ପୁରୀ: ପୁରୁଣା ଟିଭିକୁ ନେଇ କୋଟିଏ ଟଙ୍କାର ବେଟିଂ; ଖୋଜା ଚାଲିଛି ୧୯୯୪ ପୂର୍ବର ଟିଭି ଓ ରେଡ଼ିଓ

'ଟିଭିର ମଦରବୋର୍ଡରେ ନାଲି ଭାଲଭର ବଲ୍‌ବ ଭିତରେ ଥିବା ତରଳ ପଦାର୍ଥ ପରମାଣୁ ବୋମା ତିଆରିରେ ବ୍ୟବହାର କରାଯାଉଥିବା କହୁଥିବାବେଳେ ଆଉ କେହି କେହି ସାଟେଲାଇଟ୍‌ ପାଇଁ ବ୍ୟବହାର ହେଉଥିବା କହୁଛନ୍ତି ।'

ପୁରୀ: ପୁରୁଣା ଟିଭିକୁ ନେଇ କୋଟିଏ ଟଙ୍କାର ବେଟିଂ; ଖୋଜା ଚାଲିଛି ୧୯୯୪ ପୂର୍ବର ଟିଭି ଓ ରେଡ଼ିଓ
ପ୍ରତୀକାତ୍ମକ ଛବି
  • News18 Odia
  • Last Updated: September 20, 2020, 5:43 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digita
ପୁରୀ: ଘରେ ପୁରୁଣା ଟିଭି ଅଛି କି? ଯଦି ଅଛି ଟିଭିର ମଦରବୋର୍ଡରେ ନାଲି ଭାଲଭର ବଲ୍‌ବ ଅଛି କି । ଯଦି ଅଛି କେତେ ଟଙ୍କା ନେବ କୁହ।  ତାହା ପୁଣି ଲକ୍ଷାଧିକ ଟଙ୍କା ମୁଲ୍ୟରେ । ଏଭଳି କିଛି ରାକେଟ ଏବେ ପୁରୀରେ ଘୁରି ବୁଲୁଛନ୍ତି ଟିଭି ବା ପୁରୁଣା କାଳର ରେଡ଼ିଓକୁ ନେବାପାଇଁ । ହନୁମାନ ପଇସା ଭଳି ପୁରୀରେ ଏଭଳି ପୁରୁଣା ଟିଭିକୁ ନେଇ ଗୋଲକଧନ୍ଦା ସମସ୍ତଙ୍କୁ ଆଶ୍ଚର୍ଯ୍ୟାନ୍ବିତ କରିଛି । ତେବେ କିଛି ଅଣଓଡିଆ ଲୋକେ ଏଭଳି ବୁଲି ଖୋଜୁଥିବାର ଲୋକେ କହୁଥିବା ବେଳେ କିଛି ପୁରୁଣା ଟିଭି ଦୋକାନୀ ଓ ମେକାନିକଙ୍କ ପାଖରେ ମଧ୍ୟ ଲୋକେ ପହଞ୍ଚି ପଚାରୁଛନ୍ତି । ତେବେ ତା ଭିତରେ ଥିବା ନାଲି ବଲ୍‌ବରେ ଥିବା ଲିକ୍ୟୁଇଡରେ ଏମିତି କଣ ଅଛି ଯେ ଲୋକେ ତାକୁ ୫୦ ଲକ୍ଷରୁ କୋଟିଏ ଟଙ୍କା ପର୍ଯ୍ୟନ୍ତ ଦେବାକୁ ପ୍ରସ୍ତୁତ ହୋଇଯାଉଛନ୍ତି । ତେବେ ବାସ୍ତବିକ ସେଥିରେ କିଛି ଅଛି କି ନାହିଁ ତାର କାରଣ ଏବେବି ରହସ୍ୟ ଘେରରେ ।

"ପୁରୀ ଜିଲ୍ଲାରେ ଏବେ ୫ ମାସ ତଳୁ ଏହି ଚର୍ଚ୍ଚା ଚାଲିଛି । ପୁରୁଣା ଟିଭିକୁ ଲକ୍ଷାଧିକ ଟଙ୍କା ଦେଇ କିଣିବାକୁ ବୁଲୁଛନ୍ତି କିଛି ବ୍ୟକ୍ତି । ବେଶ କିଛିଦିନ ହେବ ପୁରୀ ଜିଲ୍ଲାରେ ଏଭଳି କିଛି ଦୃଶ୍ୟମାନ ହେଉଛି । ଏଭଳି କିଛି ବେଟିଂ ଚାଲିଛି ଏହି ସବୁ ପୁରୁଣା ଟିଭିକୁ ନେଇ । ଯେଉଁଥିପାଇଁ ଗାଁରୁ ସହର ସବୁଠି ଏବେ ପୁରୁଣା ଟିଭି ଖୋଜା ଚାଲିଛି । ଟିଭିର ଏହି ନାଲି ବଲ୍‌ବ ପଛରେ କଣ ରହସ୍ୟ ରହିଛି ତାକୁ ନେଇ ଚର୍ଚ୍ଚା ଜୋର ଧରିଛି । ୧୯୯୪ ମସିହା ପୂର୍ବର ଟିଭିକୁ ଏବେ ଖୋଜିବା ଆରମ୍ଭ କରିଛନ୍ତି ଏହି ଦଲାଲ ମନେ। ସେ ସମୟର ଓନିଡା, କୋଣାର୍କ ଆଦି ଟିଭିକୁ ଲୋକେ ଖୋଜୁଛନ୍ତି । ଦଲାଲ ମାନଙ୍କ କହିବା କଥା ହେଉଛି ଏହି ଟିଭ ର ମଦର ବୋର୍ଡ଼ରେ ଭାଲ୍ଭର ବୋର୍ଡରେ ଏକ ନାଲି ବଲବ (ଫ୍ୟୁଜ ଭଳି) ରହିଛି ଯେଉଁଥିରେ କିଛି ତରଳ ପଦାର୍ଥ ରହିଛି ଯାହା ର ମୂଲ୍ୟ ଅମୂଳ ରହିଛି । ସେମାନଙ୍କର କହିବା କଥାକୁ ନେଇ ଲୋଭରେ ଏସବୁ ଖୋଜିବା ଆରମ୍ଭ କରିଦେଇଛନ୍ତି । ଏହି ବେଟିଂ ପଛରେ ଏକ ରାକେଟ କାମ କରୁଥିବା କୁହାଯାଉଛି । ସେପଟେ ଘଟଣାର କଣ ସତ୍ୟତା ରହିଛି କି ନାହିଁ ଏ ନେଇ କିଛି ଅଣ ଓଡିଆ ଯୁବକ ପୁରୀରେ ବୁଲି ଏସବୁ ଖୋଜୁଥିବା ଦେଖିବାକୁ ମିଳୁଛି," କହିଛନ୍ତି ପେଣ୍ଠକଟାର ୫୦ ବର୍ଷୀୟ ଜଣେ ଔଷଧ ଦୋକାନୀ ବିକ୍ରମ କେଶରୀ ମିଶ୍ର ।

"୧୯୯୪ ପୂର୍ବରୁ ଅର୍ଥାତ ଯେତେବେଳେ କୋଣାର୍କର କଳାଧଳା ଟିଭି ବାହାରିଥିଲା ତା ପରେ ୧୯୭୪ ପରେ ଓନିଡାର ରଙ୍ଗୀନ ଟିଭି ବାହାରିଥିଲା । ତା ସହିତ ସେ ସମୟର ରେଡିଓମାନଙ୍କରେ ଏହିଭଳି ନାଲି ବଲବର ବ୍ୟବହାର ହେଉଥିଲା । ସେତେବେଳେ ମଦରବୋର୍ଡରେ ସର୍କିଟରେ ଏହି ବଲବର ସର୍କିଟକୁ ବ୍ୟବହାର କରାଯାଉଥିଲା । ହେଲେ ଏବେ ତାହା ଆଉ ଆସୁନାହିଁ । ପୁଣି ସେହି ଦଲାଲମାନେ ଏକ ଭିଡିଓ ଧରି ବୁଲୁଛନ୍ତି । ଯେଉଁଥିରେ ନାଲି ବଲବକୁ ରସୁଣ ଲଗାଇଲେ ତାହା ଜଳୁଥିବା ବେଳେ ତମ୍ବା ଲଗାଇଲେ ମଧ୍ୟ ଜଳିବା ଆଦି ଭିଡିଓ ଦେଖାଇ ସେମାନେ ଖୋଜୁଛନ୍ତି, " କହିଛନ୍ତି ପୁରୀ ମାର୍କେଟ ଛକର ଟିଭି ମେକାନିକ୍ ୪୮ ବର୍ଷୀୟ ତୁଷାର ରଞ୍ଜନ ଜେନା ।

