ଭଙ୍ଗା ଗଜଦାନ୍ତ ରତ୍ନ ପଲଙ୍କରେ ଶୋଉଛନ୍ତି ମହାପ୍ରଭୁ; ଗଭୀର ନିଦ୍ରାରେ ପ୍ରଶାସନ

ଭଙ୍ଗା ପଲଙ୍କକୁ ମରାମତି କରି କେତେଦିନ ଆଉ ଚଳାଇବୁ । କେହି ଜଣେ ଦାତା ନୂଆ ପଲଙ୍କ ଦାନ କଲେ ଆଉ ଏକ ସେଟ କରି ରଖାଯାନ୍ତା ।

ଭଙ୍ଗା ଗଜଦାନ୍ତ ରତ୍ନ ପଲଙ୍କରେ ଶୋଉଛନ୍ତି ମହାପ୍ରଭୁ; ଗଭୀର ନିଦ୍ରାରେ ପ୍ରଶାସନ

ଭଙ୍ଗା ଗଜଦାନ୍ତ ରତ୍ନ ପଲଙ୍କରେ ଶୋଉଛନ୍ତି ମହାପ୍ରଭୁ; ଗଭୀର ନିଦ୍ରାରେ ପ୍ରଶାସନ

  • News18 Odia
  • Last Updated :
  • Puri, India
  • Share this:
News 18 Odia Digital

ପୁରୀ; ବିଶ୍ୱର ଆରାଧ୍ୟ ଦେବତା ମହାପ୍ରଭୁ (Lord jaganath )। ଅମାପ ଧନ ସମ୍ପତିର ମାଲିକ ଶ୍ରୀଜିଉ ଶୋଉଛନ୍ତି ଭଙ୍ଗା ପଲଙ୍କରେ । ପୁରୁଣା ହେଲାଣି ମହାପ୍ରଭୁଙ୍କ ଗଜଦାନ୍ତ ରତ୍ନ ପଲଙ୍କ। ଯେଉଁଥିପାଇଁ ଏହି ପଲଙ୍କ ଅନେକ ସ୍ଥାନରୁ ଭାଙ୍ଗିଗଲାଣି। ପଲଙ୍କ ଗୋଡ଼ ସହ ଅନ୍ୟାନ୍ୟ ସ୍ଥାନ ସବୁ ଭାଙ୍ଗି ଦୋହଲିଲାଣି। ଦୀର୍ଘ ଦିନର ଗଜଦାନ୍ତ ବି ସରି ଆସିଲାଣି। ଲାଗିଥିବା ରୁପା ବି ଛାଡ଼ିଗଲାଣି। ବହୁଦିନରୁ ଏହାର ମରାମତି ଦାବି ହୋଇ ଆସୁଥିଲେ ବି ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଆବଶ୍ୟକ ପଦକ୍ଷେପ ନିଆଯାଉ ନଥିବାରୁ ଦୈନିକ ଏହି ଭଙ୍ଗା ପଲଙ୍କରେ ମହାପ୍ରଭୁ ଶୋଉଛନ୍ତି। ଆଉ ଏହି ଭଙ୍ଗା ପଲଙ୍କରେ ସବୁ ନୀତିକାନ୍ତି ହେଉଛି। ସେପଟେ ଯେଉଁ ଶେଯ ପଡ଼ିଛି, ତାହା ପୁରୁଣା ହୋଇଗଲାଣି ବୋଲି ଅଭିଯୋଗ ହୋଇଛି। ନିକଟ ଅତୀତରେ ଶ୍ରୀମନ୍ଦିରର ବିଭିନ୍ନ ଦ୍ୱାର ରୂପା ଚାଦରରେ ଆଚ୍ଛାଦିତ କରାଯାଇଥିବାବେଳେ ମହାପ୍ରଭୁଙ୍କ ଏହି ଭଙ୍ଗା ଗଜଦାନ୍ତ ପଲଙ୍କର ମରାମତି ସହ ନୂଆ ଶେଯ, ତକିଆ ଆଦି ବ୍ୟବସ୍ଥା କରିବାକୁ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ, ସେବାୟତମାନେ ଦାବି କରିଛନ୍ତି।



ମାନବଦେହି ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ସହ ବଡ଼ଠାକୁର ଶ୍ରୀବଳଭଦ୍ର ଓ ଦେବୀ ସୁଭଦ୍ରା ପ୍ରତିଦିନ ରାତିରେ ଶୟନ ଯାଇଥାନ୍ତି । ଏଥିପାଇଁ ଶ୍ରୀମନ୍ଦିର ଭିତର କାଠ ଡାହାଣପାର୍ଶ୍ୱ ଭଣ୍ଡାର ଘର ସମ୍ମୁଖରେ ଶ୍ରୀଜୀଉଙ୍କ ଶୟନ କକ୍ଷ ରହିଛି। ଏହିଠାରେ ଶ୍ରୀଜୀଉଙ୍କ ଗଜଦାନ୍ତ ପଲଙ୍କ ପଡ଼ିଛି। ଏହା ଉପରେ ଶେଯ, ମାଣ୍ଡି ଆଦି ଶୟନ ପାଇଁ ରହିଛି। ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ସେବାୟତ ପ୍ରତିନିଧି ଜଗନ୍ନାଥ କର କହିଛନ୍ତି, ମହାପ୍ରଭୁ ବଡ଼ସିଂହାର ବେଶ ଓ ବଡ଼ସିଂହାର ଭୋଗ ସରିବା ପରେ ଶୟନ ନୀତି ଅନୁଷ୍ଠିତ ହୋଇଥାଏ। ଭଣ୍ଡାର ଘରଠାରେ ନିଦ୍ରା ଦେବୀ ଥାନ୍ତି। ବଡ଼ ଆଡ଼ର ପାଳିଆ ପୁଷ୍ପାଳକ ନିଦ୍ରା ଦେବୀଙ୍କୁ ରତ୍ନ ସିଂହାସନକୁ ବିଜେ କରାଇଥାନ୍ତି। ରତ୍ନ ସିଂହାସନ ଉପରେ ମହାପ୍ରଭୁଙ୍କ ଆଳତି ହୁଏ। ତିନିବାଡ଼ରେ ତିନୋଟି ଆଳତି କରାଯାଇଥାଏ। ଆଳତି ସରିବା ପରେ ନିଦ୍ରାଦେବୀ ଜୟ-ବିଜୟ ଦ୍ବାର ଉପରେ ବିଜେ କରିଥାନ୍ତି। ଜୟ-ବିଜୟ ଦ୍ବାର ପାଖରେ ଆଳତି, ବନ୍ଦାପନା ପରେ ନିଦ୍ରାଦେବୀ ଏକମୁହାଁ ହୋଇ ମହାପ୍ରଭୁଙ୍କ ପାଖକୁ ଯାଇଥାନ୍ତି। ମହାପ୍ରଭୁଙ୍କ ପଲଙ୍କରେ ବିଜେ କରିଥାନ୍ତି। ପରେ ମହାପ୍ରଭୁଙ୍କ ଶୟନ ନୀତି ହୋଇଥାଏ। ଶୟନ ନୀତି ପରେ ପହୁଡ଼ ସହ ଦ୍ୱାର ପଡ଼େ। ଶ୍ରୀଜୀଉଙ୍କ ପାଇଁ ତିନୋଟି ପଲଙ୍କ ରହିଛି। ବଡ଼ଠାକୁର ବଳଭଦ୍ରଙ୍କ ଗୋଟିଏ, ମହାପ୍ରଭୁ ଶ୍ରୀଜଗନ୍ନାଥଙ୍କ ପାଇଁ ଗୋଟିଏ ଓ ଦେବୀ ସୁଭଦ୍ରାଙ୍କ ଗୋଟିଏ ପଲଙ୍କ ରହିଛି। ଶ୍ରୀମନ୍ଦିରରେ ଯାହା ବି ନୀତିକାନ୍ତି ହୁଏ, ସବୁ ମହାପ୍ରଭୁଙ୍କ ଆଜ୍ଞାରେ ହିଁ ହୁଏ। ତେବେ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ଯ ତଥା ପୁଷ୍ପାଳକ ନିଯୋଗ ସମ୍ପାଦକ ଜଗନ୍ନାଥ କରି ବି ଭଙ୍ଗା ପଲଙ୍କ, ପୁରୁଣା ଶେଯ ସମ୍ପର୍କରେ ନିଶ୍ଚିତପକ୍ଷେ ଆମେ ଅବଗତ ରହିଛୁ ବୋଲି କହିଛନ୍ତି । କିନ୍ତୁ ଏଥିପାଇଁ ନିର୍ଦ୍ଧିଷ୍ଟ ପ୍ରକ୍ରିୟା ରହିଛି। ଶ୍ରୀମନ୍ଦିର ପ୍ରଶାସନ ପାଖକୁ ଏ ସମ୍ପର୍କିତ ଲିଖିତ ଅଭିଯୋଗ ଆସିବା ଦରକାର। ଲିଖିତ ଅଭିଯୋଗ ପରେ ଆମେ କିଛି ପଦକ୍ଷେପ ନେଇପାରିବୁ ବୋଲି କହିଛନ୍ତି । ସେପଟେ ରତ୍ନ ପଲଙ୍କ କେବଳ ନୁହେଁ ମହାପ୍ରଭୁଙ୍କ ମଖମଲ ବେଡସିଟ ହେଉ ଅବା ତକିଆ ଶେଷବୁ ବି ମଇଳା ରହିଛି । ତେଣୁ ଏସବୁ ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକଙ୍କ ଦୃଷ୍ଟିକୁ ଆଣିଛନ୍ତି ଛାମୁଖୁଣ୍ଟିଆ ନିଯୋଗର ସମ୍ପାଦକ ।

ପରିଚାଳନା କମିଟି କହିଛି, ଭଙ୍ଗା ପଲଙ୍କକୁ ମରାମତି କରି କେତେଦିନ ଆଉ ଚଳାଇବୁ । କେହି ଜଣେ ଦାତା ନୂଆ ପଲଙ୍କ ଦାନ କଲେ ଆଉ ଏକ ସେଟ୍ କରି ରଖାଯାନ୍ତା । ସେପଟେ ଆମେ ଏହା ଉପରେ ନଜର ରଖିଛୁ। ମହାପ୍ରଭୁଙ୍କ ପଲଙ୍କ ତିଆରି କରିବାକୁ ବ୍ୟବସ୍ଥା ଚାଲିଛି। ବାକି ଶେଯ ପୁରୁଣା କି ନୂଆ ପଲଙ୍କ ସେବା ଦାୟିତ୍ବରେ ଥିବା ପଲଙ୍କଧାରୀ ସେବାୟତ ତଦାରଖ କରିବେ। କିନ୍ତୁ ସଂପୃକ୍ତ ନିଯୋଗ ଆମ ପାଖକୁ କିଛି ନିର୍ଦ୍ଧିଷ୍ଟ ଅଭିଯୋଗ ଆଣିନି। ପ୍ରତିଦିନ ମହାପ୍ରଭୁଙ୍କ ଶୟନ ସମୟରେ ରତ୍ନ ପଲଙ୍କର ଆବଶ୍ୟକ ପଡ଼ିଥାଏ। ରତ୍ନ ପଲଙ୍କ ତଦାରଖ ଦାୟିତ୍ୱ ଖଟଶେଯ ସେବାୟତଙ୍କର । କିନ୍ତୁ ଏହି ପଲଙ୍କର ଅତି ନିମ୍ନମାନର କାମ ହୋଇଛି। ଗୋଡ଼ ଆଦି ହଲୁଛି। ଆମ ନଜରକୁ ବି ଏ ସମସ୍ୟା ଆସିଛି। ପରେ ଏହାର ମରାମତି କରାଯାଇଥିଲା। କିନ୍ତୁ ମରାମତିରେ ଏହି ପଲଙ୍କ ବେଶି ଦିନ ଯିବନି। ଶ୍ରୀମନ୍ଦିର ପ୍ରଶାସନ ଏ ଦିଗରେ ଦୃ‌ଷ୍ଟି ଦେବା ଦରକାର। ଆଉ ଗୋଟିଏ ଗୋଟିଏ ସେଟ୍‌ ପଲଙ୍କ ହେବା ଦରକାର। ଶ୍ରୀମନ୍ଦିର ପ୍ରଶାସନ ସହ ଭକ୍ତମାନେ ବି ଏ ବାବଦରେ ଦାନ ଦେବାକୁ ଶ୍ରୀ ମହାପାତ୍ର ନିବେଦନ କରିଛନ୍ତି।ହାତୀ ଦାନ୍ତ ତ’ ‌‌ଏବେ ନୂଆ ଆଣିବା ସମ୍ଭବ ନୁହେଁ, ଏଣୁ ଯେଉଁ ନୂଆ ପଲଙ୍କ ତିଆରି ହେବ ସେଥିରେ ଏହି ଦାନ୍ତ ଲାଗିପାରିବ। ବାକି ନୂଆ ଖଟ ତିଆରି କରିବାକୁ ଯୋଜନା ପ୍ରସ୍ତୁତ ସରିଛି। କିନ୍ତୁ ନୂଆ ପଲଙ୍କ ସହ ଗୋଟିଏ ଲେଖାଏଁ ଅତିରିକ୍ତ ପଲଙ୍କ ବି ତିଆରି ହେବା ଆବଶ୍ୟକ ବୋଲି ମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର କହିଛନ୍ତି। ପଲଙ୍କ ଭାଙ୍ଗିଥିବା ସମେସ୍ତ ଜାଣିଛନ୍ତି। ଜିଲ୍ଲାପାଳଙ୍କୁ ବି ଏ ସଂପର୍କରେ ଅବଗତ କରାଯାଇଛି। ଜିଲ୍ଲାପାଳ ବି ଏ ଦିଗରେ ପଦକ୍ଷେପ ନେବାକୁ ଯୋଜନା କରିଛନ୍ତି। ରତ୍ନ ପଲଙ୍କ ସହ ଶେଯ, ମାଣ୍ଡି ଆଦି ନୂଆ ତିଆରି ହେବ। ଜିଲ୍ଲାପାଳ ଏହି ପ୍ରତିଶ୍ରୁତି ଦେଇଛନ୍ତି।

https://odia.news18.com/news/trending/3lakh25-thousand-per-month-for-pan-cigarette-shop-4srm-120123-srm-147753.html
Published by:Soubhagya Mishra
First published: