News18 Odia Digital
ପୁରୀ: ଜିଲ୍ଲା ପୋଲିସ ବଳକୁ ସାଇବର ଅପରାଧ ଉପରେ ନଜର ରଖିବାକୁ ଓ ଡିଜିଟାଲ୍ ସ୍ମାର୍ଟ ହୋଇ ସମୟ ସହ ତାଳ ମିଳାଇ ଅପରାଧ ଦମନ କରିବାକୁ ନିର୍ଦ୍ଦେଶ ଦେଇଥିଲେ ପୁରୀ ଏସ୍.ପି. ଡଃ କୱଁର ବିଶାଲ ସିଂ । ହେଲେ ସାମାନ୍ୟ ଗୋଟିଏ ଆଣ୍ଡ୍ରଏଡ୍ ମୋବାଇଲ୍ ଫୋନର ଆଇ.ଏମ୍.ଇ.ଆଇ. (IMEI) ନମ୍ବର ଜାଣିବା ପାଇଁ ମୋବାଇଲ୍ ଫୋନଟିକୁ ଦୁଇ ଫାଳ କରିଦେଇଛି ଚନ୍ଦନପୁର ଥାନା ପୋଲିସ ।
ନିଜ ଚୋରି ହୋଇଥିବା ମୋବାଇଲ ଫୋନ୍ ଫେରି ପାଇବେ ବୋଲି ଖୁସି ଥିବା ଅଧ୍ୟାପିକା ଜଣକ ମୋବାଇଲ ଫୋନର ଏହି ଅବସ୍ଥା ଦେଖି ସ୍ତବ୍ଧ ହୋଇଯାଇଥିଲେ । ’’ଜଣେ ପୋଲିସ୍ ଏ.ଏସ୍.ଆଇ. ଯେ ଏମିତି କରିବେ ତାହା ମୋ’ କଳ୍ପନାର ବାହାରେ ଥିଲା,’’ କହିଛନ୍ତି ଚନ୍ଦନପୁର ପାଙ୍କଳ ନିକଟସ୍ଥ ସଂସ୍କୃତ କଲେଜରେ ଅଧ୍ୟାପିକା ରାଜଶ୍ରୀ ଦଳାଇ ।
ଦେଖନ୍ତୁ ଫଟୋ | ତିନି ମହଲା ଘରର ଛାତ ଉପରକୁ ଚଢ଼ିଗଲା ଷଣ୍ଢ; ତାକୁ କ୍ରେନ୍ ସାହାଯ୍ୟରେ ତଳକୁ ଅଣାଗଲା
ନଭେମ୍ବର ୧୫ ତାରିଖ ସନ୍ଧ୍ୟାରେ ପୁରୀ-ଭୁବନେଶ୍ୱର ଜାତୀୟ ରାଜପଥର ଚନ୍ଦନପୁର ବାଇପାସରେ ରାଜଶ୍ରୀ ସ୍କୁଟିରେ ଯାଉଥିବା ବେଳେ ତାଙ୍କ ଭ୍ୟାନିଟି ବ୍ୟାଗକୁ ଲୁଟି ନେଇଥିଲେ କିଛି ଦୁର୍ବୃତ୍ତ । ସେଥିରେ ଥିଲା ତାଙ୍କର ଏକ ଦାମୀ ଆଣ୍ଡ୍ରଏଡ ମୋବାଇଲ୍ ଫୋନ୍ । ଚୋରି ସମ୍ପର୍କରେ ଚନ୍ଦନପୁର ଥାନାରେ ସେ ଏତାଲା ଦେଇଥିଲେ । ପୋଲିସ ମାମଲା ରୁଜୁ କରି ତଦନ୍ତ କରିବା ପରେ ଅଭିଯୁକ୍ତକୁ ଧରି ମୋବାଇଲ ଫୋନକୁ ଜବତ କରିଥିଲା ।
‘‘ଲୁଟେରା ଗିରଫ ହୋଇ ତା’ ଠାରୁ ମୋ’ ଫୋନ୍ ପୋଲିସକୁ ମିଳିଯିବା ପରେ ସୋମବାର ନିଜ ଫୋନ୍ ନେବାକୁ ଥାନାକୁ ଯାଇଥିଲି । ଆଇ.ଆଇ.ସି. ଅଭିମନ୍ୟୁ ନାୟକଙ୍କ ନିର୍ଦ୍ଦେଶ କ୍ରମେ ଜଣେ ଏ.ଏସ.ଆଇ. ଏହି ମୋବାଇଲଟି ମୋ’ ଜିମା ଦେବା ପାଇଁ କାଗଜପତ୍ର ପ୍ରସ୍ତୁତ କରିଥିଲେ । ମୋବାଇଲ ଫୋନର ବିଲ ସହ ମିଳାଇବାକୁ ଏହାର ଆଇ.ଏମ୍.ଇ.ଆଇ. ନମ୍ବରର ଆବଶ୍ୟକତା ଥିଲା । ତେଣୁ ନମ୍ବର ଖୋଜିବା ପାଇଁ ଲାଗିପଡିଥିଲେ ପୋଲିସ ବାବୁ । ମାତ୍ର ସେ ଯାହା କଲେ ସେଥିରେ ମୁଁ ଚକିତ ହୋଇଗଲି,’’ କହିଛନ୍ତି ରାଜଶ୍ରୀ ।
ଏହା ବି ପଢ଼ନ୍ତୁ | ନୂଆ ବର୍ଷ ଠାରୁ UPI, ଚେକ୍ ପେମେଣ୍ଟ, GST ଓ ବୀମା ସମ୍ବନ୍ଧୀୟ ଅନେକ ନିୟମ ବଦଳିଛି; ଜାଣନ୍ତୁ
ତାଙ୍କର ଜଣେ ସମ୍ପର୍କୀୟ କହିଛନ୍ତି ଯେ ମୋବାଇଲ ଫୋନର କାଗଜପତ୍ର ଦେଖିବା ପରେ ଇ.ଏମ୍.ଇ.ଆଇ. ନମ୍ବର ଖୋଜିବା ନେଇ ଏ.ଏସ.ଆଇ.ଙ୍କ ଶୈଳୀ ଥିଲା ନିଆରା । ‘‘ପୂର୍ବରୁ ବ୍ୟାଟେରି ତଳେ ଆଇଏମଇଆଇ ନମ୍ବର ରହୁଥିଲା । ହେଲେ ଏବେ ଆଣ୍ଟ୍ରଏଡ ଫୋନରେ ବ୍ୟାଟେରି ଫିକ୍ସ ଥିବା ବେଳେ ମେକାନିକ ଛଡ଼ା ଅନ୍ୟ କେହି ଖୋଲିଲେ ମୋବାଇଲ ଫୋନ୍ ଖରାପ ହେଇଯିବାର ୯୦ ପ୍ରତିଶତ ସମ୍ଭାବନା ରହିଛି । ଫୋନର ସେଟିଙ୍ଗ ଅପସନକୁ ଯାଇ ଏବାଉଟରେ ସର୍ଚ୍ଚ କଲେ ସେହି ନମ୍ବର ମିଳିଥାଏ । ନହେଲେ ଷ୍ଟାର ହ୍ୟାସ୍ ୦୬ ହ୍ୟାସ୍ ଡାଏଲ୍ କଲେ ବି ଆଇ.ଏମ୍.ଇ.ଆଇ. ନମ୍ବର ଡିସପ୍ଲେରେ ଦେଖାଏ । କିନ୍ତୁ ଏ.ଏସ.ଆଇ. ବାବୁଙ୍କୁ ଏ ବିଦ୍ୟା ଜଣା ନ ଥିଲା,’’ ସେ କହିଛନ୍ତି ।
ଏହା ବି ପଢ଼ନ୍ତୁ | କରୋନା କାଳରେ ଟ୍ରେନ୍ ଟିକେଟ୍ ଟଙ୍କା ଫେରସ୍ତ ପାଇବାର ସମୟ ୬ ମାସରୁ ବଢ଼ି ୯ ମାସ ହେଲା
ପୁରୁଣା ଢଙ୍ଗରେ ଏ.ଏସ.ଆଇ. ବାବୁ ଖୋଲିଥିଲେ ମୋବାଇଲ ଫୋନର ବ୍ୟାକ୍ କଭର । ପାଖରେ ଥିବା ରାଜଶ୍ରୀ ଏହାକୁ ଅଟକାଇବାକୁ ଚାହୁଁଥିଲେ ସୁଦ୍ଧା ପୋଲିସ ବାବୁ କିଛି ଶୁଣିବାକୁ ଚାହୁଁ ନ ଥିଲେ । ମୋବାଇଲ ଫୋନକୁ ଫାଡ଼ି ଦେବା ପରେ ବି ନମ୍ବର ପାଇ ନ ଥିଲେ ।
‘‘ଉପର ତଳ କରି ବହୁ ସମୟ ଖୋଜିଲେ । ବାସ୍, ତା’ ପରେ କହିଲେ ବ୍ୟାଟେରି ତଳେ ବୋଧେ ଅଛି । ହୋମଗାର୍ଡ ମନା କରିବା ସତ୍ତ୍ୱେ ଫିକ୍ସ ଥିବା ବ୍ୟାଟେରିକୁ ତାଡ଼ିବାକୁ ଉଦ୍ୟମ କଲେ । ଫଳରେ ମୋବାଇଲ ଫୋନଟି ଦୁଇ ଫାଳ ହୋଇ ଗୋଟିଏ ଫାଳ ଏ.ଏସ.ଆଇ. ବାବୁଙ୍କ ହାତରେ ଓ ଅନ୍ୟଟି ହୋମଗାର୍ଡଙ୍କ ହାତରେ ରହିଗଲା,’’ କହିଛନ୍ତି ରାଜଶ୍ରୀ ।
ଏହା ବି ପଢ଼ନ୍ତୁ | ରାଞ୍ଚିରେ ଯୁବତୀର ମୁଣ୍ଡକଟା ଉଲଗ୍ନ ଶବ ମିଳିଲା; ଗୁପ୍ତାଙ୍ଗରେ ଗଭୀର କ୍ଷତ; ପୋଲିସ ତଦନ୍ତ ଜାରି; ପୋଲିସ ପୁରସ୍କାର ଘୋଷଣା କଲା
ପରେ ସରଳ ଉପାୟରେ ଇ.ଏମ୍.ଇ.ଆଇ. ନମ୍ବର ବାହାର କରି ଦେଖାଇବା ପରେ ଏ.ଏସ.ଆଇ. ବାବୁ ମୁରୁକି ହସି କହିଥିଲେ, ‘‘ଆମ ଦ୍ୱାରା ଏ ସବୁ ହେବନି କାରଣ ଆମେ ପୁରୁଣାକାଳିଆ ଅଫିସର ।’’ ଏବେ ରାଜଶ୍ରୀ ନିଜ ଦାମୀ ମୋବାଇଲ୍ ଫୋନକୁ ଠିକ୍ କରିବା ପାଇଁ ପ୍ରୟାସ କରି ହଇରାଣ ହେଉଛନ୍ତି ।
ସାଇବର୍ କ୍ରାଇମ୍ ବଢ଼ୁଥିବା ସମୟରେ ଡିଜିଟାଲ୍ ସ୍ମାର୍ଟ ହେବା ପାଇଁ ପୋଲିସ ବିଭାଗ ଅନେକ ପଦକ୍ଷେପ ନେଉଥିବା ବେଳେ ମୋବାଇଲ ଫୋନକୁ ଦୁଇ ଫାଳ କରିବାର ଏହି ଘଟଣା ପୁରୀରେ ବେଶ ଚର୍ଚ୍ଚାର ବିଷୟ ହୋଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।