ପୁରୀ ଭିଆଇପି ରୋଡରେ ଥିବା ପୁରୁଣା ଓନିଡା ଟିଭି ସୋ ରୁମ ଓ ବର୍ତ୍ତମାନ ଗଡ୍ରେଜ ସୋରୁମର ମାଲିକ ୫୨ ବର୍ଷୀୟ ବିଜୟ ସାହୁଙ୍କ କହିବା ଅନୁସାରେ " କିଛି ଲୋକେ ମୋ ଦୋକାନକୁ ଆସି ପୁରୁଣା ଟିଭି ଉପରେ ପଚାରୁଛନ୍ତି । ଗାଁରୁ ସହର ସମସ୍ତେ ଏହି ଟିଭି ଓ ରେଡିଓକୁ ଖୋଜିବା ଆରମ୍ଭ କରିଛନ୍ତି । ଆଉ ଏହା ପଛରେ ଏକ ଯୁବପିଢି ରାକେଟ କାମ କରୁଛି । ତେବେ ସେମାନେ ଦେଖାଉଥିବା ଭିଡିଓ ଓ ଫଟୋଚିତ୍ରରେ ସେଭଳି ନାଲି ବଲବ ଆଗରୁ ଥିବା ମୁଁ ଦେଖିନାହିଁ । ସେମାନେ କହୁଛନ୍ତି କି ତା ଭିତରେ ଥିବା ନାଲି ତରଳ ପଦାର୍ଥ ପରମାଣୁ ବୋମା ତିଆରି କରିବାରେ ବ୍ୟବହାର କରାଯାଉଥିବା ଶୁଣିବାକୁ ମିଳୁଛି ଓ ଆଉ କେହି କେହିବି କୁହନ୍ତି ସ୍ୟାଟଲାଇଟ ପାଇଁ ବ୍ୟବହାର ହେଉଛି। ତେବେ ହନୁମାନ ପଇସା ଓ ଚାଉଳ ଟାଣୁଥିବା ଶଙ୍ଖ ଏଭଳି ଅନେକ ଗୁଜବ ଆଗରୁ ଶୁଣିଥିବା ବେଳେ ଏବେ ପୁରୁଣା ଟିଭିର ଗୁଜବ ପୁରୀରେ ବେଶ ଚର୍ଚ୍ଚା ହେଉଛି  ।"

ଏହା ବି ପଢ଼ନ୍ତୁ | ସାମ୍ବାଦିକ ରାଜୀବ ଶର୍ମା ଚୀନକୁ ଦେଉଥିଲେ ଭାରତ ବିଷୟରେ ସମ୍ବେଦନଶୀଳ ସୂଚନା!

ଏହା ବି ପଢ଼ନ୍ତୁ | CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

"ପୁରୀରେ ଏଭଳି ପୁରୁଣା ଟିଭି ଖୋଜୁଥିବା କିଛି ଦଲାଲ ବୁଲୁଛନ୍ତି ବୋଲି ଶୁଣିଛି । ହେଲେ କେଉଁଠି କି ସେମାନଙ୍କର ମୋବାଇଲ ନମ୍ବର କଣ ତାହା ମଧ୍ୟ ଲୋକେ ଦେଇପାରୁନାହାନ୍ତି । ଏହା ହେଉଛି ସମ୍ପୁର୍ଣ୍ଣ ଗୁଜବ। ଯଦି କେହି ଏଭଳି ରାକେଟର ସନ୍ଧାନ ପାଆନ୍ତି ତେବେ ପୋଲିସ କିମ୍ବା ନିକଟସ୍ଥ ଥାନାକୁ ଜଣାନ୍ତୁ । ଆଉ ଏହି ଦଲାଲଙ୍କ କଥାରେ ଭରସା କଲେ ଆପଣମାନେ ବିପଦରେ ପଡିବେ । ପୋଲିସ ପକ୍ଷରୁ ପୁରୀ ଜିଲ୍ଲାର ସମସ୍ତ ଥାନାକୁ ଖବର ଦିଆଯାଇଛି," କହିଛନ୍ତି ଅତିରିକ୍ତ ଏସପି ଅରୁଣ କୁମାର ଜେନା ।



ହନୁମାନ ଟଙ୍କା ଭଳି ଗୁଜବ ପରେ ଏହି ନାଲି ବଲବକୁ ନେଇ ସଠିକ ତଥ୍ୟ ମିଳୁନଥିବା ବେଳେ କାହିଁକି ଯୁବ ଗୋଷ୍ଠୀ ଏସବୁ ବେଟିଂ ପଛରେ ଗୋଡଉଛନ୍ତି ବୋଲି କୁହାଯାଉଛି । ଏହାର କୌଣସି ସତ୍ୟାସତ୍ୟ ଜଣାପଡି ନ ଥିବାରୁ ଜିଲ୍ଲା ପ୍ରଶାସନ କିମ୍ବା ପୋଲିସ ପ୍ରଶାସ ଗୁରୁତ୍ୱର ସହ ନେଇ ତଦନ୍ତ କରି ଗୁଜବକାରୀ ବା ଏହି ରାକେଟକୁ ଧରିବାକୁ ଦାବି କରିଛନ୍ତି ସହରବାସୀ ।
Published by: Jagdish Barik
First published: September 20, 2020, 5:43 PM IST
corona virus btn
corona virus btn
Loading