ହୋମ୍ » ଓଡ଼ିଶା ନ୍ୟୁଜ୍ » ଓଡ଼ିଶା»ସଡ଼କ ଦୁର୍ଘଟଣାରୁ ରକ୍ଷା କରିବ ପ୍ରକଳ୍ପ 'ରକ୍ଷକ'; ୩୦ ହଜାର ଲୋକଙ୍କୁ ଦିଆଯିବ ତାଲିମ

ସଡ଼କ ଦୁର୍ଘଟଣାରୁ ରକ୍ଷା କରିବ ପ୍ରକଳ୍ପ 'ରକ୍ଷକ'; ୩୦ ହଜାର ଲୋକଙ୍କୁ ଦିଆଯିବ ତାଲିମ

ରାଜ୍ୟରେ ଉଦଘାଟିତ ହୋଇଛି ‘ପ୍ରକଳ୍ପ ରକ୍ଷକ’ । ସଡକ ଦୁର୍ଘଟଣାକୁ ରୋକିବା ପାଇଁ ପ୍ରଥମ ଥର ଲାଗି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲମ୍ବା ଅବଧି ଧରି ଏକ ପ୍ରଶିକ୍ଷଣ ଶିବିର ଓ ସଚେତନତା ଆରମ୍ଭ ହୋଇଛି ।

ସଡ଼କ ଦୁର୍ଘଟଣାରୁ ରକ୍ଷା କରିବ ପ୍ରକଳ୍ପ 'ରକ୍ଷକ'; ୩୦ ହଜାର ଲୋକଙ୍କୁ ଦିଆଯିବ ତାଲିମ
ସଡ଼କ ଦୁର୍ଘଟଣା ରୋକିବା ପାଇଁ ପ୍ରକଳ୍ପ ରକ୍ଷକ ଉଦଘାଟିତ ହୋଇଛି (ପ୍ରତୀକାତ୍ମକ ଛବି)
  • News18 Odia
  • Last Updated: November 11, 2021, 6:39 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଉଦଘାଟିତ ହୋଇଛି ‘ପ୍ରକଳ୍ପ ରକ୍ଷକ’ । ଏ ନେଇ ମୁଖ୍ୟମନ୍ତ୍ରୀ ଗତକାଲି ସଂଧ୍ୟାରେ ଉଦଘାଟନ କରିବା ପରେ ଆଜି ଏହାର କର୍ମଶାଳା ଆରମ୍ଭ ହୋଇଛି । ବିଶେଷ କରି ମହାମାରୀ ଠାରୁ ମାହଘାତକ ସାଜୁଥିବା ସଡକ ଦୁର୍ଘଟଣାକୁ ରୋକିବା ପାଇଁ ପ୍ରଥମ ଥର ଲାଗି ରାଜ୍ୟ ପରିବହନ ବିଭାଗ ପକ୍ଷରୁ ଲମ୍ବା ଅବଧି ଧରି ଏକ ପ୍ରଶିକ୍ଷଣ ଶିବିର ଓ ସଚେତନତା ଆରମ୍ଭ ହୋଇଛି ।

କେବଳ ରାଜଧାନୀ ନୁହେଁ ସଡ଼କ ଦୁର୍ଘଟଣାର ଶୀକାର ହେଉଥିବା ବ୍ୟକ୍ତିଙ୍କୁ ତୁରନ୍ତ ସହାୟତା ଓ ଚିକିତ୍ସା ନିମନ୍ତେ ଗଞ୍ଜାମ ଜିଲ୍ଲାରେ ମଧ୍ଯ ‘ରକ୍ଷକ‘ କାର୍ଯ୍ୟକ୍ରମ ଆରମ୍ଭ ହୋଇଛି। ପ୍ରଥମ ଦିନରେ ୪୨ ଜଣ ଜୀବନ ରକ୍ଷାକାରୀଙ୍କୁ ତାଲିମ ଦିଆଯାଇଛି ।

ଆଜି ଭୁବନେଶ୍ବର ରେଡକ୍ରସ୍ ଭବନରେ ବିଭାଗ ପକ୍ଷରୁ ବିଭିନ୍ନ ପ୍ରଶିକ୍ଷିତ ଅଧ୍ୟାପିକା ଓ ଅଧ୍ୟାପିକାଙ୍କୁ ସଡକ ଦୁର୍ଘଟଣା ଦିଗରେ ସଚେତନ ଓ ତାଲିମ୍ ଦିଆଯାଇଛି । ଯାହା ୩୦ ଜିଲ୍ଲାରେ ୩୦ ସପ୍ତାହ ଧରି ୩ଶହ ମାଷ୍ଟର ଟ୍ରେନରଙ୍କ ମାଧ୍ୟମରେ ୩୦ ହଜାର ସ୍ବେଚ୍ଛାସେବୀଙ୍କୁ ତାଲିମ୍ ଦେବାକୁ ଲକ୍ଷ୍ୟ ରଖାଯାଇଛି । ଯେଉଁମାନେ ନିଜ ଜିଲ୍ଲାର ସମ୍ବେଦନଶୀଳ ସ୍ଥାନରେ ଥିବା ହୋଟେଲ, ଢାବା ଓ ଚା’ ବ୍ୟବସାୟୀଙ୍କୁ ସଡକ ରକ୍ଷକ ଭାବେ ତାଲିମ ଦେବେ ।

ତଥ୍ୟ ମୁତାବକ ଦେଶରେ ବର୍ଷକୁ ସଡକ ଦୁର୍ଘଟଣାରେ ଦେଢ ଲକ୍ଷ୍ୟ ଲୋକଙ୍କ ମୃତ୍ୟୁ ହେଉଥିବା ବେଳେ ସାଢେ ୩ ଲକ୍ଷ ଲୋକ ଆହତ ହେଉଛନ୍ତି । ସେହିପରି ଓଡିଶାରେ ବର୍ଷକୁ ୫ ହଜାର ମୃତ୍ୟୁ ହେଉଥିବା ବେଳେ ଦୈନିକ ୧୩ ରୁ୧୫ ଜଣଙ୍କ ମୃତ୍ୟୁ ହେଉଛି । ଯେଉଁଥିରେ ୧୮ ରୁ ୪୫ ବର୍ଷ ବୟସ ମଧ୍ୟରେ ୭୦ ପ୍ରତିଶତ ରହୁଛନ୍ତି । ତେଣୁ ମହାମାରୀର ମୃତ୍ୟୁ ଠାରୁ ଏହି ସଡକ ଦୁର୍ଘଟଣା ଜନିତ ଆକସ୍ମିକ ମୃତ୍ୟୁ ସଂଖ୍ୟା ବଳିଯାଉଛି । ଯାହାକୁ ଦୃଷ୍ଟିରେ ରଖି ଏହାର କାରଣ, ନିରାକରଣ, କୌଶଳ, ଓ ସେଚନତା ସହ ତାଲିମ ପ୍ରଦାନ କରିବାକୁ ରକ୍ଷକ କାର୍ଯ୍ୟକ୍ରମର ଆରମ୍ଭ । ସଡକ ଦୁର୍ଘଟଣାଗ୍ରସ୍ତ ଲୋକଙ୍କୁ ସହାୟତା କରିବା ଲାଗି ଅନେକ ଲୋକେ ଅବଗତ ଥିବା ବେଳେ କାହିଁକି ଓ କିପରି କରିବେ ସେନେଇ ପ୍ରଶିକ୍ଷଣ ଦିଆଯାଇଛି ।

" ଆଜିର ଯେଉଁ କାର୍ଯ୍ୟକ୍ରମ ସେଥିରେ ପୋଲିସର ଦାୟିତ୍ୱ ମୁଖ୍ୟ ରହିଛି। ଏଣୁ ପୋଲିସ କିଭଳି ଭାବରେ ଲୋକଙ୍କୁ ସାହାଯ୍ୟ କରିପାରିବ ଓ ଯେଉଁମାନେ ଆହତ ବ୍ୟକ୍ତିକୁ ସାହାଯ୍ୟ କରିବେ ସେମାନଙ୍କ ଉପରେ ମାମଲା ହେବ ନାହିଁ କି କୋର୍ଟ କଚେରୀ ଥାନା ଯିବାକୁ ହେବ ନାହିଁ ତାହା ହିଁ ବୁଝାଇବା ଆମ ଦାୟିତ୍ୱ। ମୁଖ୍ୟତଃ ୩୩୫ ଟି ବ୍ଲାକ ସ୍ପଟ ଚିହ୍ନଟ କରାଯାଇଛି ସେଠି କିଭଳି ଏହି ଟ୍ରେନି ଦିଆଯିବ ତାର ବ୍ୟବସ୍ଥା କରାଯାଉଛି," କହିଛନ୍ତି ଭୁବନେଶ୍ୱର ଡିସିପି ଉମାଶଙ୍କର ଦାଶ।

ସେହିପରି ଦୁର୍ଘଟଣାଗ୍ରସ୍ତ ଆହତ ତଥା ମୃତକଙ୍କୁ ସେବା ଯୋଗାଇବା କ୍ଷେତ୍ରରେ ଲୋକଙ୍କ ମଧ୍ୟରେ ଉତ୍ସାହ ସୃଷ୍ଟି ପାଇଁ ଥିବା ଆର୍ଥିକ ପ୍ରୋତ୍ସାହନ ରାଶି ବିଷୟରେ ମଧ୍ୟ ସମସ୍ତ ଙ୍କୁ ଅବଗତ କରାଯାଇଛି । ଗୁଡ୍ ସମରିଟାନ୍ ପଲିସି ମୁତାବକ କୌଣସି ଅଚିହ୍ନା ଦୂର୍ଘଟଣା ଗ୍ରସ୍ତ ବ୍ୟକ୍ତିଙ୍କୁ ସାହାଯ୍ୟ କରି ହସ୍ପିଟାଲରେ ପହଞ୍ଚାଇଲେ ତାଙ୍କୁ ୨ ହଜାର ଟଙ୍କା ଆର୍ଥିକ ପୁରସ୍କାର ରହିଛି । ସେହିପରି ହିଟ୍ ଆଣ୍ଡ୍ ରନ୍ ଆକ୍ସିଡେଣ୍ଟ କେସ୍ ରେ ମୃତକଙ୍କ ପରିବାରଙ୍କୁ ୨ ଲକ୍ଷ ଓ ଆହତଙ୍କ ପରିବାରକୁ ୫୦ ହଜାର ଟଙ୍କା ପର୍ଯ୍ୟନ୍ତ ଆର୍ଥିକ ସହାୟତାର ବ୍ୟବସ୍ଥା ରହିଛି । ତେଣୁ ଏହାର ସଦୁପଯୋଗ କରି ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ଦୂର୍ଘଟଣା ହେବାର ପ୍ରଥମ ଘଣ୍ଟା ବା ଗୋଲ୍ଡେନ୍ ଆୱାର ମଧ୍ୟରେ ଜୀବନ ବଞ୍ଚାଇବାକୁ ସମସ୍ତଙ୍କୁ ଅବଗତ କରାଯାଇଛି ।

"ସଡ଼କ ଦୁର୍ଘଟଣାରେ ଦେଖେଣାହାରୀ ବା ଘଟଣା ସ୍ଥଳରେ ଉପସ୍ଥିତ ବ୍ୟକ୍ତିଙ୍କର ମୁଖ୍ୟ ଭୂମିକା ଥାଏ। ଏଣୁ ସେମାନେ କେମିତି ଦୁର୍ଘଟଣା ଗ୍ରସ୍ତ ଲୋକଟିକୁ ବଞ୍ଚାଇ ପାରିବେ ସେଥିପାଇଁ ତାଙ୍କୁ ଟ୍ରେନିଂ ଦିଆଯାଉଛି," କହିଛନ୍ତି ପରିବହନ ବିଭାଗ ଅତିରିକ୍ତ କମିଶନର ଶ୍ରୀନିବାସ ବେହେରା।

ଏହି ପ୍ରଶିକ୍ଷଣ ଡିସେମ୍ବର ସୁଦ୍ଧା ସରିବା ପରେ ପ୍ରଶିକ୍ଷିତ ସେମାନଙ୍କ ନିଜ ଜିଲ୍ଲାର ସମ୍ବେଦନଶୀଳ ସ୍ଥାନ ଓ ଜାତୀୟ ରାଜପଥ କଡ଼ରେ ଥିବା ଢ଼ାବା ଓ ଚା ଦୋକାନ ବ୍ୟବସାୟୀଙ୍କୁ ସଡ଼କ ସୁରକ୍ଷା ନେଇ ସଚେତନ ଓ ତାଲିମ ଦେବେ । ଲମ୍ବା ଅବଧି ଧରି ଏହି କାର୍ଯ୍ୟକ୍ରମକୁ ନେଇ ଲିମକା ବୁକ୍ ଅଫ୍ ରେକର୍ଡରେ ସ୍ଥାନ ଦେବାକୁ ମଧ୍ୟ ଲକ୍ଷ୍ୟ ରହିଛି ।
Published by: Soumya Das
First published: November 11, 2021, 6:12 PM IST