ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ; ଜାଣନ୍ତୁ କାହା ପାଖରେ କେତେ ଭୋଟ ପ୍ରତିଶତ ଅଛି

ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା ହୋଇଥିବା ବେଳେ ବିଜେଡି ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିଛି। ବିଜେପି ପାଖରେ ୪୮ ଦଶମିକ ୯ ପ୍ରତିଶତ ଭୋଟ ଥିବାବେଳେ ନିର୍ବାଚନ ଜିତିବା ପାଇଁ ଆହୁରି ଆବଶ୍ୟକ ୧.୨ ପ୍ରତିଶତ ଭୋଟ।

ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ

ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ

  • Share this:
News18 Odia Digital

ଭୁବନେଶ୍ବର: ଜୁଲାଇ ୨୪ରେ ସରୁଛି ରାଷ୍ଟ୍ରପତି ରାମନାଥ କୋବିନ୍ଦଙ୍କ କାର୍ଯ୍ୟକାଳ। ରାଷ୍ଟ୍ରପତିଙ୍କ କାର୍ଯ୍ୟକାଳ ସରୁଥିବାରୁ ଆରମ୍ଭ ହୋଇଛି ପ୍ରକ୍ରିୟା। ଗୁରୁବାର ରାଷ୍ଟ୍ରପତି ନିର୍ବାଚନ ପାଇଁ ତାରିଖ ଘୋଷଣା କରିଛନ୍ତି ମୁଖ୍ୟ ନିର୍ବାଚନ କମିଶନ।

ଜୁଲାଇ ୧୮ରେ ହେବ ରାଷ୍ଟ୍ରପତି ନିର୍ବାଚନ। ଜୁଲାଇ ୨୧ରେ ଗଣତି ସହ ନୂଆ ରାଷ୍ଟ୍ରପତିଙ୍କ ନାଁ ଘୋଷଣା ହେବ। ଏନେଇ ଜୁନ ୧୫ ତାରିଖରେ ପ୍ରକାଶ ପାଇବ ବିଜ୍ଞପ୍ତି। ଜୁନ ୨୯ ନାମାଙ୍କନର ଶେଷ ତାରିଖ ରହିଛି।

ଜୁନ ୩୦ ପ୍ରାର୍ଥୀପତ୍ର ଯାଞ୍ଚ, ଜୁଲାଇ ୨ରେ ପ୍ରାର୍ଥୀପତ୍ର ପ୍ରତ୍ୟାହାର। ରାଷ୍ଟ୍ରପତି ନିର୍ବାଚନ ବେଳେ ବିଧାୟକ ଓ ସାଂସଦମାନେ ଭୋଟ ଦେବେ। ସାଂସଦମାନଙ୍କ ଭୋଟ ମୂଲ୍ୟ ୭୦୦ ହେବ। ରାଷ୍ଟ୍ରପତି ନିର୍ବାଚନ ପାଇଁ ଭୋଟ ଦେବେ ୪୮୦୯ ମତଦାତା।

ନିର୍ବାଚନରେ ଭାଗ ନେବେ ୭୭୬ ସାଂସଦ, ୪୦୩୩ ବିଧାୟକ। ରାଷ୍ଟ୍ରପତି ନିର୍ବାଚନ ପାଇଁ କୌଣସି ରାଜନୈତିକ ଦଳ ହ୍ବିପ ଜାରି କରିପାରିବେ ନାହିଁ। ବିଭିନ୍ନ ରାଜ୍ୟର ବିଧାୟକଙ୍କ ଭୋଟ ସଂଖ୍ୟା ଭିନ୍ନ ରହିବ। ଦିଲ୍ଲୀରେ ନାମାଙ୍କନପତ୍ର ଦାଖଲ କରିବେ ପ୍ରାର୍ଥୀ, ୫୦ଜଣ ରହିବେ ପ୍ରସ୍ତାବକ ନାମାଙ୍କନ ବେଳେ ୧୫,୦୦୦ ଟଙ୍କା ଭରିବାକୁ ପଡ଼ିବ ବୋଲି ମୁଖ୍ୟ ନିର୍ବାଚନ କମିଶନ କହିଛନ୍ତି।

ତାରିଖ ଘୋଷଣା ପରେ ରାଜ୍ୟରେ ବି ରାଜନୈତିକ ଉଷ୍ମତା ବଢ଼ିଛି। ସଂଖ୍ୟା ଦୃଷ୍ଟିରୁ ରାଷ୍ଟ୍ରପତି ନିର୍ବାଚନ ବିଜୟ ବିଜେପି ପାଇ ଏତେ କଷ୍ଟସାଧ୍ୟ ନହେଲେ ବି ସହଜ ବି ହେବନି। ବର୍ତ୍ତମାନ ବିରୋଧୀ ଓ ଅଣବିଜେପି ଦଳଙ୍କ ପାଖରେ ଭୋଟ ପ୍ରତିଶତ ୫୧ ଦଶମିକ ୧ ପ୍ରତିଶତ ଥିବା ବେଳେ ବିଜେପି ପାଖରେ ରହିଛି ୪୮ ଦଶମିକ ୯ ପ୍ରତିଶତ ଭୋଟ। ନିର୍ବାଚନ ଜିତିବା ପାଇଁ ଆହୁରି ଆବଶ୍ୟକ ୧.୨ ପ୍ରତିଶତ ଭୋଟ।

ବିଜେଡିର ଭୋଟ ପ୍ରତିଶତ ପ୍ରାୟ ୩ ରହିଛି। ଗୋଟିଏ ପଟେ ଟିଏମସି, ଡିଏମକେ, ଆପ୍‌, ୱାଇଏସଆର ଭଳି ଆଞ୍ଚଳିକ ଦଳ ଯୋଗାଯୋଗରେ ଥିବା ବେଳେ ବିହାରରେ ନୀତିଶ କୁମାରଙ୍କ ଆଭିମୁଖ୍ୟ ଅସ୍ପଷ୍ଟ। ଏଭଳି ସ୍ଥିତିରେ ନବୀନ ଓ ଆନ୍ଧ୍ର ମୁଖ୍ୟମନ୍ତ୍ରୀ ଜଗନ ରେଡ୍ଡିଙ୍କ ଆଭିମୁଖ୍ୟ ଗୁରୁତ୍ବ ରଖୁଛି।

୨୦୧୨ ରାଷ୍ଟ୍ରପତି ନିର୍ବାଚନରେ ନବୀନ ପି.ଏ ସାଙ୍ଗମାଙ୍କ ସହିତ ରହିଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନରେ ଭୋଟ ରୁ ବିରତ ରହିଥିଲା ବିଜେଡି। ୨୦୧୭ରେ ଏନଡିଏ ପ୍ରାର୍ଥୀ ରାମନାଥ କୋବିନ୍ଦଙ୍କୁ ବିଜେଡି ସମର୍ଥନ ଦେଇଥିବା ବେଳେ ଉପରାଷ୍ଟ୍ରପତି ନିର୍ବାଚନ ସମୟରେ ବିରୋଧୀ ପ୍ରାର୍ଥୀ ଗୋପାଳ କୃଷ୍ଣ ଗାନ୍ଧିଙ୍କୁ ସମର୍ଥନ କରିଥିଲା ବିଜେଡି।

ରାଷ୍ଟ୍ରପତି ଓ ଉପରାଷ୍ଟ୍ରପତି ନିର୍ବାଚନରେ ସମଦୁରତା କଥା କହୁଥିବା ନବୀନଙ୍କ ଆଭିମୁଖ୍ୟ ଉପରେ ସମସ୍ତଙ୍କ ନଜର ରହିବ। ବିଜେଡି ରାଷ୍ଟ୍ରୀୟ ପ୍ରବକ୍ତା ସସ୍ମିତ ପାତ୍ର କହିଛନ୍ତି, "ବିଜେଡି ସୁପ୍ରିମୋ ନବୀନ ପଟ୍ଟନାୟକ ସଦାବେଳେ ସଠିକ ସମୟରେ ସଠିକ୍ ନିଷ୍ପତ୍ତି ନେଇ ଥାଆନ୍ତି। ଚଳିତ ଥର ବି ସଠିକ୍ ସମୟରେ ସଠିକ୍ ନିଷ୍ପତ୍ତି ନେବେ।’’

ରାଷ୍ଟ୍ରପତି ନିର୍ବାଚନ ପ୍ରସଙ୍ଗରେ ବିଜେପି ମୁଖପାତ୍ର ବିରଞ୍ଚି ନାରାୟଣ ତ୍ରିପାଠୀ କହିଛନ୍ତି, ‘‘ବିଜେପି ଏକ କେନ୍ଦ୍ରୀୟ ପାର୍ଟି। କେନ୍ଦ୍ରୀୟ ନେତୃତ୍ୱ ଯାହା ନିଷ୍ପତ୍ତି ନେବେ ତାକୁ ଓଡ଼ିଶା ବିଜେପି ଗ୍ରହଣ କରିବ।’’

ତେବେ ଏହି ନିର୍ବାଚନରେ ଏନଡିଏ ଜଣେ ଯୋଗ୍ୟ ପ୍ରାର୍ଥୀ ଦେଵ ଯିଏ ସର୍ବସମ୍ମତି କ୍ରମେ ସିଧାସଳଖ ନିର୍ବାଚିତ ହେବେ।
Published by:Lipina Das
First published: