ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ବିଚ୍ ସ୍ୟାକ୍ସ ପରେ ଏବେ ସ୍ୱର୍ଗଦ୍ୱାରରେ ଜଗନ୍ନାଥଙ୍କ ଜମିରେ ୩ଟି ନୂଆ ମଦ ଦୋକାନ ଖୋଲାଯିବାକୁ ନେଇ ବିରୋଧ

ବିଚ୍ ସ୍ୟାକ୍ସ ପରେ ଏବେ ସ୍ୱର୍ଗଦ୍ୱାରରେ ଜଗନ୍ନାଥଙ୍କ ଜମିରେ ୩ଟି ନୂଆ ମଦ ଦୋକାନ ଖୋଲାଯିବାକୁ ନେଇ ବିରୋଧ

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ମଦ ଦୋକାନ ହଟାଇବା ପାଇଁ ଅବକାରୀ ବିଭାଗକୁ ଚିଠି ଲେଖାଯାଇଥିବା ବେଳେ ଏବେ ଦୋକାନକୁ ସିଲ୍ କରାଯାଇଛି ଓ ଅନ୍ୟତ୍ର ଜମି ଦେଖି ସ୍ଥାନାନ୍ତରିତ କରାଯିବାକୁ ନିର୍ଦ୍ଦେଶନାମା ଜାରି କରିଛି ଜିଲ୍ଲା ପ୍ରଶାସନ ।

ବିଚ୍ ସ୍ୟାକ୍ସ ପରେ ଏବେ ସ୍ୱର୍ଗଦ୍ୱାରରେ ଜଗନ୍ନାଥଙ୍କ ଜମିରେ ୩ଟି ନୂଆ ମଦ ଦୋକାନ ଖୋଲାଯିବାକୁ ନେଇ ବିରୋଧ
ସ୍ୱର୍ଗଦ୍ୱାରରେ ଜଗନ୍ନାଥଙ୍କ ଜମିରେ ୩ଟି ନୂଆ ମଦ ଦୋକାନ ଖୋଲାଯିବାକୁ ନେଇ ବିରୋଧ
  • News18 Odia
  • Last Updated: September 24, 2021, 4:25 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶେଷରେ ଶ୍ରୀଜଗନ୍ନାଥଙ୍କ ଜମିରେ ବି ଖୋଲିଛି ମଦ ଦୋକାନ । ପୁଣି ସ୍ୱର୍ଗଦ୍ୱାରକୁ ଲାଗି ବିକ୍ରୀ ହେଉଛି ନିଶା ପାନୀୟ। ଏହା ଦ୍ବାରା ସ୍ୱର୍ଗଦ୍ୱାର ଓ ମହୋଦଧି ଭଳି ପବିତ୍ର ସ୍ଥାନ ଅପବିତ୍ର ହେଉଛି । ସେପଟେ ବିଚ୍ ସ୍ୟାକ୍ସକୁ ବିରୋଧ ପରେ ସେହି ପ୍ରକଳ୍ପକୁ ବାତିଲ ହୋଇଥିବା ବେଳେ ପୁନର୍ବାର ଜଗନ୍ନାଥଙ୍କ ଜମିରେ ମଦ ଦୋକାନ ଖୋଲିବାକୁ କିଏ ଦେଲା ଅନୁମତି ତା ଉପରେ ବିଧିବଦ୍ଧ କାର୍ଯ୍ୟାନୁଷ୍ଠାନ ନିଆଯାଉ ବୋଲି ସମସ୍ତଙ୍କୁ ଦାବି କରୁଛନ୍ତି ।

ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଏହାର ତଦନ୍ତ କରାଯାଇ ଦୋକାନ ହଟାଇବା ପାଇଁ ଅବକାରୀ ବିଭାଗକୁ ଚିଠି ଲେଖାଯାଇଥିବା ବେଳେ ଏବେ ଦୋକାନକୁ ସିଲ୍ କରାଯାଇଛି ଓ ଅନ୍ୟତ୍ର ଜମି ଦେଖି ସ୍ଥାନାନ୍ତରିତ କରାଯିବାକୁ ନିର୍ଦ୍ଦେଶନାମା ଜାରୀ କରିଛି ଜିଲ୍ଲା ପ୍ରଶାସନ ।

"ଶ୍ରୀକ୍ଷେତ୍ର ପାଲଟିଛି ଏବେ ନିଶା କ୍ଷେତ୍ର । ପୁଣି ଜଗନ୍ନାଥଙ୍କ ଜମିରେ ଖୋଲୁଛି ଗୋଟିଏ ପରେ ଗୋଟିଏ ମଦ ଦୋକାନ । କୋଟି କୋଟି ହିନ୍ଦୁଙ୍କ ଭାବାବେଗ ସହ ଜଡ଼ିତ ସ୍ୱର୍ଗଦ୍ୱାର ନିକଟରେ ପାଞ୍ଚଟି ମଦ ଦୋକାନ ଖୋଲିବା ପାଇଁ ଲାଇସେନ୍ସ ପ୍ରଦାନ କରିଛନ୍ତି ରାଜ୍ୟ ସରକାର । ପୂର୍ବରୁ ପୁରୀ-କୋଣାର୍କ ବେଳାଭୂମି ମାର୍ଗରେ ବିଚ୍ ସ୍ୟାକ୍ସ ଖୋଲିବା ନେଇ ସରକାର ଅନେକ ବିରୋଧର ସମ୍ମୁଖୀନ ହୋଇଥିଲେ । ଆଉ ଏବେ ଧାର୍ମୀୟ ବିଶ୍ୱାସକୁ କୁଠାରଘାତ କରି ମହାପ୍ରଭୁଙ୍କ ଜମିରେ ନୂଆ ମଦ ଦୋକାନକୁ ଲାଇସେନ୍ସ ପ୍ରଦାନ କରିବା ଜଗନ୍ନାଥ ପ୍ରେମୀଙ୍କୁ ବ୍ୟଥିତ କରିଛି । ଜମି ଜବରଦଖଲକାରୀ ମଦ ବେପାରୀ ଓ ପ୍ରଶାସନିକ କିଛି ଅଧିକାରୀଙ୍କ ସଲାସୁତୁରା ଫଳରେ ତପଭୂମୀ ଏବେ ଭୋଗଭୂମୀରେ ପରିଣତ ହେବାକୁ ଯାଉଛି । ପ୍ରଶାସନ ପକ୍ଷରୁ ସ୍ୱର୍ଗଦ୍ୱାର ଶଶ୍ମାନର ଦୁଇପାର୍ଶ୍ୱରେ ଦୁଇଟି ମଦ ଦୋକାନ ଥିବା ବେଳେ ୧୦୦ ମିଟର ମଧ୍ୟରେ ତିନୋଟି ମଦ ଦୋକାନ ଖୋଲିଛି । ଯାହା ଦ୍ବାରା ଖାଲି ଶ୍ରୀଜଗନ୍ନାଥଙ୍କ ନୁହେଁ ଶ୍ରୀକ୍ଷେତ୍ରର ଗାରିମା ମଧ୍ୟ ନଷ୍ଟ ହେବାକୁ ଯାଉଛି । ତେଣୁ ହରିଦ୍ୱାର ଭଳି ଶ୍ରୀକ୍ଷେତ୍ରକୁ ସମ୍ପୁର୍ଣ୍ଣ ମଦ ମୁକ୍ତ କରାଯାଉ,’’ କହିଛନ୍ତି ବରିଷ୍ଠ ଦଇତାପତି ସେବାୟତ ତଥା କଂଗ୍ରେସ ମୁଖପାତ୍ର ବିଶ୍ୱାବସୁ ବିନାୟକ ଦାସ ମହାପାତ୍ର ।

ପୁଣି ଜଗନ୍ନାଥଙ୍କ ଜମିରେ ଖୋଲୁଛି ଗୋଟିଏ ପରେ ଗୋଟିଏ ମଦ ଦୋକାନ


ପୂର୍ବତନ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ତଥା ବରିଷ୍ଠ ସେବାୟତ ରାମଚନ୍ଦ୍ର ଦାସମହାପାତ୍ର କହିଛନ୍ତି, "୧୯୨୭ ମସିହା ସାବକ ରେକର୍ଡ ଅନୁସାରେ ସ୍ୱର୍ଗଦ୍ୱାରର ୩୦ ଏକର ଜମି ହେଉଛି ଶ୍ରୀଜଗନ୍ନାଥ ମହାପ୍ରଭୁଙ୍କର । ଏହା ମଧ୍ୟରୁ ୧୬ ଏକର ୪୮୦ ଡିସିମିଲ ଯାଗା କେବଳ ସ୍ୱର୍ଗଦ୍ୱାର ଶ୍ମଶାନ ଜମି । ଏହି ଜମିକୁ ଜବରଦଖଲ କରି ବେଆଇନ ବ୍ୟବସାୟ ପ୍ରତିଷ୍ଠାନ ଖୋଲାଯିବା ସହ ଏହା ଭିତରେ ରହିଛି ମଦ ଦୋକାନ ଓ ଚୋରାରେ ବିକ୍ରୀ ହେଉଛି ମଦ ଆଉ ଭାଙ୍ଗ । ପୁଣି ନିକଟରେ ତୀର୍ଥରାଜ ମହୋଦଧି ଓ ଅମାବାସ୍ୟା ନାରାୟଣ ସାଗରବିଜେ ନିତି ସହ ମହୋଦଧି ଆଳତୀ ସ୍ଥଳ ହୋଇଥିବା ବେଳେ ପ୍ରଶାସନର ଏଭଳି ଧର୍ମ ବିରୋଧୀ ପଦକ୍ଷେପ ଆଗାମୀ ଦିନରେ ଶ୍ରୀକ୍ଷେତ୍ରର ଗାରିମା କ୍ଷୁର୍ଣ୍ଣ ହେବ ବୋଲି ଆଶଙ୍କା ରହିଛି ।’’

"୨୦୧୫ରେ ସୁପ୍ରିମ କୋର୍ଟଙ୍କ ରାୟ ମୁତାବକ ମହାପ୍ରଭୁଙ୍କ ଜମି ଉପରେ କାହାର ଅଧିକାର ନାହିଁ । ମହାପ୍ରଭୁ ହିଁ ନିଜେ ଜମିର ମାଲିକ । ସ୍ୱର୍ଗଦ୍ୱାର ନିକଟରେ ମଦ ଦୋକାନ ହୋଇଥିବା କମିଟି ବାଲିସାହି ମୌଜାର ଖାତା ନମ୍ବର ୭୫୩/୨୮୧, ପ୍ଲଟ ନମ୍ବର ୧୪୫୨ର ମାଲିକାନା ଶ୍ରୀଜଗନ୍ନାଥ ମହାପ୍ରଭୁ ବିଜେ ପୁରୀ ମାର୍ଫତ ଶ୍ରୀମନ୍ଦିର ପରିଚାଳନା କମିଟି ନାମରେ ରହିଛି । ତେଣୁ ସେହି ଜମି ଉପରେ କିଭଳି ମଦ ଦୋକାନ ଖୋଲାଗଲା । ଶ୍ରୀମନ୍ଦିର ପ୍ରଶାସନ ପକ୍ଷରୁ ଅବକାରୀ ବିଭାଗକୁ ଦୋକାନ ହଟାଇବା ପାଇଁ ଚିଠି ଲେଖାଯାଇଛି । ସେ ନେଇ ତିନୋଟି ଦୋକାନକୁ ବନ୍ଦ କରାଯାଇ ସିଲ୍ କରାଯାଇଛି । ଦୋକାନ ଗୁଡ଼ିକର ନିର୍ମାଣ କାମକୁ ମଧ୍ୟ ବନ୍ଦ କରାଯାଇଥିବା ବେଳେ ତୁରନ୍ତ ଦୋକାନ ଗୁଡିକୁ ଅନ୍ୟତ୍ର ସ୍ଥାନାନ୍ତରିତ କରିବା ପାଇଁ ନିର୍ଦ୍ଦେଶ ଦିଆଯାଇଛି । ସେପଟେ ମହାପ୍ରଭୁଙ୍କ ଜମିରେ କୌଣସି ଅବକାରୀ ଦୋକାନ ଖୋଲିବ ନାହିଁ ଯଦି ଏହା ଉଲ୍ଲଙ୍ଘନ କରାଯାଏ କାର୍ଯ୍ୟାନୁଷ୍ଠାନ ନିଆଯିବ,’’ କହିଛନ୍ତି ଜିଲ୍ଲାପାଳ ସମର୍ଥ ବର୍ମା ।

ବିଚ୍ ସ୍ୟାକ୍ସ ପରେ ଏବେ ସ୍ୱର୍ଗଦ୍ୱାରରେ ଜଗନ୍ନାଥଙ୍କ ଜମିରେ ୩ଟି ନୂଆ ମଦ ଦୋକାନ ଖୋଲାଯିବାକୁ ନେଇ ବିରୋଧ


ପୁରୀକୁ ଆଧ୍ୟାତ୍ମିକ ରାଜଧାନୀ କରିବା ପାଇଁ ଜଗଦଗୁରୁ ଶଙ୍କରାଚାର୍ଯ୍ୟଙ୍କ ପ୍ରଚେଷ୍ଟା ଜାରୀ ରହିଥିବା ବେଳେ ସେପଟେ ଶ୍ରୀକ୍ଷେତ୍ରକୁ ଐତିହ୍ୟ ସହର କରିବାକୁ ସ୍ୱପ୍ନ ଦେଖିଛନ୍ତି ମୁଖ୍ୟ ମନ୍ତ୍ରୀ। ହେଲେ କିଛି ପ୍ରଶାସନିକ ଅଧିକାରୀ ଓ କିଛି ଜମି ମାଫିଆଙ୍କ ଚକ୍ରାନ୍ତ ଫଳରେ ନଷ୍ଟ ହେବାକୁ ବସିଛି ଜଗନ୍ନାଥ ସଂସ୍କୃତି ।
Published by: Lipina Das
First published: September 24, 2021, 4:18 PM IST