ପ୍ରାଥମିକ ବିଦ୍ୟାଳୟ ଖୋଲିବା ନେଇ ICMRର ଉପଦେଶ ପରେ ରାଜ୍ୟରେ ଦେଖାଦେଲା ଦ୍ବନ୍ଦ୍ୱ

୬ ରୁ ୯ ବର୍ଷ ପିଲାଙ୍କ ଦେହରେ ୫୨.୨% ଆଣ୍ଟିବଡ଼ି ରହିଥିବାବେଳେ ୧୦ ରୁ ୧୭ ବର୍ଷ ପିଲାଙ୍କ ମଧ୍ୟରେ ୬୧.୬% ଠାରେ ଆଣ୍ଟିବଡ଼ି ରହିଛି। ଏଥି ପାଇଁ ପ୍ରାଥମିକ ସ୍କୁଲ ଖୋଲିବା ଉପରେ ଗୁରତ୍ୱ ଦେଇଛି ଆଇ.ସି.ଏମ୍.ଆର.।

ପ୍ରାଥମିକ ସ୍କୁଲ ଖୋଲା ଯିବାକୁ ନେଇ ରାଜ୍ୟରେ ଦ୍ବନ୍ଦ୍ବ

ପ୍ରାଥମିକ ସ୍କୁଲ ଖୋଲା ଯିବାକୁ ନେଇ ରାଜ୍ୟରେ ଦ୍ବନ୍ଦ୍ବ

  • Share this:
News18 Odia Digital

ଭୁବନେଶ୍ବର: ରାଜ୍ୟରେ ଆସନ୍ତା ଜୁଲାଇ ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବାକୁ ଯାଉଥିବା ବେଳେ ପ୍ରାଥମିକ ସ୍କୁଲକୁ ନେଇ ଦ୍ବନ୍ଦ୍ବ ସୃଷ୍ଟି ହୋଇଛି । ପିଲାଙ୍କ ଦେହରେ ଆଣ୍ଟିବଡ଼ି ଅଧିକ ଥିବାରୁ ପ୍ରଥମେ ପ୍ରାଥମିକ ସ୍କୁଲ ଖୋଲା ଯାଉ ବୋଲି କହିଛନ୍ତି ଆଇ.ସି.ଏମ୍.ଆର.ର ମହା ନିର୍ଦ୍ଦେଶକ ବଳରାମ ଭାର୍ଗବ । ହେଲେ ରାଜ୍ୟରେ ଅଭିଭାବକ ଓ ଶିକ୍ଷାବିତମାନେ କରୋନା ସଂକ୍ରମଣର ସ୍ଥିତିକୁ ଦେଖି ପିଲାଙ୍କୁ ଏବେ ସ୍କୁଲ ନ ଛାଡ଼ିବା ଉଚିତ ବୋଲି କହିଛନ୍ତି ।

୬ ରୁ ୯ ବର୍ଷ ପିଲାଙ୍କ ଦେହରେ ୫୨.୨% ଆଣ୍ଟିବଡ଼ି ରହିଥିବାବେଳେ ୧୦ ରୁ ୧୭ ବର୍ଷ ପିଲାଙ୍କ ମଧ୍ୟରେ ୬୧.୬% ଠାରେ ଆଣ୍ଟିବଡ଼ି ରହିଛି। ଏଥି ପାଇଁ ପ୍ରାଥମିକ ସ୍କୁଲ ଖୋଲିବା ଉପରେ ଗୁରତ୍ୱ ଦେଇଛି ଆଇ.ସି.ଏମ୍.ଆର.।

ଡାକ୍ତରଙ୍କ କହିବା ଅନୁଯାୟୀ ପିଲାଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ ଥାଏ। ରିପୋର୍ଟରେ ତାହା ସ୍ପଷ୍ଟ ହୋଇଛି । ଏଥି ପାଇଁ ସ୍କୁଲ ଖୋଲିଲେ ଅସୁବିଧା ନାହିଁ। କିନ୍ତୁ ଅନ୍ୟ ସମସ୍ତ କର୍ମଚାରୀ ବା ଶିକ୍ଷକ ସମସ୍ତେ ଭ୍ୟାକ୍ସିନ ନେବା ଜରୁରୀ। ପିଲା ଅଧିକ ଥିଲେ ଦୁଇଟି ଲେଖାଏଁ ସିଫ୍ଟରେ ଅଳ୍ପ ପିଲା ସହ କୋଭିଡ଼ କଟକଣା ମାନି ସ୍କୁଲ ଖୋଲି ହେବ। ହେଲେ ଅଭିଭାବକ କିନ୍ତୁ ଏହାକୁ ମନା କରୁଛନ୍ତି । କୋରୋନା ଭଳି ପରିସ୍ଥିତିରେ ପିଲାଙ୍କୁ କୌଣସି ପ୍ରକାରେ ସ୍କୁଲ ଛାଡି ହେବ ନାହିଁ ବୋଲି କହିଛନ୍ତି ଅଭିଭାବକ।

‘‘ପିଲାଙ୍କ ଠାରେ ରୋଗ ପ୍ରତିରୋଧକ ଶକ୍ତି ଅଧିକ । ଏବେ ସେରୋ ସର୍ଭେ ରିପୋର୍ଟ ହାର୍ଡ ଇମ୍ୟୁନିଟି କଥା କହିଛି । ଉପଯୁକ୍ତ ପଦକ୍ଷେପ ନେଇ ସ୍କୁଲ ଆରମ୍ଭ ହେଲେ ଅସୁବିଧା ନାହିଁ,’’ କହିଛନ୍ତି ଡାକ୍ତର ନିରଜ ମିଶ୍ର ।

