ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସରେ ତାଙ୍କ ସାହସ ଓ ଦେଶ ପ୍ରେମକୁ ମନେ ପକାଇ ପ୍ରଶଂସା କଲେ ପ୍ରଧାନ ମନ୍ତ୍ରୀ

ମୋଦି ବ୍ରିଟିଶ୍ ଶାସନ ସମୟରେ ଗୁଇନ୍ଦା ବିଭାଗର ଏକ ଚିଠିର ଉଲ୍ଲେଖ କରିଛନ୍ତି । ସେଥିରେ ଲେଖା ଅଛି ଯେ ବିଜୁ ପଟ୍ଟନାୟକ ପାଇଲଟ୍ ଚ଼ାକିରି କରିଥିବା ବେଳେ ‘‘ନିଜ ପଦର ଦୁରୁପଯୋଗ କରି’’ ଭୂମିଗତ ଲୋହିଆଙ୍କୁ ବିମାନରେ ଉଡ଼ାଇ ବାହାରକୁ ଆଣିଥିଲେ ।

ବିଜୁ ପଟ୍ଟନାୟକଙ୍କ ଜନ୍ମ ଦିବସରେ ତାଙ୍କ ସାହସ ଓ ଦେଶ ପ୍ରେମକୁ ମନେ ପକାଇ ପ୍ରଶଂସା କଲେ ପ୍ରଧାନ ମନ୍ତ୍ରୀ
ନରେନ୍ଦ୍ର ମୋଦି, ବିଜୁ ପଟ୍ଟନାୟକ ଓ ନବୀନ ପଟ୍ଟନାୟକ
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ବର: ଖାଲି ରାଜ୍ୟ କିମ୍ବା ଦେଶ ନୁହେଁ ସାରା ବିଶ୍ବରେ ପରିଚ଼ିତ ଓଡ଼ିଆ ପୁଅ ବିଜୁ ପଟ୍ଟନାୟକଙ୍କ ୧୦୪ତମ ଜୟନ୍ତୀ ଅବସରରେ ପ୍ରଧାନ ମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଟ୍ୱିଟରରେ ଶ୍ରଦ୍ଧାଞ୍ଜଳି ଜଣାଇଛନ୍ତି । ନିଜ ଟ୍ୱିଟରେ ୧୯୪୫ ମସିହା ସେପ୍ଟେମ୍ବର ୨୭ ତାରିଖର ଗୃହ ମନ୍ତ୍ରଣାୟଳୟର ଏକ ଐତିହାସିକ ଦସ୍ତାବେଜକୁ ସେୟାର କରିଛନ୍ତି ମୋଦି ।

‘ବିଜୁ ବାବୁ’ ନାମରେ ସବୁଠି ପରିଚିତ ବିଜୁ ପଟ୍ଟନାୟକଙ୍କ ସାହସକୁ ପ୍ରଶଂସା କରି ପ୍ରଧାନ ମନ୍ତ୍ରୀ ଟ୍ୱିଟରେ ଲେଖିଛନ୍ତି: ‘‘ବିଜୁ ବାବୁଙ୍କ ଜୟନ୍ତୀରେ ସେ ମନେପଡ଼ନ୍ତି । ଇତିହାସର ପୃଷ୍ଠାରୁ ୧୯୪୫ର  ଏହି ଦସ୍ତାବେଜ୍ ତାଙ୍କ ସାହସର (ସେତେବେଳେ ଭୂମିଗତ ଥିବା ଡଃ ଲୋହିଆଙ୍କୁ ନେଇ ବିମାନରେ ଉଡ଼ିଥିଲେ) ଓ ଉତ୍କର୍ଷର ସମ୍ୟକ ଧାରଣା ଦିଏ । ବିଜୁ ବାବୁ ଭାରତର ପ୍ରଗତି ପାଇଁ ଅକ୍ଳାନ୍ତ ପରିଶ୍ରମ କରିଥିଲେ ଓ ଓଡ଼ିଶାର ବିକାଶ ପାଇଁ ଆଗ ଧାଡ଼ିର ଭୂମିକା ଗ୍ରହଣ କରିଥିଲେ’’ ।

ମୋଦି ଟ୍ୱିଟ୍‌ କରିଥିବା ବ୍ରିଟିଶ୍‌ ଶାସନ ସମୟର ଗୃହ ମନ୍ତ୍ରଣାଳୟର ସେହି ଐତିହାସିକ ଦସ୍ତାବେଜଟି ତତ୍‌କାଳୀନ ଗୁଇନ୍ଦା ବିଭାଗର ଏକ ଚିଠି । ସେଥିରେ ଲେଖା ଅଛି: ‘‘ଏହା ସତ୍ୟ ଯେ ବିଜୁ ପଟ୍ଟନାୟକ ଇଣ୍ଡିଆନ୍‌ ନ୍ୟାସନାଲ୍‌ ଏଆରୱେଜର କର୍ମଚ଼ାରୀ ଭାବେ ପାଇଲଟ୍‌ ଥିବା ସତ୍ୱେ ନିଜ ପଦର ଦୁରୁପଯୋଗ କରି ଭୂମିଗତ ଥିବା ରାମମନୋହର ଲୋହିଆଙ୍କୁ ବିମାନରେ ଉଡ଼ାଇ ବାହାରକୁ ଆଣିଥିଲେ’’ ।

ଦୁଇ ଘଣ୍ଟା ମଧ୍ୟରେ ପ୍ରଧାନ ମନ୍ତ୍ରୀଙ୍କ ଏହି ଟ୍ୱିଟକୁ ୧୧,୦୦୦ରୁ ଅଧିକ ଲୋକ ଳାଇକ୍‌ କରିଥିବା ବେଳେ ଦୁଇ ହଜାରରୁ ଅଧିକ ଲୋକ ପୁନଃଟ୍ୱିଟ୍‌ (ରିଟ୍ୱିଟ୍‌) କରିଛନ୍ତି ।

ମୋଦିଙ୍କ ଟ୍ୱିଟ୍


ବିଜୁ ପଟ୍ଟନାୟକ ଯୁବାବସ୍ଥାରେ ଦିଲ୍ଲୀରୁ ବିମାନ ଉଡ଼ାଣ ଶିକ୍ଷା ସମାପ୍ତ କରି ଇଣ୍ଡିଆନ ଏୟାର‌ୱେଜରେ ପାଇଲଟ ଭାବରେ ଚ଼ାକିରି କରିଥିଲେ । ସେ ନିଜେ ବିମାନ ଚଳାଇ ଇଣ୍ଡୋନେଶିଆର ତତ୍କାଳୀନ ରାଷ୍ଟ୍ରପତି, ଉପରାଷ୍ଟ୍ରପତି ଓ ପ୍ରଧାନ ମନ୍ତ୍ରୀ ଆଦିଙ୍କୁ ଡଚମାନଙ୍କ ଠାରୁ ଉଦ୍ଧାର କରିଥିଲେ । ଏହି ଦୁଃସାହସିକ କାର୍ଯ୍ୟ ପାଇଁ ତାଙ୍କୁ ଇଣ୍ଡୋନେସିଆର ସର୍ବୋଚ୍ଚ ସମ୍ମାନ ‘‘ଭୂମିପୁତ୍ର’’ ପ୍ରଦାନ କରାଯାଇଥିଲା । ଏହି ସମ୍ମାନ ସହ ପୁରସ୍କାର ସ୍ୱରୂପ ମିଳିଥିବା କୋଟି କୋଟି ଟଙ୍କା ସେ ଇଣ୍ଡୋନେସିଆର ଜନସାଧାରଣଙ୍କ ପାଇଁ ଉତ୍ସର୍ଗ କରିଦେଇଥିଲେ । ବିଜୁ ପଟ୍ଟନାୟକ ସେତେବେଳେ ଏକ ଡାକୋଟା ହୋଲିକପ୍ଟର୍‌ଚଳାଉଥିଲେ । ସେହି ହେଲିକପ୍ୟର୍‌ ଗତ ବର୍ଷ ଫେବୃୟାରୀରେ ଅନୁଷ୍ଟିତ ଏକ ଏୟାର ଶୋ'ରେ ପ୍ରଦର୍ଶିତ ହୋଇଥିଲା ।

କଟକର ତୁଳସୀପୁର ଠାରେ ଲକ୍ଷ୍ମୀନାରାୟଣ ପଟ୍ଟନାୟକ ଓ ଆଶାଲତା ପଟ୍ଟନାୟଙ୍କ ତୃତୀୟ ସନ୍ତାନ ଭାବେ ୧୯୧୬ ମସିହା ମାର୍ଚ୍ଚ ୫ ତାରିଖରେ ଜନ୍ମ ଗ୍ରହଣ କରିଥିବା ବିଜୁ ପଟ୍ଟନାୟକ । କଟକସ୍ଥିତ ରେଭେନ୍ସା କଲେଜରେ ବିଜ୍ଞାନ ବିଷୟରେ ପାଠ ପଢିବା ପରେ ସେ ପାଇଲଟ୍‌ ହେବା ପାଇଁ ଶିକ୍ଷା ଗ୍ରହଣ କରିଥିଲେ ।

ଦୁଇ ଥର (୧୯୬୧ ଓ ୧୯୯୦) ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଭାବେ କାର୍ଯ୍ୟ କରିଥିବା ବିଜୁ ପଟ୍ଟନାୟକ ୧୯୪୬ ମସିହାରେ ନିଜ ରାଜନୈତିକ କରିୟର ଆରମ୍ଭ କରିଥିଲେ । ପ୍ରଥମେ ଉତ୍ତର କଟକ ନିର୍ବାଚନ ମଣ୍ଡଳୀରୁ ସେ ବିଧାନସଭାକୁ ନିର୍ଦ୍ୱନ୍ଦରେ ନିର୍ବାଚ଼ିତ ହୋଇଥିଲେ । ୧୯୬୧ରେ ସେ ରାଜ୍ୟ କଂଗ୍ରେସର ସଭାପତି ଥିଲେ । ତାଙ୍କ ନେତୃତ୍ବରେ କଂଗ୍ରେସ ୮୨ଟି ଆସନରେ ବିଜୟୀ ହୋଇଥିଲା । ୧୯୭୧ରେ ରାଜ୍ୟସଭା ନିର୍ବାଚନରେ ତାଙ୍କୁ ଟିକେଟ ନ ମିଳିବାରୁ ସେ କଂଗ୍ରେସ ଛାଡି ‘ଉତ୍କଳ କଂଗ୍ରେସ’ ନାମରେ ଏକ ଦଳ ଗଢିଥିଲେ ।  ୧୯୭୫ରେ ଜରୁରୀକାଳୀନ ପରିସ୍ଥିତି (ଇମର୍ଜେନସି) ସମୟରେ ସେ ଅନ୍ୟ ବିରୋଧୀ ନେତାମାନଙ୍କ ସହ ଗିରଫ ହୋଇ ଜେଲ ଯାଇଥିଲେ ।

୧୯୮୯ର ଲୋକସଭା ନିର୍ବାଚନରେ କଂଗ୍ରେସ ପରାଜିତ ହେବା ପରେ ଜାତୀୟ ରାଜନୀତିରେ ବିଜୁବାବୁଙ୍କ ପତିଆରା ବଢ଼ିଥିଲା । ତତ୍କାଳୀନ ପ୍ରଧାନମନ୍ତ୍ରୀ ଭି.ପି. ସିଂଙ୍କୁ ପ୍ରଧାନ ମନ୍ତ୍ରୀ କରିବାରେ ବିଜୁ ବାବୁଙ୍କ ଭୂମିକା ଗୁରୁତ୍ବପୂର୍ଣ୍ଣ ଥିଲା । ୧୯୯୦ ଓଡ଼ିଶା ବିଧାନ ସଭା ନିର୍ବାଚନରେ ବିଜୁବାବୁଙ୍କ ନେତୃତ୍ବରେ ଜନତା ଦଳ ୧୨୩ଟି ଆସନରେ ଜିତିଥିଲା ଓ ସେ ଦ୍ୱିତୀୟ ଥର ପାଇଁ ମୁଖ୍ୟ ମନ୍ତ୍ରୀ ହୋଇଥିଲେ। ୧୯୯୭ ଏପ୍ରିଲ ୧୭ ତାରିଖରେ ତାଙ୍କର ପରଲୋକ ହୋଇଥିଲା ।

ବିଜୁବାବୁଙ୍କ ୧୦୪ତମ ଜୟନ୍ତୀ ପାଳନ ପାଇଁ ଓଡ଼ିଶା ସରକାର ଓ ବିଜେଡି ପକ୍ଷରୁ ବ୍ୟାପକ କାର୍ଯ୍ୟକ୍ରମର ଆୟୋଜନ କରାଯାଇଛି । ତାଙ୍କ ପୁତ୍ର ନବୀନ ପଟ୍ଟନାୟକ ବିଜେଡିର ମୁଖ୍ୟ ରୁପେ ଗତ ୨୦ ବର୍ଷ ଧରି ଓଡ଼ିଶାର ମୁଖ୍ୟ ମନ୍ତ୍ରୀ ଅଛନ୍ତି ।
First published: March 5, 2020, 3:21 PM IST
corona virus btn
corona virus btn
Loading