News 18 Odia Digital
ଭୁବନେଶ୍ଵର; ହକି ବିଶ୍ଵକପ ପାଇଁ ଉଚ୍ଛେଦ ପ୍ରକ୍ରିୟା ଜୋରଦାର କରାଯାଇଛି । ରାଜଧାନୀରେ ସୌନ୍ଦର୍ଯ୍ୟକରଣ ଲାଗି ରାସ୍ତା ପାର୍ଶ୍ୱରୁ ବେଆଇନ ଦୋକାନ, ମନ୍ଦିରକୁ ହଟାଉଛି ବିଡ଼ିଏ । ବିଡ଼ିଏ ଉପାଧ୍ୟକ୍ଷ ବଲବନ୍ତ ସିଂଙ୍କ ନିର୍ଦ୍ଦେଶକ୍ରମେ ଏକକାଳୀନ ସଚିବାଳୟ ମାର୍ଗ, ଚନ୍ଦ୍ରଶେଖରପୁର , ସହିଦ ନଗର, ପଟିଆ ଓ କ୍ରାଉନ ହୋଟେଲରୁ ସାଲିଆ ସାହି ଯାଏ ଉଚ୍ଛେଦ ହୋଇଛି ।
ଆସନ୍ତା ଜାନୁଆରୀରେ ଭୁବନେଶ୍ଵରଠାରେ କଳିଙ୍ଗ ଷ୍ଟାଡିୟମରେ ହେବାକୁ ଯାଉଛି ହକି ବିଶ୍ଵକପ । ଏଠାକୁ ଆସିବେ ବିଶ୍ଵର ଶତାଧିକ ଖେଳାଳି । ଖେଳାଳିଙ୍କ ସମେତ ହଜାର ହଜାର ଦର୍ଶକ ବି ମ୍ୟାଚ୍ ଦେଖିବାକୁ ପହଞ୍ଚିବେ ଭୁବନେଶ୍ବରରେ । ତେଣୁ ରାଜଧାନୀ ଏବେଠୁ ସଜେଇ ହେଲାଣି । ସହରର ମୁଖ୍ୟ ରାସ୍ତାଠାରୁ ଆରମ୍ଭ କରି ଗଳିକନ୍ଦି ରାସ୍ତା ପାର୍ଶ୍ବର ସୌନ୍ଦର୍ଯ୍ୟକରଣ କାମ ଜୋରସୋରରେ ଆଗେଇ ଚାଲିଛି ।
ପାତ୍ରପଡ଼ାରୁ ଖଣ୍ଡଗିରି, ରାଜଭବନରୁ ଏଜି ଛକ, ରାଜଭବନରୁ କଳିଙ୍ଗ ଷ୍ଟାଡିୟମ୍, ଜୟଦେବ ବିହାରରୁ ପଟିଆ, ରବି ଟକିଜରୁ ରସୁଲଗଡ଼, ଜୟଦେବ ବିହାରରୁ ବାଣୀବିହାର, ଖଣ୍ଡଗିରିରୁ ସିଆରପି ରାସ୍ତାର ଏବେ ସୌନ୍ଦର୍ଯ୍ୟକରଣ କାର୍ଯ୍ୟ ଚାଲିଛି । ତେବେ ସବୁଠୁ ବଡ଼ ସମସ୍ୟା ହେଉଛି ଜବରଦଖଲ । ଜବରଦଖଲ ଯୋଗୁ ସୌନ୍ଦର୍ଯ୍ୟକରଣରେ ବାଧା ସୃଷ୍ଟି ହେଉଥିବାରୁ ବିଡ଼ିଏ ଉଛେଦ କାର୍ଯ୍ୟକୁ ଜୋରଦାର କରିଛି ।
ଏହି ଉଚ୍ଛେଦରେ କ୍ରାଉନ୍ ହୋଟେଲ ସମ୍ମୁଖ ରାସ୍ତାରେ ଥିବା ଅସ୍ଥାୟୀ ମାଛ ଦୋକାନ ଭଙ୍ଗା ଯାଇଛି । ଏଥିରେ ୩୫ଟି ମାଛ ଦୋକାନ, ୬ଟି ମଟନ ଦୋକାନ, ୪ଟି ପରିବା ଦୋକାନ ଓ ଗୋଟିଏ କମାର ଦୋକାନ ମାଟିରେ ମିଶିଛି । ସେହିପରି ଚନ୍ଦ୍ରଶେଖରପୁର ଅଞ୍ଚଳରେ ଗୋଟିଏ ହନୁମାନ ମନ୍ଦିର ଓ ପଟିଆରେ ଉଦ୍ୟାନ ଫ୍ରେସ୍ ଭଙ୍ଗା ଯାଇଛି । ଉଚ୍ଛେଦ ସମୟରେ ବିଡ଼ିଏ ଏନଫୋର୍ସମେଣ୍ଟ ଅଫିସର ପ୍ରମୋଦ ପାତ୍ର ଓ ବିଡ଼ିଏ ଲିଆସନ ଅଫିସର ଶୁଭ୍ରାଂଶୁ ଶେଖର ମହାନ୍ତିଙ୍କ ସହ ଏନଫୋର୍ସମେଣ୍ଟ ସ୍କ୍ୱାର୍ଡ ମଧ୍ୟ ଉପସ୍ଥିତ ଥିଲେ।
ନ୍ୟୁଜ୍ ୧୮ ଓଡ଼ିଆରେ ବ୍ରେକିଙ୍ଗ୍ ନ୍ୟୁଜ୍ ପଢ଼ିବାରେ ପ୍ରଥମ ହୁଅନ୍ତୁ| ଆଜିର ସର୍ବଶେଷ ଖବର, ଲାଇଭ୍ ନ୍ୟୁଜ୍ ଅପଡେଟ୍, ନ୍ୟୁଜ୍ ୧୮ ଓଡ଼ିଆ ୱେବସାଇଟରେ ସବୁଠାରୁ ନିର୍ଭରଯୋଗ୍ୟ ଓଡ଼ିଆ ଖବର ପଢ଼ନ୍ତୁ ।