ଭୁବନେଶ୍ବର: ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଖୋର୍ଦ୍ଧା ବରୁଣେଇରେ ପାଇକ ବିଦ୍ରୋହ ସ୍ମାରକୀର ଶିଳାନ୍ୟାସ କଲେ ରାଷ୍ଟ୍ରପତି ରାମନାଥ କୋବିନ୍ଦ । ସଂଗ୍ରାମୀ ପାଇକଙ୍କ ବୀରତ୍ବକୁ ମନେ ପକାଇବା ସହ ଉତ୍କଳ ଗୌରବ ମଧୁସୁଦନ ଦାସ, ଉତ୍କଳମଣି ଗୋପବନ୍ଧୁ ଦାସ ଓ ଭୂମିପୁତ୍ର ବିଜୁ ପଟ୍ଟନାୟକଙ୍କୁ ମଧ୍ୟ ସ୍ମରଣ କରିଥିଲେ ସେ ।
ଓଡ଼ିଶାରେ ପହଞ୍ଚି ଓଡ଼ିଶାବାସୀଙ୍କୁ ନିଜ ଅଭିଭାଷଣ ଓଡ଼ିଆରେ ଆରମ୍ଭ କରିଥିଲେ ରାଷ୍ଟ୍ରପତି । ’’ଜୟ ଜଗନ୍ନାଥ‘‘ କହି ଏକ ଆନ୍ତରିକ ସମ୍ବୋଧନ ସହିତ ଓଡ଼ିଶା ଓ ଓଡ଼ିଆମାନଙ୍କୁ ପ୍ରଶଂସାରେ ପୋତିପକାଇଲେ ଦେଶର ନଂ ୧ ନାଗରିକ । ତା’ ସହିତ ଏକ ନବ ଭାରତର ନିର୍ମାଣ ପାଇଁ ଆହ୍ବାନ ଦେଇଥିଲେ ସେ ।
’’ପାଇକ ବିଦ୍ରୋହ ସ୍ମାରକୀ ପରବର୍ତ୍ତୀ ପିଢ଼ି ପାଇଁ ପ୍ରେରଣାର ଉତ୍ସ ସାଜିବ । ସ୍ମାରକୀ ନିର୍ମିତ ହେଲେ ପାଇକ ବିଦ୍ରୋହ ସହ ଜଡ଼ିତ ସ୍ମୃତି ସବୁ ଦିନ ପାଇଁ ତାଜା ହେଇ ରହିବ ଆଉ ତା’ ବିଷୟରେ ତଥ୍ୟ ମିଳି ଚାଲିଥିବ । ଦେଶର ଯୁବପୀଢ଼ି ଓ ବିଦେଶୀ ପର୍ଯ୍ୟଟକ ମାନେ ବିଭିନ୍ନ ତଥ୍ୟ ଜାଣିପାରିବେ,” ନିଜ ଅଭିଭାଷଣରେ କହିଥିଲେ ରାଷ୍ଟ୍ରପତି । ଉତ୍କଳର ଉତ୍କର୍ଷ ହେଉଛି କଳା, ଆଉ ଓଡ଼ିଆ ଏକ ସ୍ବାଭିମାନୀ ଜାତି ବୋଲି ବି ସେ କହିଥିଲେ ।

କାର୍ଯ୍ୟକ୍ରମରେ ଯୋଗଦେଇ ପାଇକ ବଂଶଜ ତଥା ଆନ୍ଧ୍ରପ୍ରଦେଶର ରାଜ୍ୟପାଳ ବିଶ୍ବଭୂଷଣ ହରିଚନ୍ଦନଙ୍କ କହିଥିଲେ: ’’ପାଇକ ବିଦ୍ରୋହ ଥିଲା ଓଡ଼ିଶାର ଗଣସଂଗ୍ରାମ । ଦେଶର ଏକ ଅଭୂତପୂର୍ବ ସଂଗଠିତ ଜନସଂଗ୍ରାମ । ପାଇକ ବିଦ୍ରୋହ ଭାରତ ବର୍ଷର ଏକ ଗର୍ବିତ ଇତିହାସ।‘‘
କାର୍ଯ୍ୟକ୍ରମରେ ଯୋଗଦେଇ କେନ୍ଦ୍ର ପେଟ୍ରୋଲିୟମ ଓ ଇସ୍ପାତ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ କହିଥିଲେ ଯେ କୌଣସି ଜାତି ଦୟାରେ ନୁହେଁ ବରଂ ଲଢ଼େଇ କରି ସ୍ବୀକୃତି ପାଏ ।
