ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ଦିଆଯିବ ନୂଆ ରୂପ; ମେଘନାଦ ପାଚେରୀ କଡ଼ରେ ତିଆରି ହେବ ସୁରକ୍ଷା କରିଡର

ମେଘନାଦ ପାଚେରୀ କଡରୁ ୧୦୦ ମିଟର ପରିଧି ବାହାରେ ଯେଉଁ ମଠ ଗୁଡିକର ଜାଗା ରହିଛି ସେହିଠାରେ ସମ୍ପୃକ୍ତ ମଠର ବିକାଶ କରାଯିବ । ଏହାକୁ ନେଇ ପବିତ୍ର ଅକ୍ଷୟ ତୃତୀୟାରେ ପ୍ରଶାସନିକ ଅଧିକାରୀଙ୍କ ସହ ସଂପୃକ୍ତ ମଠର ମହନ୍ତଙ୍କ ଉପସ୍ଥିତିରେ ୫ଟି ମଠର ଭୂମି ପୂଜନ କାର୍ଯ୍ୟ ସଂପନ୍ନ ହୋଇଛି ।

ଶ୍ରୀମନ୍ଦିର ଚତୁଃପାର୍ଶ୍ୱକୁ ଦିଆଯିବ ନୂଆ ରୂପ; ମେଘନାଦ ପାଚେରୀ କଡ଼ରେ ତିଆରି ହେବ ସୁରକ୍ଷା କରିଡର
ପୁରୀର ଶ୍ରୀମନ୍ଦିର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital
ପୁରୀ: କୋଟି କୋଟି ଜଗନ୍ନାଥ ପ୍ରେମୀଙ୍କ ଆସ୍ଥା ଓ ବିଶ୍ୱାସର କେନ୍ଦ୍ର ଶ୍ରୀମନ୍ଦିରର ଚତୁଃପାର୍ଶ୍ୱକୁ ଖୁବ ଶୀଘ୍ର ନୂଆରୁପ ଦିଆଯିବ । ୧ ଜୁନରୁ ଏହି ନିର୍ମାଣ କାର୍ଯ୍ୟ ଆରମ୍ଭ ହେବ । ମେଘନାଦ ପାଚେରୀ କଡରୁ ୭୫ ମିଟର ପରିଧି ମଧ୍ୟରେ ଏହି ଐତିହ୍ୟ ସୁରକ୍ଷା କରିଡର ତିଆରି ହେବ । ତେବେ କରିଡର ମଧ୍ୟରେ ଯେଉଁ ମଠଗୁଡିକ ଭଙ୍ଗାଯାଇଥିଲା ତାର ପୁନଃସ୍ଥାପନ କରିବା ପାଇଁ ରାଜ୍ୟ ସରକାର ଘୋଷଣା କରିଥିଲେ । ମେଘନାଦ ପାଚେରୀ କଡରୁ ୧୦୦ ମିଟର ପରିଧି ବାହାରେ ଯେଉଁ ମଠଗୁଡିକର ଜାଗା ରହିଛି ସେହିଠାରେ ସମ୍ପୃକ୍ତ ମଠର ବିକାଶ କରାଯିବ । ଏହାକୁ ନେଇ ପବିତ୍ର ଅକ୍ଷୟ ତୃତୀୟାରେ ପ୍ରଶାସନିକ ଅଧିକାରୀଙ୍କ ସହ ସଂପୃକ୍ତ ମଠର ମହନ୍ତଙ୍କ ଉପସ୍ଥିତିରେ ୫ଟି ମଠର ଭୂମି ପୂଜନ କାର୍ଯ୍ୟ ସଂପନ୍ନ ହୋଇଛି ।

