News18 Odia Digital
ଭୁବନେଶ୍ବର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଗ୍ରସ୍ତକୁ ନେଇ କମିଶନରେଟ ପୋଲିସ ପକ୍ଷରୁ ପ୍ରସ୍ତୁତି ଜାରି ରହିଛିI ମଙ୍ଗଳବାର ଭୁବନେଶ୍ୱର ବିମାନବନ୍ଦର ପରିସରରେ କମିଶନରେଟ ପୋଲିସ ପକ୍ଷରୁ ପ୍ରାଥମିକ ସୁରକ୍ଷା ବ୍ୟବସ୍ଥାର ଯାଞ୍ଚ କରାଯାଇଛିI
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀଙ୍କ ନେତୃତ୍ୱରେ ସୁରକ୍ଷା ଯାଞ୍ଚ ବେଳେ ଉପସ୍ଥିତ ଥିଲେ CISF ଅଧିକାରୀଙ୍କ ସହ ବିମାନ ବନ୍ଦର ନିର୍ଦ୍ଦେଶକ। ରାଷ୍ଟ୍ରପତି ଗ୍ରସ୍ତ ବେଳେ ବିମାନବନ୍ଦର ଭିତରେ କିଭଳି ରହିବ ସୁରକ୍ଷା ବ୍ୟବସ୍ଥା ଆଲୋଚନା କରାଯାଇଛି।
ପୋଲିସ କମିଶନର ସୌମେନ୍ଦ୍ର ପ୍ରିୟଦର୍ଶୀ କହିଛନ୍ତି, ‘‘ବ୍ଲୁ ବୁକ ଅନୁସାରେ ରାଷ୍ଟ୍ରପତିଙ୍କ ସୁରକ୍ଷା ବ୍ୟବସ୍ଥା ଗ୍ରହଣ କରାଯିବ। ଏଥିପାଇଁ ମୁତୟନ ହେବେ ୫୫ ପ୍ଲାଟୁନ ପୋଲିସ ଫୋର୍ସ। ୩୦୦ ଜଣ ବରିଷ୍ଠ ପୋଲିସ ଅଧିକାରୀ ସୁରକ୍ଷା ଦାୟିତ୍ୱରେ ରହିବେ। ବିମାନବନ୍ଦର ଠାରୁ ରାଜଭବନ ପର୍ଯନ୍ତ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ। ଭୁବନେଶ୍ୱରରେ ରାଷ୍ଟ୍ରପତିଙ୍କ ବିଭିନ୍ନ କାର୍ଯ୍ୟକ୍ରମ ରହିଛି। ସେ ସବୁସ୍ଥାନ ମାନଙ୍କରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି କରାଯିବ।
ଆସନ୍ତା କାଲି ଫୁଲ ଡ୍ରେସ ରିହଲସଲ କରାଯିବ। କାରକେଡ ରିହଲସଲ ମଧ୍ୟ ହେବ। ରାଷ୍ଟ୍ରପତି ପହଞ୍ଚିବା ପରେ ପୋଲିସ ପକ୍ଷରୁ ଗାର୍ଡ ଅଫ ଅନର ଦିଆଯିବ, ସେଥିପାଇଁ ରିହଲସଲ କରାଯାଇଛି।
ସୂଚନାଯୋଗ୍ୟ, ଆସନ୍ତା ଗୁରୁବାର ଓ ଶୁକ୍ରବାର ଦୁଇ ଦିନିଆ ଓଡ଼ିଶା ଗ୍ରସ୍ତରେ ଆସୁଛନ୍ତି ରାଷ୍ଟ୍ରପତି। ଗୁରୁବାର ଭୁବନେଶ୍ୱରରେ ପହଞ୍ଚିବା ପରେ ରାଜ୍ୟପାଳ ପ୍ରଫେସର ଗଣେଶି ଲାଲ, ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକ, କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ସମେତ ୧୫୦ ଜଣ ମାନ୍ୟଗଣ୍ୟ ବ୍ୟକ୍ତି ଉପସ୍ଥିତ ରବିବେ। ପରେ ବିମାନବନ୍ଦରରୁ ପୁରୀ ଅଭିମୁଖେ ଯିବେ ରାଷ୍ଟ୍ରପତି।
ଅପରାହ୍ନରେ ଭୁବନେଶ୍ୱର ବିମାନବନ୍ଦରରେ ପହଁଚିବା ପରେ ରାଜଭବନରେ ରହିବା କାର୍ଯ୍ୟକ୍ରମ ସ୍ଥିର କରାଯାଇଛି। ତେଣୁ ରାଜଭାବବରେ ମଧ୍ୟ ସୁରକ୍ଷା ବ୍ୟବସ୍ଥା କଡ଼ାକଡ଼ି ଗ୍ରହଣ କରିଛି ପୋଲିସ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।