News 18 Odia Digital
ସୁବର୍ଣ୍ଣପୁର; ଆସନ୍ତା ଜାନୁଆରୀ ୧୩ ତାରିଖରୁ ଜାନୁଆରୀ ୨୯ ତାରିଖ ପର୍ଯ୍ୟନ୍ତ ୨୦୨୩ ବିଶ୍ୱ ହକି ମହାକୁମ୍ଭ ରାଜଧାନୀ ଭୁବନେଶ୍ୱର ସହ ଶିଳ୍ପ ନଗରୀ ରାଉରକେଲାଠାରେ ମହାସମାରୋହରେ ଅନୁଷ୍ଠିତ ହେବ l ପୁନଶ୍ଚ ରାଜ୍ୟର ଗର୍ବ ଓ ଗୌରବକୁ ପରିପୃଷ୍ଟ କରିବା ନିମନ୍ତେ ସମସ୍ତ ପୁରପଲ୍ଲୀଠାରୁ ଆରମ୍ଭ କରି ଜିଲ୍ଲାସ୍ତର ପର୍ଯ୍ୟନ୍ତ ହକିଖେଳକୁ ବ୍ୟାପକ ଓ ଜନାଦୃତ କରିବା ପାଇଁ ଜିଲ୍ଲା ପ୍ରଶାସନ ଦ୍ୱାରା ଜିଲ୍ଲାର ହକିଗଡ ଦକ୍ଷିଣୀପାଲି ଠାରେ ଏକ ସୁସଜ୍ଜିତ ହକିରଥକୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରାଯାଇଛି ।
ଶୁକ୍ରବାର ପୂର୍ବାହ୍ନରେ ସୁବର୍ଣ୍ଣପୁର ଜିଲ୍ଲାପାଳ ଶ୍ରୀମତୀ ଅବୋଲି ସୁନୀଲ ନରୱଣେ, ଆରକ୍ଷୀ ଅଧିକ୍ଷକ ଶ୍ରୀ ଅମରେଶ ପଣ୍ଡା, ଅତିରିକ୍ତ ଜିଲ୍ଲାପାଳ ଶ୍ରୀ ସୂର୍ଯ୍ୟନାରାୟଣ ଦାଶ, ଉପଜିଲ୍ଲାପାଳ ବୀରମହାରାଜପୁର ଅଶୋକ ଭୋଇ, ଉଲୁଣ୍ଡା ବ୍ଲକ ଅଧ୍ୟକ୍ଷା ଶ୍ରୀମତୀ ଶାନ୍ତିଲତା ମିଶ୍ର, ବିଡ଼ିଓ ହେମସାଗର ଭୋଇ ତଥା ଜିଲ୍ଳାର ବରିଷ୍ଠ ଅଧିକାରୀ ପ୍ରମୁଖ ଉପସ୍ଥିତ ରହି ଏହି ହକି ରଥର ଶୁଭାରମ୍ଭ କରିଥିଲେ । ପରେ ଏହି ପରିପ୍ରେକ୍ଷୀରେ ଜିଲ୍ଲା କ୍ରୀଡା ବିଭାଗ ଦ୍ୱାରା ଆୟୋଜିତ ବର୍ଣ୍ଣାଢ୍ୟ ସଭାରେ ଜାତୀୟ ଖେଳ ହକିକୁ ସବୁ ବର୍ଗରେ ଆଦୃତ କରିବା ସହ ହକି ବିଶ୍ୱ କପ ୨୦୨୩ ଖେଳ ମହାକୁମ୍ଭକୁ ଜିଲ୍ଳା ବ୍ୟାପି ଉତ୍ସାହ ଉଦ୍ଦୀପନାର ସହ ପାଳନ କରିବାକୁ ଆହ୍ୱାନ କରିଛନ୍ତି ଅତିଥି ବୃନ୍ଦ । ଏହି ପରିପ୍ରେକ୍ଷୀରେ ଦକ୍ଷିଣୀପାଲି ହକି ଖେଳ ପଡିଆରେ ଦକ୍ଷିଣୀପାଲି ଓ ଏସପତ୍ରା ପାଲି ମଧ୍ୟରେ ଏକ ବନ୍ଧୁତ୍ୱପୂର୍ଣ୍ଣ ହକି ଖେଳ ଅନୁଷ୍ଠିତ ହୋଇଥିଲା । ବିଭିନ୍ନ ସାଂସ୍କୃତିକ ଦଳ ଦ୍ୱାରା ପାରମ୍ପରିକ ଲୋକ ନୃତ୍ୟ, ଗୀତର ସାଂସ୍କୃତିକ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଥିଲା ।
ଜିଲ୍ଲାର ପ୍ରତ୍ୟେକ ଅଞ୍ଚଳର ସର୍ବସାଧାରଣ ଯେପରି ହକି ବିଶ୍ୱ କପ ୨୦୨୩ ର ମହନୀୟତାକୁ ହୃଦବୋଧ କରି ବିଶ୍ୱ ହକି ମହାକୁମ୍ଭରେରେ ଆନ୍ତରିକ ସାମିଲ ହେବେ ସେଥିପ୍ରତି ଗରୁତ୍ୱାରୋପ କରାଯାଇଛି । ହକି ରଥ ଜିଲ୍ଲାର ସମସ୍ତ ୧୦୯ ଗୋଟି ପଞ୍ଚାୟତକୁ ପରିକ୍ରମା କରିବ । ପ୍ରଥମ ଦିନରେ ହକି ରଥ ଦକ୍ଷିଣୀପାଲିଠାରୁ ଆରମ୍ଭ କରି ବିଶେଷ ପଟୁଆରରେ ଉଲୁଣ୍ଡା ବ୍ଲକର ପଞ୍ଚ ମହଲା, ଯାଲୋଏ, କଳାପଥର ଓ ମହାଦା ଗ୍ରାମ ପଞ୍ଚାୟତକୁ ପରିକ୍ରମା କରିବାର କାର୍ଯ୍ୟକ୍ରମ ରହିଥିଲା । ଆସନ୍ତାକାଲି ଜିଲ୍ଲାର ସୋନପୁର ବ୍ଲକ ଅନ୍ତର୍ଗତ ଛକୋରମାଲ, ରେଙ୍ଗାଲି, ମଲ୍ଲିକମୁଣ୍ଡା, ହର୍ଡଖୋଲ ଗ୍ରାମ ପଞ୍ଚାୟତକୁ ପରିକ୍ରମା କରି ପଞ୍ଚାୟତ ସ୍ତରରେ ସମସ୍ତ ବର୍ଗର ଲୋକଙ୍କୁ ହକି ଖେଳ ସମ୍ୱନ୍ଧୀୟ ବିଶେଷ ତଥା ସ୍ୱତନ୍ତ୍ର କାର୍ଯ୍ୟକ୍ରମ ଆୟୋଜନରେ ସାମିଲ କରିବ ଯଦ୍ୱାରା ଚଳିତ ହକି ବିଶ୍ୱକପରେ ଅଧିକରୁ ଅଧିକ ଜନସାଧାରଣ ସାମିଲ ହେବାର ସୁଯୋଗ ନେଇପାରିବେ ।
ଏହି ବିଶେଷ କାର୍ଯ୍ୟକ୍ରମ ଜିଲ୍ଲା କ୍ରୀଡା ଅଧିକାରୀ ଅଭିଳାଷ ପୁରୋହିତଙ୍କ ତତ୍ୱାବଧାନରେ ଅନୁଷ୍ଠିତ ହୋଇଥିଲା । କାର୍ଯ୍ୟକ୍ରମରେ ବିଭିନ୍ନ ଜିଲ୍ଲାସ୍ତରୀୟ ଅଧିକାରୀ, ସ୍ଥାନୀୟ ଜନ ପ୍ରତିନିଧି, ଛାତ୍ର ଛାତ୍ରୀ, ସ୍ୱେଚ୍ଛାସେବୀ ଅନୁଷ୍ଠାନ, ମହିଳା ସ୍ୱୟଂ ସହାୟକ ଗୋଷ୍ଠୀ, ମିଶନ ଶକ୍ତି ସଦସ୍ୟ, ସ୍ଥାନୀୟ ଜନସାଧାରଣ, ବିଭିନ୍ନ ସାଂସ୍କୃତିକ ଦଳ, ସାମ୍ବାଦିକ ପ୍ରମୁଖ ଅଂଶ ଗ୍ରହଣ କରିଥିଲେ l
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।