ରାଜ୍ୟର ୩୦ଟି ଜିଲ୍ଲାରେ ଗଡ଼ିଲା ଘରୋଇ ବସ୍‌; ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଥିଲା ଉତ୍ସାହ

ପୂର୍ବରୁ ରାଜ୍ୟ ସରକାର ୨୦ଟି ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳ ପାଇଁ ଅନୁମତି ଦେଇଥିବା ବେଳେ ବାକି ୧୦ଟି ଜିଲ୍ଲାରେ ବସ୍‌ ଚଳାଚଳ ବନ୍ଦ କରିଥିଲେ। ଏବେ ସାରା ରାଜ୍ୟରେ ବସ୍‌ ସେବା ପୁଣି ଆରମ୍ଭ ହୋଇଛି ।

ରାଜ୍ୟର ୩୦ଟି ଜିଲ୍ଲାରେ ଗଡ଼ିଲା ଘରୋଇ ବସ୍‌; ଯାତ୍ରୀ ଓ କର୍ମଚାରୀଙ୍କ ମଧ୍ୟରେ ଥିଲା ଉତ୍ସାହ
ରାଜ୍ୟର ୩୦ଟି ଯାକ ଜିଲ୍ଲାରେ ଘରୋଇ ବସ୍‌ ଚଳାଚଳା ଆରମ୍ଭ ହୋଇଛି । (ପ୍ରତୀକାତ୍ମକ ଛବି)
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ଦୀର୍ଘ ଅଢ଼େଇ ମାସର ବ୍ୟବଧାନ ପରେ ସୋମବାର ସକାଳଠାରୁ ରାଜ୍ୟରେ ଗଡ଼ିବା ଆରମ୍ଭ କରିଛି ଘରୋଇ ବସ୍‌ । କରୋନା ଭାଇରସ୍ ଭୟକୁ ଦୃଷ୍ଟିରେ ରଖି ରାଜ୍ୟ ସରକାର ରାଜ୍ୟରେ ଘରୋଇ ବସ୍‌ ସେବା ବନ୍ଦ କରିଥିଲେ । ଏବେ ବସ୍‌ ଚଳାଚଳକୁ ନେଇ ଖୁସି ଅଛନ୍ତି ରାଜ୍ୟବାସୀ । ଏହି ସେବା ସହ ଜୀବିକା ପାଇଁ ନିର୍ଭର କରୁଥିବା ଲୋକଙ୍କ ମଧ୍ୟରେ ଖୁସି ଦେଖିବାକୁ ମିଳିଛି । ବସ୍‌ ଚଳାଚଳ ବନ୍ଦ ଥିବା କାରଣରୁ ରୋଜଗାର ଶୂନ୍ୟ ହୋଇ ହାତ ବାନ୍ଧି ବସିଥିବା ଘରୋଇ ବସର ହେଲପର, କଣ୍ଡକ୍ଟର ଓ ଡ଼୍ରାଇଭରମାନେ ପୁଣି ଥରେ ପୂର୍ବ ଭଳି ବସ ଚଳାଚଳ ସ୍ୱାଭାବିକ ହେବ ବୋଲି ଆଶା ରଖିଥିଲେ ।

ବସ ଚଳାଚଳ ହେବାର ପ୍ରଥମ ଦିନରେ ହିଁ ବିଭିନ୍ନ ଦୂର ସ୍ଥାନକୁ ଯିବା ପାଇଁ ଦୀର୍ଘ ଦିନ ଧରି ଅପେକ୍ଷା କରିଥିବା ଯାତ୍ରୀମାନେ ସକାଳୁ ସକାଳୁ ବସ ଷ୍ଟାଣ୍ଡରେ ହାଜର ହୋଇଯାଇଥିଲେ। ହେଲେ ଯଥେଷ୍ଟ ଯାତ୍ରୀ ନ ଥିବାରୁ ଅନେକ ରୁଟକୁ ବସ୍‌ ଚଳାଚଳ ସ୍ୱାଭାବିକ ହୋଇ ନ ଥିଲା । ଫଳରେ କିଛି ଯାତ୍ରୀ ନିରାଶ ହୋଇଥିଲେ ।

ଗତ ୩୦ ବର୍ଷ ହେଲା ବରମୁଣ୍ଡା ବସଷ୍ଟାଣ୍ଡ୍‌ ଭିତରେ ଛୋଟ ଚା' ଦୋକାନଟିଏ କରି ଜୀବିକା ନିର୍ବାହ କରୁଥିବା ସୁଧୀର ଖୁସି ବ୍ୟକ୍ତ କରି କହିଛନ୍ତି, ‘‘ପ୍ରାୟ ଅଢ଼େଇ ମାସ ହେଲା କୋଭିଡ଼ ଲକଡାଉନ୍ ଓ ସଟଡାଉନ୍ କାରଣରୁ ମୋ ଦୋକାନ ବନ୍ଦ ଥିଲା। ପରିବାର ଚଳାଇବା ବି ମୋ ପାଇଁ ଥିଲା କଷ୍ଟକର। ଏବେ ଦୀର୍ଘ ଦିନର ବ୍ୟବଧାନ ପରେ ପୁଣି ଥରେ ନିଜ ଛୋଟ ଦୋକାନଟିକୁ ନେଇ ଆଶାବାଦୀ ମୁଁ । ଆଉ କରୋନା ଭଳି ମହାମାରୀ ନଆସୁ କିମ୍ବା ମୋ ଦୋକାନ ବନ୍ଦ ନ ହେଉ। କାରଣ ମୁଁ ଯେତେ କଷ୍ଟ ପାଇଛି, ଅନ୍ୟ କେହି ନ'ପାଆନ୍ତୁ ।’’

ପ୍ରଥମ ଦିନରେ ଘରୋଇ ବସ ଚଳାଚଳ ଆରମ୍ଭ ହେବା ପରେ ଭୁବନେଶ୍ୱର ବରମୁଣ୍ଡା ବସଷ୍ଟାଣ୍ଡ ଭିତରର ଦୃଶ୍ୟ ବଦଳି ଯାଇଛି । ଛୋଟ ଛୋଟ ଦୋକାନୀ ଥିଲେ ବେଶ ଖୁସି। ଅନେକ ଦୋକାନୀ ଭଗବାନଙ୍କୁ ଧନ୍ୟବାଦ ଜଣାଇଥିଲେ। କେବଳ ଛୋଟ ଦୋକାନୀ ନୁହଁନ୍ତି ବରଂ ବସ ବନ୍ଦ କାରଣରୁ ଜୀବିକା ହରାଇ ବସିଥିବା ବିଭିନ୍ନ ବସର କଣ୍ଡକ୍ଟର ଓ ହେଲପରଙ୍କ କାହାଣୀ ମଧ୍ୟ ସମାନ। ବିଳମ୍ବରେ ହେଲେ ବି ବସ ଚଳାଚଳ ଆରମ୍ଭ ହୋଇଥିବାରୁ ସମସ୍ତେ ଖୁସି ।

‘‘ଆଜ୍ଞା, ଆମେ ବହୁତ କଷ୍ଟ ପାଇଲୁଣି। ଭଗବାନ ଆମକୁ କିମ୍ବା ଆଉ ଯାହାକୁ ଏଭଳି ଦୁଃଖ ନଦିଅନ୍ତୁ,’’ କହିଛନ୍ତି ଘରୋଇ ବସ କଣ୍ଡକ୍ଟର ସୁବାସ ଓଝା। ଉମରକୋଟ ଯାଉଥିବା ଘରୋଇ ବସର କଣ୍ଡକ୍ଟର ମଧ୍ୟ ସମାନ ମତ ରଖିଛନ୍ତି ।

କିଛି ବସ ମାଲିକ ସରକାରଙ୍କୁ ଧନ୍ୟବାଦ ଜଣାଇବା ସହ କହିଛନ୍ତି ଯେ ବ୍ୟବସାୟ ନିୟମିତ ହେବାକୁ ପୁଣି ସମୟ ଲାଗିବ। ମୋଟ ଉପରେ ଘରୋଇ ବସର ମାଲିକମାନେ ମଧ୍ୟ ବସ ଚଳାଚଳ ନେଇ ଖୁସି ଥିଲେ ବି କୋଭିଡ଼ର ତୃତୀୟ ଲହରିକୁ ପାଇଁ ସେମାନେଏବେ ବି ଆତଙ୍କିତ ଥିବା କହିଛନ୍ତି ।

ପୂର୍ବରୁ ରାଜ୍ୟ ସରକାର ୨୦ ଜିଲ୍ଲାରେ ଘରୋଇ ବସ ଚଳାଚଳ ପାଇଁ ଅନୁମତି ଦେଇଥିବା ବେଳେ ବାକି ୧୦ ଜିଲ୍ଲାରେ ବସ ଚଳାଚଳ ବନ୍ଦ କରିଥିଲେ। ନିକଟରେ ଏହି ୧୦ ଜିଲ୍ଲା ପାଇଁ ସରକାର ଅନୁମତି ପ୍ରଦାନ କରିଥିଲେ, କିନ୍ତୁ ବସ ମାଲିକ ସଙ୍ଘର କିଛି ଦାବି ଥିବାରୁ ବସ ଚଳାଚଳ ସ୍ବାଭାବିକ ହୋଇପାରୁନଥିଲା।

ପ୍ରଥମ ଦିନରେ ଲାଗୁଥିଲା ଦୀର୍ଘ ଦିନ ଧରି ଓଡ଼ିଶାର ବିଭିନ୍ନ ଉପକୂଳ ଜିଲ୍ଲା ଗୁଡ଼ିକରେ ବସ ଚଳାଚଳ ପାଇଁ ଅପେକ୍ଷା କରିଥିଲେ ବିଭିନ୍ନ ବର୍ଗର ଯାତ୍ରୀ । ବିଶେଷ କରି କାମଧନ୍ଦା ଅନ୍ୱେଷଣରେ ଭିଟାମାଟି ଛାଡ଼ି ସହରମୁହାଁ ହୋଇଥିବା ଯାତ୍ରୀ ନିଜ ଘରକୁ ଫେରିବା ଆଶାରେ ଖୁବ୍ ଖୁସି ଥିଲେ । ଅନେକଙ୍କର ମତ ଥିଲା ଯେତେ ଶୀଘ୍ର ସମ୍ଭବ ସେମାନେ ନିଜ ଗାଁକୁ ଫେରି ଯିବାକୁ ଚାହାଁନ୍ତି । ଏପଟେ ବସ ଚଳାଚଳର ଆରମ୍ଭ ହେବା ପରେ ସ୍ଥିତି ଧୀରେ ଧୀରେ ସ୍ୱାଭାବିକ ଅବସ୍ଥାକୁ ଫେରିବ ବୋଲି ଆଶା ରଖିଛି ଘରୋଇ ବସ ମାଲିକ ସଙ୍ଘ ।

‘‘ସଙ୍ଘର ଆଶା ବସ ଚଳାଚଳ ସ୍ୱାଭାବିକ ପାଇଁ ରାଜ୍ୟ ସରକାର ସହଯୋଗିତାର ହାତ ବଢ଼ାଇଥିବା ବେଳେ ଆଉ କୋଭିଡ଼ ସଂକ୍ରମଣ କାରଣରୁ ବସ ସେବା ବାଧାପ୍ରାପ୍ତ ହେବ ନାହିଁ । ଏଥି ପାଇଁ ଲୋକଙ୍କ ସହଯୋଗ ଲୋଡ଼ା,’’  କହିଛନ୍ତି ରାଜ୍ୟ ଘରୋଇ ବସ୍‌ ମାଲିକ ସଙ୍ଘର ମୁଖପାତ୍ର ଦେବାଶିଷ ନାୟକ ।

ଉପକୂଳବର୍ତ୍ତୀ ୧୦ଟି ଜିଲ୍ଲାରେ ବସ ଚଳାଚଳକୁ ସ୍ୱାଭାବିକ କରିବା ପାଇଁ ରାଜ୍ୟ ସରକାରଙ୍କ ନିଷ୍ପତ୍ତି ବାଟ ଫିଟାଇଥିବା ବେଳେ କୋଭିଡ଼ କଟକଣା ଭିତରେ ବସ ଚଳାଚଳ ପାଇଁ ବିଶେଷ ଗୁରୁତ୍ୱ ଦିଆଯିବା ଉଚିତ୍ ବୋଲି ମତ ରଖିଛନ୍ତି ବିଭିନ୍ନ ବର୍ଗର ଲୋକେ ।
Published by: Lipina Das
First published: July 19, 2021, 7:02 PM IST