ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ଓ ଝିଅଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ଭୁବନେଶ୍ୱର ଗସ୍ତ

ଲିଙ୍ଗରାଜ ମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ କରି ଓ ମନ୍ଦିରର ପୂଜା ପ୍ରଣାଳୀ ଏବଂ ପ୍ରାଚୀନ କାରୁକାର୍ଯ୍ୟ ଦେଖି ଭାବବିହ୍ବଳ ହୋଇ ପଡିଥିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଓ ଝିଅ ସ୍ବାତି ।

ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ଓ ଝିଅଙ୍କ ପାଇଁ ସ୍ମରଣୀୟ ହୋଇ ରହିବ ଭୁବନେଶ୍ୱର ଗସ୍ତ
ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଓ ଝିଅ ସ୍ବାତି ଲିଙ୍ଗରାଜ ମନ୍ଦିରରୁ ଫେରୁଛନ୍ତି ।
  • News18 Odia
  • Last Updated: December 8, 2019, 6:32 PM IST
  • Share this:
  • Byline Facebook
  • Byline Twitter
  • Byline Linkedin
ଭୁବନେଶ୍ବର: ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ ଧର୍ମପତ୍ନୀ ସବିତା କୋବିନ୍ଦ ଓ ଝିଅ ସ୍ବାତିଙ୍କ ପାଇଁ ଭୁବନେଶ୍ବର ଗସ୍ତ ସବୁ ଦିନ ପାଇଁ ସ୍ମରଣୀୟ ହୋଇ ରହିବ । ମନ୍ଦିର ବୁଲି ଦେଖିବା ବେଳେ ଉଭୟ ଭାବବିହ୍ବଳ ହୋଇ ପଡିଥିବାର ଦେଖାଯାଇଥିଲା ।

ଦେଶର ପ୍ରଥମ ନାଗରିକଙ୍କ ସହ ଭୁବନେଶ୍ୱର ଆସି ଦିନ ଯାକର ବ୍ୟସ୍ତ ବହୁଳ କାର୍ଯ୍ୟସୂଚି ଭିତରେ ୪୫ ମିନିଟ ସମୟ କାଢି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ରାଜ ଭବନରୁ ବାହାରିଥିଲେ ସବିତା କୋବିନ୍ଦ ଏବଂ ସ୍ବାତି । ଅପରାହ୍ନ ଅଢେଇଟା ସମୟରେ ସ୍ବତନ୍ତ୍ର ସୁରକ୍ଷା ବ୍ୟବସ୍ଥା ଭିତରେ ଦୁହେଁ ମନ୍ଦିରରେ ପହଞ୍ଚିବା ପରେ ତାଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା ।



ମନ୍ଦିରରେ ସବିତା କୋବିନ୍ଦ ଏବଂ ସ୍ବାତିଙ୍କୁ ମନ୍ଦିର ପ୍ରଶାସନ ପକ୍ଷରୁ ସ୍ବାଗତ କରାଯାଇଥିଲା

ସାହାଣମେଳା ଚାଲିଥିବାରୁ ମନ୍ଦିର ଭିତରେ ଅନ୍ୟ ଭକ୍ତଙ୍କ ଗହଣରେ ଦେଶର ପ୍ରଥମ ମହିଳା ନାଗରିକ ଏବଂ ତାଙ୍କ ଝିଅ ଲିଙ୍ଗରାଜଙ୍କ ଦର୍ଶନ କରିଥିଲେ । ପ୍ରଥମ ଥର ପାଇଁ ଏଇ ମନ୍ଦିର ଦର୍ଶନ କରି ଦୁହେଁ ଭାବବିହ୍ବଳ ହୋଇ ପଡିଥିଲେ । ପାଖରୁ ଦର୍ଶନ କରିବାର ସୁଯୋଗ ମଧ୍ୟ ମିଳିଥିଲା ସେମାନଙ୍କୁ।

ନିୟମ ଅନୁଯାୟୀ ବଡୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡୁ ପୂଜା ଅର୍ଚ୍ଚନା କରିବା ସହ ଭୋଗ ଲଗାଇଥିଲେ । ପୂଜା ଅର୍ଚ୍ଚନା ପରେ ମନ୍ଦିର ବେଢା ପରିକ୍ରମା କରିବାକୁ ଭୁଲି ନଥିଲେ ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ଓ ଝିଅ । ମନ୍ଦିରର ପୁରାତନ କଳା ଏବଂ କାରୁକାର୍ଯ୍ୟକୁ ଦେଖି ଆଶ୍ଚର୍ଯ୍ୟ ହୋଇ ପଡିଥିଲେ ଉଭୟେ । ମନ୍ଦିର ବେଢାରେ ଥିବା ସବୁଯାକ ମନ୍ଦିର ବୁଲି ଠାକୁରଙ୍କ ଆର୍ଶିବାଦ ନେଇଥିଲେ । ଫେରିବା ବେଳେ ସାଙ୍ଗରେ ଠାକୁରଙ୍କ ଭୋଗ ବି ନେଇଥିଲେ ।



ଦିନ ଯାକର ବ୍ୟସ୍ତ ବହୁଳ କାର୍ଯ୍ୟସୂଚି ଭିତରେ ୪୫ ମିନିଟ ସମୟ କାଢି ମହାପ୍ରଭୁ ଲିଙ୍ଗରାଜଙ୍କ ଦର୍ଶନ କରିବାକୁ ରାଜ ଭବନରୁ ବାହାରିଥିଲେ ସବିତା କୋବିନ୍ଦ ଏବଂ ସ୍ବାତି

ରାଷ୍ଟ୍ରପତିଙ୍କ ଧର୍ମପତ୍ନୀ ଏବଂ ଝିଅଙ୍କ ମନ୍ଦିର ଦର୍ଶନ କରାଇ ଥିବାରୁ ନିଜକୁ ଭାଗ୍ୟବାନ ମନେ କରିଛନ୍ତି ବଡୁ ନିଯୋଗର ସମ୍ପାଦକ କମଳାକାନ୍ତ ବଡୁ । ସେ କହିଛନ୍ତି ଯେ ପୂର୍ବରୁ ଅନେକ ରାଷ୍ଚ୍ରପତି ଏବଂ ତାଙ୍କ ପରିବାର ଓଡ଼ିଶା ଆସିଛନ୍ତି ଓ ମହାପ୍ରଭୁଙ୍କ ଦର୍ଶନ କରିଛନ୍ତି ।

ରବିବାର ରାଷ୍ଟ୍ରପତି ରାମନାଥ କୋବିନ୍ଦ ଖୋର୍ଦ୍ଧା ଜିଲ୍ଲାର ବରୁଣେଇରେ ପାଇକ ବିଦ୍ରୋହର ସ୍ମାରକୀର ଶିଳାନ୍ୟାସ କରିଥିଲେ । ବରୁଣେଇରୁ ଫେରି ଉତ୍କଳ ବିଶ୍ବବିଦ୍ୟାଳୟର ପ୍ଲାଟିନମ ଜୁବୁଲି କାର୍ଯ୍ୟକ୍ରମରେ ଭାଗ ନେଇଥିଲେ ସେ ।

ଧର୍ମପତ୍ନୀ ଓ ଝିଅଙ୍କ ସହିତ ଦୁଇଦିନିଆ ଓଡ଼ିଶା ଗସ୍ତରେ ଆସି ରାଷ୍ଟ୍ରପତି ରବିବାର ସଂଧ୍ୟାରେ ଦିଲ୍ଲୀ ଫେରିଯାଇଛନ୍ତି । ରାଷ୍ଟ୍ରପତିଙ୍କ ପାଇଁ ଓଡ଼ିଶା ଗସ୍ତ ଯେତିକି ସ୍ମରଣୀୟ ହେବ, ତା’ ଠାରୁ ଅଧିକ ସ୍ମରଣୀୟ ହୋଇ ରହିବ ତାଙ୍କ ଧର୍ମପତ୍ନୀ ଏବଂ ଝିଅଙ୍କ ପାଇଁ ।
First published: December 8, 2019, 6:32 PM IST
corona virus btn
corona virus btn
Loading