News 18 Odia Digital
ଭୁବନେଶ୍ୱର; ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଶେଷ ଦିନ । ଦିଲ୍ଲୀ ଫେରିଯିବା ପୂର୍ବରୁ ରାଷ୍ଟ୍ରପତି ଆଜି ଜୟଦେବ ଭବନରେ ଜାତୀୟ ଶିକ୍ଷା ଦିବସ କାର୍ଯ୍ୟକ୍ରମରେ ଯୋଗ ଦେଇଥିଲେ । ଏହି ଅବସରରେ ରାଷ୍ଟ୍ରପତି ନିଜ ଅଭିଭାଷଣରେ ମାତୃଭାଷା ପ୍ରତି ଥିବା ଭଲପାଇବାକୁ ପରିପ୍ରକାଶ କରିଛନ୍ତି । ବିଶ୍ୱରେ ଦିନକୁ ଦିନ ଅନେକ ଭାଷାର ମୃତ୍ୟୁ ଘଟୁଛି । ମା, ମାଟି, ମାତୃଭାଷାର ବିକଳ୍ପ ନାହିଁ ତେଣୁ 'ଆଉ ଯେଉଁ ଭାଷା ପାରୁଛ ଶିଖ ମାତୃଭାଷା ପ୍ରତି ମହତ ରଖ' ଅଭିଭାଷଣରେ କହିବା ସମୟରେ ଉପସ୍ଥିତ ସମସ୍ତ ବ୍ୟକ୍ତିବିଶେଷ ତାଳି ମାରିଥିଲେ । କାର୍ଯ୍ୟକ୍ରମରେ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନ, ରାଜ୍ୟପାଳ ପ୍ରଫେସର ଗଣେଶି ଲାଲଙ୍କ ସମେତ ବହୁ ବ୍ୟକ୍ତିବିଶେଷ ଯୋଗଦେଇଥିଲେ ।
ଏହି ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଅବସରରେ ଉଭୟ ଡିଗ୍ରୀ ଓ ଡିପ୍ଲୋମା ଛାତ୍ରଛାତ୍ରୀଙ୍କ ପାଇଁ ଏଆଇସିଟିଇ ଇଂଜିନିୟରିଂ ବହିର ଓଡ଼ିଆ ଭଷାରେ ପୁସ୍ତକ ଉନ୍ମୋଚିତ କରାଯାଇଛି । ଏଥିସହ ଇ-କୁମ୍ଭ ପୋର୍ଟାଲର ମଧ୍ୟ ଶୁଭାରମ୍ଭ କରାଯାଇଛି । ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି ଯେ, ଆମ ଛାତ୍ରଛାତ୍ରୀମାନେ ମାତୃଭାଷାରେ ଶିକ୍ଷାଲାଭ କଲେ ବେଶ୍ ସଫଳ ହେବେ । ଜାତୀୟ ଶିକ୍ଷାନୀତି ୨୦୨୦ରେ ସ୍ଥାନୀୟ ତଥା ଆଞ୍ଚଳିକ ଭାଷାରେ ଶିକ୍ଷାଲାଭ ପାଇଁ ଗୁରୁତ୍ୱ ଦିଆଯାଇଛି । ଏହା ଅତ୍ୟନ୍ତ ସଫଳ ହେବ ବୋଲି ଆଶା କରାଯାଉଛି । ମାତୃଭାଷାରେ ପଢୁଥିବା ଶିଶୁର ବୌଦ୍ଧିକ ବିକାଶ ଅନ୍ୟଠୁ ଅଧିକ । ଶିକ୍ଷାକୁ ପ୍ରତିବନ୍ଧକ ଶୂନ୍ୟ କରିବାକୁ ଆମେ ଯଥା ସାଧ୍ୟମତେ ଚେଷ୍ଟା କରିବା, ଶିକ୍ଷା ଭଳି ମୌଳିକ ଅଧିକାରରୁ ଯେମିତି କେହି ବଞ୍ଚିତ ନହେବେ ଦେଖିବା ବୋଲି ରାଷ୍ଟ୍ରପ୍ରତି ନିଜ ଅଭିଭାଷଣରେ କହିଛନ୍ତି । ପୂର୍ବରୁ ଭାରତୀୟ ଆଞ୍ଚଳିକ ଭାଷା ଗୁଡିକରେ ପାଠ୍ୟ ପୁସ୍ତକ ଉପଲବ୍ଧ ହେଉନଥିଲା । କିନ୍ତୁ ଏବେ ଏପରି ଭଲ ପଦକ୍ଷପ ନେଇଥିବାରୁ କେନ୍ଦ୍ର ସରକାରଙ୍କ ଶିକ୍ଷା ବିଭାଗ ଓ ରାଜ୍ୟ ସରକାରଙ୍କୁ ଧନ୍ୟବାଦ ଜଣାଉଛି ।
ଭାରତୀୟ ଭାବରେ ଗର୍ବ କରିବା । ଭାରତୀୟ ଭାଷାରେ ଶିକ୍ଷାଲାଭ କଲେ ଆମ ଯୁବପିଢୀ ଗର୍ବ ଅନୁଭବ କରିବେ । ଦେଶର ପ୍ରତି ଶିଶୁ କିପରି ଶିକ୍ଷାର ସୁବିଧା ପାଇବେ ଯେପରି କେହି ମୋଳିକ ସୁବିଧାରୁ ବଞ୍ଚିତ ନହେବେ ସେଥିପ୍ରତି ଆମେ ଚିନ୍ତା କରିବା ଉଚିତ । ଓଡ଼ିଆ ଏକ ପ୍ରାଚୀନ ଭାଷା । ଏହା ଶାସ୍ତ୍ରୀୟ ଭାଷାର ମାନ୍ୟତା ପାଇଛି । ବର୍ତ୍ତମାନ ଶିକ୍ଷାନୀତି ଅନୁସାରେ ସବୁ ଭାଷାକୁ ସମାନ ଅଧିକାର ଦିଆଯାଇଛି । ପ୍ରାଚୀନ ବିଦ୍ୟା ଜ୍ଞାନକୁ ନୂଆ ଦିଗଦର୍ଶନ ଦେବାରେ ସହାୟକ ହେବ । ମାତୃଭାଷା ପ୍ରତି ସମସ୍ତଙ୍କର ଭଲପାଇବା ଥାଏ ବୋଲି ରାଷ୍ଟ୍ରପତି ନିଜ ଅଭିଭାଷଣରେ କହିଛନ୍ତି । ଏହି ଅବସରରେ ୧୦ ଜଣ ଇଂଜିନିୟରିଂ ଛାତ୍ରଛାତ୍ରୀଙ୍କୁ ନୂତନ ପାଠ୍ୟ ପୁସ୍ତକ ପ୍ରଦାନ କରାଯାଇଛି । ଶେଷରେ ଜୟ ହିନ୍ଦ ଓ ବନ୍ଦେ ଉତ୍କଳ ଜନନୀ କହି ରାଷ୍ଟ୍ରପତି ନିଜ ଅଭିଭାଷଣକୁ ଶେଷ କରିଥିଲେ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।