ତେଲ ଦର କମିଲା ହେଲେ କମୁନି ବଜାର ଦର; ମହଙ୍ଗା ମାଡ଼କୁ ନେଇ ଗ୍ରାହକ ହତାଶ

ଆଶା କରାଯାଉଥିଲା ତୈଳ ଦର କମିବା ପରେ ବଜାରରେ ବାରମ୍ବାର ସୃଷ୍ଟି ହେଉଥିବା ମହଙ୍ଗା ମାଡ଼ ସ୍ଥିତିରେ କିଛିଟା ସୁଧାର ଆସିବ। ଗ୍ରାହକଙ୍କ ପକେଟକୁ ଆଉ ବଜାର ଦର ବାଧିବ ନାହିଁ । ହେଲେ ସପ୍ତାହକ ପରେ ବି ସ୍ଥିତିରେ ସୁଧାର ନାହିଁ ।

ତେଲ ଦର କମିଲା ହେଲେ କମୁନି ବଜାର ଦର

ତେଲ ଦର କମିଲା ହେଲେ କମୁନି ବଜାର ଦର

  • Share this:
News18 Odia Digital

ଭୁବନେଶ୍ବର: ଡ଼ିଜେଲ ଓ ପେଟ୍ରୋଲ ଦର ଖସିଲା ସତ, ହେଲେ ବଜାରରୁ ଏବେ ବି ହଟିନାହିଁ ମହଙ୍ଗା ମାଡ଼। ଡ଼ାଲି, ତେଲ ତଥା ବିଭିନ୍ନ ଅତ୍ୟାବଶ୍ୟକୀୟ ସାମଗ୍ରୀର ଦର ଏବେ ବି ପୂର୍ବ ଭଳି ଆକାଶ ଛୁଆଁ ହୋଇ ରହିଛି । ରାଜଧାନୀ ଭୁବନେଶ୍ୱର ସମେତ ରାଜ୍ୟର ବିଭିନ୍ନ ଅଞ୍ଚଳରେ ଏଭଳି ସ୍ଥିତି ଦେଖିବାକୁ ମିଳୁଛି । ଏନେଇ ଗ୍ରାହକ ଅଭିଯୋଗ କଲେ ମଧ୍ୟ ସେମାନଙ୍କ କଥା ଶୁଣିବାକୁ କେହି ନାହାଁନ୍ତି । ଖୁଚୁରା ବ୍ୟବସାୟୀଙ୍କ ଯୁକ୍ତି ଯେଉଁ ହାରରେ ସେମାନେ କିଣୁଛନ୍ତି ଅଳ୍ପ ଲାଭ ରଖି ବିକିବାକୁ ବାଧ୍ୟ ହେଉଛନ୍ତି । ସେପଟେ ରାଜ୍ୟ ବ୍ୟବସାୟୀ ମହାସଙ୍ଘର ଯୁକ୍ତି ସ୍ଥିତି ସୁଧୁରିବାକୁ ସମୟ ଲାଗିବ । ତେବେ ସରକାର ଏଭଳି କଳାବଜାରିଙ୍କ ବିରୋଧରେ କାର୍ଯ୍ୟାନୁଷ୍ଠାନ ନେବା ଜରୁରୀ।

ସପ୍ତାହକ ତଳେ ଅହେତୁକ ଭାବେ ବୃଦ୍ଧି ପାଉଥିବା ତୈଳ ଦର ଉପରେ ଲାଗିଛି ରୋକ୍ । ପେଟ୍ରୋଲର ଦର ୧୦ ରୁ ୧୨ ଟଙ୍କା କମିଥିବା ବେଳେ ଡ଼ିଜେଲ ଦର ୧୩ ରୁ ୧୪ ଟଙ୍କା କମିଛି । ଆଶା କରାଯାଉଥିଲା ତୈଳ ଦର କମିବା ପରେ ବଜାରରେ ବାରମ୍ବାର ସୃଷ୍ଟି ହେଉଥିବା ମହଙ୍ଗା ମାଡ଼ ସ୍ଥିତିରେ କିଛିଟା ସୁଧାର ଆସିବ। ଗ୍ରାହକଙ୍କ ପକେଟକୁ ଆଉ ବଜାର ଦର ବାଧିବ ନାହିଁ । ହେଲେ ସପ୍ତାହକ ପରେ ବି ସ୍ଥିତିରେ ସୁଧାର ନାହିଁ ।

ରାଜ୍ୟ ବ୍ୟବସାୟୀ ମହାସଙ୍ଘର ସୂଚନା ଅନୁସାରେ, ତୈଳ ଦର କମିବା ପୂର୍ବରୁ ବଜାରରେ ହରଡ଼ ଡ଼ାଲିର ପାଇକାରି ଦର କେଜି ପିଛା ୯୦ ରୁ ୧୦୦ ଟଙ୍କା ଥିଲା । ଏବେ ଏହା ୮୫ରୁ ୯୫କୁ ଖସିଛି । ସେହିଭଳି ମୁଗ ଡ଼ାଲିର ପାଇକାରି ଦର କେଜି ପିଛା ୯୦ ରୁ ୧୦୦ ଟଙ୍କା ଥିବା ବେଳେ ଏହା ୮୮ ରୁ ୯୭କୁ ଖସିଛି । ବିରି ଡ଼ାଲିର କେଜି ପିଛା ୯୦ ରୁ ୧୧୦ ଟଙ୍କା ଥିବା ବେଳେ ଏବେ ଏହା ୯୦ ରୁ ୧୦୮ ଟଙ୍କାକୁ ଖସିଛି । କେବଳ ଡ଼ାଲି ଜାତୀୟ ସାମଗ୍ରୀ ନୁହେଁ ବରଂ ବଜାରରେ ଉପଲବ୍ଧ ତେଲ ଜାତୀୟ ସାମଗ୍ରୀର ଦରରେ ୧୫ ରୁ ୨୦ ଟଙ୍କା କେଜି ପିଛା ଦାମ କମିଛି । ହେଲେ ଏହାର ପ୍ରଭାବ ଖୁଚୁରା ବଜାରରେ ଦେଖିବାକୁ ମିଳୁନାହିଁ । ପୂର୍ବ ଭଳି ବିଭିନ୍ନ ପ୍ରକାର ଡ଼ାଲିର ଦାମ ଖୁଚୁରା ବଜାରରେ କେଜି ପିଛା ୧୪୦ ଟଙ୍କା ପର୍ଯ୍ୟନ୍ତ ବିକ୍ରି ହେଉଥିବା ବେଳେ ଗ୍ରାହକମାନେ ଚଢ଼ା ଦରରେ ଏହି ସାମଗ୍ରୀ କିଣିବାକୁ ବାଧ୍ୟ ହେଉଛନ୍ତି ।

ଗ୍ରାହକଙ୍କ ଅଭିଯୋଗ ଏନେଇ ସେମାନେ ସ୍ୱର ଉଠାଇଲେ ମଧ୍ୟ ଖୁଚୁରା ବ୍ୟବସାୟୀ ଚଢ଼ା ଦାମ ନେଉଛନ୍ତି । ଯୁକ୍ତି କଲେ କେହି ଶୁଣିବା ସ୍ଥିତିରେ ମଧ୍ୟ ନାହାଁନ୍ତି। ସେପଟେ ଖୁଚୁରା ବ୍ୟବସାୟୀଙ୍କ ଯୁକ୍ତି, ପାଇକାରି ବଜାରରୁ ସେମାନେ ଚଢ଼ା ଦରରେ କିଣୁଥିବାରୁ ଅଳ୍ପ କିଛି ଲାଭ ରଖି ବିକ୍ରି କରିବାକୁ ସେମାନେ ବାଧ୍ୟ ହେଉଛନ୍ତି ବୋଲି ମତ ରଖିଛନ୍ତି ।

ଏ ସ୍ଥିତି ସାରା ରାଜ୍ୟରେ ଦେଖିବାକୁ ମିଳୁଛି ବୋଲି ପ୍ରତିକ୍ରିୟା ରଖିଛି ରାଜ୍ୟ ବ୍ୟବସାୟୀ ମହାସଙ୍ଘ । ବ୍ୟବସାୟୀ ମହାସଙ୍ଘର ମହା ସଚିବ ସୁଧାକର ପଣ୍ଡାଙ୍କ କହିବା ଅନୁସାରେ, ଯେଉଁ ସମୟରୁ ତୈଳ ଦର କମିଛି, ସମାନୁପାତିକ ଧାରାରେ ରାଜ୍ୟର ସମସ୍ତ ପାଇକାରି ବ୍ୟବସାୟୀ ସରକାରୀ ଧାର୍ଯ୍ୟ ଅନୁସାରେ କମ କରି ସାମଗ୍ରୀ ବିକ୍ରି କରୁଛନ୍ତି । କିନ୍ତୁ ଖୁଚୁରା ଦରରେ ବିକ୍ରି ହେଉଥିବା ସାମଗ୍ରୀ ଉପରେ ପାଇକାରି ବ୍ୟବସାୟୀଙ୍କର ଲଗାମ ନାହିଁ। ଏହା ଉପରେ ରାଜ୍ୟ ସରକାରଙ୍କ ଖାଉଟି ଓ ଯୋଗାଣ ବିଭାଗ ନଜର ରଖିବାର ଆବଶ୍ୟକ ଅଛି । ବାରମ୍ବାର ସରକାରଙ୍କୁ ଏ ସମ୍ପର୍କରେ ଜଣାଇବା ସତ୍ୱେ ସରକାର ନିରବ । ତେବେ ଏନେଇ ସରକାରୀ ବିଭାଗର ପ୍ରତିକ୍ରିୟା ମିଳି ପାରିନାହିଁ ।

ତେଲ ଦର କମିଲା ହେଲେ କମୁନି ବଜାର ଦର


ଗୋଟିଏ ପଟେ ଖାଉଟିଙ୍କ ଅଭିଯୋଗ ଅନ୍ୟପଟେ ବ୍ୟବସାୟୀ ମହାସଙ୍ଘର ଯୁକ୍ତି ଏଭଳି ସ୍ଥିତିରେ ବଜାର ଦର ନିୟନ୍ତ୍ରଣ ଉପରେ ସରକାରୀ ଭାବେ ତୁରନ୍ତ ଗୁରୁତ୍ୱ ଦିଆଯିବାର ଆବଶ୍ୟକତା ରହିଛି ବୋଲି ବୃଦ୍ଧିଜୀବୀଙ୍କ ମତ ରଖିଛନ୍ତି ।
Published by:Lipina Das
First published: