News 18 Odia Digital
ବ୍ରହ୍ମପୁର; ଦୁଇ ବର୍ଷ ପରେ ଚଳିତ ଥର ବ୍ରହ୍ମପୁର ସହରବାସୀ ପାଳନ କରିବେ ଜିରୋ ନାଇଟ୍ । ଜିରୋ ନାଇଟ୍ ପାଳନ ନେଇ ଆରମ୍ଭ ହୋଇଯାଇଛି ପ୍ରସ୍ତୁତି । ସହରର ବିଭିନ୍ନ ସଙ୍ଗଠନ ଓ ହୋଟେଲ ମାନେ ମଧ୍ୟ ଜିରୋ ନାଇଟ୍ ପାଳନ ନେଇ ବିଭିନ୍ନ ପ୍ରକାରର ଆୟୋଜନ କରିଛନ୍ତି । ବିଶେଷ କରି ସହରର ୟୁନିୟନ କ୍ଲବ ପକ୍ଷରୁ ଦୀର୍ଘ ୧୨ ବର୍ଷ ହେଲା ଜିରୋ ନାଇଟ୍ ପାଳନ କରାଯାଇଛି ।

ଗତ ଦୁଇ ବର୍ଷ ହେଲା କରୋନା କାରଣରୁ ଜିରୋ ନାଇଟ୍ ପାଳନ କରାଯାଇନଥିଲା । ତେଣୁ ଚଳିତ ବର୍ଷ କିଭଳି ଅଧିକ ଆକର୍ଷଣୀୟ ଜିରୋ ନାଇଟ୍ ପାଳନ ହେବ ସେ ନେଇ ପ୍ରସ୍ତୁତି ଜୋରସୋରରେ ଚାଲିଛି । ‘‘ଚଳିତ ବର୍ଷ ଜିରୋ ନାଇଟ୍ ଶନିବାର ପଡ଼ିଥିବା ଯୋଗୁଁ ଉଭୟ ଆମିଷ ଓ ନିରାମିଷ ଭୋଜନର ବ୍ୟବସ୍ଥା କରାଯାଇଛି । ଏହାସହିତ ସାଂସ୍କୃତିକ କାର୍ଯ୍ୟକ୍ରମର ମଧ୍ୟ ଆୟୋଜନ କରାଯାଇଛି । ରାଜ୍ୟ ଓ ରାଜ୍ୟ ବାହାରରୁ ବହୁ କଳାକାରଙ୍କୁ ଅଣାଯାଇଛି । କଳାକାର ମାନଙ୍କର ଗୀତ ଓ ନୃତ୍ୟରେ ନାଚିବେ ଓ ଝୁମିବେ ସହରବାସୀ ସେ ନେଇ ସମସ୍ତ ପ୍ରକାରର ବ୍ୟବସ୍ଥା କରାଯାଇଥିବା କହିଛନ୍ତି,‘‘ ୟୁନିୟନ କ୍ଲବର ସଭାପତି ଶ୍ରୀନିବାସ ରାଓ । ସେପଟେ ଦୁଇ ବର୍ଷ ହେଲା କରୋନା ଯୋଗୁଁ ଜିରୋ ନାଇଟ୍ ପାଳନ ବନ୍ଦ ଥିବା ବେଳେ ଚଳିତ ବର୍ଷ ଅଧିକ ଭିଡ଼ ଲାଗିବ । ତେଣୁ କିଭଳି ଭାବେ ଭିଡ଼ ନିୟନ୍ତ୍ରଣ ସହିତ କାହାରି କୌଣସି ଅସୁବିଧା ନ ହୁଏ ତାହାକୁ ମଧ୍ୟ ଦୃଷ୍ଟି ଦିଆଯାଇଛି । ଏହା ସହିତ କିଭଳି ଶାନ୍ତି ଶୃଙ୍ଖଳାର ସହ ଜିରୋ ନାଇଟ ପାଳନ ହୋଇପାରିବ ସେ ନେଇ ପୋଲିସ ଓ ପ୍ରଶାସନର ମଧ୍ୟ ସହଯୋଗ ଲଡ଼ାଯାଇଥିବା କହିଛନ୍ତି ୟୁନିୟନ କ୍ଲବର ସମ୍ପାଦକ ।

‘‘ଜିରୋ ନାଇଟ ପାଳନ ସହରରେ କିଭଳି ଭାବେ ଶାନ୍ତିଶୃଙ୍ଖାଳର ସହିତ ହେବ ସେ ନେଇ ସ୍ୱତନ୍ତ୍ର ଦୃଷ୍ଟି ଦିଆଯାଇଛି । ବିଶେଷ କରି ମଦ୍ୟପାନ କରି ଗାଡ଼ି ନ ଚଳାଇବା ଉପରେ ଗୁରୁତ୍ୱ ଦିଆଯାଇଛି । ଏହାର ଯାଞ୍ଚ ପାଇଁ ମଧ୍ୟ ପୋଲିସ ଏକ ଟିମ କାମ କରିବ । ଏହା ସହିତ ମଦ ଦୋକାନ ଉପରେ ଦୃଷ୍ଟି ରହିବ । ଯେଉଁ ମଦ ଦୋକାନ ସମ୍ମୁଖରେ ଭିଡ଼ ହେବ ତାହାକୁ କିଭଳି କମାଯିବ ଓ କୌଣସି ବିଶୃଙ୍ଖଳା ପରିସ୍ଥିତି ସୃଷ୍ଟି ନ ହେବ ସେ ନେଇ ଦୃଷ୍ଟି ଦିଆଯିବ । ସେହିପରି ବିଭିନ୍ନ ସଙ୍ଗଠନ ଓ ହୋଟେଲ ଗୁଡ଼ିକରେ ଶାନ୍ତି ଶୃଙ୍ଖଳାର ସହ ଜିରୋ ନାଇଟ ପାଳନ କରାଯିବ । ସେ ନେଇ ସହରରେ ରହିଥିବା ସମସ୍ତ ଥାନାକୁ ଆଲର୍ଟ କରାଯାଇଛି । ସେହିପରି ଗୋପାଳପୁର ବେଳାଭୂମି ମହୋତ୍ସବରେ ଯେହେତୁ ୩ ଲକ୍ଷ ଲୋକଙ୍କ ଭିଡ଼ ପରିଲକ୍ଷିତ ହୋଇଥିଲା । ଏହିକ୍ରମରେ ଜିରୋ ନାଇଟ୍ ରାତିରେ ମଧ୍ୟ ସମୁଦ୍ର ବେଳାଭୂମିରେ ଲୋକଙ୍କ ଭିଡ଼ ହେବା ନେଇ ଜଣାପଡ଼ୁଛି । ଏହାକୁ ଦୃଷ୍ଟିରେ ରଖି ପୋଲିସର ଏକ ଟିମ ସମୁଦ୍ର ବେଳାଭୂମି ଉପରେ ସମ୍ପୂର୍ଣ୍ଣ ଭାବେ ଦୃଷ୍ଟି ଦେବ ବୋଲି ସୂଚନା ଦେଇଛନ୍ତି,‘‘ ବ୍ରହ୍ମପୁର ଏସପି ଡ଼ା.ଶ୍ରବଣା ବିବେକ ଏମ ।
ଦୁଇ ବର୍ଷ ପରେ ଜିରୋ ନାଇଟ ପାଳନ ନେଇ ସହରବାସୀଙ୍କ ମଧ୍ୟରେ ଉତ୍କଣ୍ଠା ବୃଦ୍ଧି ହୋଇଥିବା ବେଳେ ପ୍ରସ୍ତୁତି ମଧ୍ୟ ଜୋରସୋରରେ ଚାଲିଛି । ତେବେ ଶାନ୍ତି ଶୃଙ୍ଖଳାର ସହିତ କିଭଳି ଜିରୋ ନାଇଟ ପାଳନ ହେବ ତାହା ମଧ୍ୟ ପୋଲିସ ପାଇଁ ଏକ ଚେଲେଞ୍ଜ ।
Published by:Soubhagya Mishra
First published:
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।