ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ରତ୍ନ ସିଂହାସନ ସାମନାରୁ କୁଆଡ଼େ ଗଲା ପଦ୍ମ ପାଖୁଡ଼ା? ତଦନ୍ତ ଚାଲିଛି

ରତ୍ନ ସିଂହାସନରୁ ପଦ୍ମ ପାଖୁଡ଼ା ଭାଙ୍ଗିଥିବା ଓ ସେହି ସ୍ଥାନରେ ସିମେଣ୍ଟ ଲଗାଇ କଳା ବୋଳାଯାଇଥିବା ଅଭିଯୋଗ ସତ ବୋଲି ପ୍ରାଥମିକ ନିରୀକ୍ଷଣରୁ ସ୍ପଷ୍ଟ ହୋଇଛି । ଏ.ଏସ.ଆଇ. ଠାରୁ ରତ୍ନ ସିଂହାସନର ପୁରୁଣା ଫଟୋ ମଗାଯାଇଛି ।

ପୁରୀ ଶ୍ରୀମନ୍ଦିରରେ ଜଗନ୍ନାଥଙ୍କ ରତ୍ନ ସିଂହାସନ ସାମନାରୁ କୁଆଡ଼େ ଗଲା ପଦ୍ମ ପାଖୁଡ଼ା? ତଦନ୍ତ ଚାଲିଛି
ଶ୍ରୀମନ୍ଦିରର ସିଂହଦ୍ୱାର
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ପୁରୀ: ଶ୍ରୀମନ୍ଦିରର କଳାମୁଗୁନି ପଥରରେ ନିର୍ମିତ ରତ୍ନ ସିଂହାସନରେ ଯେଉଁଠି ମହାପ୍ରଭୁ ଜଗନ୍ନାଥ ଓ ସୁଦର୍ଶନ ବସିଛନ୍ତି ତା’ ସମ୍ମୁଖ ଭାଗରେ ପଥରରେ ଖୋଦେଇ ହୋଇ ରହିଥିବା ପଦ୍ମ ପାଖୁଡ଼ାରୁ ଦେଢଟି ପାଖୁଡ଼ା ଭାଙ୍ଗି ଯାଇଛି । ସେ ପଥର ତିଆରି ପାଖୁଡ଼ାକୁ କେହି ନେଇଯାଇ ସେହି ଜାଗାରେ ସିମେଣ୍ଟ ମାରି କଳା ରଙ୍ଗ ବୋଳି ଦେଇଛି । ସେହି ପଥର କୁଆଡ଼େ ଗାଏବ ହେଲା ସେ ନେଇ ତଦନ୍ତ କରିବା ପାଇଁ ଦାବୀ କରିଛନ୍ତି ଜଣେ ଯୁବ ସେବାୟତ ।

ଶ୍ରୀମନ୍ଦିରର ମୁଖ୍ୟ ପ୍ରଶାସକ ଏହି ଘଟଣାକୁ ଗୁରୁତ୍ୱ ଦେଇ ତଦନ୍ତ ପାଇଁ ଦେଇଛନ୍ତି  । ପ୍ରାଥମିକ ପର୍ଯ୍ୟାୟ ତଦନ୍ତରେ ସେହି ପଥର ନ ଥିବା ସ୍ପଷ୍ଟ ହୋଇଛି ବୋଲି କହିଛନ୍ତି ତଦନ୍ତ କରିଥିବା ସେବାୟତମାନେ ।

ନିଳାଦ୍ରି ବିଜେ ସରିବା ପରେ ମହାପ୍ରଭୁଙ୍କର ରତ୍ନ ସିଂହାସନରେ ଦର୍ଶନ ଆରମ୍ଭ ହୋଇଥିଲା । ତା’ ଦୁଇ ଦିନ ପରେ ଯୁବ ଗରାବଡ଼ୁ ତଥା ପ୍ରତିହାରୀ ସେବାୟତ ଇପସିତ୍ ପ୍ରତିହାରୀଙ୍କର ପାଳି ଥିଲା  । ସେ କହିଛନ୍ତି ଯେ ଯେତେବେଳେ ସିଂହାସନ ପାଖରେ ନୀତି ଚାଲିଥିଲା ସେ ଦେଖିଲି ହଜାର ହଜାର ବର୍ଷ ପୁରୁଣା ଦୁର୍ମୁଲ୍ୟ କଳାମୁଗୁନି ପଥରରେ ନିର୍ମିତ ହୋଇଥିବା ମହାପ୍ରଭୁଙ୍କ ରତ୍ନ ସିଂହାସନରେ ପଥରରେ କ୍ଷତ ହୋଇଛି ଓ ମହାପ୍ରଭୁ ଜଗନ୍ନାଥ ଓ ସୁଦର୍ଶନଙ୍କ ସମ୍ମୁଖରେ ଥିବା ପଥରରେ ପଦ୍ମ ପାଖୁଡାର ଦେଢ଼ଟି ପାଖୁଡା ଭାଙ୍ଗି ଯାଇଛି । ଆଉ ତା’ ଜାଗାରେ କେହି ନ ଜାଣିବା ଭଳି ସିମେଣ୍ଟ ଲଗାଇ କଳା ବୋଳି କାମଚଳା କରିଦିଆଯାଇଛି  ।

ପ୍ରଶାସନ ଦ୍ୱାରା ଗଠିତ ଏକ କମିଟି ଶ୍ରୀମନ୍ଦିର ଯାଇ ସ୍ଥିତିର ଅନୁଧ୍ୟାନ କରୁଛନ୍ତି ।


‘‘ଏହି ଘଟଣା ଅନ୍ୟ ସେବାୟତଙ୍କ ଦୃଷ୍ଟିକୁ ଆଣିବା ପରେ ସମସ୍ତେ ଅସନ୍ତୋଷ ବ୍ୟକ୍ତ କରିଥିଲେ । ଘଟଣାକୁ ମୁଖ୍ୟ ପ୍ରଶାସକଙ୍କୁ ଜଣାଇବାକୁ କହିଥିଲେ  । ଶ୍ରୀମନ୍ଦିର ରକ୍ଷଣାବେକ୍ଷଣ ଦାୟିତ୍ୱ ନେଇଥିବା ଭାରତୀୟ ପ୍ରତ୍ନତତ୍ତ୍ୱ ସର୍ବେକ୍ଷଣ ସଂସ୍ଥା ବା ଏଏସଆଇ ପ୍ରତି ବର୍ଷ ରଥଯାତ୍ରା ସମୟରେ ୧୩ ଦିନ ଶ୍ରୀମନ୍ଦିରର ଗର୍ଭଗୃହ ଯାଞ୍ଚ ଓ ମରାମତି କରିଥାଏ । ଏବେ ସେହି କାର୍ଯ୍ୟ ସରିଥିବା ବେଳେ ପଥର ଭଙ୍ଗାକୁ ନେଇ ସେମାନଙ୍କ ଉପରେ ସନ୍ଦେହ ପ୍ରକଟ ହୋଇଛି । ପୂର୍ବରୁ ମଧ୍ୟ ଏଏସଆଇ ନାଁରେ ଶ୍ରୀମନ୍ଦିର ଆର୍ଥିଂ ତାର ଓ ପ୍ଲେଟ, ଗଣେଷ ମୂର୍ତ୍ତି ଆଦି ନେଇଯାଇଥିବାର ଅଭିଯୋଗ ରହିଛି । ତେଣୁ ଏହି ଘଟଣାର ପୁଙ୍ଖାନୁପୁଙ୍ଖ ତଦନ୍ତ କରିବା ପାଇଁ ଜିଲାପାଳଙ୍କ ଠାରେ ଦାବି କରାଯାଇଥିଲା । ସେ ମୋ’ ସହ ଆଲୋଚନା କରି ସବୁ ଜାଣିବା ପରେ ତଦନ୍ତ କରାଯିବ ବୋଲି କହିଛନ୍ତି,’’ କହିଛନ୍ତି ଗରାବଡୁ ସେବାୟତ ଇପସିତ୍ ପ୍ରତିହାରୀ ।

ଶ୍ରୀମନ୍ଦିର ମୁଖ୍ୟ ପ୍ରଶାସକ କ୍ରୀଷନ କୁମାର କହିଛନ୍ତି ଯେ ଶ୍ରୀମନ୍ଦିର ପରିଚାଳନା କମିଟି ଓ ଛତିଶା ନିଯୋଗକୁ ନେଇ ହୋଇଥିବା ସମନ୍ୱୟ ବୈଠକରେ ଏ ନେଇ ଆଲୋଚନା ହୋଇଛି । ‘‘ଶ୍ରୀମନ୍ଦିର ଭିତରକୁ ଯାଇ ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟଗଣ ଓ ଶ୍ରୀମନ୍ଦିର ପ୍ରଶାସନର ବୈଷୟିକ ଯନ୍ତ୍ରୀ ସ୍ଥିତିର ଅନୁଧ୍ୟାନ କରିବା ପାଇଁ ଏକ କମିଟି କରାଯାଇଛି  । ସେମାନେ ଶ୍ରୀମନ୍ଦିର ଯାଇ ସ୍ଥିତିର ଅନୁଧ୍ୟାନ କରୁଛନ୍ତି  । ତେଣୁ ଯଦି ତୃଟି ପରିଲକ୍ଷିତ ହେଇଥିବ ନିହାତି କାର୍ଯ୍ୟାନୁଷ୍ଠାନ ନିଆଯିବ,’’ ସେ କହିଛନ୍ତି   ।

ରତ୍ନ ସିଂହାସନରୁ ପଦ୍ମ ପାଖୁଡା ଭାଙ୍ଗିଥିବା ଘଟଣା ସତ ବୋଲି କହିଛନ୍ତି ଶ୍ରୀମନ୍ଦିର ପରିଚାଳନା କମିଟି ସଦସ୍ୟ ମାଧବ ମହାପାତ୍ର । ‘‘ଆମେ କମିଟି ସଦସ୍ୟ ଓ ଶ୍ରୀମନ୍ଦିରର ବୈଷୟିକ ଯନ୍ତ୍ରୀ ଦୁଇ ଦିନ ଧରି ରତ୍ନ ସିଂହାସନର ସେହି ଅଂଶକୁ ଅନୁଧ୍ୟାନ କରିଛୁ । ସେହି ସ୍ଥାନରେ ସିମେଣ୍ଟ ଲଗାଇ କଳା ବୋଳାଯାଇଛି । ହେଲେ କେବେ ଭାଙ୍ଗି ଥିଲା ସେ ନେଇ ତଦନ୍ତ ଚାଲିଛି । ତେଣୁ ଏଏସଆଇ ଠାରୁ ରତ୍ନ ସିଂହାସନର ପୁରୁଣା ଫଟୋ ମଗାଯାଇଛି । ଆଉ ବର୍ତ୍ତମାନର ଫଟୋ ମଧ୍ୟ ଉତ୍ତୋଳନ ହୋଇଛି । ଏହି ଘଟଣାର ନିରପେକ୍ଷ ତଦନ୍ତ କରାଯିବ । ଆଉ ପୁରୁଣା ଫଟୋ ମିଳିଲେ ସମସ୍ତ ତଥ୍ୟ ମିଳିବ,’’ କହିଛନ୍ତି ମହାପାତ୍ର ।

ଏହା ବି ପଢ଼ନ୍ତୁ: ପଶ୍ଚିମ ବଙ୍ଗରେ ବିଜେପି MLAଙ୍କ ଝୁଲନ୍ତା ଶବ ଏକ ଦୋକାନ ସାମନାରେ ମିଳିଲା; ହତ୍ୟା ଅଭିଯୋଗ ଆସୁଛି

ଏହା ବି ପଢ଼ନ୍ତୁ: ରାଜସ୍ଥାନରେ ରାଜନୈତିକ ସଙ୍କଟ: ଅଶୋକ ଗେହଲୋତ କହିଲେ ସରକାରଙ୍କ ପାଖରେ ସଂଖ୍ୟା ବଳ ଅଛି

ରତ୍ନ ସିଂହାସନରୁ ଏ ଭଳି ପଥର ଭାଙ୍ଗିବା ଓ ସେ ସମ୍ପର୍କରେ କାହା ପାଖରେ ତଥ୍ୟ ନ ରହିବା ଘଟଣାକୁ ବିବାଦୀୟ କରିଛି । ତଦନ୍ତ ପରେ କଣ ସ୍ପଷ୍ଟ ହେଉଛି ତା’ ଉପରେ ସବୁ ଜଗନ୍ନାଥପ୍ରେମୀଙ୍କ ନଜର ରହିଛି ।
Published by: Anand Shankar Thankur Das
First published: July 13, 2020, 9:31 PM IST
corona virus btn
corona virus btn
Loading