ଅଭିଭାବକ ସଙ୍ଘ ଅଧ୍ୟକ୍ଷ ବାସୁଦେବ ଭଟ୍ଟ କହିଛନ୍ତି, ‘‘ ସେରୋ ସର୍ଭେ ରିପୋର୍ଟ ମଧ୍ୟରେ କରୋନାର ତୃତୀୟ ଲହରୀରେ ପିଲାଙ୍କୁ ଭୟ, କେଉଁଟା ସତ? କାହା ଉପରେ ବିଶ୍ବାସ କରିବୁ । ଜଣେ ଅଭିଭାବକ ଭାବେ ମୁଁ ମୋ ପିଲାକୁ ସ୍କୁଲ ଛାଡ଼ି ପାରିବିନି । ଏଭଳି ପରିସ୍ଥିତିରେ ପିଲାଙ୍କୁ ସ୍କୁଲ ଛାଡ଼ିବା କଷ୍ଟକର । ’’ ବର୍ତ୍ତମାନ ଯଦି ରାଜ୍ୟରେ ପ୍ରଥମରୁ ଷଷ୍ଠ ଶ୍ରେଣୀ ପର୍ଯ୍ୟନ୍ତ ପାଠପଢ଼ା ଆରମ୍ଭ ହୁଏ ତାହାଲେ କୋଭିଡ ନିୟମ ଅନୁଯାୟୀ ଉଭୟ ଶ୍ରେଣୀଗୃହ ଓ ଶିକ୍ଷକ ଅଭାବ ହେବେ। ପ୍ରାଥମିକତା ଦୃଷ୍ଟିରୁ ନବମ ଓ ଦଶମ ଖୋଲାଯାଇ ପାଠପଢ଼ା ଯାଉ। ଏହାପରେ ଷଷ୍ଠରୁ ଦଶମ କ୍ରମାଗତ ଭାବେ ଖୋଲାଯାଉ। ନଚେତ୍ ଅନେକ ଅସୁବିଧା ହେବ ବୋଲି ଶିକ୍ଷକ ସଂଘ କହିଛନ୍ତି ।

ଶିକ୍ଷାବିତ୍ ପ୍ରୀତିଶ ଆଚାର୍ଯ୍ୟ କହିଛନ୍ତି ଯେ ସବୁଠାରୁ ଅଧିକ ପ୍ରଭାବିତ ପ୍ରାଇମେରି ସ୍କୁଲ ଛାତ୍ରଛାତ୍ରୀ ହୋଇଛନ୍ତି। ନା ତାଙ୍କ ପାଖରେ ମୋବାଇଲ ଅଛି ନା ଡାଟା । ଏହା ସହ ସେମାନେ ନିଜେ ମଧ୍ୟ ମୋବାଇଲ୍ ବ୍ୟବହାର କରିପାରୁନାହାଁନ୍ତି । ଏପରିକି ଘରେ ପାଠ ପଢ଼ାଇବାକୁ କେହି ନଥିବାବେଳେ ଦେଢ଼ ବର୍ଷ ହେବ ପାଠପଢ଼ାରୁ ନିବୃତ ରହିଛନ୍ତି । ଯଦି ରିପୋର୍ଟ କହୁଛି ପିଲାମାନେ ସୁରକ୍ଷିତ ତାହାଲେ ପିଲାଙ୍କ ପାଇଁ ଯୋଜନା କରି ସ୍କୁଲ ଖୋଲି ଶ୍ରେଣୀଗୃହ ଶିକ୍ଷାଦାନ ଆରମ୍ଭ ହେଉ।

"ଏବେ ଯେତିକି ଛାତ୍ରଛାତ୍ରୀ ଅଛନ୍ତି ସେଥିରେ ପ୍ରାଇମେରୀ ପିଲାଙ୍କୁ କୋଭିଡ ଗାଇଡ଼ଲାଇନ ଅନୁଯାୟୀ ପାଠ ପଢ଼ାଇବା ସମ୍ଭବ ନୁହେଁ। ଉଭୟ ଭିତ୍ତିଭୂମି ଓ ଶିକ୍ଷକର ଅଭାବ ରହିବ। ଏଣୁ ସରକାର ତରତର ହୋଇ ନିଷ୍ପତି ନ'ନେଇ କ୍ରମାଗତ ଭାବେ ସ୍କୁଲ ଖୋଲିବା ନିଷ୍ପତ୍ତି ନିଅନ୍ତୁ,’’ କହିଛନ୍ତି ଓଷ୍ଟା ସମ୍ପାଦକ ପ୍ରକାଶ ମହାନ୍ତି ।

ଆସନ୍ତା ଜୁଲାଇ ୨୬ ତାରିଖରୁ ଦଶମ ଓ ଦ୍ୱାଦଶ ଶ୍ରେଣୀ ପାଠପଢ଼ା ଆରମ୍ଭ ହେବାକୁ ଯାଉଛି । କରୋନା କଟକଣା ଭିତରେ ଆରମ୍ଭ ହେବ ଶ୍ରେଣୀଗୃହ ଶିକ୍ଷାଦାନ ।
Published by:Lipina Das
First published: