ରାଜ୍ୟରେ ଘରୋଇ ITI ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯିବ କି? ମିଳୁନାହାନ୍ତି ଛାତ୍ରଛାତ୍ରୀ

ରାଜ୍ୟରେ ୯୫,୦୦୦ରୁ ଅଧିକ ଆଇଟିଆଇ ସିଟ୍ ଥିବା ବେଳେ ଆବେଦନ କରିଛନ୍ତି ମାତ୍ର ୪୭,୩୦୪ ଜଣ ଛାତ୍ରଛାତ୍ରୀ ଓ ସେଥିରୁ ନାମ ଲେଖାଇଛନ୍ତି ମାତ୍ର ୧୦,୯୧୫ ଜଣ ଛାତ୍ରଛାତ୍ରୀ ।

ରାଜ୍ୟରେ ଘରୋଇ ITI ଶିକ୍ଷାନୁଷ୍ଠାନଗୁଡ଼ିକ ବନ୍ଦ ହୋଇଯିବ କି? ମିଳୁନାହାନ୍ତି ଛାତ୍ରଛାତ୍ରୀ
ଏକ ଆଇଟିଆଇ ଅନୁଷ୍ଠାନରେ ଛାତ୍ରମାନେ
  • News18 Odia
  • Last Updated: September 24, 2020, 9:36 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ ଆଇଟିଆଇ (ITI) ପାଠ୍ୟକ୍ରମରୁ ମୁଁହ ଫେରାଉଛନ୍ତି ଛାତ୍ରଛାତ୍ରୀମାନେ । ଯେତିକି ସିଟ୍‌ ଉପଲବ୍ଧ ଅଛି ତା’ ଅଧାରୁ ବି କମ୍‌ ଛାତ୍ରଛାତ୍ରୀ ନାମ ଲେଖାଇବାକୁ ଆବେଦନ କରିଥିବାରୁ ଆଇଟିଆଇ ଅନୁଷ୍ଠାନ ଓ ବୃତ୍ତିଗତ ଶିକ୍ଷାର ଭବିଷ୍ୟତକୁ ନେଇ ଏକ ବଡ଼ ପ୍ରଶ୍ନ ଚିହ୍ନ ସୃଷ୍ଟିହୋଇଛି ।

ରାଜ୍ୟରେ ୯୫,୦୦୦ରୁ ଅଧିକ ଆଇଟିଆଇ ସିଟ୍‌ ଥିବା ବେଳେ ଆବେଦନ କରିଛନ୍ତି ମାତ୍ର ୪୭,୩୦୪ ଜଣ ଛାତ୍ରଛାତ୍ରୀ ଓ ସେଥିରୁ ନାମ ଲେଖାଇଛନ୍ତି ମାତ୍ର ୧୦,୯୧୫ ଜଣ ଛାତ୍ରଛାତ୍ରୀ । ଫଳରେ ୮୦,୦୦୦ରୁ ଅଧିକ ସିଟ୍‌ ଫାଙ୍କା ପଡ଼ିବା ସମ୍ଭାବନା ଦେଖାଦେଇଛି । ହେଲେ ଏ ବିଷୟରେ ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ କହିଛନ୍ତି ଯେ ସରକାରୀ ଆଇଟିଆଇରେ ସିଟ୍‌ ଫାଙ୍କା ପଡ଼ିବନି । ଘରୋଇ ଆଇଟିଆଇ ସଂସ୍ଥାର ଏହା ନିଜସ୍ୱ ସମସ୍ୟା ବୋଲି ସେ କହିଛନ୍ତି ।

ରାଜ୍ୟରେ ଆଇଟିଆଇ ପାଇଁ ଉତ୍ତମ ଶିକ୍ଷାନୁଷ୍ଠାନ ଅଛି ଓ ସବୁ ଆବଶ୍ୟକୀୟ ଭିତ୍ତିଭୂମି ଅଛି, ହେଲେ ଆଗ୍ରହ ଦେଖାଉନାହାନ୍ତି ଛାତ୍ରଛାତ୍ରୀମାନେ । ପିଲାଙ୍କୁ କୁଶଳୀ କରିବାକୁ ରାଜ୍ୟ ସରକାର ଅନେକ ଯୋଜନା କରୁଥିବା ସତ୍ତ୍ୱେ ଆଇଟିଆଇରେ ପାଠ ପଢ଼ିବାକୁ ପିଲାମାନେ ଆଗ୍ରହ ନ ଦେଖାଇବା ଚିନ୍ତାର ବିଷୟ ପାଲଟିଛି ।

ରାଜ୍ୟରେ ମୋଟ ୫୦୪ଟି ଆଇଟିଆଇ କଲେଜ ଅଛି ।


ଏଥର ନାମଲେଖା ସଂଖ୍ୟାକୁ ଦେଖିଲେ ଆଇଟିଆଇ ଶିକ୍ଷାର ଭବିଷ୍ୟତ ଅନିଶ୍ଚିତତା ଭିତରକୁ ଯାଉଥିବା ପ୍ରତୀତ ହେଉଛି । ରାଜ୍ୟରେ ଥିବା ମୋଟ ୫୦୪ଟି ଆଇଟିଆଇ କଲେଜରେ ସିଟ ସଂଖ୍ୟା ହେଉଛି ୯୫,୫୧୬ । ସେଥିରେ ଥିବା ୪୯ଟି ସରକାରୀ ଆଇଟିଆଇ କଲେଜରେ ସିଟ ସଂଖ୍ୟା ୧୫,୨୮୮ । ୪୫୫ ଘରୋଇ ଆଇଟିଆଇ କଲେଜରେ ୮୦,୨୮୮ ସିଟ ରହିଛି । ହେଲେ ଚଳିତ ବର୍ଷ ଆବେଦନ କରିଥିଲେ ମାତ୍ର ୪୭,୩୦୪ ଜଣ ଛାତ୍ରଛାତ୍ରୀ । ତା’ ଭିତରୁ ନାଁଲେଖାଇଛନ୍ତି ମାତ୍ର ୧୦,୯୧୫ଜଣ । ଫଳରେ ୮୪,୬୦୧ ସିଟ୍‌ ବର୍ତମାନ ଫାଙ୍କା ପଡ଼ିଛି ।

‘‘ସରକାରୀ ଆଇଟିଆଇରେ ସିଟ୍‌ ପୂରଣ ହୋଇଯିବ । ଘରୋଇ ଆଇଆଇଟିରେ ସିଟ୍‌ ଫାଙ୍କା ପଡ଼ିବା ତାଙ୍କର ନିଜସ୍ୱ ସମସ୍ୟା । ସରକାରୀ ଆଇଟିଆଇରେ କୌଣସି ଅସୁବିଧା ନାହିଁ,’’ କହିଛନ୍ତି ବୈଷୟିକ ଶିକ୍ଷା ମନ୍ତ୍ରୀ ପ୍ରେମାନନ୍ଦ ନାୟକ ।

ଏବେ ଛାତ୍ରଛାତ୍ରୀମାନେ ଆଇଟିଆଇକୁ ଛାଡ଼ି କେନ୍ଦ୍ର ସରକାରଙ୍କ ପ୍ରଧାନ ମନ୍ତ୍ରୀ କୌଶଳ ବିକାଶ ଯୋଜନା ଅର୍ଥାତ ସ୍କିଲ ଇଣ୍ଡିଆର ତିନି-ମାସିଆ କୋର୍ସ ପ୍ରତି ଅଧିକ ଆଗ୍ରହ ଦେଖାଉଛନ୍ତି । ସୁଦକ୍ଷା ଓ ପ୍ରେରଣା ଯୋଜନାକୁ ରାଜ୍ୟ ସରକାର ସଫଳ ରୂପାୟନ କରିନାହାନ୍ତି ବୋଲି ବିଶେଷଜ୍ଞମାନେ ମତ ଦେଇଛନ୍ତି । ଯେତିକି ଫଣ୍ଡିଂ ମିଳିବା କଥା ତାହା ମିଳୁନାହିଁ କି କୁଶଳୀ ହେବା ପାଇଁ ପିଲାଙ୍କୁ ଯେଭଳି ପ୍ରୋତ୍ସାହନ ମିଳିବା କଥା ତାହା ମିଳୁନାହିଁ, ଯାହା ଫଳରେ ଛାତ୍ରଛାତ୍ରୀଙ୍କ ଆଗ୍ରହ କମୁଛି ବୋଲି ସେମାନେ କହିଛନ୍ତି ।

ଏହା ବି ପଢ଼ନ୍ତୁ CoronaVirus: ଆମେରିକାର ଦାବି, ଆୟୋଡିନ୍ ଦ୍ୱାରା ୧୫ ସେକେଣ୍ଡରେ ଦୂରେଇ ଯିବ ଭାଇରସ୍

ଏହା ବି ପଢ଼ନ୍ତୁ | ଗର୍ଭବତୀ ପତ୍ନୀଙ୍କ ପେଟରେ ପୁଅ ନା ଝିଅ ଅଛି ଜାଣିବାକୁ ୫ ଝିଅଙ୍କ ବାପା ତାଙ୍କ ପେଟ ଚିରିଦେଲେ

‘‘ଆଇଟିଆଇ କ୍ଷେତ୍ରରେ ରାଜ୍ୟ ସରକାରଙ୍କ ପ୍ରଚାର ଓ ପ୍ରସାର କମ ରହିବା ସହ ପିଲାଙ୍କୁ ପ୍ରୋତ୍ସାହନ ମଧ୍ୟ କମ ରହିଛି । ଏହା ଫଳରେ ପିଲା ତିନି-ମାସିଆ କୋର୍ସ କରି ନିଯୁକ୍ତି ପାଇବା ପାଇଁ ଆଗଭର ହେଉଛନ୍ତି ସେମାନେ । ତେଣୁ ରାଜ୍ୟ ସରକାର ଆଇଟିଆଇ ଦ୍ୱାରା ପିଲା କିଭଳି ସାରା ଜୀବନ ପାଇଁ କୁଶଳୀ ହେବା ସହ ରୋଜଗାରକ୍ଷମ ହୋଇପାରିବେ ତାହାର ପ୍ରଚାର ପ୍ରସାର କରିବା ଉଚିତ । କାରଣ ଏଠି ପିଲାଙ୍କର ଅଭାବ ନାହିଁ,’’ କହଛନ୍ତି ରାଜ୍ୟ ଆଇଟିଆଇ ସଙ୍ଘର ପୂର୍ବତନ ସଭାପତି ଶ୍ରୀନିବାସ ସୁବୁଦ୍ଧି ।



ରାଜ୍ୟ ସରକାର ଏବେ କିଛି ଆଇଟିଆଇକୁ ଉତ୍କର୍ଷ କେନ୍ଦ୍ର କରି ଅଧିକ କୁଶଳୀ କରିବାକୁ ଯୋଜନା କରୁଛନ୍ତି । ହେଲେ ପିଲାମାନେ ଆଗ୍ରହ ନ ଦେଖେଇବା ବୃତ୍ତିଗତ ଶିକ୍ଷାର ଭବିଷ୍ୟତ ଉପରେ ଏକ ବଡ଼ ପ୍ରଶ୍ନବାଚୀ ସୃଷ୍ଟି କରିଛି ।
Published by: Anand Shankar Thankur Das
First published: September 24, 2020, 9:36 PM IST
corona virus btn
corona virus btn
Loading