ପୁରୀ: ଅନଲକ୍ ୪ ନିୟମାବଳୀକୁ ଅନୁସରଣ କରି ଖୋଲିଲା ସମସ୍ତ ହୋଟେଲ ଓ ରେସ୍ତୋରାଁ

ସରକାରଙ୍କ ଅନଲକ-୪ର ନିୟମାବଳୀ ଆସିବା ବେଳେ ପୁଣି ଅଣ୍ଟାଭିଡି ଠିଆ ହୋଇଛି ହୋଟେଲ ଶିଳ୍ପ । ଖୋଲିଛି ହୋଟେଲ ଗୁଡିକରେ ଅଲନାଇନ ଓ ଅଫ ଲାଇନ ବୁକିଂ। ୱିଣ୍ଟର ସିଜିନକୁ ଆଖି ଆଗରେ ରଖି ହୋଟେଲ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ୟାକେଜ ।

ପୁରୀ: ଅନଲକ୍ ୪ ନିୟମାବଳୀକୁ ଅନୁସରଣ କରି ଖୋଲିଲା ସମସ୍ତ ହୋଟେଲ ଓ ରେସ୍ତୋରାଁ
ଶ୍ରୀମନ୍ଦିର
  • News18 Odia
  • Last Updated: September 6, 2020, 5:12 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: ସେପ୍ଟେମ୍ବର ୨ ତାରିଖ ଠାରୁ ରାଜ୍ୟରେ ସମସ୍ତ ହୋଟେଲ ଓ ରେସ୍ତୋରାଁ ଖୋଲିସାରିଛି । କିନ୍ତୁ ସେହି ଅନୁସାରେ ପୁରୀରେ ପର୍ଯ୍ୟଟକଙ୍କ ଆଗମନ ଦେଖିବାକୁ ମିଳିନାହିଁ । ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀରେ କିଛି ହୋଟେଲରେ ଘରୋଇ ପର୍ଯ୍ୟଟକ ଆସି ରହିବା ମଧ୍ୟ ଆରମ୍ଭ କରିଛି । ସମ୍ପୁର୍ଣ୍ଣ ଅନଲକ-୪ର ଗାଇଡଲାଇନ୍ସ ସହ କୋଭିଡର ଏସଓପିକୁ ଅନୁପାଳନ କରି ସହରର ୩୫ରୁ ଉର୍ଦ୍ଧ୍ୱ ହୋଟେଲ ଓ ରେସ୍ତୋରାଁ ଖୋଲି ସରିଛି । ପୂର୍ବ ବର୍ଷ ଫନିର ତାଣ୍ଡବରେ ଧରାଶାୟୀ ହୋଇଥିବା ହୋଟେଲ ଶିଳ୍ପ ତା ପରେ ଟିକିଏ ସଜାଡି ହୋଇ ଆସିଲା ବେଳକୁ କରୋନା ଯୋଗୁଁ ମାର୍ଚ୍ଚର ମାସରୁ ୬ ମାସ ହେବ ପ୍ରଭାବିତ ହୋଇଛି ହୋଟେଲ ଗୁଡିକର ଅର୍ଥନୈତିକ ଅବସ୍ଥା । ଆଗକୁ ୱିଣ୍ଟର ସିଜିନ ଓ ପୁଜା ଫେଷ୍ଟିଭାଲ ରହିଥିବାରୁ ଘରୋଇ ପର୍ଯ୍ୟଟକଙ୍କ ସଂଖ୍ୟା ବୃଦ୍ଧି ପାଇବ ବୋଲି ଆଶା କରାଯାଉଛି । ଶ୍ରୀମନ୍ଦିର ଖୋଲିଲେ ପୁଣି ପର୍ଯ୍ୟଟନ ଶିଳ୍ପ ସ୍ୱାଭାବିକ ହୋଇପାରିବ ବୋଲି ବିଶେଷଜ୍ଞ ମାନେ କହୁଛନ୍ତି ।

“ପ୍ରଥମେ ଫନି ତା' ପରେ କରୋନା ମାଡରେ ବିପର୍ଯ୍ୟସ୍ତ ଆନ୍ତର୍ଜାତୀୟ ପର୍ଯ୍ୟଟନ କ୍ଷେତ୍ର ପୁରୀର ଅବସ୍ଥା । ଶହ ଶହ ହୋଟେଲ ଦୀର୍ଘ ୬ ମାସ ହେବ ସ୍ଥାଣି ପାଲଟିଯାଇଥିଲା । ହେଲେ ଅନଲକ-୪ର ନିୟମାବଳୀ ଆସିଲା ପରେ ଏବେ ସ୍ୱାଭାବିକ ହୋଇଛି ପୁରୀର ହୋଟେଲଶିଳ୍ପ । ୩୦ ପ୍ରତିଶତ କର୍ମଚାରୀଙ୍କୁ ନେଇ ହୋଟେଲ ଚାଲୁଥିବା ବେଳେ ହୋଟେଲର ଅକୁପାନ୍ସିର ୩୦ ପ୍ରତିଶତ ଅନୁସାରେ ପର୍ଯ୍ୟଟକଙ୍କୁ ରଖାଯାଇଛି । ସେପଟେ କେନ୍ଦ୍ର ସରକାର ଅନଲକ-୪ରେ ହୋଟେଲ ୫୦ ପ୍ରତିଶତ ଅକୁପାନ୍ସି ନିୟମ ରଖିଥିବା ବେଲେ ରାଜ୍ୟ ସରକାର ଏହାକୁ ଲାଗୁ କରିନାହାନ୍ତି । ତେବେ ଯଦି ରାଜ୍ୟ ସରକାର ଅନୁମତି ଦିଅନ୍ତି ତାହେଲେ ଏହି ପର୍ଯ୍ୟଟନ ରୁତୁରେ ଭଲ ବ୍ୟବସାୟ ହୋଇପାରିବ,” କହିଛନ୍ତି ପୁରୀ ହୋଟେଲ ମାଲିକ ସଙ୍ଘର ସମ୍ପାଦକ ତଥା ହୋଟେଲିଅର୍ସ ୬୨ ବର୍ଷୀୟ ରାଜକିଶୋର ପାତ୍ର ।

ପୁରୀରେ ସମସ୍ତ ହୋଟେଲ ଓ ରେସ୍ତୋରାଁ ଖୋଲିସାରିଛି


“ଫନିରେ ଉଜୁଡି ଯାଇଥିବା ହେଟେଲ ଶିଳ୍ପ ଟିକେ ସଜାଡି ହୋଇ ଆସିଲା ବେଳକୁ ପୁଣି କରୋନା ମାଡ଼ । ଧରାଶାୟୀ ହୋଇପଡିଛି ହୋଟେଲ ଶିଳ୍ପ । ଏବେ ସରକାରଙ୍କ ଅନଲକ-୪ର ନିୟମାବଳୀ ଆସିବା ବେଳେ ପୁଣି ଅଣ୍ଟାଭିଡି ଠିଆ ହୋଇଛି ହୋଟେଲ ଶିଳ୍ପ । ଖୋଲିଛି ହୋଟେଲ ଗୁଡିକରେ ଅଲନାଇନ ଓ ଅଫ ଲାଇନ ବୁକିଂ। ୱିଣ୍ଟର ସିଜିନକୁ ଆଖି ଆଗରେ ରଖି ହୋଟେଲ ପକ୍ଷରୁ କରାଯାଇଛି ସ୍ୱତନ୍ତ୍ର ପ୍ୟାକେଜ। ସେପ୍ଟେମ୍ବର ୨ରୁ ହୋଟେଲ ଗୁଡିକରେ ପର୍ଯ୍ୟଟକଙ୍କ ଆସିବା ଆରମ୍ଭ ହେଲାଣୀ । ସବୁ ରୁମକୁ ସାନିଟଇଜେସନ କରାଯାଇଥିବା ହୋଟେଲର ପ୍ରବେଶ ଠାରୁ ରୁମର ରହିବା ଓ ରେସ୍ତୋରାଁରେ ଖାଇବା ପର୍ଯ୍ୟନ୍ତ ସବୁଠି ପାଳନ କରାଯାଉଛି କୋଭିଡ ଏସଓପି । ପୁଣି ପର୍ଯ୍ୟଟକ ବି ସଚେତନ ହୋଇ ହୋଟେଲର ନିୟମକାନୁନ ଓ ସରକାରୀ ସଚେତନତାକୁ ଅବଲମ୍ବନ କରି ହୋଟେଲକୁ ଆସୁଛନ୍ତି । ସରକାରଙ୍କ ଅନଲକ-୪ ରେ ହୋଟେଲ ବୁକିଂ ଉପରୁ କଟକଣା ହଟିବା ପରେ ଖୋଲିଛି ହୋଟେଲରେ ଅଲନାଇନ ଓ ଅଫ ଲାଇନ ବୁକିଂ। ଚଳିତ ବର୍ଷ ସିଜିନରେ କ୍ଷତି ବହୁତ ହୋଇଥିବା ବେଳେ ଏବେ ଶୀତଦିନିଆ ପର୍ଯ୍ୟଟକଙ୍କ ଆଗମନକୁ ଅପେକ୍ଷା କରାଯାଇଛି । ତେବେ କୋଭିଡ ପରେ ଏବର୍ଷ ବ୍ୟବସାୟରେ ସୁଧାର ଆସିବ । ତେବେ ଶ୍ରୀମନ୍ଦିର ନ ଖୋଲିବା ପର୍ଯ୍ୟନ୍ତ ହୋଟେଲ ଚାଲିବା ସମ୍ଭବ ନୁହେଁ,” କହିଛନ୍ତି ଫରେନ୍ ଟୁର ଅପରେଟର ୫୫ ବର୍ଷୀୟ ଯୁଗବ୍ରତ କର ।

“ଦୀର୍ଘ ଦିନ ପରେ ଟିକିଏ କଟକଣା କୋହଳ ହେବାରୁ ଆମେ କଟକରୁ କାର ଯୋଗେ ପରିବାର ପୁରୀ ଆସିଥିଲୁ । ହେଲେ ଶ୍ରୀମନ୍ଦିର ନ ଖୋଲିଲେ ପୁରୀରେ ପର୍ଯ୍ୟଟକଙ୍କ ସଂଖ୍ୟା ବଢ଼ି ପାରିବ ନାହିଁ । ଏତେଦିନ ଧରି ଘରେ ସରକାରଙ୍କ ନିୟମକାନୁନ ଅନୁପାଳନ କରିବା ପରେ ଏବେ ଅନଲକ-୪ ପରେ ସ୍ୱାଭାବିକ ହେଲଣୀ ଜନଜୀବନ । ପର୍ଯ୍ୟଟକମାନେ ବି ଘରୁ ବାହାରି ବୁଲିବା ଆରମ୍ଭ କଲେଣୀ । ପୁରୀରେ ୩୫୦ ଟି ହୋଟେଲ ରହିଥିବା ବେଳେ ଏବେ ଧୀରେ ଧୀରେ ପର୍ଯ୍ୟଟକଙ୍କ ଆଗମନ ଦେଖିବାକୁ ମିଳିଛି । ହୋଟେଲରେ ରହିବା ଓ ରେସ୍ତୋରାଁରେ ଖାଇବାରେ କୋଭିଡି ଗାଇଡଲାଇନ୍ସ ଅନୁପାଳନ ହେଉଥିବା ବେଳେ କର୍ମଚାରୀମାନେ ବି ବେଶ ସଚେତନ ରହିଛନ୍ତି । ତେଣୁ ପୁରୀ ସହରକୁ ସ୍ୱାଭାବିକ ହେଲେ ପର୍ଯ୍ୟଟକମାନେ ଶ୍ରୀମନ୍ଦିରରେ ଦର୍ଶନ କରିବା ସହ ବେଳାଭୂମିରେ ବୁଲିବା ସହ କୋଣାର୍କ ପରିଦର୍ଶନ କରି ଖୁସିରେ ଫେରିପାରିବେ,” କହିଛନ୍ତି କଟକରୁ ଆସିଥିବା ପର୍ଯ୍ୟଟକ ୩୨ ବର୍ଷୀୟ ସନ୍ତୋଷିନୀ ଗୁପ୍ତା ।

“ପୁରୀର ପ୍ରବେଶ ପଥରେ କଟକଣା ମୁକ୍ତ କରାଯାଇଥିବା ବେଳେ ସରକାରଙ୍କ ନିୟମ ଅନୁପାଳନ କରି ହୋଟେଲ ପରିଚାଳନା ନେଇ କୌଣସି ସମସ୍ୟା ନାହିଁ । କୋଣାର୍କ ଓ ବେଳାଭୂମି ଖୋଲା ରହିଥିବାରୁ ପର୍ଯ୍ୟଟକଙ୍କ ଆଗମନ ହେବ । ତା ସହିତ ଆଗାମୀ ୱିଣ୍ଟର ସିଜିନରେ ପର୍ଯ୍ୟଟକଙ୍କ ପାଇଁ ଶ୍ରୀମନ୍ଦିର ସମ୍ମୁଖରେ ସୌନ୍ଦର୍ଯ୍ୟକରଣ, ବ୍ଲୁ ଫ୍ଲାଗ ବିଚ୍ ର ଲୋକାର୍ପଣ ହୋଇସାରିଥିବ । ତେଣୁ ଘରୋଇ ତଥା ବିଦେଶୀ ପର୍ଯ୍ୟଟକଙ୍କୁ ଏସବୁ ଆକୃଷ୍ଠ କରିପାରିବ । ମାତ୍ର ସବୁକିଛି ଅନଲକ୍-୪ ଗାଇଡଲାଇନ୍ସକୁ ଅନୁପାଳନ କରି କରାଯିବ,” କହିଛନ୍ତି ପୁରୀ ଜିଲ୍ଲାପାଳ ବଲୱନ୍ତ ସିଂ ।

“ହୋଟେଲ, ରେସ୍ତୋରାଁ ଖୋଲିବା ପାଇଁ କେନ୍ଦ୍ର ସରକାରଙ୍କ ଅନୁମତି ମିଳିବା ପରେ ଏବେ ହୋଟେଲ କର୍ମଚାରୀ ଓ ହୋଟେଲ ବ୍ୟବସାୟରେ ସମ୍ପୃକ୍ତ ଷ୍ଟେକ ହୋଲ୍ଡରମାନଙ୍କର ମଧ୍ୟରେ ଖୁସିର ମାହୋଲ । ତା ସହିତ କିଭଳି ଅନଲକ୍-୪ର ଗାଇଡଲାଇନ୍ସକୁ ଅନୁପାଳନ କରି ହୋଟେଲ ପରିଚାଳନା ସବୁଠୁ ବଡ଼ ଚ୍ୟାଲେଞ୍ଜ । ତେଣୁ ଏ ନେଇ ହୋଟେଲିଅର୍ସ, ଟୁର ଅପରେଟର, ଟ୍ରାଭେଲର୍ସ ସହିତ ଗାଇଡ଼ ଓ ଡ୍ରାଇଭରମାନଙ୍କୁ ଆମେ କୋଭିଡ୍ ମ୍ୟାନେଜମେଣ୍ଟ ଟ୍ରେନିଂ ଦେଉଛୁ । ସେଥିରେ ସେମାନଙ୍କୁ ସେମାନଙ୍କର ସ୍ୱାସ୍ଥ୍ୟ ସଚେତନତା ସହ ସମାଜିକ ଦୁରତ୍ୱ ଓ ମାସ୍କ ପରିଧାନ ଏବଂ କିଭଳି ଭାବେ ପର୍ଯ୍ୟଟକଙ୍କୁ ସଚେତନ କରିବା ସେ ନେଇ ପ୍ରଶିକ୍ଷଣ ଦିଆଯାଇଛି । ତା ସହିତ ପର୍ଯ୍ୟଟକଙ୍କୁ ଥର୍ମାଲ ସ୍କ୍ରିନିଂ, ସାନିଟାଇଜେସନ, ମାସ୍କ ପରିଧାନ ଆଦି ଉପରେ ଗୁରୁତ୍ୱ ଦିବାକୁ ପରାମର୍ଶ ଦିଆଯାଉଛି । ତା ସହିତ ପ୍ରତିଟି ହୋଟେଲ ଓ ରେସ୍ତୋରାଁ ଜଣେ ଲେଖାଏଁ କୋଭିଡ ମ୍ୟାନେଜର ରଖିବା ସହ ସେ ସମସ୍ତ କୋଭିଡ଼ ଗାଇଡଲାଇନ୍ସ କିଭଳି ଅନୁପାଳନ ହେବ ତାହା ଦାୟିତ୍ୱ ରହିବ । ତା ସହିତ ଆମ ସଂସ୍ଥା ପକ୍ଷରୁ ଡ. ଅଂଶୁମାନ କର ଏ ନେଇ ପ୍ରଶିକ୍ଷଣ ଶିବିରରେ ସ୍ୱାସ୍ଥ୍ୟ ଉପରେ ପରାମର୍ଶ ଦେଉଛନ୍ତି । ଆଉ ଏହି ପ୍ରଶିକ୍ଷଣ ଶିବିର ପ୍ରତିଟି ସପ୍ତାହରେ କରାଯାଉଛି,” କହିଛନ୍ତି ଓଡିଶା ଇକୋଟୁରିଜିମ ଫାଉଣ୍ଡେସନ ଓ ହେରିଟେଜ ଟୁର ସଂସ୍ଥାର ଆବାହକ ୪୨ ବର୍ଷୀୟ ସୁଖଜୀତ୍ ସିଦ୍ଧୁ ।
Published by: Jagdish Barik
First published: September 6, 2020, 5:12 PM IST
corona virus btn
corona virus btn
Loading