News18 Odia Digital
ଭୁବନେଶ୍ୱର: ରାଜ୍ୟରେ ଥିବା ପାନ୍ଥନିବାସଗୁଡ଼ିକର ଘରୋଇକରଣ କରିବା ପାଇଁ ଚକ୍ରାନ୍ତ ଚାଲିଥିବା ଅଭିଯୋଗ ଆଣିଛି ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଙ୍ଘ । ୨୦୦୩-୦୪ରୁ ରାଜ୍ୟରେ ଥିବା ୨୧ଟି ପାନ୍ଥନିବାସ ଲାଭରେ ଚାଲିଥିବା ବେଳେ ଏହାକୁ ହୋଟେଲ ସଂସ୍ଥା ହାତରେ ଟେକି ଦେବାକୁ ଏକ ହୀନ ଚକ୍ରାନ୍ତ ହେଉଛି ବୋଲି କହିଛି ସଙ୍ଘ ।
ଗତ ତିନି ବର୍ଷ ମଧ୍ୟରେ ପାନ୍ଥନିବାସଗୁଡ଼ିକ ପ୍ରଚୁର ଲାଭ କରିଛନ୍ତି ବୋଲି ଦର୍ଶାଇ ସଙ୍ଘ କହିଛି ଯେ ୨୦୧୭-୧୮ରେ ୩୧ କୋଟି ୨୪ ଲକ୍ଷ ଟଙ୍କା, ୨୦୧୮-୧୯ରେ ୩୯ କୋଟି ୩୯ ଲକ୍ଷ ଟଙ୍କା ଓ ୨୦୧୯-୨୦ରେ କରୋନା ସତ୍ୱେ ୩୩ କୋଟି ୨୬ ଲକ୍ଷ ଟଙ୍କାରୁ ଅଧିକ ଲାଭ କରିଛନ୍ତି ।
‘‘ଯେଉଁ ପାଞ୍ଚୋଟି ପାନ୍ଥନିବାସକୁ ୩୦ ବର୍ଷ ପାଇଁ ଘରୋଇ ସଂସ୍ଥାକୁ ଟେକିଦେବାକୁ ଟେଣ୍ଡର ହୋଇଛି ସେଗୁଡିକ ମଧ୍ୟ ନିୟମିତ ଲାଭ କରିଆସୁଛନ୍ତି । ସେହି ପାଞ୍ଚୋଟି ପାନ୍ଥନିବାସ ଧଉଳି, ତପ୍ତପାଣି, ଗୋପାଳପୁର, ବାଲେଶ୍ୱର ଓ ଭଦ୍ରକରେ ଅଛନ୍ତି । ପାନ୍ଥନିବାସଗୁଡ଼ିକୁ ହୋଟେଲ କମ୍ପାନୀମାନଙ୍କ ଦ୍ୱାରା ପରିଚାଳନା କରାଗଲେ ସେଗୁଡ଼ିକ ନିମ୍ନ ମଧ୍ୟବିତ୍ତ ଓ ମଧ୍ୟବିତ୍ତ ଲୋକଙ୍କ ପାଇଁ ବଜେଟ ବାହାରକୁ ଚାଲିଯିବ,’’ ଏକ ବିବୃତିରେ କହିଛି ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଙ୍ଘ ।

ମୁଖ୍ୟ ମନ୍ତ୍ରୀ, ପର୍ଯ୍ୟଟନ ମନ୍ତ୍ରୀ, ସଚିବ ଓ ଓଟିଡ଼ିସି ଅଧଃକ୍ଷା ଏ ବାବଦରେ ପୁନର୍ବିଚାର ନ କଲେ ସଙ୍ଘ ରାଜରାସ୍ତାକୁ ଓହ୍ଲାଇବ ବୋଲି କହିଛି । ସଙ୍ଘର କର୍ମକର୍ତ୍ତାମାନେ ମୁଖ୍ୟ ମନ୍ତ୍ରୀଙ୍କ ବାସଭବନ ସମ୍ମୁଖରେ ଆତ୍ମାହୁତି ଦେବେ ବୋଲି ବି ଚେତାବନୀ ଦେଇଛନ୍ତି ।
ଏକ ସାମ୍ବାଦିକ ସମ୍ମିଳନୀ କରି ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଙ୍ଘ କହିଛି ଯେ ଲୋକଙ୍କୁ ସୁଲଭ ମୂଲ୍ୟରେ ଭରସାଯୋଗ୍ୟ ଆତିଥ୍ୟ ସେବା ଯୋଗାଇଦେବା ଉଦ୍ଦେଶ୍ୟରେ ସରକାର ପାନ୍ଥନିବାସ ପରିକଳ୍ପନା କରିଥିଲେ । ଅବସର ବିନୋଦନ ନିମନ୍ତେ ପାନ୍ଥନିବାସ ନିମ୍ନ ମଧ୍ୟବିତ୍ତ ପରିବାରଙ୍କ ପ୍ରଥମ ପସନ୍ଦ ରହିଆସିଛି ।

ସାମ୍ବାଦିକ ସମ୍ମିଳନୀରେ ଉତ୍କଳ ପର୍ଯ୍ୟଟନ ନିଗମ କର୍ମଚାରୀ ସଙ୍ଘର କର୍ମକର୍ତ୍ତାମାନେ
‘‘୨୦୦୩-୦୪ରୁ ରାଜ୍ୟର ସମସ୍ତ ପାନ୍ଥ ନିବାସ ଲାଭରେ ଚାଲିଛି । ପାନ୍ଥନିବାସ ପରିଚାଳନା କରୁଥିବା ଓଡିଶା ପର୍ଯ୍ୟଟନ ନିଗମ (ଓ.ଟି.ଡି.ସି.) ସରକାରଙ୍କୁ ୨୦୧୮-୧୯ ବର୍ଷରେ ୨ କୋଟି ଟଙ୍କା ଲାଭାଂଶ ପ୍ରଦାନ କରିଛି । ଏସବୁ ସତ୍ତ୍ବେ ପର୍ୟ୍ୟଟନ ବିଭାଗର ଅଧିକାରୀଙ୍କ ଖାମଖିଆଲି ଓ ମନୋମୁଖୀ ନିଷ୍ପତ୍ତି ଠୋଗୁଁ ପାଞ୍ଚଟି ପାନ୍ଥନିବାସକୁ ହୋଟେଲ ହାତରେ ଟେକିଦେବାର ମସୁଧା ଚାଲିଛି । କେବଳ ୫ଟି ନୁହେଁ, ୨୧ଟି ପାନ୍ଥନିବାସକୁ ହୋଟେଲକୁ ଦେବା ପାଇଁ ଚକ୍ରାନ୍ତ ଚାଲିଛି,’’ କର୍ମଚାରୀ ସଙ୍ଘ ଅଭିଯୋଗ କରିଛି ।
୧୯୯୯-୨୦୦୦ ମସିହା ଠାରୁ ପାନ୍ଥନିବାସଗୁଡ଼ିକ ସରକାରଙ୍କ ଠାରୁ କୌଣସି ଇକ୍ୟୁଟି ସେୟାର ନ ପାଇ ବି ଲାଭ କରି ଆସିଛନ୍ତି ବୋଲି ସଙ୍ଘ କହିଛି । ୨୦୧୭-୧୮ରେ ୨୧ଟି ପାନ୍ଥନିବାସରେ କାରବାର ୩୧ କୋଟି ୨୪ ଲକ୍ଷ ଟଙ୍କା ହୋଇଥିବା ବେଳେ ୨୦୧୮-୧୯ରେ ଏହା ୩୯ କୋଟି ୩୯ ଲକ୍ଷ ଟଙ୍କାରେ ପହଞ୍ଚିଛି ବୋଲି କର୍ମଚାରୀ ସଙ୍ଘର ସଭାପତି ବେଣୁ ଧର ପାତ୍ର କହିଛନ୍ତି । ସରକାର ହୋଟେଲ ହାତକୁ ଟେକିବାକୁ ଉଦ୍ୟମ କରୁଥିବା ପାଞ୍ଚଟି ପାନ୍ଥ ନିବାସ ବି ଲାଭରେ ଚାଲିଛି ।
ଏହା ବି ପଢ଼ନ୍ତୁ | ଦୁଇ ଯୁବତୀଙ୍କ ମଧ୍ୟରେ ପ୍ରେମ ହେଲା; କୋର୍ଟରେ ଗୁପ୍ତ ଭାବରେ ଦୁହେଁ ବିବାହ କଲେଏହା ବି ପଢ଼ନ୍ତୁ | ବଲିଉଡ୍ ଅଭିନେତା ଅକ୍ଷୟ କୁମାର କହିଛନ୍ତି ଯେ ସେ ପ୍ରତି ଦିନ ଗୋ ମୂତ୍ର ପିଅନ୍ତିପାନ୍ଥନିବାସ ଘରୋଇକରଣକୁ ନେଇ ବିଜେପି ମୁଖପାତ୍ର ଗୋଲକ ମହାପାତ୍ର କହିଛନ୍ତି, ‘‘ପାନ୍ଥନିବାସ ବିକ୍ରି ପାଇଁ ରାଜ୍ୟ ସରକାରଙ୍କ ଏହା ଏକ ଚକ୍ରାନ୍ତ ଓ ପୂର୍ବ-ପ୍ରସ୍ତୁତ ପରିକଳ୍ପନା, ଯାହା ଦ୍ୱାରା ଲାଭରେ ଚାଲୁଥିବା ସଂସ୍ଥା ଶାଗ ମାଛ ଦରରେ ଲୋକଙ୍କ ହାତକୁ ଟେକା ହୋଇଯିବ । ରାଜ୍ୟ ସରକାର ଏଥିରୁ କ୍ଷାନ୍ତ ହେବା ଦରକାର । ଯଦି ଏହାର ଘରୋଇକରଣ କରାଯାଉଛି ତେବେ ଏହାର ମୋଡାଲିଟି କଣ ହେବ? କର୍ମଚାରୀଙ୍କ ଚାକିରିର ସ୍ଥିରତା ଉପରେ ବି ଚିନ୍ତା କରିବା ଦରକାର । ଆମକୁ ଅନୁଭବ ହେଉଛି ଯେ ସରକାର ଏକ ପୂର୍ବ-ପ୍ରସ୍ତୁତ ଯୋଜନା ଅନୁସାରେ ଓଟିଡ଼ିସି ଜମିକୁ ବିକ୍ରି କରିବା ପାଇଁ ଚକ୍ରାନ୍ତ କରୁଛନ୍ତି । ସରକାର ଏଥିରୁ ନିବୃତ ରହିବା ଦରକାର ।’’
କର୍ମଚାରୀ ସଙ୍ଘର ଅଭିଯୋଗ ଉପରେ ପ୍ରତିକ୍ରିୟା ରଖିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ । ‘‘ଅନୁଧ୍ୟାନ କରାଯାଇ ଯାହା ପଦକ୍ଷେପ ନିଆଯିବା କଥା ଠିକ୍ ସମୟରେ ନିଆଯିବ । କୌଣସି କର୍ମଚାରୀଙ୍କ କିଛି ବି ଅସୁବିଧା ହେବ ନାହିଁ । ସବୁ କର୍ମଚାରୀଙ୍କ ଚାକିରୀ ସମ୍ପୂର୍ଣ ସୁରକ୍ଷିତ,’’ କହିଛନ୍ତି ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପ୍ରକାଶ ପାଣିଗ୍ରାହୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।