ମଦ ପିଇ ସ୍କୁଲ ଭିତରେ ଶୋଇଲେ ପ୍ରଧାନ ଶିକ୍ଷକ; ଉପାସରେ ଛାତ୍ରଛାତ୍ରୀ

ଗ୍ରାମବାସୀ ପହଞ୍ଚି ଯେତେବେଳେ ଶିକ୍ଷକଙ୍କୁ ନିଶା ନେଇ ପ୍ରଶ୍ନ କରିଥିଲେ ସେଥିରେ ସେ ନିଶା ସେବନ କରିଥିବା ସ୍ୱୀକାର କରିବା ସହିତ ସକାଳେ ସେ ମଦ୍ୟପାନ କରିଥିବା କହିଥିଲେ।

ମଦ ପିଇ ସ୍କୁଲ ଭିତରେ ଶୋଇଲେ ପ୍ରଧାନ ଶିକ୍ଷକ

ମଦ ପିଇ ସ୍କୁଲ ଭିତରେ ଶୋଇଲେ ପ୍ରଧାନ ଶିକ୍ଷକ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ବାଲେଶ୍ବର: ମଦ ପିଇ ସ୍କୁଲ ଭିତରେ ଶୋଇଲେ ପ୍ରଧାନ ଶିକ୍ଷକ। ଉପାସରେ ଛାତ୍ରଛାତ୍ରୀ। ସ୍କୁଲ ପରିସର ମଧ୍ୟରେ ଏପରି ଅସାମାଜିକ କାର୍ଯ୍ୟକୁ ସବୁ ମହଲରୁ ତୀବ୍ର ନିନ୍ଦା କରାଯାଇଛି।

ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ ପକ୍ଷରୁ ଛାତ୍ରଛାତ୍ରୀଙ୍କ ଶିକ୍ଷା ନେଇ ବିଭିନ୍ନ ଯୋଜନାମାନ କରାଯାଉଛି। ସ୍ମାର୍ଟ ସ୍କୁଲ ପରି ଯୋଜନା ଦ୍ୱାରା ଅତ୍ୟାଧୁନିକ ଟେକନିକରେ ଛାତ୍ରଛାତ୍ରୀ କିପରି ଶିକ୍ଷା ଗ୍ରହଣ କରିବେ ସେନେଇ ପଦକ୍ଷେପ ନେଉଛନ୍ତି ସରକାର। ତେବେ ସବୁ ଯୋଜନା ଭିତରେ ଜଣେ ଶିକ୍ଷକ ଦ୍ୱାରା ଛାତ୍ର ଟିଏ ନିଜର ଭବିଷ୍ୟତ ଗଢ଼ିଥାଏ। ଛାତ୍ରଛାତ୍ରୀଙ୍କ ଭବିଷ୍ୟତ ଗଢ଼ିବାରେ ଶିକ୍ଷକ ଭୂମିକା ସବୁଠାରୁ ଗୁରୁତ୍ୱପୂର୍ଣ୍ଣ।

ହେଲେ ଏପରି ଏକ ଅଭିଯୋଗ ଆସିଛି ଯାହାକୁ ନେଇ ଏବେ ବିଭିନ୍ନ ମହଲରେ ପ୍ରଶ୍ନ ଉଠିବା ଆରମ୍ଭ ହୋଇଛି। ସ୍କୁଲର ପ୍ରଧାନ ଶିକ୍ଷକ ମଦ ପିଇ ସିଧା ନମତମ ହୋଇ ଅଫିସରେ ଶୋଇଥିବାର ଦେଖିବାକୁ ମିଳିଛି।

ମଦ ପିଇ ସ୍କୁଲ ଭିତରେ ଶୋଇଲେ ପ୍ରଧାନ ଶିକ୍ଷକ


ଗ୍ରାମବାସୀଙ୍କ ଅଭିଯୋଗ ଅନୁସାରେ ବାଲେଶ୍ଵର ଜିଲ୍ଲା ସିମୁଳିଆ ବ୍ଲକ ସୋମନାଥପୁର ଉନ୍ନୀତ ଉଚ୍ଚ ପ୍ରାଥମିକ ବିଦ୍ୟାଳୟର ପ୍ରଧାନ ଶିକ୍ଷକ କରୁଣାକର ସିଂ ପ୍ରତ୍ୟେକ ଦିନ ମଦ ପିଇ ସ୍କୁଲକୁ ଆସୁଥିବାବେଳେ ମଦ ନିଶାରେ କେତେବେଳେ ବାଟରେ ପଡ଼ି ରହନ୍ତି ତ କେତେବେଳେ ସ୍କୁଲରେ ପହଞ୍ଚି ଅଫିସରେ ଶୋଇପଡ଼ନ୍ତି। ପିଲାମାନଙ୍କୁ ପାଠ ପଢ଼ାଇବା ପରିବର୍ତ୍ତେ ସେମାନଙ୍କୁ ଗାଳି କରନ୍ତି ଏବଂ ତା ସହିତ ତାଙ୍କ ମନ ଇଚ୍ଛା ପାଠ ପଢ଼ାନ୍ତି।

ଏ ବାବଦରେ ଗ୍ରାମବାସୀମାନେ ବାରମ୍ବାର ସିମୁଳିଆ ବ୍ଲକ ଶିକ୍ଷାଧିକାରୀଙ୍କୁ ଜଣାଇଥିଲେ ମଧ୍ୟ ପ୍ରଧାନ ଶିକ୍ଷକଙ୍କ ଉପରେ କୌଣସି କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯାଇ ନଥିବା ଅଭିଯୋଗ ମଧ୍ୟ ହୋଇଛି।

ତେବେ ଗତ ମଙ୍ଗଳବାର ଦିନ ପ୍ରଧାନ ଶିକ୍ଷକ କରୁଣାକର ସିଂ ମଦ ପିଇ ପ୍ରଚୁର ନିଶାସକ୍ତ ଅବସ୍ଥାରେ ସକାଳ ୧୦.୧୫ ମିନିଟରେ ସ୍କୁଲରେ ପହଞ୍ଚି ସିଧା ଅଫିସରେ ଶୋଇପଡ଼ିଥିଲେ। ଫଳରେ ସ୍କୁଲରେ କୌଣସି ରୋଷଇ ସରଞ୍ଜାମ ନଥିବାରୁ ରୋଷେଆ ପିଲାଙ୍କ ପାଇଁ କଣ ରନ୍ଧା ଯିବ ବୋଲି ପ୍ରଧାନ ଶିକ୍ଷକଙ୍କୁ ପଚାରିବାରୁ ସେ ରୋଷଇ ସରଞ୍ଜାମ ଆଣିବାକୁ ଭୁଲି ଯାଇଛନ୍ତି ବୋଲି କହି ନିଶାରେ ଶୋଇପଡ଼ିଥିଲେ।

ବିଦ୍ୟାଳୟରେ ରୋଷେଇ ହୋଇନଥିବା ବେଳେ ଗ୍ରାମବାସୀମାନେ ଦୋକାନରୁ ବିସ୍କୁଟ କିଣି ପିଲାମାନଙ୍କୁ ଖାଇବାକୁ ଦେଇଥିଲେ। ଅନ୍ୟପଟେ ରୋଷେଆଙ୍କ କହିବା ଅନୁଯାଇ ପ୍ରଧାନ ଶିକ୍ଷକଙ୍କ ଅବହେଳା ଯୋଗୁଁ ପିଲାମାନଙ୍କ ପାଇଁ କେଉଁଦିନ ରନ୍ଧା ହେଉଛି ତ କେଉଁଦିନ ରନ୍ଧା ହୋଇପାରୁନି ଏବଂ ଏଥିପାଇଁ ସେ ମଧ୍ୟ ଦୁଃଖ ପ୍ରକାଶ କରିଛନ୍ତି। ମଙ୍ଗଳବାର ପ୍ରଧାନ ଶିକ୍ଷକ ମଦ ନିଶାରେ ଅଫିସରେ ଶୋଇପଡ଼ିଥିବା ବେଳେ ଏହାର ସୁଯୋଗ ନେଇ ସ୍କୁଲରେ ପଢ଼ୁଥିବା ସମସ୍ତ ଛାତ୍ରଛାତ୍ରୀ ଏଣେତେଣେ ଖେଳୁଥିବା ବୁଲୁଥିବାର ଗାଁ ଲୋକ ଦେଖିବାକୁ ପାଇଥିଲେ ଏବଂ ତତକ୍ଷଣାତ ଏବିଇଓଙ୍କୁ ଖବର ଦେଇଥିଲେ। ଖବର ପାଇ ଏବିଇଓ ଘଟଣା ସ୍ଥଳରେ ପହଞ୍ଚି ତଦନ୍ତ ଜାରି ରଖିଥିବାବେଳେ ତୁରନ୍ତ ସେ ପ୍ରଧାନ ଶିକ୍ଷକଙ୍କ ଉପରେ ଦୃଢ଼ କାର୍ଯ୍ୟାନୁଷ୍ଠାନ ଗ୍ରହଣ କରାଯିବ ବୋଲି ଅଭିଵାବକମାନଙ୍କୁ ପ୍ରତିଶୃତି ଦେଇଥିଲେ।

ମୁଖ୍ୟ କଥା ହେଉଛି ଗ୍ରାମବାସୀ ପହଞ୍ଚି ଯେତେବେଳେ ଶିକ୍ଷକଙ୍କୁ ନିଶା ନେଇ ପ୍ରଶ୍ନ କରିଥିଲେ ସେଥିରେ ସେ ନିଶା ସେବନ କରିଥିବା ସ୍ୱୀକାର କରିବା ସହିତ ସକାଳେ ସେ ମଦ୍ୟପାନ କରିଥିବା କହିଥିଲେ। ସେହିପରି ସ୍କୁଲ ଛୁଟି ପରେ ପୁଣି ସେ ମଦ ପିଇବେ ବୋଲି ମଧ୍ୟ କହୁଥିବାର ଏକ ଭିଡିଓ ମଧ୍ୟ ଭାଇରାଲ ହୋଇଛି।
Published by:Lipina Das
First published: