ରତାରଣା ମିଳିବାର ଅନେକ ଖବର ପୂର୍ବରୁ ଆସିଛି । ହେଲେ ଫେସବୁକରୁ ଆରମ୍ଭ ହୋଇଥିବା ପ୍ରେମ ଅପହରଣରେ ପହଞ୍ଚିବାର କମ୍ ଉଦାହରଣ ରହିଛି । ଏଭଳି ଏକ ଘଟଣା ଘଟିଛି ପୁରୀ ଜିଲ୍ଲା ଗୋପ ଥାନା ଅଞ୍ଚଳରେ ।
ଗୋପ ଥାନା ନୟାହାଟ ଅଞ୍ଚଳର ୨୫ ବର୍ଷୀୟା ଯୁବତୀ (ଛଦ୍ମ ନାମ ଚୁମକୀ) ଫେସବୁକରେ ଛଅ ମାସ ହେବ କେନ୍ଦ୍ରାପଡ଼ା ଥାନା ତାଳଚୁଆ ମେରାଇନ୍ ଥାନା ଅଞ୍ଚଳର ସନ୍ତୋଷ କୁମାର ପାଢ଼ୀ ନାମକ ଜଣେ ୨୭ ବର୍ଷୀୟ ଯୁବକ ସହ ପ୍ରେମ ସମ୍ପର୍କ ରଖିଥିଲେ । ହେଲେ ସନ୍ତୋଷ ତାଙ୍କୁ ଡିସେମ୍ବର ୧୪ ତାରିଖ ଦିନ ତାଙ୍କ ଗାଁ ନିକଟରୁ ଅପହରଣ କରି ତାଙ୍କ ଇଚ୍ଛା ବିରୁଦ୍ଧରେ ପଶ୍ଚିମ ବଙ୍ଗର ଦୀଘାକୁ ନେଇଯାଇଥିବା ସେ ଅଭିଯୋଗ କରିଛନ୍ତି ।
ଏହା ବି ପଢ଼ନ୍ତୁ | ହାତ ପାପୁଲିରେ ଯଦି ଏମିତି ଚିହ୍ନ ଅଛି ତାହେଲେ ସାଧାରଣତଃ ପ୍ରେମିକ/ପ୍ରେମିକା ଠାରୁ ଧୋକା ମିଳେ‘‘ଡିସେମ୍ବର ୧୪ରେ ମୁଁ ବଜାରକୁ ଆସିଥିବା ବେଳେ ସନ୍ତୋଷ ମୋତେ ଫୋନ କରିଥିଲେ । ମୁଁ ତାଙ୍କୁ ଏକ ଚୁଡି ଦୋକାନରେ ଅଛି ବୋଲି କହିଥିଲି । ତା’ ପରେ ସେ ମୋତେ ଲୋକେସନ ପଚାରିଥିଲେ । ମୁଁ ଘରକୁ ଫେରିବା ବେଳେ ଗାଁ ନିକଟରେ ଏକ ନିଛାଟିଆ ଜାଗାରୁ ସେ ମୋତେ ଅପହରଣ କରିନେଇଥିଲେ,’’ କହିଛନ୍ତି ଚୁମକୀ ।

ପଶ୍ଚିମ ବଙ୍ଗର ଦୀଘାରେ ଯୁବତୀଙ୍କ ସହ ଜବରଦସ୍ତି ବିବାହ ଏହି ସ୍ଥାନରେ ହେଉଥିଲା ।
ଅଭିଯୁକ୍ତ ସନ୍ତୋଷଙ୍କ ସହ ତାଙ୍କ ସମ୍ପର୍କ ବିଷୟରେ ଅଧିକ କହି ସେ କହିଛନ୍ତି, ‘‘ସନ୍ତୋଷକୁ ବିବାହ କରିବାକୁ ମୋ’ର ଇଛା ନ ଥିଲା । ବାରମ୍ବାର ସେ ମୋତେ ବିଳମ୍ବିତ ରାତିରେ ଫୋନ କରି ଅଶ୍ଳୀଳ କଥା କହୁଥିଲା । ସେପଟେ ପରିବାର ପକ୍ଷରୁ ମୋର ବିବାହ ପାଇଁ ପ୍ରସ୍ତାବ ଖୋଜା ଚାଲିଥିଲା । ଏ କଥା ଯେତେବେଳେ ମୁଁ ସନ୍ତୋଷଙ୍କୁ କହିଲି ସେ ମୋ ସହ ଝଗଡ଼ା କରିଥିଲେ । ଚଳିତ ମାସ ୧୨ ତାରିଖରେ ମୋ’ ସହ ଶେଷ ଥର କଥା ହୋଇ ଆଉ ଫୋନ କରି ନ ଥିଲେ ।’’
ଏହା ବି ପଢ଼ନ୍ତୁ | ମୁକେଶ ଅମ୍ବାନୀ ଜେଜେବାପା ହେଲେ; ପୁଅ ଆକାଶ ଓ ବୋହୂ ଶ୍ଳୋକା ଏକ ଶିଶୁ ପୁତ୍ର ଜନ୍ମ ଦେଲେ
ଚୁମକୀ ହଠାତ ନିଖୋଜ ହୋଇଯିବା ପରେ ତାଙ୍କ ବାପା ଗୋପ ଥାନାରେ ଝିଅର ଅପହରଣ ଏକ ଏତାଲା ଦେଇଥିଲେ । ଚୁମକୀଙ୍କ ଫୋନ ନମ୍ବରରେ ତାଙ୍କ ବାପା ଯୋଗାଯୋଗ କରିବା ପରେ ଜଣାପଡିଥିଲା ଯେ ତାଙ୍କୁ ଅପହରଣ କରି ପଶ୍ଚିମ ବଙ୍ଗର ଦୀଘାକୁ ନିଆଯାଇଛି । ତା’ ପର ଦିନ ଚୁମକୀ ନିଜ ପରିବାରକୁ କଲ୍ କରି କହିଥିଲେ ଯେ ଦୀଘାରେ ଏକ ନିଛାଟିଆ ଘରେ ରଖି ଜୋର ଜବରଦସ୍ତ ତାଙ୍କ ବିବାହ କରାଯିବାକୁ ଉଦ୍ୟମ କରାଯାଉଛି ।
‘‘ଝିଅର ଫୋନ ନମ୍ବରରୁ କଲ୍ ଆସିଥିବା ନେଇ ତାଙ୍କ ବାପା ଗୋପ ଥାନାକୁ ଜଣାଇଥିଲେ । ତୁରନ୍ତ ଏକ ପୋଲିସ ଟିମ ଧରି ସେହି ଫୋନ କଲକୁ ଟ୍ରାକିଂ କରି ୧୫ ତାରିଖ ରାତିରେ ପଶ୍ଚିମ ବଙ୍ଗ ଦୀଘାରେ ପହଞ୍ଚିଥିଲୁ । ସେଠାରେ ସମ୍ପୃକ୍ତ ଯୁବକ ସନ୍ତୋଷକୁ ଗିରଫ କରିବା ସହ ଯୁବତୀକୁ ଉଦ୍ଧାର କରାଯାଇଥିଲା,’’ କହିଛନ୍ତି ଗୋପ ଥାନା ଅଧିକାରୀ ସୁଧୀର କୁମାର ସାହୁ ।
ଏହା ବି ପଢ଼ନ୍ତୁ | ଶୀତଦିନେ ନିଜ ଶିଶୁକୁ ଗାଧୋଇଦେବା ବେଳେ ଏହି କଥାଗୁଡ଼ିକ ଉପରେ ଧ୍ୟାନ ଦିଅନ୍ତୁପୋଲିସ ଏ ସଂକ୍ରାନ୍ତରେ ଆଇପିସିର ଦଫା ୩୬୩, ୩୬୫ ଓ ୩୬୬ ଲଗାଇ ଏକ ମାମଲା (୩୪୩/୨୦) ରୁଜୁ କରିବା ସହ ଅଭିଯୁକ୍ତ ସନ୍ତୋଷକୁ ୧୬ ତାରିଖ ଦିନ କୋଣାର୍କ କୋର୍ଟରେ ହାଜର କରାଇ ନିମାପଡ଼ା ଜେଲକୁ ପଠାଇଥିଲା । କୋର୍ଟରେ ଚୁମକୀଙ୍କ ବୟାନ ରେକର୍ଡ଼ କରିବା ପରେ ତାଙ୍କୁ ତାଙ୍କ ପରିବାରକୁ ହସ୍ତାନ୍ତର କରାଯାଇଥିଲା ।
ଏହି ଅପହରଣ ଘଟଣାର ୧୨ ଘଣ୍ଟା ନ ପୂରୁଣୁ ଗୋପ ପୁଲିସ ଯୁବତୀକୁ ସୁରକ୍ଷିତ ଭାବେ ଉଦ୍ଧାର କରି ତାଙ୍କ ପରିବାରର ଜିମାରେ ଦେଇଥିବାରୁ ପୋଲିସକୁ ସବୁ ଆଡୁ ମିଳିଛି ପ୍ରଶଂସା । ସୋସିଆଲ ମିଡ଼ିଆରେ ସମ୍ପର୍କ ବାନ୍ଧି ଯୁବକ ଓ ଯୁବତୀମାନେ ଅସୁବିଧାରେ ନ ପଡ଼ନ୍ତୁ ବୋଲି ପରାମର୍ଶ ଦେଇଛି ପୋଲିସ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।