ଝାରପଡା ହାଟ ଉଚ୍ଛେଦକୁ ନେଇ ଅପ୍ରୀତିକର ସ୍ଥିତି; ବିକ୍ଷୋଭ କଲା ବିଜେପି

ଭୁବନେଶ୍ୱରରେ ହାଟ ଉଚ୍ଛେଦକୁ ନେଇ ବିକ୍ଷୋଭ ଓ ରାସ୍ତା ଅବରୋଧ । ଫଳରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ଶହ ଶହ ଗାଡ଼ି । ଝାରପଡ଼ା ହାଟ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଆଜି ଦେଖିବାକୁ ମିଳିଥିଲା ଏଭଳି ସ୍ଥିତି।

ଭୁବନେଶ୍ୱରରେ ହାଟ ଉଚ୍ଛେଦକୁ ନେଇ ବିକ୍ଷୋଭ ଓ ରାସ୍ତା ଅବରୋଧ (ପ୍ରତୀକାତ୍ମକ ଛବି)

ଭୁବନେଶ୍ୱରରେ ହାଟ ଉଚ୍ଛେଦକୁ ନେଇ ବିକ୍ଷୋଭ ଓ ରାସ୍ତା ଅବରୋଧ (ପ୍ରତୀକାତ୍ମକ ଛବି)

  • Share this:
News18 Odia Digital

ଭୁବନେଶ୍ୱର: ଭୁବନେଶ୍ୱରରେ ହାଟ ଉଚ୍ଛେଦକୁ ନେଇ ବିକ୍ଷୋଭ ଓ ରାସ୍ତା ଅବରୋଧ । ଫଳରେ ଘଣ୍ଟା ଘଣ୍ଟା ଧରି ଅଟକି ରହିଲା ଶହ ଶହ ଗାଡ଼ି । କଟକ-ପୁରୀ ରୋଡ଼ରେ ଅଣନିଶ୍ୱାସୀ ହୋଇପଡ଼ିଲେ ପଥଚାରୀ । ଝାରପଡ଼ା ହାଟ ଉଚ୍ଛେଦ ପ୍ରସଙ୍ଗକୁ ନେଇ ଆଜି ଦେଖିବାକୁ ମିଳିଥିଲା ଏଭଳି ସ୍ଥିତି।

ଗୋଟେ ପଟେ ସରକାରୀ ନିର୍ଦ୍ଦେଶ ଅନୁସାରେ ହାଟ ଉଚ୍ଛେଦ କାର୍ଯ୍ୟକ୍ରମ ଜାରି ରହିଥିବା ବେଳେ ଏହାକୁ ବିରୋଧ କରି କଟକ-ପୁରୀ ରୋଡ଼ର ସତ୍ୟନଗର ବ୍ରିଜ ଗୋଲେଇ ଛକଠାରେ ଭୁବନେଶ୍ୱର ଜିଲା ବିଜେପି ପକ୍ଷରୁ ରାସ୍ତା ଅବରୋଧ କରାଯାଇଥିଲା । ଫଳରେ ୨/୩ ଘଣ୍ଟା ପାଇଁ ଏଭଳି ସ୍ଥିତି ଉପୁଜିଥିଲା ।

ଶୁକ୍ରବାର ସକାଳେ ଭୁବନେଶ୍ୱରରେ ଏକ ବଡ଼ ଧରଣର ଉଚ୍ଛେଦ କାର୍ଯ୍ୟକ୍ରମ ଆରମ୍ଭ ହୋଇଥିଲା। ବିଏମସି, ବିଡ଼ିଏ ଓ ସାଧାରଣ ପ୍ରଶାସନର ମିଳିତ ସହଯୋଗରେ ଭୁବନେଶ୍ୱର ଝାରପଡ଼ା ଗଣେଶ ମାର୍କେଟରେ ଜବରଦଖଲ ଉଚ୍ଛେଦ ଅଭିଯାନ ଆରମ୍ଭ ହୋଇଥିଲା।

ମିଳିଥିବା ସୂଚନା ଅନୁସାରେ ଝାରପଡ଼ା ହାଟକୁ ଉଚ୍ଛେଦ ପାଇଁ ଆଜି ବଡ଼ି ସକାଳୁ ଘଟଣାସ୍ଥଳରେ ଏକ ସ୍ୱତନ୍ତ୍ର ମିଳିତ ଟିମ୍ ପହଞ୍ଚି ଥିଲା। ସାଥୀରେ ଥିଲେ କମିଶନରେଟ୍ ପୋଲିସର ୧୦ ପ୍ଲାଟୁନ୍ ଫୋର୍ସ । ବଡ଼ି ଭୋରରୁ ଆରମ୍ଭ ହୋଇଥିଲା ଏହି ଉଚ୍ଛେଦ କାର୍ଯ୍ୟକ୍ରମ, ଯେତେବେଳେ କି ଅଧିକାଂଶ ଦୋକାନ ବନ୍ଦ ଥିଲା । କେହି କିଛି ବୁଝିବା ଆଗରୁ ବୁଲ୍ ଡ଼ୋଜରରେ ଦୋକାନଗୁଡ଼ିକ ଭଙ୍ଗା ହୋଇଥିଲା। କିଛି ଘଣ୍ଟା ଭିତରେ ଅଳିଆ ଗଦାରେ ପରିଣତ ହୋଇଗଲା ପ୍ରାୟ ୨୦ ହଜାର ବର୍ଗଫୁଟ ଉପରେ ଚାଲିଥିବା ଝାରପଡ଼ା ହାଟ । ଦୋକାନ ବଞ୍ଚାଇବା ତ ଦୂରର କଥା ଦୋକାନ ଭିତରେ ଥିବା ସାମଗ୍ରୀକୁ ମଧ୍ୟ ଉଦ୍ଧାର କରି ପାରି ନ ଥିଲେ ବ୍ୟବସାୟୀ ।

କେନ୍ଦୁଝରରୁ ଆସି ଭୁବନେଶ୍ୱରରେ ଷ୍ଟିଲ ବୋର୍ଡ଼ର ବ୍ୟବସାୟୀ ରଞ୍ଜିତ କହିଛନ୍ତି," ଗତ କିଛି ବର୍ଷ ହେଲା ଗଣେଶ ମାର୍କେଟ ଭିତରେ ଦୋକାନ ଭଡ଼ା ନେଇ ନିଜର ବ୍ୟବସାୟ କରି ଆସୁଥିଲେ । କିନ୍ତୁ ଆଜି ସକାଳୁ ଦୋକାନକୁ ଆସିଲା ବେଳକୁ ପୁରା ଦୋକାନ ଓ ଭିତରେ ଥିବା ସାମଗ୍ରୀ ଛାରଖାର ହୋଇଯାଇଥିଲା । ବିନା ନୋଟିସରେ ଏଭଳି ଉଚ୍ଛେଦ ଆରମ୍ଭ ହୋଇଥିବାରୁ ତାଙ୍କୁ କ୍ଷତି ସହିବାକୁ ପଡ଼ିଲା । ଏବେ ତାଙ୍କର କେବଳ ଇନ୍‌ସ୍ୟୁରାନ୍ସ ଉପରେ ଭରସା,"।

ବିଜେପି ଏହାକୁ ପ୍ରସଙ୍ଗ କରି ରାସ୍ତା ଅବରୋଧ କରିଥିଲା । ବିଜେପି ଭୁବନେଶ୍ୱର ଜିଲା ପକ୍ଷରୁ ସଭାପତି ବାବୁ ସିଂଙ୍କ ନେତୃତ୍ୱରେ ଶହଶହ ବିଜେପି ସମର୍ଥକ ଓ କ୍ଷତିଗ୍ରସ୍ତ ଦୋକାନୀମାନେ ରାସ୍ତା ଅବରୋଧକୁ ଓହ୍ଲାଇପଡ଼ିଲେ । ଫଳରେ ମାତ୍ର କିଛି ସମୟ ଭିତରେ କଟକ-ପୁରୀ ରୋଡ଼ରେ ଜାମ୍ କାରଣରୁ ଲୋକେ ଅଣନିଶ୍ୱାସୀ ହୋଇପଡ଼ିଲେ । ପରିସ୍ଥିତି ଏଭଳି ହେଲା ଯେ, ପୋଲିସ ଓ ଆନ୍ଦୋଳନକାରୀଙ୍କ ଭିତରେ ଏକ ପ୍ରକାର ମୁହାଁମୁହିଁ ପରିସ୍ଥିତି ସୃଷ୍ଟି ହେଲା । ବିଜେପି ଜିଲା ସଭାପତି ବାବୁ ସିଂ ଅଭିଯୋଗ କରି କହିଛନ୍ତି,"ଏଠାକାର ୱାର୍ଡ଼ରେ ବିଜେପି ପ୍ରାର୍ଥୀ କର୍ପୋରେଟର ଭାବେ ବିଜୟ ହୋଇଥିବାରୁ ଶାସକ ଦଳର ଇଙ୍ଗିତରେ ଏଭଳି ଅତର୍କିତ ଉଚ୍ଛେଦ କରାଯାଇଥିଲା । ଯେ ପର୍ଯ୍ୟନ୍ତ କ୍ଷତିଗ୍ରସ୍ତଙ୍କୁ କ୍ଷତିପୂରଣ ସହିତ ଥଇଥାନ କରା ନ ଯାଇଛି ସେ ପର୍ଯ୍ୟନ୍ତ ପ୍ରତିବାଦ ଜାରି ରହିବ" ।

ସେହିଭଳି ବିଜେପି ନେତା ଜଗନ୍ନାଥ ପ୍ରଧାନ କହିଛନ୍ତି," ବିନା ନୋଟିସରେ ଏଭଳି ଉଚ୍ଛେଦ କରାଯାଇଥିବାରୁ ଅନେକ ଲୋକ ଜୀବିକା ହରାଇ ବସିଛନ୍ତି । ତେଣୁ ସେମାନଙ୍କ ପାଇଁ ସରକାର ଉପଯୁକ୍ତ କ୍ଷତିପୂରଣ ସହିତ ବ୍ୟବସାୟ କରିବା ପାଇଁ ସୁଯୋଗ ଦିଆଯାଉ"।

ପୋଲିସର ବୁଝାଶୁଝା ପରେ ପ୍ରାୟ ୨ ଘଣ୍ଟା ପରେ ସ୍ଥିତି ସ୍ୱାଭାବିକ ହୋଇଥିଲା । ଏହି ଜବରଦଖଲ ମୁକ୍ତ ହୋଇଥିବା ଜମିରେ ତାରବାଡ଼ ବୁଲା ଆରମ୍ଭ ହୋଇଥିବା ବେଳେ ଖୁବ୍‌ଶୀଘ୍ର ଏହି ଜମି ଉପର ନେବରହୁଡ଼୍ ମାର୍କେଟ କମ୍ଲେକ୍ସ ତିଆରି କରାଯିବ ବୋଲି କୁହାଯାଇଛି ।
Published by:Soumya Das
First published: