ରଥ ଯାତ୍ରାରେ କର୍ଫ୍ୟୁ ଉଲ୍ଲଙ୍ଘନ: ଭିଡିଓ ଫୁଟେଜ୍‌ ଦେଖୁଛି ପୋଲିସ; ଦ୍ଵିତୀୟ ତାଲିକା ଶୀଘ୍ର ଆସିବ

ରଥ ଯାତ୍ରା ଦିନ କର୍ଫ୍ୟୁ ଉଲ୍ଲଙ୍ଘନ କରି ହଟହଟା ହୋଇଛନ୍ତି ନଅ ଜଣ ଲୋକ। ଛାତ ଉପରୁ ରଥ ଯାତ୍ରା ଦେଖାଇବାରେ ସାହାଯ୍ୟ କରିଥିବାରୁ ବଡ଼ଦାଣ୍ଡରେ ଦୁଇଟି ଲଜ୍‌ ଓ ଗୋଟିଏ NGOର କୋଠାକୁ ନୀଳାଦ୍ରି ବିଜେ ପର୍ଯ୍ୟନ୍ତ ସିଲ୍ କରାଯାଇଛି। ବାହୁଡ଼ା ଦିନ ଡ୍ରୋନ୍‌ ଜରିଆରେ ପାଟ୍ରୋଲିଂ କରିବ ପୋଲିସ ।

ରଥ ଯାତ୍ରା ସମୟରେ ବଡ଼ ଦାଣ୍ଡର ଏକ ଦୃଶ୍ୟ

ରଥ ଯାତ୍ରା ସମୟରେ ବଡ଼ ଦାଣ୍ଡର ଏକ ଦୃଶ୍ୟ

  • Share this:
News18 Odia Digital

ପୁରୀ: ବିନା ଭକ୍ତରେ ରଥ ଯାତ୍ରା ହେଉଥିବା ବେଳେ ବଡ଼ଦାଣ୍ଡରେ ଥିବା ଲଜ ଓ ଘରୋଇ କୋଠାରେ ବାହାର ଭକ୍ତଙ୍କ ଉପସ୍ଥିତିକୁ ନେଇ କାର୍ଯ୍ଯାନୁଷ୍ଠାନ ନେଉଛି ପ୍ରଶାସନ। ଏ ପର୍ଯ୍ୟନ୍ତ ଦୁଇଟି ଲଜ ଓ ଗୋଟିଏ ଏନ୍.ଜି.ଓ.ର କୋଠାକୁ କର୍ଫ୍ୟୁ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍ କରାଯାଇଛି। ନଅ ଜଣ ଉଲ୍ଲଙ୍ଘନକାରୀଙ୍କ ଫଟୋ ସହ ତାଲିକା ଜାରି କରିଛି ପୁରୀ ପୋଲିସ।

ରଥ ଯାତ୍ରାରେ ଅନେକ ଅନାଧିକୃତ ବ୍ଯକ୍ତି ଓ ବିନା ପାସ୍‌ ଧାରୀଙ୍କ ପ୍ରବେଶ ଉପରେ ମଧ୍ୟ ତଦନ୍ତ କରାଯାଉଛି। ଅଭିଯୋଗରେ ସତ୍ଯତା ଥିଲେ କାର୍ଯ୍ଯାନୁଷ୍ଠାନ ନିଆଯିବ। ପୁରୀବାସୀଙ୍କୁ ଟିକାର ଦୁଇଟି ଡୋଜ୍ ଓ କୋଭିଡ୍ ନେଗେଟିଭ୍‌ ପ୍ରମାଣ ପତ୍ର ସହ ପରିଚୟ ପତ୍ର ଆଧାରରେ ଆଡ଼ପ ମଣ୍ଡପ ଦର୍ଶନ ଓ ସୁନାବେଶ ଦର୍ଶନର ସୁଯୋଗ ଦେବାକୁ ଜିଲ୍ଲାପାଳଙ୍କୁ ଭେଟି ଦାବି ଜଣାଇଛନ୍ତି ବିଜେପି ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ।

‘‘ପୁରୀ ପୋଲିସ ପକ୍ଷରୁ ପ୍ରାଥମିକ ପର୍ଯ୍ୟାୟରେ ନଅ ଜଣ ଉଲ୍ଲଙ୍ଘନକାରୀଙ୍କୁ ଚିହ୍ନଟ କରାଯାଇ ଫଟୋ ସହ ସେମାନଙ୍କ ନାମକୁ ତାଲିକାଭୁକ୍ତ କରାଯାଇଛି। ସେମାନଙ୍କ ଉପରେ ଆପରାଧିକ ମାମଲା ସହ ଜିରୋ ଟଲରାନ୍ସ କାର୍ଯ୍ଯାନୁଷ୍ଠାନ ଗ୍ରହଣ କରାଯିବ। ଆଗକୁ ଦ୍ୱିତୀୟ ପର୍ଯ୍ୟାୟ ତାଲିକା ପ୍ରକାଶ କରାଯିବ। ସେଥି ପାଇଁ ପୋଲିସ ପକ୍ଷରୁ ରଥ ଯାତ୍ରାର ଭିଡିଓ ଫୁଟେଜ୍ ଓ ଫଟୋକୁ ନେଇ ତଦନ୍ତ ଜାରି ରହଛି,” ପୋଲିସ ପକ୍ଷରୁ ସୂଚନା ଦିଆଯାଇଛି ।

ଗଙ୍ଗା ଲଜ୍‌ର ଛାତ ଓ ବାଲକୋନୀରୁ ଅନେକ ଲୋକ ନିୟମ ଅମାନ୍ୟ କରି ରଥ ଯାତ୍ରା ଦେଖିଥିବା ଅଭିଯୋଗ ହୋଇଥିଲା ।


‘‘କର୍ଫ୍ୟୁ ଉଲ୍ଲଙ୍ଘନ କରି ବଡ଼ଦାଣ୍ଡରେ ଥିବା ଛାତ ଉପରେ ରଥ ଯାତ୍ରା ଦେଖିବା ଘଟଣାକୁ ଆମେ ଗୁକୁତ୍ବର ସହ ନେଇଛୁ । ବଡ଼ଦାଣ୍ଡ ବଳଗଣ୍ଡି ଛକରେ ଥିବା ଗଙ୍ଗା ଲଜକୁ ସିଲ୍ କରାଯାଇଥିବା ବେଳେ ବଡ଼ଶଙ୍ଖରେ ଥିବା ସାଗର ଇନ ଲଜ ଓ ଅକ୍ଷୟପାତ୍ର ଫାଉଣ୍ଡେସନ କୋଠାକୁ କର୍ଫ୍ୟୁ ଉଲ୍ଲଙ୍ଘନ ଅଭିଯୋଗରେ ସିଲ୍ କରାଯାଇଛି । ଆଗକୁ ଏଭଳି  ଘଟଣାର ଯେଭଳି ପୁନରାବୃତ୍ତି ନ ହେବ ସେ ନେଇ ପଦକ୍ଷେପ ନିଆଯାଉଛି,” କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା।

‘ଭଏସ୍ ଅଫ କମନ୍ ମ୍ୟାନ୍’ ସ୍ବେଚ୍ଛାସେବୀ ସଂସ୍ଥାର ଆବାହକ ହେକ୍ଟର ମିଶ୍ର କହିଛନ୍ତି, “ରଥ ଯାତ୍ରାରେ ପୁରୀ ସହରବାସୀ ଘରେ ରହି ଅକୁଣ୍ଠ ସମର୍ଥନ କରିଥିଲେ। ହେଲେ କେଉଁଠି ନା କେଉଁଠି ଫେଲ୍ ମାରିଥିଲା ପ୍ରଶାସନିକ କଟକଣା। ବାହାର ପର୍ଯ୍ଯଟକ, ଇସ୍କନ ଭକ୍ତ, ଠିକାଦାର ଏବଂ ଅନେକ ଯାତ୍ରୀ ରଥ ଟଣା ସହିତ ବଡ଼ଦାଣ୍ଡରେ ରହି ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି। ହେଲେ ସେମାନେ କିଭଳି ପାସ୍ ପାଇଲେ ଓ କିପରି ଅନଧିକୃତ ବ୍ୟକ୍ତି ପ୍ରବେଶ କଲେ ସେ ନେଇ ଆମେ ଓ ଅଧିଭକ୍ତା ଓକିଲ ସଂଘ ଥାନାରେ ଏତାଲା ଦେଇଛୁ  । ଏହି ମାମଲାରେ ତଦନ୍ତ ହେଉ ବୋଲି ଆମେ ଦାବି କରୁଛୁ ।’’

ଅକ୍ଷୟପତ୍ର ଏନ୍‌.ଜି.ଓ.ର କୋଠାକୁ ସିଲ୍‌ କରାଯାଇଛି ।


ରଥ ଯାତ୍ରା ଅବ୍ଯବସ୍ଥାକୁ ନେଇ ପୁରୀ ବିଧାୟକ ଜୟନ୍ତ କୁମାର ଷଡ଼ଙ୍ଗୀ ଜିଲ୍ଲାପାଳଙ୍କୁ ଭେଟି ଘଟଣାର ତଦନ୍ତ ଦାବି କରିବା ସହ କହିଛନ୍ତି, "କିଭଳି ଭୁବନେଶ୍ୱର ଓ ପୁରୀର ଅନେକ ରାଜନୈତିକ ବ୍ଯକ୍ତି ବିଶେଷ ରଥ ଯାତ୍ରା ଦିନ ଆସି ଦର୍ଶନ କଲେ ତାହା ତଦନ୍ତ କରାଯାଉ। ପୁରୀବାସୀଙ୍କୁ ପୂର୍ଣ୍ଣାଙ୍ଗ ଟିକାକରଣ ଓ କୋଭିଡ୍ ନେଗେଟିଭ ପ୍ରମାଣପତ୍ର ଆଧାରରେ ମହାପ୍ରଭୁଙ୍କ ଆଡ଼ପମଣ୍ଡପ ଦର୍ଶନ ଓ ସୁନାବେଶ ଦର୍ଶନ ପାଇଁ ଅନୁମତି ଦେବାକୁ ମୁଁ ଅନୁରୋଧ କରୁଛି।“

ସୋସିଆଲ ମିଡି଼ଆରେ ହେଉ ଅବା ଡିଜିଟାଲ୍ ମିଡି଼ଆ ଯେଉଁମାନେ ରଥ ଟାଣିବା ଓ ଛାତ ଉପରେ ଦେଖିବା ସମୟର ଫଟୋ ଅପଲୋଡ଼ କରିଥିଲେ ଓ ରଥ ଟାଣିଥିଲେ ସେମାନେ ଏବେ ପ୍ରଶାସନିକ କାର୍ଯ୍ଯାନୁଷ୍ଠାନ ଦେଖି ଛାନିଆ ହୋଇପଡି଼ଛନ୍ତି।
Published by:Lipina Das
First published: