News 18 Odia Digital
President Droupadi Murmu: ଗାଆଁକୁ ଫେରୁଛନ୍ତି ମାଟିର ଝିଅ । ଜନ୍ମମାଟିକୁ ଆସୁଛନ୍ତି ସୁନା ଝିଅ । ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ୩ ଦିନିଆ ମୟୂରଭଞ୍ଜ ଗସ୍ତକୁ ନେଇ ଏବେ ଜିଲ୍ଲାବାସୀଙ୍କ ମଧ୍ୟରେ ଉତ୍ସାହ ଓ ଭାବପ୍ରବଣତା । ମାଡାମ୍ ପ୍ରେସିଡେଣ୍ଟଙ୍କୁ ସ୍ବାଗତ କରିବା ପାଇଁ ନିଜ ସହର ରାଇରଙ୍ଗପୁର ନବ ବଧୂ ପରି ସଜେଇ ହୋଇଛି । ସେହିପରି ରାଷ୍ଟ୍ରପତିଙ୍କ ସଂଘର୍ଷର କାହାଣୀ କହୁଥିବା ପାହାଡପୁର ଗାଁ ବି ସଜେଇ ହୋଇ ଅପେକ୍ଷା କରି ରହିଛି । ଏଠି ପହଞ୍ଚି ପୁରୁଣା ସ୍ମୃତିକୁ ସେ ମନେ ପକାଇବେ । ସେହିପରି ସ୍ଵାମୀ ଓ ୨ ପୁଅଙ୍କ ସ୍ମୃତିରେ ନିର୍ମିତ ଏସ୍ଏଲ୍ଏସ୍ ଆବାସିକ ବିଦ୍ୟାଳୟରେ ପହଞ୍ଚି ଛାତ୍ରଛାତ୍ରୀଙ୍କ ସହ ଆଲଚୋନା କରିବେ । ଦେଶର ପ୍ରଥମ ନାଗରିକ ଆଦରର ଦିଦିଙ୍କୁ ସ୍ବାଗତ କରିବା ପାଇଁ ପୁରା ପ୍ରସ୍ତୁତିରେ ଲାଗିପଡ଼ିଛନ୍ତି ସମସ୍ତେ ।
ଏହି ଗସ୍ତ ସମୟରେ ରାଷ୍ଟ୍ରପତି ଦୀର୍ଘ ଦିନରୁ ଜଡ଼ିତ ଥିବା ପ୍ରଜାପିତା ବ୍ରହ୍ମ କୁମାରୀ ଇଶ୍ବରୀୟ ବିଦ୍ୟାଳୟର ନୂତନ ନିଶା ନିବାରଣ କେନ୍ଦ୍ରର ଶିଳାନ୍ୟାସ କରିବେ । ଏହାସହ ନିଶା ନିବାରଣ ପାଇଁ ପ୍ରଚାରର ଶୁଭାରମ୍ଭ କରିବେ । ରାଷ୍ଟ୍ରପତିଙ୍କ ଆଗମନକୁ ନେଇ ଏବେ ବ୍ରହ୍ମକୁମାରୀ ଇଶ୍ବରୀୟ ବିଦ୍ୟାଳୟର ସଦସ୍ୟଙ୍କ ମଧ୍ୟରେ ପ୍ରବଳ ଉତ୍ସାହ । ସେପଟେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ ସୁରକ୍ଷା କଡ଼ାକଡ଼ା କରାଯାଇଥିବାବେଳେ ପୂର୍ବାଞ୍ଚଳ ଆଇଜିଙ୍କ ପ୍ରତ୍ୟକ୍ଷ ତତ୍ବାବଧନରେରେ ହୋଇଛି ମକ୍ଡ୍ରିଲ୍ । ହେଲିପ୍ୟାଡ୍ରୁ ଆରମ୍ଭ କରି ରାସ୍ତାଘାଟ ସବୁଆଡ଼େ ଦେଖିବାକୁ ମିଳିଛି ପୋଲିସ ଛାଉଣୀ ।
ଗୁରୁବାର ୧୦ ଟା ୧୫ ମିନିଟ ସମୟରେ ବାଦାମପାହାଡ଼ ହେଲିପ୍ୟାଡ୍ରେ ପହଞ୍ଚିବେ ରାଷ୍ଟ୍ରପତି । ପରେ ସକାଳ ୧୦ ଟା୪୦ ମିନିଟରେ ପାହାଡ଼ପୁର SLS ମୋମୋରିଆଲ ସ୍କୁଲ ଗସ୍ତ କରିବେ । ୧୦. ୪୦ରୁ ୧୨.୩୦ ମଧ୍ୟରେ ପାହାଡ଼ପୁରରେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗଦେବେ । ଶ୍ୟାମ ଚରଣ ସାହୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ, SLS ଟ୍ରଷ୍ଟ କମ୍ୟୁନିଟି ସେଣ୍ଟରର ଭିତ୍ତିପ୍ରସ୍ତର ସ୍ଥାପନ କରିବେ । ମଧ୍ୟାହ୍ନ ୧୨ ଟା ୫୫ ମିନିଟ ସମୟରେ ବ୍ରହ୍ମକୁମାରୀ ସେଣ୍ଟର ଗସ୍ତ କରି ସେଠାରେ ‘ନିଶାମୁକ୍ତ ଓଡ଼ିଶା’ କ୍ୟାମ୍ପେନର ଶୁଭାରମ୍ଭ କରିବେ । ଏହାପରେ ଅପରାହ୍ଣ ୪ ଟା ୨୫ ମିନିଟ ସମୟରେ ରାଇରଙ୍ଗପୁରରେ ୧୦୦ ଫୁଟ୍ ବିଶିଷ୍ଟ ଜାତୀୟ ପତାକା ଉତ୍ତୋଳନ କରିବେ । ସନ୍ଧ୍ୟା ୫ଟା ୨୦ ମିନିଟ ସମୟରେ ରାଇରଙ୍ଗପୁର ପୌରପାଳିକାର ସମ୍ବର୍ଦ୍ଧନା କାର୍ଯ୍ୟକ୍ରମ ରହିଛି ।
ରାଇରଙ୍ଗପୁରରେ ରାତ୍ରୀଯାପନ ପରେ ୫ ତାରିଖ ସକାଳ ୮ ଟା ୪୦ ମିନିଟ ସମୟରେ ଦାଣ୍ଡବୋସରେ ପହଞ୍ଚିବେ ରାଷ୍ଟ୍ରପତି । ସକାଳ ୮ ଟା ୪୦ରୁ ୮ ଟା୫୫ ମିନିଟ ପର୍ଯ୍ୟନ୍ତ ଜନ୍ମସ୍ଥାନରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କାର୍ଯ୍ୟକ୍ରମ ରହିଛି । ଏହାପରେ ୯ ଟା ୧୫ ମିନିଟ ସମୟରେ ଦାଣ୍ଡବୋସ ହେଲିପ୍ୟାଡରୁ ବାହାରି ମଧ୍ୟାହ୍ନ ୧୨ଟାରେ ଶିମିଳିପାଳ ଅଭୟାରଣ୍ୟ ଗସ୍ତ କରିବାର କାର୍ଯ୍ୟକ୍ରମ ରହିଛି । ସନ୍ଧ୍ୟା ୫ ଟା ୪୦ ମିନିଟ ସମୟରେ ବାରିପଦା ଗେଷ୍ଟ ହାଉସରେ ପହଞ୍ଚିବେ ରାଷ୍ଟ୍ରପତି । ସେହିପରି ୬ ତାରିଖ ଶନିବାର ଦିନ ସକାଳ ୧୦ଟାରେ ବାରିପଦାରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓ ବିଶ୍ବବିଦ୍ୟାଳୟ ପହଞ୍ଚିବେ । ୧୦ ଟା ୫ ମିନିଟ ସମୟରେ ମହାରାଜା ଶ୍ରୀରାମ ଚନ୍ଦ୍ର ଭଞ୍ଜଦେଓଙ୍କ ପ୍ରତିମୂର୍ତ୍ତିରେ ପୁଷ୍ପମାଲ୍ୟ ଅର୍ପଣ କରିବେ । ପରେ ୧୧ ଟା୧୫ରୁ ୧୨ ଟା୧୫ ଯାଏଁ ବିଶ୍ବବିଦ୍ୟାଳୟରେ ଦୀକ୍ଷାନ୍ତ ଅଭିଭାଷଣ ଦେବେ ରାଷ୍ଟ୍ରପତି । ମଧ୍ୟାହ୍ନ ୧୨ ଟା ୩୫ ମିନିଟରୁ ବାରିପଦା ହେଲିପ୍ୟାଡ୍ରୁ କଲାଇକୁଣ୍ଡା ବିମାନବନ୍ଦର ଅଭମୁଖେ ପ୍ରତ୍ୟାବର୍ତ୍ତନ କରିବେ । ଅପରାହ୍ଣ ୩ ଟା ୩୫ ମିନିଟରେ ନୂଆଦିଲ୍ଲୀ ରାଷ୍ଟ୍ରପତି ଭବନରେ ପହଞ୍ଚିବେ ।
ପଢନ୍ତଉ ଏହି ଖବର :
ISRO Recruitment 2023: ଦଶମ ପାସ୍ କରିଥିଲେ ISROରେ କରନ୍ତୁ ଚାକିରି; ଦରମା ୭୦ ହଜାରନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।