News18 Odia Digital
ଭୁବନେଶ୍ବର: ଗାନ୍ଧି ମାର୍ଗରେ ନବ ଗ୍ରହ ପୂଜା। ବସିଛନ୍ତି କର୍ତ୍ତା। ମନ୍ତ୍ର ପଢୁଛନ୍ତି ପୂଜକ। ଠାକୁରଙ୍କୁ ବସାଇ ରିଷ୍ଟ ଖଣ୍ଡନ ପାଇଁ ଚାଲିଛି ପୂଜାର୍ଚ୍ଚନା। ଦୁବ, ବରକୋଳି ପତ୍ର, ଅରୁଆ ଚାଉଳ , ଗୁଆ ସମେତ ସବୁ ପୂଜା ଉପକରଣ ରହିଛି। ଚାଲିଛି ନିଆରା ପ୍ରତିବାଦ। ଭିନ୍ନ ଢ଼ଙ୍ଗରେ ରଣ ହୁଙ୍କାର। ନିଯୁକ୍ତି ପାଇଁ ନିବେଦନ ସହ ଚେତାବନୀ ମଧ୍ୟ।
ଓଡ଼ିଶା ରାଜ୍ୟ କର୍ମଚାରୀ ଥଇଥାନ ଆଶାୟୀ ସଂଘର କର୍ମକର୍ତ୍ତା କରୁଛନ୍ତି ଅଭିନବ ପ୍ରତିବାଦ। ଏମାନଙ୍କ ସହିତ ବାର ବାର ହୋଇଛି ପ୍ରତାରଣା। କେବଳ ପ୍ରତିଶ୍ରୁତି ଭିତରେ ଅଟକି ଯାଇଛି ନିଯୁକ୍ତି। ସରକାରୀ ଚାକିରୀ କରି ସରକାରଙ୍କୁ ଉଚ୍ଚରେ ରଖୁଥିବା ଏହି ଯୁବକ, ଯୁବତୀ କିଏ ନିଜ ବାପା କୁ ଆଉ କିଏ ମାଆକୁ ହରାଇଛି। ସ୍ବାମୀ ଟିଏ ସ୍ତ୍ରୀ କୁ ଓ ସ୍ତ୍ରୀ ଟିଏ ସ୍ୱାମୀକୁ ହରାଇଛି। ଯେତେବେଳେ ନିଜ ଘରର କେହି ସରକାରୀ ଚାକିରୀ କରି ମୃତ୍ୟୁ ହୁଏ ତେବେ ତାଙ୍କ ସ୍ଥାନରେ ତାଙ୍କ ଘରର ପୁଅ, ଝିଅ ଯୋଗ୍ୟତା ଭିତ୍ତିରେ ନିଯୁକ୍ତି ପାଇବେ। ଯାହା ମୃତ କର୍ମଚାରୀ ପରିବାର ଥଇଥାନ ଯୋଜନା ୧୯୯୦ ସାଧାରଣ ପ୍ରଶାସନ ବିଭାଗ ପକ୍ଷରୁ ଜାରି ହୋଇଥିବା ବିଜ୍ଞପ୍ତିରେ ଉଲ୍ଲେଖ ଥିଲା। କିନ୍ତୁ ୨୦୨୦ ରେ ଏହି ନିୟମ ପରିବର୍ତନ ସହିତ ବାତିଲ କରାଯିବାରୁ ଏବେ ୧୦ ହଜାର ଚାକିରି ଆଶାୟୀ ପ୍ରତିବାଦ କରି ନିଯୁକ୍ତି ଦାବି କରିଛନ୍ତି।
ସେପଟେ ମୁଖ୍ୟ ବାରିକେଡ ଆଗରେ ଗରଜୁଛନ୍ତି ଓଡ଼ିଶା ସରକାରୀ ଆଉଟ୍ ସୋର୍ସିଙ୍ଗ କର୍ମଚାରୀ ସଂଘ। ସ୍ଥାୟୀ ନିଯୁକ୍ତି, ଛଟେଇ ହୋଇଥିବା ୭ ହଜାର କର୍ମଚାରୀଙ୍କୁ ପୁନଃ ନିଯୁକ୍ତି, ଆଉଟ୍ ସୋର୍ଶୀଙ୍ଗ ପ୍ରଥା ଉଚ୍ଛେଦ। ମାସକ ଭିତରେ ଦାବି ପୁରଣ ନ ହେଲେ ସରକାରୀ ଦପ୍ତର ଅଚଳ କରିବାକୁ ଚେତାବନୀ। ୨୦୧୮ ମସିହାରେ ସରକାର ଏମାନଙ୍କ ଦାବିକୁ ପୁରଣ ପାଇଁ ଲିଖିତ ପ୍ରତିଶ୍ରୁତି ଦେଇଥିଲେ ମଧ୍ୟ ତାହା କାର୍ଯ୍ୟକାରୀ ହୋଇନାହିଁ। ଏହି କର୍ମଚାରୀଙ୍କ ସଂଖ୍ୟା ୭୦ ହଜାରରୁ ଅଧିକ । ସରକାର ଗତ ଅକ୍ଟୋବର ମାସରେ ଚୁକ୍ତିଭିତ୍ତିକ ପ୍ରଥାର ବିଲୋପ କରି ସେମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେଲେ। କିନ୍ତୁ ଆଉଟ୍ ସୋର୍ସିଂ କର୍ମଚାରୀଙ୍କ କ୍ଷେତ୍ରରେ ସେଭଳି କିଛି ନିଷ୍ପତ୍ତି ହୋଇନାହିଁ। ତୁରନ୍ତ ଏମାନଙ୍କୁ ସ୍ଥାୟୀ ନିଯୁକ୍ତି ଦେବା ପାଇଁ ଦାବି ହୋଇଛି। ତା ସହିତ ସମସ୍ତ ସରକାରୀ ସୁବିଧା।
ଅନ୍ୟପଟେ ରାଜଧାନୀରେ ଗର୍ଜିଲେ ସଂଯୁକ୍ତ କିସାନ ମୋର୍ଚ୍ଚା। ମୋର୍ଚ୍ଚା ପକ୍ଷରୁ ଗାନ୍ଧୀ ମାର୍ଗରେ କରାଯାଇଛି ବିକ୍ଷୋଭ। ଭୁବନେଶ୍ୱର ରେଳ ଷ୍ଟେସନରୁ ବାହାରି ଏମାନେ ମାଷ୍ଟର କ୍ୟାଣ୍ଟିନ ଦେଇ ପିଏମଜି ରେ ପହଞ୍ଚି ବିକ୍ଷୋଭ କରିବା ସହିତ କେନ୍ଦ୍ର ସରକାରଙ୍କୁ ଟାର୍ଗେଟ କରିଛନ୍ତି। ଦାବି ହେଉଚି ଭାଗ ଚାଷୀଙ୍କୁ ଅଧିକାର, ଜଙ୍ଗଲ ଜମି ଉପରେ ଅଧିକାର, ଧାନ କୁଇଣ୍ଟାଲ ୩୦୦୦ ଟଙ୍କା କରିବା, ସବୁ କୃଷକର ଋଣ ଛାଡ ଓ ଫସଲ ବୀମା, ପ୍ରାକୃତିକ ବିପର୍ଯ୍ୟୟ ଜନିତ ଫସଲ କ୍ଷତି ପାଇଁ ଉପଯୁକ୍ତ କ୍ଷତି ପୂରଣ, ସମସ୍ତ ଫସଲର ଏମ ଏସ ପି ପାଇଁ ଆଇନଗତ ଗ୍ୟାରେଣ୍ଟି ଏହିଭଳି ମୋଟ ୧୨ ଟି ଦାବି କରି ବିକ୍ଷୋଭ କରାଯାଇଛି। ତା ସହିତ ମୋର୍ଚ୍ଚାର ଏକ ପ୍ରତିନିଧି ମଣ୍ଡଳୀ ରାଷ୍ଟ୍ରପତିଙ୍କ ଉଦ୍ଦେଶ୍ୟରେ ରାଜ୍ୟପାଳଙ୍କୁ ଏକ ସ୍ମାରକ ପତ୍ର ପ୍ରଦାନ କରିଛନ୍ତି ।
ପେଟ ପାଟଣା ପାଇଁ ଚାଲିଛି ଏ ଲଢେଇ। ହକ ଅଧିକାର ପାଇଁ ରାତି ଦିନ ଏକ କରି ଚାଲିଛି ପ୍ରତିବାଦ। ତେବେ ଦେଖାଯାଉ ଏମାନଙ୍କ ଦାବିକୁ ସରକାର କେତେଦୂର ଗ୍ରହଣ କରୁଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।