News 18 Odia Digital
ପୁରୀ; ନଭେମ୍ବର ୧୦ରେ ରାଷ୍ଟ୍ରପତି ଦ୍ରୌପଦି ମୁର୍ମୁ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସୁଛନ୍ତି । ମଧ୍ୟାହ୍ନ ସମୟରେ ସେ ଶ୍ରୀକ୍ଷେତ୍ରରେ ପହଞ୍ଚି ଶ୍ରୀମନ୍ଦିରରେ ଗର୍ଭଗୃହକୁ ଯାଇ ମହାପ୍ରଭୁଙ୍କ ଦର୍ଶନ କରିବେ । ପରେ ଆନନ୍ଦବଜାରରେ ମହାପ୍ରସାଦ ଖାଇବାର ବ୍ୟବସ୍ଥା କରାଯିବ ବୋଲି କହିଛନ୍ତି ତାଙ୍କ କୌଳିକ ପଣ୍ଡା ବୈଦ୍ୟନାଥ ମହାପାତ୍ର ।

ରାଷ୍ଟ୍ରପତି ପୂର୍ବରୁ ଆସିଥିବା ତଥ୍ୟ ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ଗଣମାଧ୍ୟମକୁ ଦେଇଛନ୍ତି
ସେପଟେ ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ପାଇଁ ଗତକାଲି ମୁଖ୍ୟ ଶାସନ ସଚିବ ବୈଠକ କରିଥିଲେ । ଏନେଇ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ସମେତ ପୋଲିସ ପ୍ରଶାସନ ପକ୍ଷରୁ ପ୍ରାଥମିକ ପ୍ରସ୍ତୁତି ଆରମ୍ଭ ହୋଇଛି । ରାଷ୍ଟ୍ରପତିଙ୍କ ପୁରୀ ଗସ୍ତ ନେଇ ଆସନ୍ତାକାଲି ଅପରାହ୍ନ ସାଢ଼େ ୫ଟାରେ ଛତିଶା ନିଯୋଗ ବୈଠକ ବସିବ ଓ ଏଥିପାଇଁ କୌଳିକ ପଣ୍ଡାଙ୍କୁ ନିମନ୍ତ୍ରଣ କରାଯାଇଛି ।
"ରାଷ୍ଟ୍ରପତି ହେବା ପରେ ପ୍ରଥମ ଥର କଡା ସୁରକ୍ଷା ବଳୟ ଭିତରେ ବ୍ଲୁ ବୁକ ଅନୁଯାୟୀ ଶ୍ରୀମତୀ ଦ୍ରୌପଦି ମୁର୍ମୁ ଆସନ୍ତା ୧୦ ତାରିଖରେ ଦୁଇ ଦିନିଆ ଓଡ଼ିଶା ଗସ୍ତରେ ଆସି ସକାଳେ ବିଜୁ ପଟ୍ଟନାୟକ ବିମାନ ବନ୍ଦରରେ ପହଞ୍ଚିବେ । ସେଠାରୁ ପୁରୀ ଆସିବେ । ସିଂହଦ୍ଵାର ନିକଟରେ ପହଞ୍ଚିବା ପରେ ତାଙ୍କର କୌଳିକ ପଣ୍ଡା ଓ ଛତିଶା ନିଯୋଗ ମହାନାୟକ ,ଜିଲ୍ଲାପାଳ ,ଏସପିଙ୍କ ସମେତ ଶ୍ରୀମନ୍ଦିର ପ୍ରଶାସନର ଅନେକ ବରିଷ୍ଠ ଅଧିକାରୀ ତାଙ୍କୁ ସ୍ୱାଗତ କରିବେ । ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦି ମୁର୍ମୁଙ୍କର ଏହା ହେଉଛି ଷଷ୍ଠତମ ଗସ୍ତ । ପୂର୍ବରୁ କାଉନସିଲର ,ବିଧ୍ୟାୟକ, ପରିବହନ ମନ୍ତ୍ରୀ ଓ ରାଜ୍ୟପାଳ ବେଳେ ଦୁଇଥର ଆସି ଦର୍ଶନ କରିଛନ୍ତି ବୋଲି କହିଛନ୍ତି ରାଷ୍ଟ୍ରପତିଙ୍କ କୌଳିକ ପଣ୍ଡା ବୈଦ୍ୟନାଥ ମହାପାତ୍ର"।

ନଭେମ୍ବର ୧୦ରେ ଶ୍ରୀମନ୍ଦିରରେ ସକାଳ ଧୂପ ଓ ଭୋଗ ମଣ୍ଡପ ସରିବା ପରେ ରାଷ୍ଟ୍ରପତି ମହାପ୍ରଭୁଙ୍କ ଦର୍ଶନ କରିବେ । ଦିନ ୧୧ ଟାରୁ ୧୨ଟା ଭିତରେ ଦର୍ଶନ ପାଇଁ ବ୍ୟବସ୍ଥା କରାଯିବ । ପ୍ରଥମେ ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାଶଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଶ୍ରୀମନ୍ଦିରର ଗର୍ଭଗୃହକୁ ଯାଇ ରତ୍ନସିଂହାସନ ସ୍ଥିତ ଚତୁର୍ଦ୍ଧା ବିଗ୍ରହଙ୍କୁ ଦର୍ଶନ ଓ ପୂଜାର୍ଚ୍ଚନା କରିବେ । ପରେ ପୁରୀ ରାଜଭବନକୁ ଯିବେ ରାଷ୍ଟ୍ରପତି । ଶ୍ରୀମନ୍ଦିର ଭିତରେ ସେ ଆନନ୍ଦ ବଜାରରେ ମହାପ୍ରସାଦ ସେବନ ମଧ୍ୟ କରିପାରନ୍ତି । ଆସନ୍ତାକାଲି ଅପରାହ୍ନରେ ଏନେଇ ଜିଲ୍ଲାପାଳଙ୍କ ଅଧ୍ୟକ୍ଷତାରେ ସମସ୍ତ ବିଭାଗର ଅଧିକାରୀଙ୍କୁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହେବ ବୋଲି କହିଛନ୍ତି ଜିଲାପାଳ ସମର୍ଥ ବର୍ମା "।
"ଆଜି ଏସପିଙ୍କ କାର୍ଯ୍ୟାଳୟର ଏକ ପ୍ରାରମ୍ଭିକ ପ୍ରସ୍ତୁତି ବୈଠକ କରାଯାଇଛି । ରାଷ୍ଟ୍ରପତିଙ୍କ ପୁରୀରେ ପହଞ୍ଚିବା ଠାରୁ ଆରମ୍ଭ କରି ଶ୍ରୀମନ୍ଦିରରେ ମହାପ୍ରଭୁଙ୍କ ଦର୍ଶନ ,ରାଜଭବନ ଯିବା ରାସ୍ତା ଓ ହେଲିପ୍ୟାଡ ପ୍ରତ୍ୟାବର୍ତ୍ତନ ପ୍ରତ୍ୟେକ ରାସ୍ତାରେ ବ୍ଲୁ ବୁକ ପ୍ରୋଟୋକଲ ଅନୁଯାୟୀ ସୁରକ୍ଷା ବ୍ୟବସ୍ଥା କରାଯିବ । ତେବେ ରାଷ୍ଟ୍ରପତିଙ୍କ ପ୍ରୋଟୋକଲ ଅନୁଯାୟୀ କୌଳିକ ପଣ୍ଡାଙ୍କ ସହ ଜିଲ୍ଲା ଓ ଶ୍ରୀମନ୍ଦିର ପ୍ରଶାସନ ଆଲୋଚନା କରିବା ପରେ ତାଙ୍କ ଦର୍ଶନରେ ସବୁ ପ୍ରକାର ସହଯୋଗ କରିବାକୁ କୌଳିକ ପଣ୍ଡାଙ୍କୁ କୁହାଯାଇଛି । ଶ୍ରୀମନ୍ଦିର ଛତିଶା ନିଯୋଗ ବୈଠକରେ ରାଷ୍ଟ୍ରପତିଙ୍କ ଦର୍ଶନ ନେଇ ନିଷ୍ପତି ପରେ ପଦକ୍ଷେପ ନିଆଯିବ ବୋଲି କହିଛନ୍ତି ପୁରୀ ଏସପି କେ.ବିଶାଲ ସିଂହ "।
ରାଷ୍ଟ୍ରପତି ହେବା ପରେ ଶ୍ରୀମତୀ ଦ୍ରୌପଦି ମୁର୍ମୁଙ୍କ ଏହା ପ୍ରଥମ ଗସ୍ତ ହୋଇଥିବାରୁ ତାଙ୍କ ଗସ୍ତକୁ ସଫଳ ଓ ସ୍ମରଣୀୟ କରିବା ପାଇଁ ପ୍ରଶାସନିକ ସ୍ତରରେ ପ୍ରସ୍ତୁତି ଆରମ୍ଭ ହୋଇଯାଇଛି ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।