"ଶ୍ରୀମନ୍ଦିର ଐତିହ୍ୟ କରିଡର୍‌ ପାଇଁ ୭୫ ମିଟର ପରିଧିରୁ ଉଚ୍ଛେଦ ହୋଇଥିବା ୫ଟି ମଠକୁ ଜିଲ୍ଲା ପ୍ରଶାସନ ଜମି ପ୍ରଦାନ ପୂର୍ବକ ଥଇଥାନ କରିଛି । ପବିତ୍ର ଅକ୍ଷୟ ତୃତୀୟାରେ ପ୍ରଶାସନିକ ଅଧିକାରୀଙ୍କ ସହ ସଂପୃକ୍ତ ମଠର ମହନ୍ତଙ୍କ ଉପସ୍ଥିତିରେ ୫ଟି ମଠର ଭୂମି ପୂଜନ କାର୍ଯ୍ୟ ସଂପନ୍ନ ହୋଇଛି । ଶ୍ରୀମନ୍ଦିର ଐତିହ୍ୟ କରିଡରରୁ ଉଚ୍ଛେଦ ଏହି ୫ଟି ମଠ ହେଲେ ଉତ୍ତର ପାର୍ଶ୍ଵ ମଠ, ରେବେସା ମଠ, ମଙ୍ଗୁ ମଠ, ତ୍ରିମାଳି ମଠ, ସାନ ଛତା ମଠ, ଉତ୍ତରପାର୍ଶ୍ୱ ମଠକୁ ଉତ୍ତରପାର୍ଶ୍ୱ ମଠ ସଂଲଗ୍ନ ଜାଗାରେ ଥଇଥାନ କରାଯାଇଥିବାବେଳେ ରେବେସା ମଠ ଜାଗାରେ ରେବେସା ମଠ ସହ ମଙ୍ଗୁ ମଠ ଓ ତ୍ରିମାଳି ମଠକୁ ଥଇଥାନ କରାଯାଇଛି । ସେହିଭଳି ସାନଛତା ମଠକୁ ଏହି ମଠ ସଂଲଗ୍ନ ଜାଗାରେ ଥଇଥାନ କରାଯାଇଛି । ୫ଟି ଜାଗାରେ ଅକ୍ଷୟ ତୃତୀୟା ଦିନ ଭୂମିପୂଜନ କରାଯାଇଛି," କହିଛନ୍ତି ପୁରୀ ଜିଲ୍ଲାପାଳ ସମର୍ଥ ବର୍ମା ।



"ଅକ୍ଷୟ ତୃତୀୟା ଭଳି ପବିତ୍ର ଦିନରେ ମଠର ପୁନଃସ୍ଥାପନ ପାଇଁ ଭୂମିପୂଜନ ବେଶ ସ୍ୱାଗତଯୋଗ୍ୟ । ପ୍ରଶାସନର ନିଷ୍ପତି ଅନୁସାରେ ସେମାନେ ପ୍ରାରମ୍ଭିକ ପର୍ଯ୍ୟାୟରେ ୫ ଟି ମଠର ଉନ୍ନତିକରଣ ପାଇଁ ପଦକ୍ଷେପ ନେଇଛନ୍ତି । ଆଉ ମେଘନାଦ ପାଚେରୀ କଡରୁ ୧୦୦ ମିଟର ପରିଧି ବାହାରେ ଯେଉଁ ମଠଗୁଡିକର ଜାଗା ରହିଛି ସେହିଠାରେ ସମ୍ପୃକ୍ତ ମଠର ବିକାଶ କରାଯିବ । ଶ୍ରୀଜଗନ୍ନାଥ ସଂସ୍କୃତି ଓ ପରମ୍ପରାକୁ ଆଧାର କରି ପ୍ରସ୍ତୁତ ହେଉଥିବା ଐତିହ୍ୟ କରିଡରରେ ମଠର ମଧ୍ୟ ସ୍ୱତନ୍ତ୍ରତା ପୂର୍ବଭଳି ବଜାୟ ରହିବା ଆବଶ୍ୟକ । ମଠ ଗୁଡିକ ଖାଲି ସାଧୁସନ୍ଥଙ୍କ ଆଶ୍ରୟ ପାଇଁ ନୁହେଁ ମହାପ୍ରଭୁଙ୍କ ନୀତିକାନ୍ତି ସହ ଜଡିତ । ତେଣୁ ମନ୍ଦିର ନିକଟରେ ମଠ କେଉଁ ଆବାହମାନ କାଳରୁ ରହିଥିବା ବେଳେ ଏବେ ତାହାକୁ କଳିଙ୍ଗ ନିର୍ମାଣ ଶୈଳିରେ କରାଯିବ । ପ୍ରତିଟି କାରୁକାର୍ଯ୍ୟରେ ଓଡିଆ ସଂସ୍କୃତି, ପରମ୍ପରା ଓ ଐତିହ୍ୟର ଛାପ ଦିଆଯିବ ବୋଲି ପ୍ରଶାସନିକ ଅଧିକାରୀଙ୍କ ପକ୍ଷରୁ ସମ୍ମତି ପ୍ରକାଶ କରାଯାଇଛି," କହିଛନ୍ତି ଉତ୍ତରପାର୍ଶ୍ୱ ମଠ ମହନ୍ତ ନାରାୟଣ ରାମାନୁଜ ଦାସ ।

ଶ୍ରୀମନ୍ଦିର ଐତିହ୍ୟ ସୁରକ୍ଷା କରିଡର ଦାୟିତ୍ୱରେ ଥିବା ନୋଡାଲ ଅଧିକାରୀ ଅତିରିକ୍ତ ଜିଲ୍ଲାପାଳ ବିନୟ କୁମାର ଦାଶଙ୍କ କହିବା ଅନୁସାରେ,"ମଠ ମହନ୍ତ ମାନଙ୍କ ସହ ଆଲୋଚନା ଅନୁଯାୟୀ ସେମାନଙ୍କ ସହମତିରେ ମଠର ଉଛେଦ ପରେ ସେମାନଙ୍କୁ ଥଇଥାନ ପାଇଁ ପ୍ରତିଶୃତି ଦିଆଯାଇଥିଲା । ସେଥିପାଇଁ ପ୍ରଥମ ପର୍ଯ୍ୟାୟରେ ୫ ଟି ମଠର ଡିଜାଇନ କରାଯାଇଛି । ଏଥିପାଇଁ ଗତ ଫେବୃୟାରୀ ୧୮ ରେ ୨ ଜଣ ସ୍ଥପତି ଆସି ଐତିହ୍ୟ କରିଡର ମଧ୍ୟରେ ଭଙ୍ଗାଯାଇଥିବା ୧୫ଟି ମଠ ମଧ୍ୟ ମନ୍ଦିର ବୁଲିକି ଦେଖିଥିଲେ । ଏବେ ୫ଟି ମଠ ପରେ ପରବର୍ତ୍ତୀ ସମୟରେ ଅନ୍ୟ ମଠଗୁଡିକର ଭୂମିପୂଜନ କରାଯାଇ କାମ ଆରମ୍ଭ କରାଯିବ । ମଠଗୁଡିକ ତିଆରି ପାଇଁ ସ୍ୱତନ୍ତ୍ର ଏସଓପି ପ୍ରସ୍ତୁତ କରାଯାଇଛି । ମଠ ଗୁଡିକର ନିଜସ୍ୱ ସମ୍ପ୍ରଦାୟ ଓ ଢାଞ୍ଚାକୁ ନଜରରେ ରଖି ମଠଗୁଡିକର ଡିଜାଇନ କରାଯାଇଛି । ଖୁବ ଶୀଘ୍ର ମାଟି ପରୀକ୍ଷା କରାଯାଇ କାମ ଆରମ୍ଭ ହେବ ।

ସେହିଭଳି ଜଗନ୍ନାଥ ବଲ୍ଲଭ ଅଭ୍ୟର୍ଥନା କେନ୍ଦ୍ର ପାଇଁ ଜମି ଅଧିଗ୍ରହଣ ପରେ ବିସ୍ଥାପିତ ୫୯ ପରିବାରକୁ ଥଇଥାନ କରାଯାଇଛି । ପ୍ରତି ପରିବାରକୁ ଜଗନ୍ନାଥ ବଲ୍ଲଭ ପରିସର‌ରେ ୫୩୯ ବର୍ଗଫୁଟର ଜାଗା ପ୍ରଦାନ କରାଯାଇଛି । ୫୯ ପରିବାର ଆଜି ପାଇଥିବା ଜାଗାରେ ଭୂମିପୂଜନ କରିଛନ୍ତି । ପୁନର୍ବାସ ଓ ଥଇଥାନ ଯୋଜନାରେ ଏମାନଙ୍କୁ ୩ଲକ୍ଷ ୭ହଜାର ଟଙ୍କାର ସହାୟତା ରାଶି ବି ପ୍ରଦାନ କରିବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଘର ନିର୍ମାଣ ବାବଦକୁ ୨ଲକ୍ଷ ୫୭ହଜାର ଟଙ୍କା ଓ ଆସବାବପତ୍ର ସ୍ଥାନାନ୍ତର ଓ ଅନ୍ୟାନ୍ୟ ଖର୍ଚ୍ଚ ବାବଦକୁ ୫୦ହଜାର ଟଙ୍କା ପ୍ରଦାନ କରାଯିବ । ଏହି ଟଙ୍କା ତିନୋଟି କିସ୍ତିରେ ଦେବାକୁ ପ୍ରଶାସନ ନିଷ୍ପତ୍ତି ନେଇଛି । ଘର ନିର୍ମାଣ ଅନୁଯାୟୀ ପର୍ଯ୍ୟାୟକ୍ରମେ ପ୍ରଶାସନ ଏହି ରାଶି ପ୍ରଦାନ କରିବ । ପ୍ରଥମେ ୧ଲକ୍ଷ ଟଙ୍କା ଓ ପରେ ଘର ନିର୍ମାଣକୁ ଦେଖି ଦୁଇଟି କିସ୍ତିରେ ବାକି ଟଙ୍କା ପ୍ରଦାନ କରିବାକୁ ନିଷ୍ପତ୍ତି ହୋଇଛି ।
Published by: Jagdish Barik
First published: May 17, 2021, 7:00 PM IST