’’ଓଡ଼ିଆ ଜାତିର ଗୌରବ ଅତୁଳନୀୟ । ପାଇକ ବିଦ୍ରୋହର ୨୦୦ ବର୍ଷ ପୂର୍ତ୍ତି ଅବସରରେ ଯେଉଁ ସ୍ମାରକୀର ଆଜି ଶିଳାନ୍ୟାସ ହେଲା, ତା’ର ନିର୍ମାଣ ସରିଲେ ପାଇକଙ୍କ ଶୌର୍ଯ୍ୟ ଓ ତ୍ୟାଗର ସ୍ମୃତି ଶତାବ୍ଦୀ ଶତାବ୍ଦୀ ଧରି ଲୋକଙ୍କୁ ଅନୁପ୍ରାଣିତ କରିବ,‘‘ କହିଥିଲେ ପ୍ରଧାନ ।

କାର୍ଯ୍ୟକ୍ରମରେ ଯୋଗଦେଇ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ କହିଥିଲେ: ’’ପାଇକ ବିଦ୍ରୋହ ଥିଲା ବ୍ରିଟିଶ ସରକାର ବିରୋଧରେ ଏକ ଗଣ ଆନ୍ଦୋଳନ । ପାଇକ ବିଦ୍ରୋହର ମହାନାୟକ ବକ୍ସି ଜଗବନ୍ଧୁ ଓ ଅନ୍ୟ ପାଇକ ବୀରମାନଙ୍କର ଅବଦାନ ଅତୁଳନୀୟ । ବୀର ପାଇକମାନଙ୍କ ଅଦମ୍ୟ ସାହସ ଓ ଯୁଦ୍ଧ କୌଶଳ ଯୋଗୁଁ ଓଡ଼ିଆ ଜାତି ଦିନେ ଗଙ୍ଗାଠାରୁ ଗୋଦାବରୀ ଯାଏ ଜୟ କରିଥିଲା। ସମ୍ରାଟ ଖାରବେଳ ଓ ସମ୍ରାଟ କପିଳେନ୍ଦ୍ର ଦେବଙ୍କ ଦିଗ୍ବିଜୟ ଓଡ଼ିଆ ଜାତିର ଗୌରବ ବୃଦ୍ଧି କରିଥିଲା ।‘‘
ମୁଖ୍ୟମନ୍ତ୍ରୀ ଏହି ଅବସରରେ ବକ୍ସି ଜଗବନ୍ଧୁଙ୍କ ନାଁରେ ଏକ ସ୍ବତନ୍ତ୍ର ଟ୍ରେନ୍ ଚଳାଇବାକୁ ଦାବି ରଖିଥିଲେ ।
ବରୁଣେଇରେ ଆୟୋଜିତ ଏହି ପାଇକ ବିଦ୍ରୋହ ସ୍ମାରକୀ ସମାରୋହରେ ଓଡ଼ିଶା ରାଜ୍ୟପାଳ ପ୍ରଫେସର ଗଣେଷୀ ଲାଲ, କେନ୍ଦ୍ର ମନ୍ତ୍ରୀ ପ୍ରତାପ ଷଡ଼ଙ୍ଗୀ ଓ କେନ୍ଦ୍ର ପର୍ଯ୍ୟଟନ ମନ୍ତ୍ରୀ ପ୍ରହଲ୍ଲାଦ ସିଂ ପଟେଲଙ୍କ ସମେତ ରାଜ୍ୟ ପର୍ଯ୍ୟଟନ ମନ୍ତ୍ରୀ ଜ୍ୟୋତି ପାଣିଗ୍ରାହୀ ପ୍ରମୁଖ ଉପସ୍ଥିତ ଥିଲେ ।
ପାଇକ ସ୍ମାରକୀ ନିର୍ମାଣ ପାଇଁ ଦଶ ଏକର ଜମି ଦେଇଛନ୍ତି ରାଜ୍ୟ ସରକାର । ସ୍ମାରକୀ ପାଇଁ କେନ୍ଦ୍ର ଖର୍ଚ୍ଚ କରିବ ୨ ଶହ କୋଟି ଏବଂ ସଂସ୍କୃତି ମନ୍ତ୍ରାଳୟ ଏହାର ଦାୟିତ୍ବରେ ରହିବ ।
ରାଷ୍ଟ୍ରପତି ରାମନାଥ କୋବିନ୍ଦ ନିଜର ଦୁଇଦିନିଆ ଓଡ଼ିଶା ଗସ୍ତ ସାରି ଫେରି ଯାଇଛନ୍ତି ନୂଆଦିଲ୍ଲୀ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।