ପ୍ରସିଦ୍ଧ ପଞ୍ଚମା ସିଦ୍ଧ ବିନାୟକ ମନ୍ଦିରରେ ଗଣେଶ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପଞ୍ଚମା ସିଦ୍ଧ ବିନାୟକ ମନ୍ଦିରରେ ଗଣେଶ ପୂଜା ପାଇଁ ଜୋରଦାର ପ୍ରସ୍ତୁତି। ଦୁଇ ବର୍ଷର କରୋନା କଟକଣା ଚଳିତ ବର୍ଷ ପ୍ରାୟ ୧୦ ଲକ୍ଷରୁ ଅଧିକ ଭକ୍ତଙ୍କ ସମାଗମ ହେବା ନେଇ ଆଶା ରଖିଛି ଜିଲ୍ଲା ପ୍ରଶାସନ ଓ ମନ୍ଦିର ପରଚାଳନା କମିଟି।

ପ୍ରସିଦ୍ଧ ପଞ୍ଚମା ସିଦ୍ଧ ବିନାୟକ ମନ୍ଦିରରେ ଗଣେଶ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

ପ୍ରସିଦ୍ଧ ପଞ୍ଚମା ସିଦ୍ଧ ବିନାୟକ ମନ୍ଦିରରେ ଗଣେଶ ପୂଜା ପାଇଁ ଚାଲିଛି ଜୋରଦାର ପ୍ରସ୍ତୁତି

  • Share this:
News18 Odia Digital

ବ୍ରହ୍ମପୁର: ଅଗ୍ରପୂଜ୍ୟ ଗଣେଶଙ୍କ ପୂଜାକୁ ଆଉ ମାତ୍ର ଦିନ କିଛି ଦିନ ବାକି ଅଛି। ଏହାକୁ ଦୃଷ୍ଟିରେ ରଖି ଏବେ ସବୁଠି ଚାଲିଛି ପୂଜା ପାଇଁ ପ୍ରସ୍ତୁତି। ସେହିପରି ବ୍ରହ୍ମପୁର ଉପକଣ୍ଠ ପଞ୍ଚମାରେ ରହିଥିବା ସିଦ୍ଧ ବିନାୟକ ମନ୍ଦିରରେ ମଧ୍ୟ ପ୍ରସ୍ତୁତି ଶେଷ ପର୍ଯ୍ୟାୟରେ ପହଞ୍ଚିଛି। କିଭଳି ଶାନ୍ତି ଶୃଙ୍ଖଳାର ସହିତ ଗଣେଶଙ୍କ ପୂଜା ହେବ ଓ ଭକ୍ତମାନେ ଦର୍ଶନ କରିପାରିବେ ସେ ନେଇ ଜିଲ୍ଲା ପ୍ରଶାସନ, ପୋଲିସ ସହ ସ୍ଥାନୀୟ ସରପଞ୍ଚ ଓ କମିଟିକୁ ନେଇ ଘନ ଘନ ବୈଠକ ହେବା ସହିତ ପ୍ରସ୍ତୁତି ମଧ୍ୟ ଜାରି ରହିଛି।

ମନ୍ଦିରରେ ଗଣେଶଙ୍କୁ ଦର୍ଶନ କରିବା ପାଇଁ ହେଲେ ପଞ୍ଚମା ଗାଁ ମଝିରେ ଏକ ରେଳ ଫାଟକ ଡ଼େଇଁ ଯିବାକୁ ପଡୁଥିବା ଯୋଗୁଁ ଭକ୍ତମାନେ ନାନା ଅସୁବିଧାର ସମ୍ମଖୀନ ହେଉଥିବା ବେଳେ ରେଳ ଫାଟକ ନିକଟରେ ଏକ ରେଳ ଓଭରବ୍ରିଜ ନିର୍ମାଣ କରିବା ନେଇ ଦାବି କରିଛନ୍ତି ସ୍ଥାନୀୟ ବାସିନ୍ଦା।

ଗଞ୍ଜାମ ଜିଲ୍ଲାର ପ୍ରସିଦ୍ଧ ପଞ୍ଚମାର ସିଦ୍ଧ ବିନାୟକ ମନ୍ଦିରରେ ଚାଲିଛି ଗଜାନନଙ୍କ ପୂଜା ପାଇଁ ଜୋରସୋରରେ ପ୍ରସ୍ତୁତି। ଗତ ଦୁଇ ବର୍ଷ ହେଲା କରୋନା ଯୋଗୁଁ ଭକ୍ତଙ୍କ ଭିଡ଼ ହୋଇନଥିବା ବେଳେ ସେଭଳି ଆଡ଼ମ୍ବର ସହକାରେ ପୂଜା ମଧ୍ୟ ଅନୁଷ୍ଠିତ ହୋଇପାରିନଥିଲା। କିନ୍ତୁ ଚଳିତ ବର୍ଷ କୌଣସି ପ୍ରକାରର କଟକଣା ନଥିବା ଯୋଗୁଁ ଗଜାନନଙ୍କ ପୂଜା କିଭଳି ଆଡ଼ମ୍ବରରେ ପାଳନ ହେବ ସେ ନେଇ ପ୍ରସ୍ତୁତି ଏବେ ଜୋରଦାର।

‘‘ମନ୍ଦିରର ଚୂନ ପକା କାର୍ଯ୍ୟ ଠାରୁ ଆରମ୍ଭ କରି ଅନ୍ୟାନ୍ୟ ପ୍ରସ୍ତୁତି ମଧ୍ୟ ଜାରି ରହିଛି। ଜିଲ୍ଲା ପ୍ରଶାସନ, ପୋଲିସ, ମନ୍ଦିର ପରିଚାଳନା କମିଟି, ସ୍ଥାନୀୟ ସରପଞ୍ଚ ଓ ବାସିନ୍ଦାଙ୍କୁ ନେଇ କିଭଳି ଶାନ୍ତିଶୃଙ୍ଖଳାର ସହିତ ଗଜାନନଙ୍କ ପୂଜା ହେବ ସେ ନେଇ ମନ୍ଦିରକୁ ବୁଲି ଦେଖିବା ସହ ଏନେଇ ଘନ ଘନ ବୈଠକ ମଧ୍ୟ ଅନୁଷ୍ଠିତ ହେଉଛି। ପୂର୍ବ ବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଗଣେଶ ପୂଜା ଦିନ ବିଭିନ୍ନ ରାତିନୀତିରେ ପୂଜାର୍ଚ୍ଚନା କରାଯିବ,’’ ନେଇ ସୂଚନା ଦେଇଛନ୍ତି ସିଦ୍ଧ ବିନାୟକ ମନ୍ଦିରର ପୂଜକ।

‘‘ଗଜାନନଙ୍କ ମନ୍ଦିରକୁ ଯିବାକୁ ହେଲେ ପଞ୍ଚମାରେ ରହିଥିବା ରେଳ ଫାଟକ ଡ଼େଇଁ ଯିବାକୁ ପଡ଼ିଥାଏ। ଗଣେଶ ପୂଜା ସମୟରେ ମନ୍ଦିରରେ ଠାକୁରଙ୍କୁ ଦର୍ଶନ କରିବା ନିମନ୍ତେ ହଜାର ହଜାର ଭକ୍ତଙ୍କ ଭିଡ଼ ଲାଗି ରହୁଥିବା ବେଳେ ଏହି ସମୟରେ ରେଳ ଫାଟକରେ ଡ଼େଇଁ ଭକ୍ତମାନେ ଯିବାଆ ସିବା ସମୟରେ ନାନା ସମସ୍ୟାର ସମ୍ମଖୀନ ହେବାକୁ ପଡ଼ିଥାଏ। ତେଣୁ ଏହି ରେଳ ଫାଟକ ନିକଟରେ ଏକ ରେଳ ଓଭରବ୍ରିଜ ନିର୍ମାଣ କରିବା ନିମନ୍ତେ ଦୀର୍ଘ ବର୍ଷ ହେଲା ଗ୍ରାମବାସୀମାନେ ଦାବି କରିଆସୁଥିବା ବେଳେ ତାହା ବର୍ତ୍ତମାନ ପର୍ଯ୍ୟନ୍ତ ସଫଳ ହୋଇପାରିନାହିଁ। ଯାହାକି ଦୁଃଖ ଓ ପରିତାପର ବିଷୟ। ଯଦି ରେଳ ଓଭରବ୍ରିଜ ଟିଏ ହୋଇପାରନ୍ତା ତେବେ ଭକ୍ତଙ୍କ ସଂଖ୍ୟା ବୃଦ୍ଧି ହେବା ସହିତ ମନ୍ଦିରର ମଧ୍ୟ ଉନ୍ନତି ହୋଇପାରିବ,’’ କହିଛନ୍ତି ସିଦ୍ଧ ବିନାୟକ ମନ୍ଦିର ପରଚାଳନା କମିଟି ସଦସ୍ୟ ପ୍ରଫୁଲ୍ଲ କୁମାର ମଲ୍ଲ।

ଦୁଇ ବର୍ଷର କରୋନା କଟକଣା ପରେ ଚଳିତ ବର୍ଷ ପଞ୍ଚମା ସିଦ୍ଧ ବିନାୟକ ମନ୍ଦିରରେ ଲକ୍ଷ ଲକ୍ଷ ସଂଖ୍ୟାରେ ଭକ୍ତଙ୍କ ସମାଗମ ହେବା ନେଇ ଆଶା କରାଯାଉଛି। ସେହି ପ୍ରକାରେ ପ୍ରସ୍ତୁତି ମଧ୍ୟ ଜୋରଦାର କରାଯାଉଛି। ସମସ୍ତ ଭକ୍ତମାନେ କିଭଳି ଶାନ୍ତି ଶୃଙ୍ଖଳାର ସହିତ ଦର୍ଶନ କରିବେ ସେ ନେଇ ବ୍ୟାରିକେଟ୍‌ ବ୍ୟବସ୍ଥା, ପାଣିର ବ୍ୟବସ୍ଥା, ଶୌଚାଳୟର ବ୍ୟବସ୍ଥା ସାଙ୍ଗକୁ ଅନ୍ୟାନ୍ୟା ଆନୁସଙ୍ଗିକ ବ୍ୟବସ୍ଥା କରାଯାଇଛି। ଏହା ସହିତ ଭିନ୍ନକ୍ଷମ ଭକ୍ତମାନେ କିଭଳି ଠାକୁରଙ୍କ ଦର୍ଶନ କରିପାରିବେ ସେ ନେଇ ସ୍ବତନ୍ତ୍ର ବ୍ୟବସ୍ଥା ରହିଛି। ପଞ୍ଚମା ସ୍ଥିତ ରେଳ ଫାଟକ ନିକଟରେ ରେଳ ଓଭରବ୍ରିଜ ନେଇ ଦୀର୍ଘ ବର୍ଷର ଦାବି କିଭଳି ପୂରଣ ହୋଇପାରିବ ସେ ନେଇ ଜିଲ୍ଲା ପ୍ରଶାସନକୁ ଜଣାଇ ଦିଆଯାଇଥିବା ବେଳେ ଆଗାମୀ ଦିନରେ ଏନେଇ ସ୍ବର ଉତ୍ତୋଳନ କରାଯିବା ସହିତ ଦାବି ହାସଲ ନେଇ ସରକାରଙ୍କ ନିକଟରେ ଚାପ ପ୍ରୟୋଗ କରାଯିବ ବୋଲି ସୂଚନା ଦେଇଛନ୍ତି ରଣ୍ଢା ସରପଞ୍ଚ ଅଜିତ ରାଉଳ।

ବ୍ରହ୍ମପୁର ଏସପି ଶ୍ରବଣା ବିବେକ ଏମ କହିଛନ୍ତି, ‘‘ପୋଲିସ ପ୍ରଶାସନ ପକ୍ଷରୁ ମଧ୍ୟ ଗଣେଶ ପୂଜା ନେଇ ସିଦ୍ଧ ବିନାୟକ ମନ୍ଦିରରେ ବ୍ୟାପକ ବ୍ୟବସ୍ଥା କରାଯିବା ନେଇ ପ୍ରସ୍ତୁତି ଶେଷ ହୋଇଛି। ଲୋକେ କିଭଳି ଭାବେ ପୋଲିସ ନିୟମକୁ ପାଳନ କରି ଶାନ୍ତିଶୃଙ୍ଖଳାର ସହିତ ଦର୍ଶନ କରିବେ ସେ ନେଇ ଭକ୍ତମାନଙ୍କୁ ଅନୁରୋଧ କରାଯିବ। ମନ୍ଦିର ନିକଟରେ ବ୍ୟାପକ ପୋଲିସ ମୁତୟନ ହେବେ। ସେହିପରି ରେଳ ଫାଟକ ନିକଟରେ ମଧ୍ୟ କିଛି ପୋଲିସକୁ ମୁତୟନ କରାଯିବା ସହିତ ଗଣେଶ ପୂଜା ଦିନ ଏକ ଅସ୍ଥାୟୀ ପୋଲିସ ଟେଣ୍ଟ କରାଯାଇ ମନ୍ଦିର ଉପରେ ଦୃଷ୍ଟି ଦିଆଯିବ।’’

ମନ୍ଦିରର ଉନ୍ନୟନ ମୂଳକ ଠାରୁ ଆରମ୍ଭ କରି ଅନ୍ୟାନ୍ୟ କାର୍ଯ୍ୟ ଜିଲ୍ଲା ପ୍ରଶାସନ ବୁଝୁଥିଲେ ସୁଦ୍ଧା ସ୍ଥାନୀୟ ବାସିନ୍ଦା ଓ ମନ୍ଦିର ପରିଚାଳନା କମିଟିର ସହାୟତାରେ କିଭଳି ଶାନ୍ତିଶୃଙ୍ଖଳାର ସହିତ ଗଣେଶ ପୂଜା ପାଳନ କରାଯିବ ସେ ନେଇ ତତ୍ପର ରହିଛି ଜିଲ୍ଲା ପ୍ରଶାସନ।
Published by:Lipina Das
First published: