News18 Odia Digital
ଭୁବନେଶ୍ୱର: ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ(President Draupadi Murmu)ଙ୍କ ଓଡ଼ିଶା ଗସ୍ତ ପାଇଁ ଶେଷ ପର୍ଯ୍ୟାୟରେ ପ୍ରସ୍ତୁତି ହୋଇଛି । ଆଜିଠୁ ୩ ଦିନିଆ ମୟୂରଭଞ୍ଜ(Mayurbhanj) ଜିଲ୍ଲା ଗସ୍ତରେ ଆସିବେ ରାଷ୍ଟ୍ରପତି। ରାଷ୍ଟ୍ରପତି ହେବା ପରେ ଏହା ଦ୍ରୌପଦୀ ମୁର୍ମୁଙ୍କ ଜନ୍ମମାଟିକୁ ପ୍ରଥମ ଗସ୍ତ । ରାଇରଙ୍ଗପୁର(Rairangapur), ଶିମିଳିପାଳ(Shimilipal) ଓ ବାରିପଦା(Baripada)ରେ ମାରାଥନ୍ କାର୍ଯ୍ୟକ୍ରମ ରହିଛି । ପ୍ରଥମେ ଜନ୍ମମାଟି ରାଇରଙ୍ଗପୁର ଯିବେ ମହାମହିମ । ରାଷ୍ଟ୍ରପତି ନିଜେ ପ୍ରତିଷ୍ଠା କରିଥିବା ସ୍କୁଲକୁ ଯିବେ। ଆଦିବାସୀ ରୀତିନୀତିରେ ପୂଜା କରିବେ, ବନ୍ଧୁବାନ୍ଧବଙ୍କୁ ଭେଟିବେ। ଶିମିଳିପାଳ ଅଭୟାରଣ୍ୟ ବୁଲି ଦେଖିବା ସହ ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିବିଦ୍ୟାଳୟର ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତି ବାଦାମପାହାଡ ହେଲିପ୍ୟାଡରେ ସକାଳ ପ୍ରାୟ ୧୦ଟା ୧୫ରେ ପହଞ୍ଚିବାର ପରେ ସିଧା ଆସିବେ ନିଜେ ପ୍ରତିଷ୍ଠା କରିଥିବା ଶ୍ୟାମ-ଲିପୁନ-ସିପୁନ ବା SLS ସ୍କୁଲକୁ । ସ୍ୱାମୀ ଶ୍ୟାମ ଚରଣ ମୁର୍ମୁଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରିବା ପରେ ଆଦିବାସୀ ପରମ୍ପରା ଅନୁଯାୟୀ ପୂଜା କରିବେ ରାଷ୍ଟ୍ରପତି । ସେଥିପାଇଁ ପ୍ରସ୍ତୁତ ରଖାଯାଇଛି ହାଣ୍ଡିଆ ଓ ଅନ୍ୟାନ୍ୟ ପୂଜା ସାମଗ୍ରୀ । ରାଷ୍ଟ୍ରପତିଙ୍କ ପାଇଁ ବିଭିନ୍ନ ପ୍ରକାରର ଫଳ ବି ରହିଛି । ସ୍କୁଲରେ ୧୨୦ ଜଣ ବନ୍ଧୁବାନ୍ଧବ ଓ ସମ୍ପର୍କୀୟଙ୍କୁ ଭେଟିବା ସହ ଶହେରୁ ଅଧିକ ଛାତ୍ରଛାତ୍ରୀଙ୍କ ସହ ଆଲୋଚନା କରିବେ । ସ୍କୁଲ ପକ୍ଷରୁ ରାଷ୍ଟ୍ରପତିଙ୍କ ପାଇଁ ମଧ୍ୟାହ୍ନ ଭୋଜନର ବ୍ୟବସ୍ଥା କରାଯାଇଛି । ଯେଉଁଥିରେ ରହିଛି ମାଡାମ ପ୍ରେସିଡେଣ୍ଟଙ୍କ ପ୍ରିୟ ଖାଦ୍ୟ ଭାତ, ଡାଲି, ଖଟା ଓ ବଢ଼ିଚୁରା ।
ରାଷ୍ଟ୍ରପତିଙ୍କ ପାଇଁ ପ୍ରସ୍ତୁତ ରହିଛି ପାହାଡପୁରର ପୂଜାସ୍ଥଳ ଗୋଷାଣୀ । ଏଠାରେ ଆଦିବାସୀ ରୀତିନୀତିରେ ପୂଜା କରିବେ ରାଷ୍ଟ୍ରପତି । ପୂର୍ବରୁ ଝାଡ଼ଖଣ୍ଡ ରାଜ୍ୟପାଳ ଥିବା ସମୟରେ ସେ ଗୋଷାଣୀକୁ ଆସି ପୂଜା କରିଥିଲେ । ଦିନ ପ୍ରାୟ ୧ ଟା ସମୟରେ ପାହାଡପୁରରୁ ଗାଡ଼ିରେ ସିଧାସଳଖ ସାତପୁଟିଆକୁ ଯିବେ ରାଷ୍ଟ୍ରପତି । ସେଠାରେ ବ୍ରହ୍ମ କୁମାରୀ ଇଶ୍ୱରୀୟ ବିଶ୍ୱବିଦ୍ୟାଳୟ ପକ୍ଷରୁ ଆୟୋଜିତ ନିଶାମୁକ୍ତ ଓଡ଼ିଶା କାର୍ଯ୍ୟକ୍ରମରେ ଯୋଗ ଦେବେ। ସେ ମହୁଲଡିହାସ୍ଥିତ PWD ବଙ୍ଗଳାରେ ରାତ୍ରିଯାପନ କରିବେ। କାଲି ଅର୍ଥାତ୍ ମେ’ ୫ ତାରିଖରେ ପଣ୍ଡିତ ରଘୁନାଥ ମୁର୍ମୁଙ୍କ ଜନ୍ମବାର୍ଷିକୀ ଅବସରରେ ତାଙ୍କ ପ୍ରତିମୂର୍ତ୍ତିରେ ମାଲ୍ୟାର୍ପଣ କରି ହେଲିକପ୍ଟରରେ ସିଧା ଯିବେ ଶିମିଳିପାଳ ଅଭୟାରଣ୍ୟ । ସ୍ୱତନ୍ତ୍ର ଗାଡ଼ିରେ ରାଷ୍ଟ୍ରପତି ଶିମିଳିପାଳ ଅଭୟାରଣ୍ୟର
ବରେହିପାଣି ଓ ଚହଲା ବୁଲିବା କାର୍ଯ୍ୟକ୍ରମ ରହିଛି।
ରାଷ୍ଟ୍ରପତିଙ୍କୁ ସ୍ୱାଗତ କରିବାକୁ ସଜେଇ ହୋଇଛି ବାରିପଦାର ମହାରାଜା ଶ୍ରୀରାମଚନ୍ଦ୍ର ଭଞ୍ଜଦେଓ ବିଶ୍ୱବିଦ୍ୟାଳୟ । ବିଶ୍ୱବିଦ୍ୟାଳୟ ସମାବର୍ତ୍ତନ ଉତ୍ସବରେ ଯୋଗ ଦେବା ସହ ଛାତ୍ରଛାତ୍ରୀଙ୍କୁ ଉଦବୋଧନ ଦେବେ ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ । ରାଷ୍ଟ୍ରପତିଙ୍କ ସୁରକ୍ଷାରେ ନିୟୋଜିତ ହୋଇଛନ୍ତି ୫୦ ପ୍ଲାଟୁନ ପୋଲିସ ଫୋର୍ସ ଏବଂ ୪୦୦ରୁ ଅଧିକ ଅଫିସର । ତ୍ରିସ୍ତରୀୟ ସୁରକ୍ଷା ବଳୟରେ ଏସପିଜି କମାଣ୍ଡୋ ମୁତୟନ ରହିବେ ।
ରାଷ୍ଟ୍ରପତିଙ୍କ କାରକେଡ୍ ଯିବାବେଳେ ପୁରା ପାହାଡ଼ପୁର- ସାତପୁଟିଆ ରାସ୍ତାକୁ କର୍ଡନ କରାଯିବ । ପ୍ରବଳ ବର୍ଷା ସତ୍ତ୍ୱେ ରାଷ୍ଟ୍ରପତିଙ୍କ ଗସ୍ତ ପାଇଁ କୋଲିକତାରୁ ଫୁଲ ଅଣାଯାଇଛି ଓ ଆଦିବାସୀଙ୍କ ପାରମ୍ପରିକ ବାଦ୍ୟ ଯନ୍ତ୍ର ପ୍ରସ୍ତୁତ କରାଯାଇଛି।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।