ନିଜ ସ୍କୁଲ ପରିଦର୍ଶନ କରି ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ; ପୁରୁଣା ବନ୍ଧୁଙ୍କୁ ଭେଟିଲେ

ନିଜ ସ୍କୁଲ ଯାଇ ପୁରୁଣା ଦିନ ସ୍ମୃତି ସାଉଁଟିଲେ ରାଷ୍ଟ୍ରପତି । ୟୁନିଟ-୨ ରାଜଧାନୀ ବାଳିବା ଉଚ୍ଚ ବିଦ୍ୟାଳୟ ବୁଲିଲେ । କୁନି କୁନି ପିଲା ଓ କର୍ମଚାରୀଙ୍କ ସହ ଉଠାଇଲେ ଫଟୋ । ପିଲାଦିନର ସାଙ୍ଗଙ୍କ ସହ ହେଲେ କଥା।

 ନିଜ ସ୍କୁଲ ପରିଦର୍ଶନ କରି ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ନିଜ ସ୍କୁଲ ପରିଦର୍ଶନ କରି ଭାବବିହ୍ବଳ ହେଲେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

  • News18 Odia
  • Last Updated :
  • Cuttack, India
  • Share this:
News18 Odia Digital

ଭୁବନେଶ୍ବର: ଆଜି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁଙ୍କ ଓଡ଼ିଶା ଗସ୍ତର ଦ୍ବିତୀୟ ଦିନ। ସେ ଆଜି ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚବିଦ୍ୟାଳରେ ୧୦ ମିନିଟ୍ ସମୟ ବିତାଇ ଭାବବିହ୍ବଳ ହୋଇପଡ଼ିଥିଲେ। ରାଷ୍ଟ୍ରପତି ପ୍ରଥମେ ଖଣ୍ଡଗିରି ସ୍ଥିତ ତପୋବନ ହାଇସ୍କୁଲ ପରିଦର୍ଶନ କରିଥିଲେ। ସେଠାରେ ୧୨ ମିନିଟ୍ ରହି ପୁରାତନ ଛାତ୍ରଛାତ୍ରୀ ଓ ବର୍ତ୍ତମାନ ପଢୁଥିବା ଛାତ୍ରଛାତ୍ରୀଙ୍କ ସହ ଆଲୋଚନା ମଧ୍ୟ କରିଥିଲେ। ଏହା ପରେ ସେଠାରୁ ବାହାରି ୟୁନିଟ୍-୨ ରାଜଧାନୀ ବାଳିକା ଉଚ୍ଚ ବିଦ୍ୟାଳୟରେ ପହଞ୍ଚିଥିଲେ।

ଆଉ ଏଠାରେ ପହଞ୍ଚି ସେ ୧୯୭୦ରୁ ୧୯୭୪ ମସିହାର ସମୟକୁ ମନେ ପକାଇଥିଲେ। ସହପାଠୀଙ୍କ ସହ କଥା ମଧ୍ୟ ହୋଇଥିଲେ। ୧୩ ଜଣ ସହପାଠୀଙ୍କୁ ଭେଟି ଆଲୋଚନା କରିଛନ୍ତି ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ। ରାଷ୍ଟ୍ରପତି ସ୍କୁଲରେ ପହଞ୍ଚିବା ମାତ୍ରେ ପ୍ରଥମେ ଛାତ୍ରଛାତ୍ରୀ ଡ୍ରମ୍ ବଜାଇ ତାଙ୍କୁ ସ୍ୱାଗତ କରିଥିଲେ। ଏହା ପରେ ପିଲାମାନେ ସ୍ୱାଗତ ସଙ୍ଗୀତରେ ବନ୍ଦେ ଉକ୍ରଳ ଜନନୀ ଗାନ କରିଥିଲେ।

କୁନି କୁନି ପିଲା ଓ କର୍ମଚାରୀଙ୍କ ସହ ଉଠାଇଲେ ଫଟୋ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ


ଏହା ସହ ପିଲାମାନେ ସେହି ସମୟରେ ସାନ୍ତାଳୀ ନୃତ୍ୟ ମଧ୍ୟ ପରିବେଷଣ କରିଥିଲେ। ରାଷ୍ଟ୍ରପତି ପଢୁଥିବା ବେଳେ କୁନ୍ତଳା କୁମାରୀ ସାବତ ହଷ୍ଟେଲରେ ରହୁଥିଲେ। ସେହି ଛାତ୍ରୀନିବାସ ପରିଦର୍ଶନ କରି ବୃକ୍ଷରୋପଣ କରିବାର କାର୍ଯ୍ୟକ୍ରମ ମଧ୍ୟ କରିଛନ୍ତି। ହଷ୍ଟେଲକୁ ଯେତେବେଳେ ଯାଇଥିଲେ ନିଜେ ଛାତ୍ରୀ ସମୟରେ ବ୍ୟବହାର କରିଥିବା ଖଟ ଉପରେ ବସିଥିଲେ। ଆଉ କହିଥିଲେ, ‘‘ଏହି ଖଟ ମୋର ଥିଲା’’।

ରାଷ୍ଟ୍ରପତିଙ୍କ ଗସ୍ତ ପୂର୍ବରୁ କଡ଼ା ଚେକିଂ କରାଯାଇଥିଲା। ସ୍କୁଲ ପରିସରରେ ପୋଲିସ ପହରା ଦେଇଥିଲେ, ବୁଲି ବୁଲି ସମସ୍ତ ସ୍ଥାନ ଚେକ କରିଥିଲେ ବମ୍ ସ୍କ୍ୱାର୍ଡ ଟିମ।

ରାଷ୍ଟ୍ରପତିଙ୍କ ପାଇଁ ପିଲାମାନଙ୍କ ସାନ୍ତାଳୀ ନୃତ୍ୟ ପରିବେଷଣ


ସେହିପରି ବର୍ତ୍ତମାନ ଜୟଦେବ ଭବନରେ କେନ୍ଦ୍ର ଶିକ୍ଷା ମନ୍ତ୍ରାଳୟ ପକ୍ଷରୁ ଆୟୋଜିତ ସ୍ୱତନ୍ତ୍ର କାର୍ଯ୍ୟକ୍ରମରେ ଯୋଗ ଦେଇଛନ୍ତି ରାଷ୍ଟ୍ରପତି। ସେଠାରେ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଉପସ୍ଥିତିରେ ଏ.ଆଇ.ସି.ଟି.ଇ. ଦ୍ୱାରା ଓଡ଼ିଆ ଭାଷାରେ ପ୍ରସ୍ତୁତ ଇଞ୍ଜିନିୟରିଂ ବହି ଲୋକାର୍ପଣ କରିବେ। ଏକାଧିକ ଭାରତୀୟ ଭାଷାରେ ପାଠ୍ୟକ୍ରମ ପୋର୍ଟାଲରେ ‘ଇ-କୁମ୍ଭ’ ଉନ୍ମୋଚନ କରିବା କାର୍ଯ୍ୟକ୍ରମ ରହିଛି। ଏଥିସହ ଯାନ୍ତ୍ରିକ ଶବ୍ଦକୋଷ ଲୋକାର୍ପଣ କରିବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ।
Published by:Lipina Das
First published: