ଶ୍ରୀମନ୍ଦିରକୁ ବାହୁଡ଼ିବେ ଜଗାବଳିଆ : ନୀତି ନିର୍ଘଣ୍ଟର ୩ ଘଣ୍ଟା ପୂର୍ବରୁ ଆରମ୍ଭ ହେଲା ପହଣ୍ଡି

ଶ୍ରୀଜୀଉଙ୍କ ଯାତ୍ରା ପାଇଁ ତିନି ରଥ ଅପେକ୍ଷାରତ ।

ଶ୍ରୀଜୀଉଙ୍କ ଯାତ୍ରା ପାଇଁ ତିନି ରଥ ଅପେକ୍ଷାରତ ।

  • Share this:
News 18 Odia Digital

ପୁରୀ; ଆଜି ଭଉଣୀ ସୁଭଦ୍ରାଙ୍କୁ ସାଥିରେ ନେଇ ବଡ଼ଦେଉଳ ଅଭିମୁଖେ ବାହୁଡିବେ ଜଗାବଳିଆ । ମହାପ୍ରଭୁଙ୍କ ବାହୁଡ଼ା ଯାତ୍ରା ଦେଖିବାକୁ ଚାତକ ପରି ଚାହିଁରହିଛି ଭକ୍ତ । ବଡ଼ଦାଣ୍ଡ ଭକ୍ତାରଣ୍ୟ ହୋଇଯାଇଛି । କେତେବେଳେ ମହାପ୍ରଭୁ ପହଣ୍ଡିରେ ବିଜେ ହେବେ ଶ୍ରଦ୍ଧାଳୁ ସ୍ୱନୟନରେ ଦେଖିବାକୁ ବ୍ୟାକୁଳ ହେଲେଣି । ମହାପ୍ରଭୁଙ୍କ କୃପାରୁ ସବୁ ଭକ୍ତ ଭଲରେ ଦର୍ଶନ କରି ଫେରିବେ, ସେଥିପାଇଁ ସମସ୍ତ ବ୍ୟବସ୍ଥା ହୋଇଛି । ଭକ୍ତଙ୍କ ସୁରକ୍ଷା ପାଇଁ ୧୫୦ ପ୍ଲାଟୁନ୍ ଫୋର୍ସ ମୁତୟନ ନେଇ ପୁରୀ ଏସପି ସୂଚନା ଦେଇଛନ୍ତି ।

ରଥ ସମ୍ମୁଖରେ କଳାକାର


ଆଜି ବାହୁଡ଼ା ପାଇଁ ଶୁକ୍ରବାର ସନ୍ଧ୍ୟାରୁ ପ୍ରସ୍ତୁତି ଆରମ୍ଭ ହୋଇଛି। ରାତି ୮ଟା ୪୫ରେ ମହାପ୍ରଭୁଙ୍କ ପହୁଡ଼ ଆଳତି ହୋଇଥିବାବେଳେ ବାହୁଡ଼ା ପହଣ୍ଡି ପାଇଁ ରାତି ୮ଟା ୫୫ରେ ମହାପ୍ରଭୁଙ୍କ ଶ୍ରୀମୁଖ ଖଣ୍ଡୁଆ ନୀତି ସମ୍ପନ୍ନ ହୋଇଛି। ପରେ ବାହୁଟ କଣ୍ଟ, ଚାରବନ୍ଧା, କୁସୁମିଲାଗି ନୀତି ଆରମ୍ଭ ହୋଇଛି । ତିନି ରଥରେ ବି ଚାରମାଳ ବନ୍ଧା ଶେଷ ହୋଇଛି । ସେପଟେ ବାହୁଡ଼ା ପାଇଁ ସ୍ବତନ୍ତ୍ର ନୀତି ନିର୍ଘଣ୍ଟ ସମୟ ପୂର୍ବରୁ ନୀତି ସମ୍ପନ୍ନ ହୋଇଛି ।

ଆରମ୍ଭ ହୋଇଛି ପହଣ୍ଡି ବିଜେ । ଧାଡି ପହଣ୍ଡିରେ ରଥକୁ ବିଜେ କରିବେ ଶ୍ରୀଜୀଉ । ଚାଲିଛି ଶ୍ରୀ ସୁଦର୍ଶନଙ୍କୁ ପହଣ୍ଡି ବିଜେ । ନୀତି ସଅଳ ସାରିବାକୁ ଲାଗିପଡିଛନ୍ତି ସେବାୟତ । ରଥଯାତ୍ରା ଭଳି ବାହୁଡ଼ାରେ ପହଣ୍ଡି ବି ଆଗୁଆ ଆରମ୍ଭ ହୋଇଛି । ଶୁକ୍ରବାର ରାତିରେ କୋଠ ସୁଆଁସିଆମାନେ ଶ୍ରୀଗୁଣ୍ଡିଚା ମନ୍ଦିରକୁ ପ୍ରବେଶ କରିଛନ୍ତି। ବିଳମ୍ବିତ ରାତିରେ ଆଡ଼ପମଣ୍ଡପରେ ଚାରବନ୍ଧା ନୀତି ଶେଷ ହୋଇଛି । ଶନିବାର ଭୋର ୪ଟାରେ ମଙ୍ଗଳ ଆଳତି, ୪ଟା ୧୫ରେ ମଇଲମ, ସାଢ଼େ ୪ଟାରେ ତଡ଼ପଲାଗି ଓ ରୋଷହୋମ, ୫ଟାରେ ଅବକାଶ, ସୂର୍ଯ୍ୟପୂଜା, ଦ୍ବାରପାଳ ପୂଜା ଓ ବେଶ, ଗୋପାଳବଲ୍ଲଭ ଓ ସକାଳଧୂପ(ଖେଚୁଡ଼ି ଭୋଗ) ନୀତି ସମ୍ପନ୍ନ ହେବା ପରେ ଦଇତାପତି ସେବକମାନେ ସେନାପଟା ଲାଗି କରିଥିଲେ । ସେନାପଟା ଲାଗି ଶେଷ ପରେ ମଙ୍ଗଳାର୍ପଣ ହୋଇ ବାହୁଡ଼ା ପହଣ୍ଡି ଆରମ୍ଭ ହୋଇଛି । ନୀତି ୩ ଘଣ୍ଟା ଆଗୁଆ ରହିଥିବାବେଳେ ବାହୁଡ଼ା ପହଣ୍ଡି ଶେଷ ପରେ ରଥ ଉପରେ ପୂର୍ବାହ୍ନ ୧୦.୩୦ ରୁ ୧୨ ଟା ସୁଦ୍ଧା ଚତୁର୍ଦ୍ଧାମୂର୍ତ୍ତିଙ୍କ ବେଶ ଶେଷ ହେବ। ସାଢ଼େ ୧୨ ଟାରୁ ସାଢ଼େ ଗୋଟାଏ ଭିତରେ ଛେରାପହଁରା ନୀତି ଅନୁଷ୍ଠିତ ହେବ। ଅପରାହ୍ଣରେ ଚାରମାଳ ଫିଟିବା ଓ ଘୋଡ଼ାଲାଗି କାର୍ଯ୍ୟ ସମ୍ପନ୍ନ ହେବ। ପରେ ଅପରାହ୍ଣ ୪ଟାରେ ରଥଟଣା ଆରମ୍ଭ ହେବ । ସୂଚନାଯୋଗ୍ୟ, ବାହୁଡ଼ା ଯାତ୍ରା ପରେ ଜୁଲାଇ ୧୦ରେ ସୁନାବେଶ ଓ ହରିଶୟନ ନୀତି, ଜୁଲାଇ ୧୧ରେ ଅଧରପଣା ଓ ଗରୁଡ଼ଶୟନ ନୀତି, ଜୁଲାଇ ୧୨ରେ ନୀଳାଦ୍ରୀ ବିଜେ ନୀତି ଅନୁଷ୍ଠିତ ହେବ।
Published by:Soubhagya Mishra
First published: