News18 Odia Digital
ଆଜି ରାଷ୍ଟ୍ରପତି ନିର୍ବାଚନ ମତଦାନର ଭୋଟ ଗଣତି ହେଉଛି। ସମର୍ଥନ ଦୃଷ୍ଟିରୁ ଏନଡିଏ ପ୍ରାର୍ଥୀ ଦ୍ରୌପଦୀ ମୁର୍ମୁଙ୍କ ବିଜୟ ଏକ ପ୍ରକାର ସୁନିଶ୍ଚିତ ଥିବା ବେଳେ କେବଳ ସରକାରୀ ଘୋଷଣା ବାକି ରହିଛି। ଏନେଇ ଚାରିଆଡେ ବିଜୟ ଉତ୍ସବ ଲାଗିରହିଛି।
ଯଦି ଦ୍ରୌପଦୀ ମୁର୍ମୁ ବିଜୟ ଲାଭ କରନ୍ତି ତେବେ ସେ ପ୍ରଥମ ଓଡ଼ିଆ ଆଦିବାସୀ ରାଷ୍ଟ୍ରପତି ଭାବେ ବିବେଚିତ ହେବେ।ଏସବୁ ମଧ୍ୟରେ ବିଜୟ ଉତ୍ସବ ପାଳିବା ନିମନ୍ତେ ଦ୍ରୌପଦୀଙ୍କ ଗାଁରେ ବିଶେଷ ଆୟୋଜନ ଚାଲିଛି।
ଦ୍ରୌପଦୀ ମୁର୍ମୁ ଆଦିବାସୀ ସମ୍ପ୍ରଦାୟର ହୋଇଥିବାରୁ ଆଜି ତାଙ୍କ ଗାଁରେ ଏହି ସମ୍ପ୍ରଦାୟର ଲୋକମାନଙ୍କ ଦ୍ବାରା ବିଶେଷ ପୂଜା ପାଠ କରାଯାଇଛି। ଭାରତୀୟ ସଂସ୍କୃତିର ମୂଳ ଜନଜାତି କୁହାଯାଉଥିବା ଆଦିବାସୀମାନେ ନିଜ ବିଶ୍ୱାସ, ପ୍ରଥା ଓ ପରମ୍ପରା ସହ ମୁର୍ମୁଙ୍କୁ ପାଇଁ ପ୍ରାର୍ଥନା କରିଛନ୍ତି। ସେମାନେ ଏକତ୍ରିତ ହୋଇ ସେମାନଙ୍କ ଭଗବାନଙ୍କ ନିକଟରେ ଦ୍ରୌପଦୀଙ୍କ ପାଇଁ ଆଶିଷ ମାନସିଛନ୍ତି। ସୋସିଆଲ ମିଡ଼ିଆରେ ଭାଇରାଲ ହେଉଥିବା ଏହି ଫଟୋକୁ ଦେଖି ସମସ୍ତେ ବେଶ ପ୍ରଶଂସା କରୁଛନ୍ତି।
କେବଳ ସେତିକି ନୁହେଁ ନିର୍ବାଚନୀ ଫଳାଫଳ ଘୋଷଣା ପୂର୍ବରୁ ଖୁବ୍ ଉତ୍ସାହିତ ମୟୂରଭଞ୍ଜବାସୀ। ବିଜୟ ଉତ୍ସବ ପାଳିବା ପାଇଁ ପ୍ରସ୍ତୁତ ହୋଇଛି ୫୦ କ୍ୱିଣ୍ଟାଲର ଲଡ଼ୁ। ଆଜି ଫଳାଫଳ ବାହାରିବା ପରେ ପରସ୍ପରକୁ ଲଡ଼ୁ ଖୁଆଇ ଉତ୍ସବ ମନାଇବେ ମୟୂରଭଞ୍ଜବାସୀ।
ଏହା ବ୍ୟତୀତ ସହରର ବିଭିନ୍ନ ସ୍ଥାନ ରଙ୍ଗୀନ ଆଲୋକରେ ସଜ୍ଜିତ ହୋଇଛି । ସହର ସାରା ବଡ଼ ବଡ଼ ହୋଡିଂ ଓ ବ୍ୟାନର ଲଗାଯାଇଛି । ଦ୍ରୋପଦୀ ମୁର୍ମୁ ବିଜୟୀ ହେଲେ ଆସନ୍ତା ୨୫ ତାରିଖରେ ରାଷ୍ଟ୍ରପତି ଭାବେ ଶପଥ ଗ୍ରହଣ କରିବେ ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।