ଆସୁଛି ବର୍ଷା; ଜଳ ନିଷ୍କାସନ ଓ ରୋଗ ପ୍ରତିରୋଧ ପାଇଁ ଆଗୁଆ ପଦକ୍ଷେପ

ବର୍ଷା ଋତୁରେ ସହରାଞ୍ଚଳରେ ଯେଭଳି କୃତ୍ରିମ ବନ୍ୟା କିମ୍ବା ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବ ସେ ନେଇ ତତ୍ପର ହୋଇଛି ବିଭାଗ। ଏନେଇ ଆଗୁଆ ପଦକ୍ଷେପ ନେବା ଲାଗି ସମସ୍ତ ମହାନଗର ନିଗମର କମିଶନର, ମ୍ୟୁନସିପାଲିଟି ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଜଳ ନିଷ୍କାସନ ଓ ରୋଗ ପ୍ରତିରୋଧ ପାଇଁ ଆଗୁଆ ପଦକ୍ଷେପ

ଜଳ ନିଷ୍କାସନ ଓ ରୋଗ ପ୍ରତିରୋଧ ପାଇଁ ଆଗୁଆ ପଦକ୍ଷେପ

  • Share this:
News18 Odia Digital

ଭୁବନେଶ୍ବର: ଆସନ୍ତା କିଛି ଦିନ ମଧ୍ୟରେ ରାଜ୍ୟରେ ମୌସୁମୀ ପ୍ରବେଶ କରିବ। ଏହାସହ ପ୍ରାକ ମୌସୁମୀ ବର୍ଷା ଆରମ୍ଭ ହୋଇଯିବ। ଏନେଇ ଆଗୁଆ ସତର୍କ ହୋଇଛି ଗୃହ ଓ ନଗର ଉନ୍ନୟନ ବିଭାଗ। ତେଣୁ ଆଗୁଆ ପଦକ୍ଷେପ ନେବା ଲାଗି ମହାନଗର ନିଗମ କମିଶନ ଓ ପୌର ପରିଷଦ କାର୍ଯ୍ୟ ନିର୍ବାହୀ ଅଧିକାରୀଙ୍କୁ ଚିଠି ଲେଖିଛି ବିଭାଗ। ଜାରf କରାଯାଇଥିବା ଏସଓପି ଅନୁସାରେ କାର୍ଯ୍ୟ କରିବାକୁ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ନିର୍ଦ୍ଦେଶ ଦେଇଛନ୍ତି।

ବର୍ଷା ଋତୁରେ ସହରାଞ୍ଚଳରେ ଯେଭଳି କୃତ୍ରିମ ବନ୍ୟା କିମ୍ବା ଜଳବନ୍ଦୀ ସମସ୍ୟା ସୃଷ୍ଟି ନହେବ ସେ ନେଇ ତତ୍ପର ହୋଇଛି ବିଭାଗ। ଏନେଇ ଆଗୁଆ ପଦକ୍ଷେପ ନେବା ଲାଗି ସମସ୍ତ ମହାନଗର ନିଗମର କମିଶନର, ମ୍ୟୁନସିପାଲିଟି ଓ ଏନଏସି କାର୍ଯ୍ୟନିର୍ବାହୀ ଅଧିକାରୀଙ୍କୁ ନିର୍ଦ୍ଦେଶ ଦିଆଯାଇଛି।

ଅଧିକ ବର୍ଷା ଭଳି ସ୍ଥିତିରେ ଯେଭଳି ସହରାଞ୍ଚଳରେ କୌଣସି ଠାରେ ଜଳବନ୍ଦୀ ସମସ୍ୟା ସୃଷ୍ଟି ନହୁଏ, ସେଥିପାଇଁ ଯୋଜନା ମୁତାବକ ପଦକ୍ଷେପ ନେବାକୁ ରାଜ୍ୟ ପୌର ପ୍ରଶାସକ ସଂଗ୍ରାମଜିତ ନାୟକ ନିର୍ଦ୍ଦେଶ ଦେଇଛନ୍ତି।

ପୂର୍ବ ବର୍ଷ ଭଳି ପୌର ପ୍ରଶାସନଗୁଡିକ ଡ୍ରେନେଜ ଡିଭିଜନ, କ୍ଷୁଦ୍ର ଜଳସେଚନ ଓ ଜଳସମ୍ପଦ ବିଭାଗ ସହିତ ମିଳିତ ଭାବେ ବର୍ଷାରତୁ ପୂର୍ବରୁ ସମସ୍ତ ଡ୍ରେନ ଟନେଲ ଓ ଜଳନିଷ୍କାସନ ବ୍ୟବସ୍ଥାର ଅନୁଧ୍ୟାନ କରିବେ। ଆବଶ୍ୟକ ସ୍ଥଳେ ଦୁର୍ଘଟଣା ଏଡ଼ାଇବା ପାଇଁ ଡ୍ରେନ ଘୋଡ଼ଣି ଗୁଡ଼ିକର ମରାମତି କିମ୍ବା ନିର୍ମାଣ କରିବେ। କାରଣ ପ୍ରବଳ ବର୍ଷା ସମୟରେ ବର୍ଷା ପାଣି ଫୁଟପାଥ ଉପରକୁ ଉଠିଗଲା ପରେ ଘୋଡ଼ଣି ନଥିବା ସ୍ଥାନରେ ଲୋକେ ଦୁର୍ଘଟଣାର ଶିକାର ହୋଇଥାନ୍ତି।

ତେଣୁ ବର୍ଷା ଦିନ ପୂର୍ବରୁ ପୌରାଞ୍ଚଳରେ ଥିବା ସମସ୍ତ ଡ୍ରେନର ଶତ ପ୍ରତିଶତ ଅନୁଧ୍ୟାନ ସହିତ ଯଦି କୌଣସି ଠାରେ ଦୁର୍ଘଟଣାର ସମ୍ଭାବନା ଥାଏ ତେବେ ଯୁଦ୍ଧକାଳୀନ ଭିତ୍ତିରେ ସେଠାରେ ପଦକ୍ଷେପ ଗ୍ରହଣ କରାଯିବ। ଯଦି କୌଣସି ଠାରେ ଏହାର ମରାମତି ସମ୍ଭବ ନୁହେଁ, ତେବେ ଲୋକେ ଯେଭଳି ଦୁର୍ଘଟଣାର ସମ୍ମୁଖୀନ ନହେବେ ସେଥିପାଇଁ ପଦକ୍ଷେପ ନେବାକୁ କୁହାଯାଇଛି।

ସେହିଭଳି ଯଦି କୌଣସି ଠାରେ ଡ୍ରେନ ଜବରଦଖଲ ହୋଇ ଜଳ ଅବରୋଧ କରିବାର ସମ୍ଭାବନା ରହିଛି ତେବେ ତୁରନ୍ତ ସେହି ଜବରଦଖଲ ହଟାଇବା ଓ ଉଚ୍ଛେଦ ପାଇଁ କୁହାଯାଇଛି। ଆବଶ୍ୟକ ସ୍ଥଳେ ଜବରଦଖଲକାରୀ ବସ୍ତି ଓ ସଂସ୍ଥା ବିରୋଧରେ ଆଇନଗତ କାର୍ଯ୍ୟାନୁଷ୍ଠାନ ନେବା ପାଇଁ ସ୍ପଷ୍ଟ ନିର୍ଦ୍ଦେଶ ଦିଆଯାଇଛି। ସହରାଞ୍ଚଳରେ ବନ୍ୟା ଭଳି ସ୍ଥିତି ସୃଷ୍ଟି ହେଉଥିବା ସ୍ଥାନ ଚିହ୍ନଟ ସହିତ ସେଠାରେ ବର୍ଷା ସମୟରେ ଜରୁରୀ ଭିତ୍ତିରେ ପମ୍ପ ମୁତୟନ କରିବାକୁ କୁହାଯାଇଛି। ଡ୍ରେନ ଗୁଡିକର ଜରୁରୀ ମରାମତି ସହିତ କୌଣସି ଠାରେ ଜଳ ଅବରୋଧ ଭଳି ସାମଗ୍ରୀ ଗଦା ହୋଇଥିଲେ ତାହାକୁ ହଟାଇବା ଲାଗି ନିର୍ଦ୍ଦେଶ ଦିଆଯାଇଛି।

ବର୍ଷା ଦିନେ ସହରାଞ୍ଚଳରେ ଜଳ ଜମା ହେବା ଫଳରେ ମ୍ୟାଲେରିଆ, ଡେଙ୍ଗୁ ଓ ଜାପାନୀଜ୍ ଏନ୍‌ସେଫାଲାଇଟିସ୍ ଭଳି ବ୍ୟାକ୍ଟେରିଆ ବାହିତ ରୋଗ ଓ ଡାଇରିଆ ଓ କାମଳ ଭଳି ଜଳବାହିତ ରୋଗ ହେବାର ସମ୍ଭାବନା ରହିଛି। ତାହାକୁ ଦୃଷ୍ଟିରେ ରଖି ଜନବସତି ଅଞ୍ଚଳରେ ଯେଭଳି ଆଦୌ ଜଳବନ୍ଦୀ ଅବସ୍ଥା ସୃଷ୍ଟି ନହୁଏ ସେଥିପାଇଁ ଅନ୍ୟ ବିଭାଗ ସହିତ ସମନ୍ବୟ ରକ୍ଷା କରିବାକୁ କୁହାଯାଇଛି। ଏଭଳି ରୋଗର ନିରାକରଣ ପାଇଁ ଜଳ ଜମା ହେଉଥିବା ସ୍ଥାନରେ ବ୍ଲିଚିଙ୍ଗ ପାଉଡର ସିଞ୍ଚନ ସହିତ ମଇଳା ଟାଙ୍କି ଗୁଡ଼ିକରେ ଘୋଡ଼ଣି ପକାଇବାକୁ କୁହାଯାଇଛି। ସହରାଞ୍ଚଳରେ ନିୟମିତ ଭାବେ ମଶା ଧୂଆଁ ଛାଡିବାକୁ ଅଗ୍ରାଧିକାର ଦେବାକୁ କୁହାଯାଇଛି।

ସହରାଞ୍ଚଳରେ ବ୍ୟାପକ ପଲିଥିନ ବ୍ୟବହାର ହୋଇ ତଳିଆ ଅଞ୍ଚଳରେ ଡ୍ରେନ ଚାମ୍ବର ଜାମ ହେବା ମୁଖ୍ୟ କାରଣ। ଏଥିପ୍ରତି ଦୃଷ୍ଟି ଦେବା ସହିତ ପଲିଥିନ ନିଷେଧକୁ କଡ଼ାକଡ଼ି ଭାବେ ପାଳନ ପାଇଁ ନିର୍ଦ୍ଦେଶ ଦିଆଯାଇଛି।

ଜଳ ପ୍ରବାହ ହେଉଥିବା କେତେକ ସ୍ଥାନରେ ଜାଲ ବିଛା ଯାଇ ଅଳିଆ ଛାଣି ନିର୍ଦ୍ଦିଷ୍ଟ ସ୍ଥାନରେ ପକାଇବାକୁ କୁହାଯାଇଛି। ସେଭଳି ପ୍ରତ୍ୟେକ ପୌରାଞ୍ଚଳରେ କମିଶନର କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ ଅଧ୍ୟକ୍ଷତାରେ ୟୁନିଫାଏଡ କମାଣ୍ଡ ଓ କଣ୍ଟ୍ରୋଲ ସେଣ୍ଟର ପ୍ରତିଷ୍ଠା କରିବା ସହିତ ବିଭିନ୍ନ ବିଭାଗ, ସଂସ୍ଥା ଓ ଅଗ୍ନିଶମ ବିଭାଗ ସହିତ ସମନ୍ବୟ ରକ୍ଷା କରି ସେମାନଙ୍କ ଇଲାକାରେ ବନ୍ୟା ଭଳି ସ୍ଥିତିର ମୁକାବିଲା କରିବାକୁ କୁହାଯାଇଛି।
Published by:Lipina Das
First published: