ଏକତରଫା ପ୍ରେମ ଚ଼େଷ୍ଟାରେ ବିଫଳ ହୋଇ ଛାତ୍ରୀଙ୍କ ଗଳା କାଟିଲେ ଘରୋଇ ଟିଉସନ ମାଷ୍ଟର

ବାରମ୍ବାର ପ୍ରେମ ନିବେଦନ ସତ୍ୱେ +୨ ଶ୍ରେଣୀର ଛାତ୍ରୀ ଟିଉସନ ସାରଙ୍କ ପ୍ରେମ ସ୍ୱୀକାର କରୁ ନ ଥିବାରୁ ସେ ଏଭଳି ପାଶବିକ କାଣ୍ଡ କରିଛି ବୋଲି ଛାତ୍ରୀଙ୍କ ପରିବାର ପୋଲିସକୁ କହିଛି । ୨୫-ବର୍ଷୀୟ ଟିଉସନ ମାଷ୍ଟର ଘଟଣା ପରେ ଫେରାର ହେଇଯାଇଛି ।

ଏକତରଫା ପ୍ରେମ ଚ଼େଷ୍ଟାରେ ବିଫଳ ହୋଇ ଛାତ୍ରୀଙ୍କ ଗଳା କାଟିଲେ ଘରୋଇ ଟିଉସନ ମାଷ୍ଟର
ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍ପିଟାଲରେ ଚିକିତ୍ସିତ ହେଉଛନ୍ତି ଛାତ୍ରୀ ।
  • News18 Odia
  • Last Updated: January 3, 2020, 1:22 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ବାଲେଶ୍ବର: ଏକତରଫା ପ୍ରେମ ନିବେଦନ କରି ବିଫଳ ହେବାରୁ ଜଣେ ନାବାଳିକା ଛାତ୍ରୀଙ୍କ ସମ୍ପର୍କୀୟ ଘରୋଇ ଟିଉସନ ମାଷ୍ଟର ତାଙ୍କ ଗଳା କାଟି ହତ୍ୟା ଉଦ୍ଯମ କରିଛନ୍ତି । ବାରମ୍ବାର ପ୍ରେମ ନିବେଦନ ପରେ ଛାତ୍ରୀ ସାରଙ୍କ ପ୍ରେମ ନିବେଦନ ଗ୍ରହଣ ନ କରିବାରୁ ଏଭଳି ଘଟଣା ଘଟିଥିବା ଛାତ୍ରୀଙ୍କ ପରିବାର ପୋଲିସକୁ କହିଛି ।

ଭୋଗରାଇ ବ୍ଲକ ଅନ୍ତର୍ଗତ ଦେହୁର୍ଦ୍ଦା ଗାଁର ରତନ ନାଥଙ୍କ ପୁଅ ବିଶ୍ବଜିତ୍ ନାଥ (୨୫) ସ୍ଥାନୀୟ ଏକ ଘରୋଇ ଶିକ୍ଷାନୁଷ୍ଠାନରେ ଶିକ୍ଷକ ଭାବେ କାମ କରୁଥିଲେ । ଗତ ତିନି ବର୍ଷ ପୂର୍ବରୁ ସେହି ଗାଁର ତ୍ରିଲୋଚନ ଘଡାଇଙ୍କ ସହିତ ତାଙ୍କର ପାରିବାରିକ ସମ୍ପର୍କ ଗଢିଉଠିଥିବା ସହିତ +୨ ଶ୍ରେଣୀରେ ପାଠ ପଢୁଥିବା ତାଙ୍କ ନାବାଳିକା ଝିଅକୁ ଟିଉସନ କରୁଥିଲେ ।

ଗୁରୁବାର ସନ୍ଧ୍ୟାରେ ଝିଅ ଘରେ ଟିଉସନ ପଢୁଥିବା ବେଳେ ହଠାତ୍ ତାଙ୍କୁ ବିଶ୍ବଜିତ୍ ବାହାରକୁ ଡାକିଆଣି ତାଙ୍କ ବେକକୁ ଏକ ଧାରୁଆ ଅସ୍ତ୍ରରେ କାଟିବା ସହିତ ହାତକୁ ମଧ୍ୟ କାଟିଦେଇଥିଲା ।

ଝିଅର ଚିତ୍କାର ଶୁଣି ପରିବାର ଲୋକେ ଦୌଡିଆସି ତାକୁ ରକ୍ତ ଜୁଡୁବୁଡୁ ଅବସ୍ଥାରେ ଉଦ୍ଧାର କରି ସ୍ଥାନୀୟ ଗୋଷ୍ଠୀ ସ୍ବାସ୍ଥ୍ୟ କେନ୍ଦ୍ରକୁ ନେଇ ଯାଇଥିଲେ । ବିଶ୍ବଜିତ୍ ନିଜ ବାଇକ୍ (ନଂ-ଓଡି-ଓ୧-ଏନ୍-୪୭୩୬) କୁ ଘଟଣା ସ୍ଥଳରେ ଛାଡି ଫେରାର ହୋଇଯାଇଥିଲା।
ଛାତ୍ରୀଙ୍କ ସ୍ବାସ୍ଥ୍ୟ ଅବସ୍ଥା ଅତି ଗୁରୁତର ଥିବାରୁ ତାଙ୍କୁ ବାଲେଶ୍ବର ହସ୍‌ପିଟାଲରେ ଚିକିତ୍ସା କରାଯାଉଛି । ସେପଟେ ଛାତ୍ରୀଙ୍କ ବାପାଙ୍କ ଅଭିଯୋଗକୁ ଆଧାର କରି ଭୋଗରାଇ ଥାନାରେ ଏକ ମାମଲା (କେସ୍ ନଂ ୦୨/୨୦୨୦) ରୁଜୁ କରିବା ସହ ତଦନ୍ତ ଜାରି ରଖିଥିବା ଜଣାପଡିଛି ।

‘‘ଦୀର୍ଘ ଦିନ ହେବ ବିଶ୍ୱଜିତ ମୋ’ ଝିଅକୁ ପାଠ ପଢ଼ାଉଥିଲେ । ଆମ ପରିବାରର ଲୋକଙ୍କ ସହିତ ବିଶ୍ୱଜିତଙ୍କର ମଧ୍ୟ ସମ୍ପର୍କ ଗଢିଉଠିଥିଲା । ହେଲେ ସେ ଏଭଳି ଆକ୍ରମଣ କରିବେ ବୋଲି କେହି ଆଶଙ୍କା କରି ନ ଥିଲେ । ମୋ ଝିଅକୁ ତାଙ୍କ ଦ୍ୱାରା ମରଣାନ୍ତକ ଆକ୍ରମଣ ବିଷୟରେ ମୁଁ ଥାନାରେ ଅଭିଯୋଗ କରିଛି,’’ କହିଛନ୍ତି ଛାତ୍ରୀଙ୍କର ବାପା ।

ଭୋଗରାଇ ଥାନା ଅଧିକାରୀ ନରେନ୍ଦ୍ର ଦାସ କହିଛନ୍ତି ଯେ ଏହି ଘଟଣାକୁ ନେଇ ଗୁରୁବାର ଛାତ୍ରୀଙ୍କ ବାପା ଥାନାରେ ଅଭିଯୋଗ କରିଛନ୍ତି ।

‘‘ଆମେ ମାମଲା ସଂଖ୍ୟା 2/2020 ରୁଜୁ କରି ବିଶ୍ୱଜିତ ଛାଡ଼ି ଯାଇଥିବା ଗାଡ଼ି ଜବତ କରିଛୁ । ଏ ନେଇ ତାଙ୍କ ଘରେ ପୋଲିସ ଚଢ଼ାଉ କରିଥିଲା ହେଲେ ସେ ଫେରାର ଅଛନ୍ତି । ବିଶ୍ୱଜିତଙ୍କୁ ଧରିବା ପାଇଁ ପୋଲିସ ଏକ ସ୍ୱତନ୍ତ୍ର ଟିମ ଗଠନ କରି ଛାନବିନ ଜାରି ରଖିଛି,’’ କହିଛନ୍ତି ଥାନା ଅଧିକାରୀ ନରେନ୍ଦ୍ର ଦାସ ।

ଛାତ୍ରୀ ବାଲେଶ୍ୱର ଜିଲ୍ଲା ମୁଖ୍ୟ ହସ୍‌ପିଟାଲରେ ଚିକିତ୍ସିତ ହେଉଥିବାବେଳେ ସେ ସୁସ୍ଥ ହେଲେ ତାଙ୍କ ବୟାନ ପୋଲିସ ନେବା ପରେ ଘଟଣା ସମ୍ପର୍କରେ ସମ୍ପୂର୍ଣ୍ଣ ଜଣା ପଡିବ ।
First published: January 3, 2020, 1:22 PM IST