News18 Odia Digital
ଭୁବନେଶ୍ବର: ଋଷ ଓ ୟୁକ୍ରେନ ମଧ୍ୟରେ ଚାଲିଥିବା ଭୟଙ୍କର ଯୁଦ୍ଧର ପ୍ରଭାବ ଖୁବ୍ ଶୀଘ୍ର ଭାରତୀୟ ବଜାରରେ ଅନୁଭୂତ ହେବାକୁ ଯାଉଛି। ଯୁଦ୍ଧ କାରଣରୁ ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ୩୦ ରୁ ୪୦ ଡଲାର ବୃଦ୍ଧି ପାଉଥିବାରୁ ସେହି ଆଧାରରେ ଭାରତୀୟ ବଜାରରେ ମଧ୍ୟ ତୈଳର ଦାମ ଖୁବ୍ ଶୀଘ୍ର ୧୫ ରୁ ୨୫ ଟଙ୍କା ବଢ଼ିବାରେ ସମ୍ଭାବନା ରହିଛି।
ତେବେ ଋଷ-ୟୁକ୍ରେନ ଯୁଦ୍ଧର ସବୁଠାରୁ ବଡ଼ ପ୍ରଭାବ ଭାରତୀୟ ଖାଇବା ତେଲ ବଜାର ଉପରେ ପଡ଼ିବା ଆଶଙ୍କା ସୃଷ୍ଟି ହୋଇଛି। ବିଶେଷ କରି ସୂର୍ଯ୍ୟମୁଖୀ ତେଲ ଭଳି ଖାଇବା ତେଲର ପ୍ରାୟ ୯୦ ପ୍ରତିଶତ ୟୁକ୍ରେନ ଓ ଋଷରୁ ଭାରତୀୟ ବଜାରକୁ ଆମଦାନୀ ହେଉଥିବାରୁ ଏହାର ପ୍ରଭାବ ଖାଉଟି ବଜାରରେ ଅଧିକ ଅନୁଭୁତ ହେବ ବୋଲି ଆଶଙ୍କା ପ୍ରକାଶ ପାଇଛି।
ଓଡ଼ିଶା ବ୍ୟବସାୟୀ ମହାସଂଘର ମହା ସଚିବ ସୁଧାକର ପଣ୍ଡାଙ୍କ ସୂଚନା ଅନୁସାରେ, ଧୀରେ ଧୀରେ ଭାରତୀୟ ବଜାରରେ ଖାଇବା ତେଲର ଦାମ ବୃଦ୍ଧି ପାଇବାରେ ଲାଗିଛି। ସପ୍ତାହକ ଭିତରେ ବିଭିନ୍ନ ପ୍ରକାର ଖାଇବା ତେଲର ଦାମ ଲିଟର ପିଛା ୩୦ ରୁ ୪୦ ଟଙ୍କା ବୃଦ୍ଧି ପାଇଛି। ସପ୍ତାହକ ତଳେ ବିଭିନ୍ନ ବ୍ରାଣ୍ଡର ସୋରିଷ ତେଲର ଦାମ ଲିଟର ପିଛା ୧୮୦ ରୁ ୨୦୦ ଟଙ୍କା ଭିତରେ ବିକ୍ରି ହେଉଛି , ଯାହା ପୂର୍ବରୁ ୧୪୦ ରୁ ୧୬୦ ଟଙ୍କା ଥିଲା। ସେହିଭଳି ସୂର୍ଯ୍ୟମୁଖୀ ତେଲ ଠାରୁ ଆରମ୍ଭ କରି ନଡ଼ିଆ ତେଲ ପର୍ଯ୍ୟନ୍ତ ଦାମ କ୍ରମାଗତ ଭାବେ ବୃଦ୍ଧି ପାଉଛି। ବଡ଼ କଥା ହେଲା ସୂର୍ଯ୍ୟମୁଖୀ ତେଲ ଭଳି ଭାରତ ଆମଦାନୀ କରୁଥିବା ତେଲ ଉପରେ ଯୁଦ୍ଧର ପ୍ରଭାବ ଅଧିକ ପଡ଼ିପାରେ।
ସେ ଆହୁରି କହିଛନ୍ତି ଯେ ଭାରତରେ ବର୍ଷକୁ ପ୍ରାୟ ୧ କୋଟି ୯୦ ଲକ୍ଷ ଟନ୍ ଖାଇବା ତେଲ ବିକ୍ରି ହୋଇଥାଏ ଓଡ଼ିଶା ବଜାରକୁ ଦେଖିଲେ ବର୍ଷକୁ ୫ରୁ ସାଢ଼େ ୫ ଲକ୍ଷ ଟନ୍ ଖାଇବା ତେଲ ଆବଶ୍ୟକ ହୋଇଥାଏ। ସେହି ହିସାବରେ ମାସକୁ ଓଡ଼ିଶାରେ ୪୦ ରୁ ୫୦ ହଜାର ଟନ ଖାଇବା ତେଲ ଆବଶ୍ୟକ ହୋଇଥାଏ। ଏହି ଖାଇବା ତେଲର ପ୍ରାୟ ୯୦ ପ୍ରତିଶତ ଉଭୟ ଋଷ ଓ ୟୁକ୍ରେନ ବଜାରରୁ ଭାରତ ଆମଦାନୀ କରିଥାଏ। ଯୁଦ୍ଧ କାରଣରୁ ଆମଦାନୀ ବନ୍ଦ ହେବା ଆଶଙ୍କା ରହିଛି ଯେଉଁ କାରଣରୁ ଖାଇବା ତେଲର ଦର ଅହେତୁକ ଭାବେ ବୃଦ୍ଧି ପାଇବାର ସମ୍ଭାବନା ରହଛି।
ସେହିଭଳି ଅଶୋଧିତ ତୈଳର ଦାମ ବ୍ୟାରେଲ ପିଛା ଆନ୍ତର୍ଜାତୀୟ ବଜାରରେ ୩୦ ରୁ ୪୦ ଡଲାର ବୃଦ୍ଧି ପାଇଥିବାରୁ ଏହାର ପ୍ରଭାବ ମଧ୍ୟ ପେଟ୍ରୋଲ ଜାତୀୟ ସାମଗ୍ରୀ ଉପରେ ଅନୁଭୂତ ହେବ ବୋଲି ଆଶଙ୍କା ପ୍ରକାଶ କରିଛି ରାଜ୍ୟ ପେଟ୍ରୋଲ ପମ୍ପ ଆସୋସିଏସନ। ପେଟ୍ରୋଲ ପମ୍ପ ଆସୋସିଏସନ ସଭାପତି ସଞ୍ଜୟ ଲାଠଙ୍କ ସୂଚନା ଅନୁସାରେ, ହୁଏତ ଆସନ୍ତା ୭ ତାରିଖ ପରେ ଏହାର ପ୍ରଭାବ ଅନୁଭୂତ ହେବ।
ସେହିଭଳି ଯୁଦ୍ଧର ପ୍ରଭାକୁ ନେଇ ଆଶା ଆଶଙ୍କାରେ ଭିତରେ ଅଛନ୍ତି ଉଭୟ ବ୍ୟବସାୟୀ ଓ ଗ୍ରାହକ। ପେଟ୍ରୋଲିୟମ ଜାତ ଇନ୍ଧନ ଲିଟର ପିଛା ୨୦ ରୁ ୩୦ ଟଙ୍କା ବୃଦ୍ଧି ପାଇବାର ସମ୍ଭାବନା ଥିବାରୁ ଏହାକୁ ନେଇ ଲୋକଙ୍କ ଭିତରେ ଆଶଙ୍କା ବଢୁଛି। ପ୍ରକାଶ ରାଉତ ଭଳି ଗ୍ରାହକଙ୍କ ଅଭିଯୋଗ ହେଲା , ଯୁଦ୍ଧ କାରଣରୁ ପେଟ୍ରୋଲ ଜାତ ସାମଗ୍ରୀର ଦର ବୃଦ୍ଧି ପାଇଲେ ଏହାର ପ୍ରଭାବ ଖାଉଟିଙ୍କ ଉପରେ ପଡ଼ିବ। କାରଣ ମାଲ ପରିବହନ ଖର୍ଚ୍ଚ ବଢ଼ିବ।
ସେହିଭଳି ବ୍ୟବସାୟୀ ସୁଶାଂନ୍ତ ସାହୁଙ୍କ ମତରେ, ଗତ ନଭେମ୍ବର ମାସରେ ଶେଷଥର ପାଇଁ ବଢ଼ିଥିଲା ଉଭୟ ପେଟ୍ରୋଲ ଓ ଡିଜେଲ ଦର। ଏବେ ଯୁ୍ଦ୍ଧ କାରଣରୁ ଅଶୋଧିତ ତୈଳ ଦର ବୃଦ୍ଧି ପାଉଥିବାରୁ ଖୁବ୍ ଶୀଘ୍ର ତୈଳଦର ବୃଦ୍ଧି ପାଇବ। କେବଳ କିଛି ରାଜ୍ୟରେ ନିର୍ବାଚନକୁ ଆଖିରେ ରଖି ଏ ପର୍ଯ୍ୟନ୍ତ ଦାମ୍ ବଢ଼ିନାହିଁ। ଆସନ୍ତା ୭ ତାରିଖ ପରେ ଏହି ଦାମ ବଢ଼ିବ।
ଏହି ପ୍ରସଙ୍ଗରେ ଟ୍ବିଟ କରି ରାଜ୍ୟ ଖାଉଟି ଯୋଗାଣମନ୍ତ୍ରୀ ରଣେନ୍ଦ୍ର ପ୍ରତାପ ସ୍ୱାଇଁ କହିଛନ୍ତି, ‘‘ଯୁଦ୍ଧ ଯୋଗୁ ଏଭଳି ସ୍ଥିତି ସୃଷ୍ଟି ହେବାର ସମ୍ଭାବନା ରହିଛି। ସେ ଦୃଷ୍ଟିରୁ କୃତ୍ରିମ ସଙ୍କଟ ଓ କଳାବଜାରୀ ରୋକିବା ପାଇଁ ବିଭାଗୀୟ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।’’
ଏସବୁ ଭିତରେ ଆଶା ଆଶଙ୍କାରେ ଉଭୟ ଗ୍ରାହକ ଓ ବ୍ୟବସାୟୀ। ଯଦି ଯୁଦ୍ଧ ଅଧିକ ଦିନ ଚାଲେ ତେବେ ତା'ର ପ୍ରଭାବ ଭାରତ ସମେତ ବିଶ୍ୱର ବିଭିନ୍ନ ବଜାରରେ ଅନୁଭୂତ ହେବ ବୋଲି ବୃଦ୍ଧିଜୀବୀଙ୍କ ମତ ରଖିଛନ୍ତି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।