ଭୁବନେଶ୍ବର: ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହକୁ ଅତିଥି ଭାବେ ଆସି ନିଜର କିଛି ପୁରୁଣା ବନ୍ଧୁଙ୍କୁ ଭେଟିଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସେମାନଙ୍କୁ ଭେଟି ଖୁବ୍ ଖୁସି ହୋଇଥିଲେ ସେ।
ଦୁଇଦିନଆ ଓଡ଼ିଶା ଗସ୍ତରେ ଆସିଥିବା ରାଷ୍ଟ୍ରପତି ଅଚାନକ ନିଜ ପୁରୁଣା ବନ୍ଧୁ ବୀରଭଦ୍ର ସିଂଙ୍କୁ ଦେଖି ଏତେ ଖୁସି ହୋଇଥିଲେ ଯେ ମଞ୍ଚ ଉପରୁ ହିଁ ତାଙ୍କୁ ଭେଟିବାକୁ ଡାକିଥିଲେ । ଉତ୍କଳ ବିଶ୍ବବିଦ୍ୟାଳୟର ୭୫ବର୍ଷ ପୂର୍ତ୍ତିର ପ୍ଲାଟିନମ୍ ଜୁବୁଲି ଉଦଯାପନୀ ସମାରୋହରେ ଉଦବୋଧନ ଦେବା ସମୟରେ ରାଷ୍ଟ୍ରପତିଙ୍କ ନଜର ପଡ଼ିଥିଲା ମଞ୍ଚ ତଳେ ବସିଥିବା ଅତିଥିମାନଙ୍କ ଉପରେ । ସେଇଠି ନିଜର ପୁରୁଣା ବନ୍ଧୁ ବୀରଭଦ୍ରଙ୍କୁ ଦେଖିଥିଲେ ସେ ।
ଜାତୀୟ ସଙ୍ଗୀତ ସହ କାର୍ଯ୍ୟକ୍ରମ ଶେଷ ହେବା ପରେ ବୀରଭଦ୍ରଙ୍କୁ ଭେଟିବାକୁ ଇଚ୍ଛା ପ୍ରକାଶ କରିଥିଲେ ରାଷ୍ଟ୍ରପତି । କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ ମଞ୍ଚ ଉପରୁ ପୂର୍ବତନ ମନ୍ତ୍ରୀ ତଥା ସାଂସଦ ବୀରଭଦ୍ର ସିଂହଙ୍କୁ ରାଷ୍ଟ୍ରପତି ଭେଟିବାକୁ ଚାହୁଁଥିବା ଆନାଉନ୍ସ କରିଥିଲେ । ତାପରେ ମଞ୍ଚ ପଛପାଖରେ ହୋଇଥିବା ସ୍ବତନ୍ତ୍ର କୋଠରୀରେ ରାଷ୍ଟ୍ରପତି ଭେଟିଥିଲେ ବୀରଭଦ୍ର ସଂହଙ୍କୁ ।
“ରାଷ୍ଟ୍ରପତି ଭବନ କଥା କେବେ ମନେ ପଡ଼େ ନାହିଁ? କାହିଁକି ଆସୁ ନାହାଁନ୍ତି?” ପଚାରିଥିଲେ କୋବିନ୍ଦ । ବୀରଭଦ୍ରଙ୍କ ଉତ୍ତର ଥିଲା: “କିଛି କାମ ପଡ଼ିନାହିଁ । ବିନା କାରଣରେ ଯିବାକୁ ଇଚ୍ଛା ପ୍ରକାଶ ହୁଏନି। କିନ୍ତୁ ଏଥର ଯିବି” ।
୨୦୦୧ ରୁ ୨୦୦୬ ମସିହା ପର୍ଯ୍ୟନ୍ତ ବୀରଭଦ୍ର ସିଂହ ସାଂସଦ ଥିବା ବେଳେ ରାମନାଥ କୋବିନ୍ଦ ମଧ୍ୟ ସାଂସଦ ଥିଲେ । ଉଭୟେ ଆଦିବାସୀ ଲୋକଙ୍କ ହକ୍ ପାଇଁ କାମ କରୁଥିବାବେଳେ ଦୁହିଁଙ୍କ ଭିତରେ ଭଲ ସମ୍ପର୍କ ଗଢ଼ି ଉଠିଥିଲା ।
"ପାଞ୍ଚ ବର୍ଷର ସମ୍ପର୍କ ଏତେ ନିବିଡ଼ ଥିଲା ଯେ ମୋତେ ଦେଖି ରାଷ୍ଟ୍ରପତି ଖୁସିରେ ବିଭୋର ହୋଇଯାଇଥିଲେ । କେମିତି ଅଛି ବୋଲି ମୋତେ ପଚାରିଲେ ସେ । ମୋ’ ପଗଡ଼ି ଦେଖି ମୋତେ ଚିହ୍ନିଗଲେ ବୋଲି ଜଣେଇଲେ ସେ,” ଖୁସିରେ ଗଦଗଦ ହୋଇ କହିଛନ୍ତି ବୀରଭଦ୍ର ।
କେବେ ଦିଲ୍ଲୀ ଯାଉନାହାଁନ୍ତି ବୋଲି ବୀରଭଦ୍ରଙ୍କୁ ରାଷ୍ଟ୍ରପତି ପ୍ରଶ୍ନ କରିବାରୁ “ହଁ ଯାଏ” ବୋଲି ଉତ୍ତର ଦେଇଥିଲେ ସେ । “ରାଷ୍ଟ୍ରପତି ଭବନ କଥା କେବେ ମନେ ପଡ଼େ ନାହିଁ? କାହିଁକି ଆସୁ ନାହାଁନ୍ତି?” ପଚାରିଥିଲେ କୋବିନ୍ଦ । ବୀରଭଦ୍ରଙ୍କ ଉତ୍ତର ଥିଲା: “କିଛି କାମ ପଡ଼ିନାହିଁ । ବିନା କାରଣରେ ଯିବାକୁ ଇଚ୍ଛା ପ୍ରକାଶ ହୁଏନି। କିନ୍ତୁ ଏଥର ଯିବି” ।
ଏହା ପରେ ରାଷ୍ଟ୍ରପତି ନିଜ ଫଟୋଗ୍ରାଫରକୁ ବୀରଭଦ୍ର ସିଂହଙ୍କ ସହ ଏକ ଫଟୋ ମଧ୍ୟ ଉଠାଇବାକୁ କହିଥିଲେ । ଅନେକ ଦିନ ପରେ ନିଜ ପୁରୁଣା ବନ୍ଧୁଙ୍କୁ ଦେଖି ବୀରଭଦ୍ର ସିଂହ ମଧ୍ୟ ବେଶ୍ ଖୁସି ପ୍ରକାଶ କରିଥିଲେ ।
ମୟୁରଭଞ୍ଜ ଜିଲ୍ଲାର ବୀରଭଦ୍ର ସିଂହ 1965 ମସିହାରେ ବାରିପଦା କଲେଜରୁ ସ୍ନାତକ ହେବା ପରେ ୧୯୬୫-୬୭ରେ ଉତ୍କଳ ବିଶ୍ବବିଦ୍ୟାଳୟରୁ ଉତ୍ତୀର୍ଣ୍ଣ ହୋଇଥିଲେ । ଆଜି ବିଶ୍ବବିଦ୍ୟାଳୟର ପ୍ଲାଟିନମ୍ ଜୁବୁଲି ସମାରୋହରେ ପୁର୍ବତନ ଛାତ୍ର ଭାବେ ଯୋଗ ଦେବାକୁ ଆସିଥିଲେ ସେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।