ଖେଳ ପଡ଼ିଆଟେ ପାଇଁ ହୀନସ୍ତା ହେଉଛନ୍ତି ଖେଳାଳୀ; ନିୟମିତ ଅଭ୍ୟାସ ପାଇଁ ସହରର ରାସ୍ତା ହିଁ ଭରସା

ଅନେକ ନୂଆ ନୂଆ ଆଥଲେଟିକସ୍ ନିଜ କ୍ୟାରିୟର କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସତ ହେଲେ ସେମାନଙ୍କ ପାଇଁ ଅଭ୍ୟାସ ନିମନ୍ତେ କୌଣସି ପଡ଼ିଆ ବା ସୁବିଧା ନାହିଁ ।

ଖେଳ ପଡ଼ିଆଟେ ପାଇଁ ହୀନସ୍ତା ହେଉଛନ୍ତି ଖେଳାଳୀ; ନିୟମିତ ଅଭ୍ୟାସ ପାଇଁ ସହରର ରାସ୍ତା ହିଁ ଭରସା

ଖେଳ ପଡ଼ିଆଟେ ପାଇଁ ହୀନସ୍ତା ହେଉଛନ୍ତି ଖେଳାଳୀ; ନିୟମିତ ଅଭ୍ୟାସ ପାଇଁ ସହରର ରାସ୍ତା ହିଁ ଭରସା

  • News18 Odia
  • Last Updated :
  • Share this:
News 18 Odia Digital

ବାଲେଶ୍ୱର; ଖେଳ ପଡିଆଟେ ପାଇଁ ହୀନସ୍ତା ହେଉଛନ୍ତି ଖେଳାଳୀ । ନିୟମିତ ଅଭ୍ୟାସ ପାଇଁ ସହରର ରାସ୍ତା ହିଁ ଭରସା । ଖେଳ ଦୁନିଆରୁ ଓହରିଯାଉଛନ୍ତି ଖେଳାଳୀ । ଅଭ୍ୟାସ ପାଇଁ ୩ ବର୍ଷ ହେଲା ପଡ଼ିଆ ପାଉନାହାନ୍ତି । ଭିତ୍ତିଭୂମି ଅଭାବରୁ ଖେଳରୁ ଛିନ୍ନ ହେଉଛନ୍ତି ଦକ୍ଷ ଖେଳାଳୀ । ଖେଳ ପଡ଼ିଆକୁ ଖେଳାଳିଙ୍କୁ ମନା । ଜାତୀୟ ତଥା ଆନ୍ତର୍ଜାତୀୟ ସ୍ତରରେ ପଦକ ହାସଲ କରିଥିବା ଆଥଲେଟିକସ୍ ମାନେ ଏକପ୍ରକାର ନିରାଶ ହେବାକୁ ବସିଲେଣି । ଯାହାକୁ ନେଇ ସେମାନଙ୍କ ଭିତରେ ଅସନ୍ତୋଷ ଦେଖାଦେଇଛି ।



ଅନେକ ସମୟରେ ଖେଳପଡ଼ିଆ ବା ସ୍ୱତନ୍ତ୍ର ପଡ଼ିଆ ବ୍ୟବସ୍ଥା ପାଇଁ  ଜିଲ୍ଲାପାଳ ଏବଂ ଏସପିଙ୍କୁ ଜଣାଇଥିଲେ ମଧ୍ୟ ବର୍ତ୍ତମାନ ସୁଦ୍ଧା କୌଣସି ବିକଳ୍ପ ବ୍ୟବସ୍ଥା ବାହାରିନାହିଁ । କେତେବେଳେ କାହାର ବ୍ୟକ୍ତିଗତ ପଡ଼ିଆ ତ କେତେବେଳେ ସଡ଼କରେ କରୁଛନ୍ତି ଅଭ୍ୟାସ । ଯାହାକି ସେମାନଙ୍କ ପାଇଁ ସୁରକ୍ଷିତ ନଥିବା ପ୍ରକାଶ କରିଛନ୍ତି । ଅନେକ ନୂଆ ନୂଆ ଆଥଲେଟିକସ୍ ନିଜ କ୍ୟାରିୟର କରିବାକୁ ଇଚ୍ଛା ପ୍ରକାଶ କରୁଛନ୍ତି ସତ ହେଲେ ସେମାନଙ୍କ ପାଇଁ ଅଭ୍ୟାସ ନିମନ୍ତେ କୌଣସି ପଡ଼ିଆ ବା ସୁବିଧା ନାହିଁ । କରୋନା ପୂର୍ବରୁ ଆଥଲେଟିକସ୍ ବା ଖେଳାଳୀମାନେ ପରମିଟ୍ ପଡିଆରେ ଅଭ୍ୟାସ କରୁଥିଲେ । କରୋନା ସମୟରେ ଉକ୍ତ ପଡ଼ିଆକୁ ସମ୍ପୂର୍ଣ୍ଣ ବନ୍ଦ କରାଗଲା । ପରେ ଆଉ ଖେଳାଳୀଙ୍କୁ ଅଭ୍ୟାସ ପାଇଁ ଅନୁମତି ମିଳିଲା ନାହିଁ । ସେହିପରି ପୋଲିସ ଲାଇନ୍ ପଡ଼ିଆରେ ସକାଳୁ ମଧ୍ୟ ସମସ୍ତେ ଚାଲିବା ସହ ଖେଳାଳୀମାନେ ଅଭ୍ୟାସ କରୁଥିଲେ । ମାତ୍ର ତାହା ମଧ୍ୟ ବନ୍ଦ କରିଦିଆଯାଇଛି । କାରଣ ଉକ୍ତ ପଡ଼ିଆଟି ପୋଲିସ ବିଭାଗର ପଡ଼ିଆ ହୋଇଥିବାରୁ ସେଠାକୁ ଯିବାରେ ବାରଣ କରାଗଲା । ପୁଣି କେତେବେଳେ ସୁଯୋଗ ମିଳୁଛି ତ ପୁଣି କିଛି ଦିନ ବନ୍ଦ ରହୁଛି । ଫଳରେ ଖେଳାଳୀମାନେ ନିୟମିତ ଅଭ୍ୟାସ ପାଇଁ ଖଣ୍ଡେ ପଡିଆ ପାଉନାହାନ୍ତି ।

କରୋନା ପୂର୍ବରୁ ପରମିଟ୍ ପଡ଼ିଆରେ ଆମେ ଅଭ୍ୟାସ କରୁଥିଲୁ । ପରମିଟ ପଡ଼ିଆ କେବଳ କ୍ରିକେଟ ଖେଳ ପାଇଁ ଅନୁମତି ଦେଲେ । ଆମକୁ ଖେଳ ପାଇଁ ଅନୁମତି ଆଉ ମିଳିଲାନି । ଚାବି ପଡ଼ିକି ରହିଲା । ସକାଳୁ ଆମକୁ ଦୁଇ ଘଣ୍ଟା ମିଳିଲେ ବି ଆମେ ସେଠାରେ ଅଭ୍ୟାସ କରିପାରନ୍ତୁ । ତାପରେ ପୋଲିସ ଲାଇନ୍ ପଡ଼ିଆରେ ଦିନେ ସୁଯୋଗ ମିଳୁଛି ତ ପୁଣି ଅଧେ ଦିନ ବନ୍ଦ । ପୋଲିସ ବିଭାଗର କିଛି କାର୍ଯ୍ୟକ୍ରମ ଥିଲେ ଆଉ ଅନୁମତି ମିଳେ ନାହିଁ । ବାଧ୍ୟହୋଇ ରାସ୍ତାରେ ଅଭ୍ୟାସ କରୁଛୁ । ଆମକୁ ଗୋଟେ ସ୍ୱତନ୍ତ୍ର ପଡ଼ିଆ କିମ୍ବା ଯେଉଁ ପଡ଼ିଆ ଅଛି ସେଠାରେ କିଛି ସମୟ ଅଭ୍ୟାସ ପାଇଁ ଦେଲେ ଖେଳରେ ଆହୁରି ଭଲ ପୋଜିସନ୍ ଆଣିପାରନ୍ତୁ । ଏହାବାଦେ ବହୁତ ପିଲା ଅଛନ୍ତି ଯେଉଁମାନେ ମୋତେ ଦେଖି ଆଥଲେଟିକସ୍ ପାଇଁ ଆଗ୍ରହ ପ୍ରକାଶ କରିଛନ୍ତି । ମୁଁ ସେମାନଙ୍କୁ ଟ୍ରେନିଂ ଦେବାକୁ ଚାହୁଁଛି । କାରଣ ସେମାନେ ଖେଳିବାକୁ ଯିବାକୁ ଇଚ୍ଛା କରୁଛନ୍ତି ହେଲେ ଖେଳ ଅଭ୍ୟାସ ପାଇଁ ନାହିଁ ଜାଗା ବା ଗ୍ରାଉଣ୍ଡ । ତେଣୁ ଏ ଦିଗରେ ଜିଲ୍ଲାପାଳ ଏବଂ ନେତା ତଥା ଜନପ୍ରତିନିଧି ଯଦି କିଛି ପଦକ୍ଷେପ ନିଅନ୍ତେ ତେବେ ଆମ ପାଇଁ ଭଲ ଗ୍ରାଉଣ୍ଡ ହୋଇପାରନ୍ତା ବୋଲି ବବିତା ପଣ୍ଡା କହିଛନ୍ତି । "

ସେହିପରି ଆଥଲେଟିକସ୍ ସୁଜିତ କୁମାର ମୁଖର୍ଜୀ କହିଛନ୍ତି,'ବାଲେଶ୍ଵରରେ ଆଥଲେଟିକସ୍ ମାନଙ୍କ ପାଇଁ ଅନ୍ୟାୟ ହେଉଛି । କାରଣ ଆମମାନଙ୍କ ପାଇଁ ଏକ ପଡିଆ ନାହିଁ । ଆମେ ରାସ୍ତା ନହେଲେ କୌଣସି ବିଭାଗର ପଡ଼ିଆରେ ଅଭ୍ୟାସ କରୁଛୁ । ଯାହାବି ପଡ଼ିଆ ଅଛି ସେଇଟା ସେମାନଙ୍କ ଇଚ୍ଛାରେ ଖୋଲା ବନ୍ଦ କରୁଛନ୍ତି । ପଡ଼ିଆକୁ ଯିବାକୁ ଆମକୁ ଅନୁମତି ମିଳୁନି । ଆମର ନିଜ ପାଇଁ ପଡ଼ିଆ ନାହିଁ ଭାରି ଦୁର୍ଭାଗ୍ୟର ବିଷୟ । କରୋନା ସମୟରେ ବନ୍ଦ ରହିଥିଲା ଠିକ ଅଛି ହେଲେ ବର୍ତ୍ତମାନ ସମୟରେ କାହିଁକି ବନ୍ଦ ରହିଛି ଜାଣିହେଉନି । ବାଲେଶ୍ଵର ଜିଲ୍ଲାରେ ସ୍ପୋର୍ଟସ୍ ପ୍ରତି କାହାରି ପକ୍ଷରୁ ପ୍ରୋତ୍ସାହନ ନରହିବା ଏକ ଦୁଃଖର କଥା । ଅଭ୍ୟାସ କରିବା ପାଇଁ ପଡ଼ିଆ ନପାଇବା ଯୋଗୁଁ ଭଲ ଭଲ ପିଲା ଏଥିରୁ ଛିନ୍ନ ହୋଇଗଲେଣି । ବାଲେଶ୍ଵରରେ ବହୁତ କ୍ରୀଡାବିତ ଅଛନ୍ତି ହେଲେ ଅଭ୍ୟାସ ପାଇଁ ନାହିଁ ଭିତ୍ତିଭୂମି'। "

ଏନେଇ ବିଧାୟକ ସ୍ୱରୂପ କୁମାର ଦାସଙ୍କୁ ପଚାରିବାରୁ କହିଥିଲେ,'କିଛି ମାସ ପୂର୍ବରୁ ପଡ଼ିଆ ସମସ୍ୟା ନେଇ ମୋ ପାଖକୁ କିଛି ଖେଳାଳୀ ଆସିଥିଲେ । ସେମାନଙ୍କ ପାଇଁ ମୁଁ ଏସପିଙ୍କ ସହିତ କଥା ହୋଇ ପୋଲିସ ପଡିଆକୁ ଅନୁମତି କରାଇଥିଲି । ଯଦି ଏବେ ପୁଣି ସମସ୍ୟା ହେଉଛି ତେବେ ମୁଁ ଏଦିଗରେ ଆଲୋଚନା କରିବି । ଏହାବାଦେ ଜିଲ୍ଲା ସ୍କୁଲ ପଡ଼ିଆ ବର୍ଷା ପରେ କାମ ଆରମ୍ଭ ହେବ । ସେଠାରେ ଆଥଲେଟିକସ୍ ମାନଙ୍କ ପାଇଁ ଟ୍ରାକ୍ ରହିବ । ଯାହା ଦ୍ୱାରା ସେମାନେ ଅଭ୍ୟାସ କରିପାରିବେ'। "

ଜିଲ୍ଲା କ୍ରୀଡା ଅଧିକାରୀ ପୂର୍ଣ୍ଣ ଚନ୍ଦ୍ର ଜେନା କହିଛନ୍ତି,'ପୋଲିସ ପଡ଼ିଆ ସର୍ବସାଧାରଣଙ୍କ ଚାଲିବା ପାଇଁ ଅନୁମତି ନଥିଲେ ବି ଖେଳାଳୀଙ୍କ ଅଭ୍ୟାସ ପାଇଁ ଅନୁମତି ରହିଛି । ସେଇଟା କେବଳ ପୋଲିସ ବିଭାଗ ପାଇଁ ନୁହେଁ ଖେଳ ପାଇଁ ମଧ୍ୟ । ତେଣୁ ଖେଳାଳୀମାନେ ସେଠାରେ ଅଭ୍ୟାସ କରିପାରିବେ । ଏହାବ୍ୟତୀତ ପରମିଟ୍ ପଡିଆ କାମ ସରିଲା ପରେ ସେଠାରେ ମଧ୍ୟ ଖେଳାଳୀମାନେ ଖେଳ ଅଭ୍ୟାସ କରିପାରିବେ । ଯେଉଁମାନେ ଖେଳକୁ ନେଇ ସ୍ୱପ୍ନ ଦେଖିଛନ୍ତି ସେମାନଙ୍କ ପାଇଁ ସୁଯୋଗ ଅଛି । "
Published by:Soubhagya Mishra
First published: