ଭୁବନେଶ୍ୱରର ପରିବା ଓ ମାଛ ବଜାରରେ କରୋନା ମାଡ଼ ନା ଆଉ କିଛି? ଦର ଆକାଶଛୁଆଁ

କାକୁଡି ଓ କାଙ୍କଡ଼ ହେଉ କି ପୋଟଳ କି ବିନ୍, ଭୁବନେଶ୍ୱରର ପରିବା ବଜାରରେ ଏବେ କିଲୋ ପିଛା ୬୦ ଟଙ୍କା ତଳକୁ ପ୍ରାୟ କୌଣସି ପରିବା ନାହିଁ । ମାଛ ଦର ବି ଅସ୍ୱାଭାବିକ ଭାବେ ଉଚ୍ଚ ରହିଛି । ଲୋକେ ସରକାରଙ୍କ ହସ୍ତକ୍ଷେପ ଲୋଡ଼ିଛନ୍ତି ।

ଭୁବନେଶ୍ୱରର ପରିବା ଓ ମାଛ ବଜାରରେ କରୋନା ମାଡ଼ ନା ଆଉ କିଛି? ଦର ଆକାଶଛୁଆଁ
ଭୁବନେଶ୍ୱରର ଏକ ପରିବା ଓ ମାଛ ମାର୍କେଟ
  • News18 Odia
  • Last Updated: October 11, 2020, 7:04 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
News18 Odia Digital

ଭୁବନେଶ୍ୱର: ରାଜ୍ୟରେ କରୋନା ସଂକ୍ରମଣ କମ୍‌ ହେଉ ନ ଥିବା ବେଳେ ସାଧାରଣ ଲୋକଙ୍କ ରୋଜଗାର କମିଛି ଓ ଆବଶ୍ୟକୀୟ ବସ୍ତୁର ଦର ଦାମ ବୃଦ୍ଧି ପାଇବାରେ ଲାଗିଛି । ମାଛ ବଜାର ଯା’ନ୍ତୁ କି ପରିବା ଦୋକାନ, ସବୁଠି ଏବେ ମହଙ୍ଗା ମାଡ଼ । ୫୦୦ ଟଙ୍କାରେ ବି ପରିବା ବ୍ୟାଗ୍‌ ପୂରୁନି। ଖାଲି ଗ୍ରାହକ କଷ୍ଟ ପାଉ ନାହାଁନ୍ତି; ଚଢ଼ା ଦର ଯୋଗୁଁ ବେପାରୀମାନଙ୍କ ବେପାର ବି ମାନ୍ଦା ପଡ଼ିଛି । କିଲେ ଜାଗାରେ ଲୋକେ ଅଧକିଲେ କି ଅଢେଇ ଶହ ଗ୍ରାମ୍‌ କିଣି କାମ ଚଳାଉଛନ୍ତି।

କରୋନା କାଳକୁ ଏମିତି ମହଙ୍ଗା ମାଡ଼ ରାଜଧାନୀବାସୀଙ୍କ ଚିନ୍ତା ବଢାଇଛି । କାକୁଡି ଓ କାଙ୍କଡ଼ ହେଉ କି ପୋଟଳ କି ବିନ୍‌, ବଜାରରେ ଏବେ ୬୦ ଟଙ୍କା ତଳକୁ କୌଣସି ପରିବା ନାହିଁ । ଚଢ଼ା ଦରକୁ ନେଇ ଚିନ୍ତାରେ ପଡ଼ିଛନ୍ତି ଖାଉଟି। ‘‘ବଞ୍ଚିବା ପାଇଁ ତା ଖାଦ୍ୟ ଦରକାର। ଦର ଯାହା ବି ହେଉ, ୫ ଟଙ୍କା ହେଉ କି ୫୦ ଟଙ୍କା, ବଞ୍ଚିବା ପାଇଁ କିଣିବାକୁ ପଡ଼ିବ। ହେଲେ ବହୁତ ବାଧୁଛି,’’ କହିଛନ୍ତି ଗୃହିଣୀ ଗୀତାଞ୍ଜଳି ବେହେରା ।

ଭୁବନେଶ୍ୱରର ୟୁନିଟ୍‌ ୪ ବାସିନ୍ଦା ପ୍ରିୟରଞ୍ଜନ ପରିଡ଼ା କହିଛନ୍ତି ଯେ ତାଙ୍କୁ ଲାଗୁଛି ଦର ଦାମ୍‌ ବ୍ୟବସାୟୀମାନେ ବଢ଼ାଉଛନ୍ତି । ‘‘ଚାଷୀ ତ ଠିକ ମୂଲ୍ୟରେ ପରିବା ବିକୁଛି । ଚାଷୀ ପାଖକୁ ଅଧିକ ଟଙ୍କା ଯାଉନି । ସବୁ ପରିବା ବଜାରରେ ଉପଲବ୍ଧ ଅଛି । ତା’ହାଲେ ଦର ବଢୁଛି କାହିଁକି? ସରକାର ଦର ବୃଦ୍ଧି ଉପରେ ନିୟନ୍ତ୍ରଣ ରଖିବା ଦରକାର,’’ ସେ କହିଛନ୍ତି ।

ଚଢ଼ା ଦର ଯୋଗୁଁ ବେପାରୀମାନଙ୍କ ବେପାର ବି ମାନ୍ଦା ପଡ଼ିଛି ।


ରାଜଧାନୀର ପରିବା ବଜାରରେ ବିନ୍‌ କିଲୋ ପିଛା ୧୦୦ ଟଙ୍କା, ପୋଟଳ ୮୦ରୁ ୧୦୦ ଟଙ୍କା, କାକୁଡି ୮୦ରୁ ୧୦୦ ଟଙ୍କା, ଭେଣ୍ଡି ୮୦ ଟଙ୍କା, ଝୁଡଙ୍ଗ ୮୦ ଟଙ୍କା, କାଙ୍କଡ଼ ୮୦ ଟଙ୍କା, କଲରା ୮୦ ଟଙ୍କା, ବାଇଗଣ ୬୦ ଟଙ୍କା ଓ ଟମାଟୋ କିଲୋ ପିଛା ୬୦ ଟଙ୍କା ଦରରେ ବିକ୍ରି ହେଉଛି।

‘‘ବର୍ଷା ପାଇଁ ଚାଷ ନାହିଁ। ଯାହା ଚାଷ ହେଉଥିଲା ସବୁ ଧୋଇଗଲା। ଏବେ ଆଉ ଲୋକାଲ ପରିବା ଆସୁନି। ଆନ୍ଧ୍ର ଆଉ କଲିକତାରୁ ଯାହା ପରିବା ଆସୁଛି। ସେଥି ପାଇଁ ଦର ବଢୁଛି,’’ କହିଛନ୍ତି ପରିବା ବ୍ୟବସାୟୀ ତ୍ରିଲୋଚନ ସ୍ୱାଇଁ। ‘‘ଦର ଅଧିକ, ହେଲେ ବେପାର ନାହିଁ। ଲୋକେ ବେଶୀ ପରିବା କିଣୁନାହାନ୍ତି। ଫଳରେ ବେପାର ପୂରା ମାନ୍ଦା ଚାଲିଛି,’’ ସେ କହିଛନ୍ତି ।

ମାଛ ବଜାରରେ ବି ଚଢ଼ା ଦର ଜାରି ଅଛି । ଇଲିସି କେଜି ୧,୨୦୦ ଟଙ୍କା ଥିବା ବେଳେ ପାମ୍ପ୍ଲେଟ କିଲୋ ୬୦୦ ଟଙ୍କା ରହିଛି । କଙ୍କଡା କିଲୋ ୧,୨୦୦ ଟଙ୍କା, ଖଇଙ୍ଗା ୪୫୦ ଟଙ୍କା, ଭେକଟି ୪୦୦ ଟଙ୍କା, ଚିଙ୍ଗୁଡ଼ି ୩୮୦ରୁ ୪୫୦ ଟଙ୍କା, ବାଳିଆ ୨୫୦ ଟଙ୍କା, ରୋହି ୨୫୦ ଟଙ୍କା ଓ ରୂପଚାନ୍ଦି ୧୮୦ ଟଙ୍କା ଦରରେ ବିକ୍ରି ହେଉଛି ।

ଏହା ବି ପଢ଼ନ୍ତୁ | ପତି ମାରପିଟ୍ କଲେ, ହେଲେ ପୂନମ୍ ପାଣ୍ଡେ ତାଙ୍କୁ କ୍ଷମା କଲେ; କିସ୍ କରି କହିଲେ: ‘ତୁମକୁ ଛାଡ଼ି ପାରିବିନି’

ଏହା ବି ପଢ଼ନ୍ତୁ | କ’ଣ ସେହି ସ୍ପେଶାଲ୍‌ ସିଗାରେଟ୍ ଯାହା ବିଷୟରେ ଦୀପିକା ପାଦୁକୋନ୍ ଜେରା ବେଳେ କହିଛନ୍ତି?

‘‘ଗାଁ ରୁ ଭଳିକି ଭଳି ମାଛ ଧରି ରାଜଧାନୀକୁ ରୋଜଗାର ଆଶାରେ ଆସୁଛୁ। ଆମିଷ ବାରିରେ ଭଲ ଦୁଇ ପଇସା ରୋଜଗାର ହେବ ବୋଲି ଭାବୁଛୁ, ହେଲେ ବେପାର ହେଉନି । ମାଛ ରହିଗଲେ ବି ପଚି ଯିବ। ତେଣୁ ବାଧ୍ୟ ହେଇ କମ୍‌ ଦରରେ ବିକି ଦେଉଛୁ,’’ କହିଛନ୍ତି ମାଛ ବ୍ୟବସାୟୀ ଗୌତମ ରାଉତ।



ଭୁବନେଶ୍ୱରର ମାଛ ବଜାରରେ ଅଧିକାଂଶ ଦୋକାନୀଙ୍କର ଦିନକୁ ୪୦ରୁ ୫୦ ହଜାର ଟଙ୍କାର ବେପାର ହୁଏ । କିନ୍ତୁ ଏବେ ୧୦ ହଜାର ଟଙ୍କାର ବେପାର ବି କଷ୍ଟକର ହୋଇପଡ଼ିଛି ଓ ଗାଡ଼ି ଖର୍ଚ୍ଚ ବି ଉଠୁନି ବୋଲି ଗୌତମ କହିଛନ୍ତି ।
Published by: Anand Shankar Thankur Das
First published: October 11, 2020, 7:04 PM IST
corona virus btn
corona virus btn
Loading