ପୁରୀ: ବନ୍ଦ ହୋଇନି ବାଲ୍ୟ ବିବାହ; ଜାତୀୟ ସର୍ବେକ୍ଷଣରେ ୨୯ ତମ ସ୍ଥାନରେ ଜିଲ୍ଲା

ଜିଲ୍ଲାରେ ୨୦୧୮ ମସିହାରେ ୧୦ଟି ବାଲ୍ୟ ବିବାହ ମାମଲା ଆସିଥିବା ବେଳେ ୨୦୧୯ ରେ ୬ଟି ଓ ୨୦୨୦ରେ ୪ଟି ବାଲ୍ୟ ବିବାହ ମାମଲା ପଞ୍ଜିକୃତ ହୋଇଛି ।

ପୁରୀ: ବନ୍ଦ ହୋଇନି ବାଲ୍ୟ ବିବାହ; ଜାତୀୟ ସର୍ବେକ୍ଷଣରେ ୨୯ ତମ ସ୍ଥାନରେ ଜିଲ୍ଲା
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 8, 2020, 6:40 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ପୁରୀ ଜିଲ୍ଲାରେ ଏବେବି ବାଲ୍ୟ ବିବାହ ହେଉଛି । ସରକାର ଓ ଜିଲ୍ଲା ପ୍ରଶାସନ ଏହାକୁ ରୋକିବା ଦିଗରେ କଡା ପଦକ୍ଷେପ ଗ୍ରହଣ କରାଯାଇଥିଲେ ମଧ୍ୟ ବାସ୍ତବରେ ତାହା ସଠିକ ଭାବେ କାର୍ଯ୍ୟକାରି ହୋଇନାହିଁ । ଯାହା ସରକାରୀ ରିପୋର୍ଟ ଅନୁସାରେ ତିନିବର୍ଷ ମଧ୍ୟରେ ୨୦ରୁ ଉର୍ଦ୍ଧ ବାଲ୍ୟବିବାହ ହୋଇଥିବା ଜଣାପଡିଛି । ପୁରୀ ଭଳି ଏକ ଉନ୍ନତ ସହରରେ ମଧ୍ୟ ବାଲ୍ୟବିବାହ ଦେଖିବାକୁ ମିଳୁଛି ଯାହା ରିପୋର୍ଟରୁ ଜଣାପଡିଛି । ବାଲ୍ୟବିବାହକୁ ରୋକିବା ପାଇଁ ଜିଲ୍ଲା ପ୍ରଶାସନ ପକ୍ଷରୁ ପୁରୀ ଜିଲ୍ଲାର ବିଭିନ୍ନ ମଠ ମନ୍ଦିର ସହ ସମସ୍ତ ସରପଞ୍ଚ ମାନଙ୍କୁ ଚିଠି ଲେଖି ଅବଗତ କରାଯାଇଛି । ଅପ୍ରାପ୍ତ ବୟସରେ ବିବାହ ଦ୍ୱାରା ମାତୃ ମୃତ୍ୟୁ ଓ ଶିଶୁ ମୃତ୍ୟୁ ହାର ବୃଦ୍ଧି ପାଇବା ସହ ତାର ଶିକ୍ଷା ଅଧିକାରରୁ ବଞ୍ଚିତ ହେଉଛି । ଏଣୁ ବାଲ୍ୟବିବାହ ରୋକିବା ପାଇଁ ଆବଶ୍ୟକ ପଦକ୍ଷେପ ଗ୍ରହଣ କରିବାକୁ କଡା ନିର୍ଦ୍ଦେଶ ଦିଆ ଯାଇଛି । ଏନଏଫ୍ଏଚସି ବା ଜାତୀୟ ପରିବାର ସ୍ୱାସ୍ଥ୍ୟ ସର୍ବେକ୍ଷଣର ରିପୋର୍ଟ ଅନୁସାରେ ପୁରୀ ଜିଲ୍ଲା ଓଡିଶାରେ ୨୯ ନମ୍ବରରେ ରହିଛି । ଏଣୁ ବାଲ୍ୟବିବାହ ସଂଖ୍ୟା ଅନ୍ୟ ଜିଲ୍ଲା ଅପେକ୍ଷା ଯଥେଷ୍ଟ ଭଲ ସ୍ଥିତିରେ ରହିଥିବା ବେଳେ ଆହୁରି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଜିଲ୍ଲା ଶିଶୁ ମଙ୍ଗଳ କମିଟିର ସଦସ୍ୟମାନେ ଏହାକୁ ରୋକିବା ପାଇଁ ସଚେତନତା ଶିବିର କରୁଛନ୍ତି ।

"ବାଲ୍ୟବିବାହ ସୁସ୍ଥ ସମାଜର ଏକ କଳଙ୍କ ସଦୃଶ । ଏହାଦ୍ୱାରା ଶିଶୁ ମାନସିକ ଆଘାତ ପାଇବା ସହିତ ତାର ଅଧିକାରରୁ ମଧ୍ୟ ବଞ୍ଚିତ ହୋଇଥାଏ । ତେଣୁ ଏହାକୁ ରୋକିବା ପାଇଁ ସରକାର ଅନେକ କଡା ପଦକ୍ଷେପ ନେଇଛନ୍ତି । ବାଲ୍ୟ ବିବାହକୁ ପ୍ରରୋଚନା, ସମ୍ପାଦନା, ପରିଚାଳନା ଆଉ ଚୁକ୍ତିରେ ସହାୟତା କରୁଥିବା ବ୍ୟକ୍ତିଙ୍କ ପାଇଁ ରହିଛି ୨ବର୍ଷ ଜେଲଦଣ୍ଡ ସହ ଏକ ଲକ୍ଷ ଟଙ୍କା ପର୍ଯ୍ୟନ୍ତ ଜୋରିମାନା ରହିଛି । ହେଲେ ଏଭଳି ଆଇନକୁ ଫୁ କରିଦେଇଛି ଏହି ଦୁସ୍ଥ ସମାଜ । ସେଥିପାଇଁ ଦାୟୀ ହେଉଛନ୍ତି ଶିଶୁଟିର ପରିବାର ଓ ସମାଜ । ଝିଅଟିକୁ ସେମାନେ ବୋଝ ନ ଭାବି ସେମାନଙ୍କର ସମ୍ପତି ଭାବନ୍ତୁ । ତାକୁ ତା ଇଛାରେ ବଞ୍ଚିବାକୁ ଦିଅନ୍ତୁ । ତାର ହସିଖେଳିବାର ସମୟରେ ବିବାହ ଆଦି ବୋଝ ଲଦି ଦିଅନ୍ତୁ ନାହିଁ । ଝିଅଟି ପାଠପଢି ମଣିଷ ହୋଇ ନିଜ ଗୋଡରେ ଠିଆ ହେଲେ ପରିବାର ପାଇଁ ସହାୟତା ହୋଇପାରିବ । ତେଣୁ ସରକାର ଏ ନେଇ ଅନେକ ପଦକ୍ଷେପ ନେଉଥିବା ବେଳେ ଆଇନ ଅନୁଯାୟୀ ଦଣ୍ଡିତ କରୁଥିଲେ ହିଁ ଏଭଳି କୁଶ୍ଚିତ ଚିନ୍ତାଧାରା ବଦଳୁନାହିଁ । ତେଣୁ ସମସ୍ତଙ୍କର ଦାୟିତ୍ୱ ରହିଛି ଏଭଳି ବାଲ୍ୟବିବାହକୁ ସମ୍ପୁର୍ଣ୍ଣ ମୁଳୋତ୍ପାଟନ କରିବା ଦରକାର," କହିଛନ୍ତି ଶିଶୁ ମନୋବିଜ୍ଞାନୀ ୪୦ ବର୍ଷୀୟ ଶୁଭ ନାରାୟଣ ଶଥପଥି ।

"ପୁରୀ ଭଳି ଏକ ଉନ୍ନତ ଜିଲ୍ଲାରେ ବି ବେଧଡକ ଭାବେ ଚାଲିଛି ବାଲ୍ୟବିବାହ । ଏମିତିକି ୧୮ ବର୍ଷ ତଳର ଝିଅ ମାନଙ୍କୁ ବାଲ୍ୟବିବାହ ପାଇଁ ଅନ୍ୟତ୍ର ଚାଲାଣ କରୁଥିବା ମଧ୍ୟ ନଜରକୁ ଆସିଛି । ଶ୍ରୀକ୍ଷେତ୍ର ମଧ୍ୟ ଏଥିରୁ ବାଦ ପଡିନାହିଁ । କିଛି ଦିନ ତଳେ ସହରରେ ବାଲ୍ୟବିବାହ ଚାଲିଥିବା ବେଳେ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀଙ୍କ ନେତୃତ୍ୱରେ ଏକ ଟିମ୍ ଚଢାଉ କରି ନାବାଳିକାକୁ ଉଦ୍ଧାର କରିଥିଲା । ତେବେ ତିନିବର୍ଷ ତଳର ରିପୋର୍ଟକୁ ଖେଳାଇଲେ ଜିଲ୍ଲାରେ କିଭଳି ସାଂଘାତିକ ଭାବେ ଚାଲିଛି ବାଲ୍ୟବିବାହ ତାହା ଜଳଜଳ ଦେଖାଯାଉଛି । ତେବେ ୨୦୧୮ରେ ୧୦ଟି ବାଲ୍ୟବିବାହ ମାମଲା ଆସିଥିବା ବେଳେ ୨୦୧୯ରେ ୬ଟି ଓ ୨୦୨୦ରେ ୪ଟି ବାଲ୍ୟବିବାହ ମାମଲା ପଞ୍ଜିକୃତ ହୋଇଛି । ତେଣୁ ଅନେକ କ୍ଷେତ୍ରରେ ଜିଲ୍ଲା ଶିଶୁ ମଙ୍ଗଳ କମିଟି ପକ୍ଷରୁ ମଧ୍ୟ ଶିଶୁ ମାନଙ୍କୁ ଉଦ୍ଧାର କରାଯାଇଥିବା ବେଳେ ସେମାନଙ୍କ ପରିବାର ଲୋକ ଓ ଦଲାଲଙ୍କୁ ମଧ୍ୟ ଦଣ୍ଡ ବିଧାନ କରାଯାଇଛି । ବାଲ୍ୟ ବିବାହକୁ ସମ୍ପୁର୍ଣ୍ଣ ରୋକିବା ପାଇଁ ସଚେତନତା ମଧ୍ୟ କରାଯାଉଛି । ଗାଁ ଗାଁ ଠୁ ଆରମ୍ଭ କରି ପଞ୍ଚାୟତ ସ୍ତରରେ ଏହା ଉପରେ ସଚେତନତା କରାଯାଉଛି," କହିଛନ୍ତି ଜିଲ୍ଲା ଶିଶୁ ମଙ୍ଗଳ କମିଟିର ଅଧ୍ୟକ୍ଷ ୪୫ ବର୍ଷୀୟ ମହାବୀର ରୁଦ୍ର ନାରାୟଣ ସାହୁ ।

"ଜିଲ୍ଲାରେ କ୍ରମାଗତ ଭାବେ ବାଲ୍ୟବିବାହ ସଂଖ୍ୟା ବୃଦ୍ଧି ଏବେ ପ୍ରଶାସନର ଚିନ୍ତା ବଢାଇଛି । ଯାହାକୁ ନେଇ ପ୍ରଶାସନ ଆରମ୍ଭ କରିଛି ବ୍ଲୁପ୍ରୀଣ୍ଟ । ବାଲ୍ୟବିବାହ ଶୁନ୍ୟ ହେବ ପୁରୀ ଜିଲ୍ଲା । ଜିଲ୍ଲା ପ୍ରଶାସନ ପକ୍ଷରୁ ନିଆଯାଉଛି ପଦକ୍ଷେପ । ବାଲ୍ୟବିବାହ ହେଉଥିବା ଅଞ୍ଚଳରେ ସରପଞ୍ଚ, ଗ୍ରାମପଞ୍ଚାୟତ ପ୍ରତିନିଧି ତା ସହିତ ମଠ, ମନ୍ଦିର ଆଦିରେ ଏହାକୁ ରୋକିବା ପାଇଁ ହେଉଛି ସମସ୍ତଙ୍କର ଦାୟିତ୍ୱ । ତେଣୁ ଜିଲ୍ଲାପାଳଙ୍କ ପକ୍ଷରୁ ଜିଲ୍ଲାର ପ୍ରତି ସରପଞ୍ଚ ତଥା ଗ୍ରାମପଞ୍ଚାୟତ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ଅଧ୍ୟକ୍ଷଙ୍କୁ ସହଯୋଗ ପାଇଁ ଚିଠି ଲେଖାଯାଇଛି । ଏହି କୁ ପ୍ରଥାକୁ ବିଲୋପ କରିବା ପାଇଁ ଲୋକଙ୍କୁ ପ୍ରବର୍ତ୍ତାଇବାକୁ ପରାମର୍ଶ ଦିଆଯାଇଛି । କେବଳ ସେତିକି ନୁହେଁ ବିଭିନ୍ନ ମଠ ଓ ମନ୍ଦିରକୁ ମଧ୍ୟ ସହଯୋଗ ପାଇଁ ଅନୁଷ୍ଠାନର ସଚିବଙ୍କୁ ଚିଠି ଦିଆଯାଇଛି । ଯେହେତୁ ମଠମନ୍ଦିର ମାନଙ୍କରେ ଲୁଚାଇ ବାଲ୍ୟବିବାହ ହେବାର ଅନେକ ଅଭିଯୋଗ ଆସିଥାଏ । ତେଣୁ ସେମାନଙ୍କର ସହଯୋଗ ଲୋଡିଛି ପ୍ରଶାସନ । ସେପଟେ ଜିଲ୍ଲା ଶିଶୁ ସୁରକ୍ଷା ବିଭାଗର ସ୍ୱତନ୍ତ୍ର ସ୍କ୍ୱାର୍ଡ ଜିଲ୍ଲା ଉପରେ କଡା ନଜର ରଖିଛନ୍ତି । ଏହା ସହିତ ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ, ଜିଲ୍ଲା ଶିଶୁ ମଙ୍ଗଳ କମିଟି ଓ ଶିଶୁ କଲ୍ୟାଣ ପାଇଁ କାର୍ଯ୍ୟ କରୁଥିବା ଅନୁଷ୍ଠାନର ସଦସ୍ୟମାନେ ପୁରୀ ଜିଲ୍ଲାର ବ୍ରହ୍ମଗିରି, କଣାସ, କୃଷ୍ଣପ୍ରସାଦ, ଅସ୍ତରଙ୍ଗ, କାକଟପୁର, ସତ୍ୟବାଦୀ, ପିପିଲି ଆଦି ଅଞ୍ଚଳ ଯାଇ ସେଠି ମଠ, ମନ୍ଦିରର ସଚିବଙ୍କୁ ଭେଟି ସେମାନଙ୍କୁ ସଚେତନ କରିବା ସହ ପୋଷ୍ଟର ଲଗାଇ ସଚେତନତା କରାଯାଇଛି । ଆଉ ଏହି ଅଭିଯାନ ସବୁ ସମୟରେ କରାଯିବା ସହ ପର୍ଯ୍ୟାୟ କ୍ରମେ ସମୀକ୍ଷା କରାଯାଉଛି," ବୋଲି କହିଛନ୍ତି ଜିଲ୍ଲା ଶିଶୁ ସୁରକ୍ଷା ଅଧିକାରୀ ୪୫ ବର୍ଷୀୟ ମନୋଜ ତ୍ରିପାଠୀ ।
Published by: Jagdish Barik
First published: September 8, 2020, 6:40 PM IST
corona virus btn
corona virus btn
Loading