ପୁରୀ: ଅଠରନଳା ପାର୍କର ସୌନ୍ଦର୍ଯ୍ୟକରଣ ହେବ; ତିଆରି ହେବ ଭୁବନେଶ୍ୱର ପରି ସେଲଫି ପଏଣ୍ଟ

ପୁରୀ ପୌରସଂସ୍ଥା ପକ୍ଷରୁ ପାର୍କର ସୌନ୍ଦର୍ଯ୍ୟକରଣ କରି ପର୍ଯ୍ୟଟନ ବିକାଶ ପାଇଁ ପଦକ୍ଷେପ ନେଇଛି । ଏଠାରେ ସେଲଫି ପଏଣ୍ଟ କରି ପୁରୀ ପ୍ରବେଶ ଦ୍ୱାରରେ ହିଁ ଯାତ୍ରୀ ମାନଙ୍କୁ ସ୍ୱାଗତ କରିବାକୁ ଯୋଜନା ହୋଇଛି ।

ପୁରୀ: ଅଠରନଳା ପାର୍କର ସୌନ୍ଦର୍ଯ୍ୟକରଣ ହେବ; ତିଆରି ହେବ ଭୁବନେଶ୍ୱର ପରି ସେଲଫି ପଏଣ୍ଟ
ଅଠରନଳା ପାର୍କର ସୌନ୍ଦର୍ଯ୍ୟକରଣ ହେବ
  • News18 Odia
  • Last Updated: September 2, 2020, 7:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ଭୁବନେଶ୍ୱର ଆଇଜି ପାର୍କ ଆଗରେ ଲଗାଯାଇଥିବା 'ଆଇ ଲଭ ଭୁବନେଶ୍ୱର' ଲାଇଟ ବୋର୍ଡ଼ ପରି ପୁରୀରେ 'ଆଇ ଲଭ ପୁରୀ' ଲାଇଟ ବୋର୍ଡ଼ ଲଗାଯିବ । ପୁରୀକୁ ଆସୁଥିବା ପର୍ଯ୍ୟଟକ ଓ ଯାତ୍ରୀଙ୍କ ନିମନ୍ତେ ଏହା ଆକର୍ଷଣ ସାଜିବ ପୁରୀ ପୌରସଂସ୍ଥା ତରଫରୁ କୁହା ଯାଇଛି। ଦୀର୍ଘଦିନ ହେବ ଅଠରନଳାର ପାର୍କଟି ଅବ୍ୟବସ୍ଥାରେ ପଡ଼ିରହିବା ପରେ ନିକଟରେ ଷ୍ଟେନଲେସ ଷ୍ଟିଲ ଗ୍ରୀଲ ଓ ବାଡ଼ କରାଯାଇଛି । ଜଳୁ ନଥିବା ଲାଇଟଗୁଡିକ ସଜଡା ଯାଇଛି । ସେହିଠାରେ ଆଇ ଲଭ ପୁରୀର ଲାଇଟ ବୋର୍ଡ଼ ଲଗାଯିବାକୁ ଲକ୍ଷ୍ୟ ରହିଛି ।

"ନବକଳେବର ପାଣ୍ଠି ଓ ଆଇକନିକ ସିଟି ଯୋଜନା ପାଣ୍ଠିରୁ ଲକ୍ଷାଧିକ ଟଙ୍କା ଖର୍ଚ୍ଚ କରାଯାଇ ପୁରୀର ପ୍ରବେଶ ପଥ ଅଠରନଳାରେ ପୌରସଂସ୍ଥା ପକ୍ଷରୁ ନିର୍ମାଣ କରାଯାଇଥିଲା ଭୂଦୃଶ୍ୟ ପାର୍କ । ଏହାର ଉଦ୍ଦେଶ୍ୟ ଥିଲା ମୂଷା ନଇ କୁଳକୁ ଲାଗି ଠିକ୍ ଅଠରନଳା ତଳେ ପାର୍କ କରାଗଲେ ଏହା ଯାତ୍ରୀଙ୍କୁ ଆକର୍ଷଣ କରିବ। ହେଲେ ବର୍ଷ ତମାମ ମୂଷା ନଇର ପାଣି ନର୍ଦ୍ଦମା ଓ ସ୍ୱେରେଜ ପାଣି ଗନ୍ଧରେ ଫାଟୁଥିବା ଯୋଗୁଁ ଏହି ପାର୍କକୁ ଲୋକେ ଆସିବାକୁ ନାପସନ୍ଦ କରି ଆସୁଛନ୍ତି । ପୁଣି ସମ୍ପୁର୍ଣ୍ଣ ମୂଷା ନଇ ଦଳରେ ପୁରି ରହିଛି । ସେପଟେ ପାର୍କର ବି ଯତ୍ନ ନିଆଯାଉନାହିଁ । ଏକ ୪୦ ଫୁଟର ଗରୁଡ଼ ମୂର୍ତ୍ତି ସ୍ଥାପନ ହୋଇ ଆଜକୁ ତିନି ବର୍ଷ ହେଲେଣୀ ହେଲେ ତାର ଭବିଷ୍ୟତ ସେଠି କଣ ହେବ ତାହା ବି ସନ୍ଦେହ ଘେରରେ," କହିଛନ୍ତି ସମାଜସେବୀ ୩୫ ବର୍ଷୀୟ ବିଶ୍ୱନାଥ ଦାଶ ।

"ମୂଷା ନଇର ସୌନ୍ଦର୍ଯ୍ୟକରଣ ପାଇଁ ୨୦୧୮ ମସିହାରୁ ମୁଖ୍ୟମନ୍ତ୍ରୀଙ୍କ ମାନସ ପ୍ରକଳ୍ପ କାର୍ଯ୍ୟ ଆରମ୍ଭ ହୋଇଥିବା ବେଳେ ଦୁଇ ବର୍ଷ ଅବଧି ସରିଲାଣି ହେଲେ କାର୍ଯ୍ୟ ସରୁନି । ସେପଟେ ସ୍ୱେରେଜ ପ୍ରକଳ୍ପ ନଦୀର ଧାରରେ ଯାଇ ନଦୀକୁ ସଙ୍କୁଚିତ କରିସାରିଲେଣୀ । ରାଜ୍ୟ ସରକାର ମୂଷା ନଇ ପୁନରୁଦ୍ଧାର ଓ ଅଠରନଳାର ଉନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ମଞ୍ଜୁର କରିଚାଲିଥିବା ବେଳେ ଏହାର ପ୍ରଭାବ ପରିଲକ୍ଷିତ ହୋଇପାରିଲା ନାହିଁ । ନବକଳେବର ବେଳେ ଅଠରନଳା ଓ ପାର୍କର ଉନ୍ନତିକରଣ ନିମନ୍ତେ କୋଟି କୋଟି ଟଙ୍କା ଖର୍ଚ୍ଚ କରାଯାଇ ଫୁଟଫାଥ, ଗ୍ରୀନ୍ ଜୋନ୍, ବୋଟିଂ ପଏଣ୍ଟ ପ୍ରଭୃତି କରିବାକୁ ପଦକ୍ଷେପ ନିଆଯାଇଥିଲା । ସରକାରୀ ପାଣ୍ଠି ଖର୍ଚ୍ଚରେ ଅନିୟମିତତା କରାଗଲା। ହେଲେ ପ୍ରକଳ୍ପ ସଫଳ ହୋଇପାରିଲା ନାହିଁ । କୋଟି କୋଟି ଟଙ୍କା ଖର୍ଚ୍ଚ ସତ୍ୱେ ଗୋଟିଏ ଦିନବି ପର୍ଯ୍ୟଟକ ଏଠାରେ ଚିତ୍ତବିନୋଦନର ସୁଯୋଗ ପାଇପାରିଲେ ନାହିଁ," କହିଛନ୍ତି ଅଠରନଳା ଅନ୍ତର୍ଗତ ପୁରୀ ସଦର ବ୍ଲକ ଗୋପିନାଥପୁର ପଞ୍ଚାୟତର ସରପଞ୍ଚ ରାଜକିଶୋର ରାଉତ୍।

ପୁରୀ ପୌରସଂସ୍ଥା ନିର୍ବାହୀ ଅଧିକାରୀ ଏ ନେଇ ଗୁରୁତ୍ୱାରୋପ କରିବା ସହ କହିଛନ୍ତି "ପୌରସଂସ୍ଥା ପକ୍ଷରୁ ପାର୍କର ସୌନ୍ଦର୍ଯ୍ୟକରଣ କରି ପର୍ଯ୍ୟଟନ ବିକାଶ ପାଇଁ ପଦକ୍ଷେପ ନେଇଛି । ଏଠାରେ ସେଲଫି ପଏଣ୍ଟ କରି ପୁରୀ ପ୍ରବେଶ ଦ୍ୱାର ହିଁ ଯାତ୍ରୀଙ୍କ ସ୍ୱାଗତ କରିବାକୁ ଯୋଜନା ହୋଇଛି । ରାଜ୍ୟ ସରକାରଙ୍କ ଅବଢ଼ା ଯୋଜନା ଅନ୍ତର୍ଗତ ଅଠରନଳାର ବିକାଶ କରିବା ପାଇଁ ଅର୍ଥ ମଧ୍ୟ ମିଳିସାରିଛି । ଏ ସବୁକୁ ଦୃଷ୍ଟିରେ ରଖି ଏକ ବୈଠକରେ ଆଲୋଚନା ହୋଇଛି । ଆଉ ନିଷ୍ପତି ଅନୁସାରେ ଭୁବନେଶ୍ୱରରେ 'ଆଇ ଲଭ ଭୁବନେଶ୍ୱର' ଭଳି ପୁରୀରେ 'ଆଇ ଲଭ ପୁରୀ' ଲେଖାଥିବା ଲାଇଟ ବୋର୍ଡ଼ ସହ ସେହି ଯାଗାରେ ସେଲଫି ପଏଣ୍ଟ ରହିବ । ଯେଭଳି ପର୍ଯ୍ୟଟକ ସେଲଫି ନେଲେ ଅଠରନଳା, ଶ୍ରୀମନ୍ଦିରକୁ ଏକ ସଙ୍ଗେ ଫଟୋ ତୋଳିପାରିବ।

ପୁରୀକୁ ବିଶ୍ୱ ଐତିହ୍ୟସହର କରାଯିବାକୁ ନେଇ କାର୍ଯ୍ୟ ଚାଲିଥିବା ବେଳେ ବେଳାଭୂମିରେ ବ୍ଲୁ ଫ୍ଲାଗ ବିଚ ମଧ୍ୟ କରାଯାଉଛି । ଏହା ଭିତରେ ସେଲଫି ପଏଣ୍ଟ ପ୍ରକଳ୍ପ ବାସ୍ତବ ରୂପ ନେଲେ ନିହାତି ଏଠାରେ ପର୍ଯ୍ୟଟକଙ୍କ ବେଶ ଭିଡ ହେବ ବୋଲି ସାଧାରଣ ଲୋକ ମତ ଦେଇଛନ୍ତି ।
Published by: Jagdish Barik
First published: September 2, 2020, 7:39 PM IST
corona virus btn
corona virus btn
Loading